Unknown

 

 

 

 

 

 

 

 

 

 

 

ଚିତ୍ର ତାରକା

କମଳାକାନ୍ତ ଦାସ

 

ଉତ୍ସର୍ଗ

 

ଆମ ଘରକୁ ଆସି ତୁମେ ମୋତେ

ଯେ କେତୋଟି ପିଲା ଦେଇଚ,

ତାରି ବଦଳରେ ମୋର ଏ

ପିଲାଟିକୁ ତୁମରି

ହାତରେ

ଦେଲି ।

 

ଲେଖକ

 

ଭାଦ୍ର ନିଶୀଥର ଆକାଶ ଚାନ୍ଦୁଆତଳେ କୋଟି କୋଟି ତାରା ହସି ଉଠିଛି । ଝାପ୍ସା ନଈ ପଠା ଉପରେ କାଶଫୁଲ ଲହଡ଼ି ଭାଙ୍ଗୁଛି—ଧୂସର ଛାୟାର ମାୟା ରୂପ ଘେନି—ଅସ୍ପଷ୍ଟ ପ୍ରକୃତି କୋଳରେ ସରୂପର ଅରୂପ ବିକାଶ ପରି । ଆକାଶ ଅବନି ରଜନୀର କୃଷ୍ଣ ଆବରଣ ତଳେ ନିର୍ବାକ ନିମଗ୍ନ । ବହମାନ ନଦୀ ସ୍ତ୍ରୋତର କୃଷ୍ଣ ପ୍ରବାହ ଉପରୁ ଛଳ ଛଳ କଳ କଳ ଶବ୍ଦ ମାନ ଶୁଭୁଛି । ଧୂଆଁଟିଆ ପାଣିଧାର ଉପରେ ଈଷତ୍ ଗାଢ଼ ନୌକା ଦୁଇଖଣ୍ଡି ସ୍ରୋତମୁଖୀ-ଆହୁଲା କେତେଖଣ୍ଡିର ଚଳ ଚଳ ଶବ୍ଦ ଶୁଭୁଛି—କୂଳଉପରେ ମୁଣ୍ଡ ଟେକିଥିବା ବଣ ବୁଦାର ଆଢ଼ୁଆଳରେ କ୍ଷଣେ ଲୁଚି କ୍ଷଣେ ଦିଶିଯାଉଛି । ସ୍ରୋତ ଓ ଆହୁଲା, ଉଭୟର ଯୌଗିକ ସୂତ୍ର ସଙ୍ଗେ ସମତା ରଖି ଆଗେଇ ଛାଲିଛି ନୌକା ଦୁଇଖଣ୍ଡି ଉଦ୍ଦିଷ୍ଟ ପଥର ହିସାବନିକାଶ କରିବାଲାଗି । କୋଳରେ ତା’ର କେତୋଟି ଜୀବନ୍ତ ପ୍ରାଣୀର ଉପସ୍ଥିତି ପ୍ରମାଣ କରାଇ ଦେଉଛି ଚଳମାନ ଆଲୋକ ରେଖା କେତୋଟି—ଭିତରେ ଜଳୁଥିବା କେତୋଟି ହାରିକେନ୍‍ ଲଣ୍ଠନ । ଆକାଶର ଅଚଳ ଦୀପାଲୋକ ସଙ୍ଗେ ନୌକାସ୍ଥିତ ସଚଳ ଦୀପ କେତୋଟିର ଆଲୋକ ଶିଖା ପ୍ରତିବିମ୍ବ ଛଳରେ ଜଳତରଙ୍ଗ ଉପରେ ଖେଳ ଖେଳୁଛନ୍ତି ।

 

କାଳସ୍ରୋତର ଅନ୍ଧକାର ଦିଗନ୍ତ ଭିତର ଦେଇ ବହିଚାଲିଚି ଜୀବଜଗତର ଜୀବନତରୀ–କିଛି ଜଣାପଡ଼ୁନାହିଁ କି ଦିଶୁନାହିଁ—ମଣିଷ ଭାବୁଛି ବଢ଼ୁଛି ବୋଲି; କିନ୍ତୁ ବଢ଼ୁନାହିଁ, ଛିଡ଼ୁଚି-। ଅଦେଖା ବାରିଧାରା ଉପରେ ଅସ୍ପଷ୍ଟ ଜୀବନଧାରା ଆଗେଇ ଧାଇଁଚି ସୁଦୂରର କେଉଁ ଦିଗନ୍ତ ଆଡ଼କୁ, ଜଣାପଡ଼ୁନାହିଁ । ଅନ୍ଧକାରମୟ ପଟ୍ଟଭୂମି ଉପରେ ସେ ପାରିର ଦୃଶ୍ୟପଟ୍ଟ ଛାୟା ଓ ମାୟାର ରୂପଘେନି ଧୂସର ଭୂମିକା ରଚନା କରିଚି । ସ୍ୱପ୍ନ ପରି ଲାଗେ । ଜାଗ୍ରତ ସୁସୁପ୍ତିର ପରିବେଶ ଉପରେ ମନଭିତରେ ମୋହିନୀ ମାୟା ଛାୟାଚିତ୍ର ଖେଳାଇ ଦେଉଛି । ଦିଶୁଚି, ପୁଣି ଦିଶୁନାହିଁ । ଅଛି, ପୁଣି ନାହିଁ । ମନଭିତରେ ଦ୍ୱନ୍ଦ୍ୱର ପ୍ରତିଦ୍ୱନ୍ଦ୍ୱିତା ଲାଗିଛି । କିଛି ନାହିଁ, କିଛି କିଛି ଦିଶୁନାହିଁ, ଜଣାପଡ଼ୁନାହିଁ, ଅନୁଭୂତି ଭିତରେ କାହାରି ପ୍ରମାଣ ମିଳୁନାହିଁ, ଅତଏବ କେହି ନାହିଁ-। ‘ନାହିଁ’ର ନାସ୍ତିବାଦ ଓ ନାସ୍ତିକତା ଭିତରେ ପୁଣି ରହି ରହି ‘ଅଛି’ ‘ଅଛି’ ଶବ୍ଦ ଶୁଭୁଛି, କିଛି ଥିଲା ପରି ଜଣାପଡ଼ୁଛି । କିଛି ଅଛି ବୋଲି ଦେଖା ଯାଉଛି, ଉପଲବ୍ଧି କରାଯାଉଛି ଓ ପ୍ରମାଣ ମିଳୁଛି । ଥିବାର ବିଶ୍ୱାସ ଓ ପ୍ରମାଣ ଛାଁକୁ ଛାଁଆଁ ସ୍ୱୀକାର କରିନେଉଛି ମନଭିତରଟା । ଛୋଟମନ ପ୍ରମାଣ ଖୋଜୁଛି, ବଡ଼ମନ ବିସ୍ଵାଶ କରୁଛି, ଜଡ଼ ମନ ଅନୁଭବ କରିପାରୁନାହିଁ । ଚେତନା ଚେତେଇ ଦେଇ କହୁଛି–ଅଛିରେ ଅନ୍ଧ, ଭଲ କରି ଦେଖ୍‍; ଆଖିମେଲି ଚାହାଁ, ଆଖିବୁଜି ଅନୁଭବ କର–ଦେଖିବୁ ଏବଂ ନିଶ୍ଚୟ ଦେଖିବାକୁ ପାଇବୁ ? ଅଛି ।

 

ଜଳସ୍ରୋତ ଉପରୁ ଚଳତ୍‍ଶକ୍ତି ସମ୍ପନ୍ନ ନୌକାଦୁଇଟିରେ ଥିବା ଯାତ୍ରୀଦଳଙ୍କ ଭୁଟଭାଟ୍‍ କଥାବାର୍ତ୍ତା କୂଳ ଆଡ଼କୁ ଭାସି ଆସୁଛି ।

 

ରାତ୍ରିର ଶେଷପ୍ରହର ଆଡ଼କୁ ଦିଗ୍‍ବଳୟ ସ୍ପଷ୍ଟ ରେଖାକାର ହୋଇ ଦେଖାଦେବାରେ ଲାଗିଲା । ପୂର୍ବ ଚକ୍ରବାଳ ଉପରେ ଉଷାରାଣୀର ସୁଷମାର ଛଟା ପ୍ରକଟଲଭ କରୁଛି । ଧୀରେ ଧୀରେ ଆକାଶର ବର୍ଣ୍ଣ ବଦଳି ଯାଉଚି । ରାତ୍ରିର ତାରକାପଙ୍‍କ୍ତି କାନ୍ତି । ହୀନତା ଲାଭ କରୁଚନ୍ତି । ମୂକସାକ୍ଷୀ ପରି ଶୁକ୍ରତାରା ଉଇଁଲା, ପ୍ରକଟିଲା, ଝକଟିଲା ଏବଂ ମଉଳି ପଡ଼ିଲା । ଧୂସର ତରୁଲତା ଶ୍ରେଣୀ ଧୀରେ ଧୀରେ ବେଣୀ ପ୍ରସାରିତ କରି ସାରା ଚକ୍ରବାଳ ରେଖାଟିକୁ ଆବୋରି ସୁରଙ୍ଗ ଆକାଶ ଉପରକୁ ମୁଣ୍ଡଟେକି ଠିଆ ହେଲେଣି—ସତେକି ବିହଗ କାକଳି ଛଳରେ ଓଁକାର ଧ୍ୱନି ଉଚ୍ଚାରି ଉଠିବା ପାଇଁ ପ୍ରସ୍ତୁତ ହେଉଛନ୍ତି ! ପ୍ରଭାତର ମାଙ୍ଗଳିକ ଧ୍ୱନି ଉଠାଇ ସତେ କି ଦିବସ ସଭାର ପ୍ରାରମ୍ଭିକ ସଙ୍ଗୀତ ଗାଇ ଉଠିବେ ! ରାତ୍ରିର ସ୍ୱପ୍ନ ସ୍ୱରୂପ ଘେନିଲା ପରି ନୌକା ଦିଓଟି ବିଷ୍ଣୁପୁର ଗ୍ରାମର ନଦୀଘାଟରେ ଝଙ୍କାଳିଆ ବରଗଛର ଅନ୍ଧାରିଆ ଛାଇତଳେ କୂଳରେ ଲାଗିଲେ । ଦୁଇଚାରିଜଣ ନାଉରୀ ତୁଠ ଉପରକୁ କୁଦିପଡ଼ି ଦଉଡ଼ି ଧରି ମୋଟା ମୋଟା ବର ସିଅରେ ବାନ୍ଧିଦେଲେ । କେତେଜଣ ପୁରୁଷ ଓ ନାରୀ ଝିଅ ପୁଅ ଦି ତିନୋଟିଙ୍କୁ ଧରି ଓହ୍ଲାଇ ପଡ଼ିଲେ । ପଛ ନୌକାରୁ ଉତୁରିଲେ ବିଭିନ୍ନ ଯନ୍ତ୍ରପାତିଧାରୀ କେତେଜଣ ପୁରୁଷ । ସେମାନଙ୍କ ହାତରେ ଥାଏ ଫିଲ୍ମ ଛବି ଉଠାଇବା ପାଇଁ ଦାମିକା କ୍ୟାମେରା ଏବଂ ଯନ୍ତ୍ରପାତି । ଆଜି ନୌକାରୁ ଓହ୍ଲାଇଲେ ‘ଆର୍ଟିଷ୍ଟ’ ବା ଚିତ୍ର ତାରକା ଦଳ । ଆୟୋଜନକାରୀମାନେ ଦିନକ ଆଗରୁ ଆସି ନଈକୂଳ ସ୍କୁଲଘରେ ଅପେକ୍ଷାକରି ରହିଥିଲେ । ନୂଆଲୋକଙ୍କୁ ଦେଖି ଗ୍ରାମବାସୀଙ୍କ ଭିତରୁ କାହା ମନରେ ଯେ କେତେପ୍ରକାର ସନ୍ଦେହ ଓ କୌତୂହଳ ଜାତହୋଇଛି, ତାହାର ଠିକଣା ନାହିଁ । ସମସ୍ତେ ଶୁଣିଛନ୍ତି, ମହାଦେବଙ୍କ ଦେଉଳ ପାଖେ ଛବି ଉଠାଯିବ । ଝିଅ ବୋହୂଙ୍କୁ ରାତିରୁ ନିଦ ନାହିଁ । ଅଭ୍ୟାସ ଥାଉ ବା ନ ଥାଉ, ବୁଢ଼ା ବୁଢ଼ୀଙ୍କଠାରୁ ପିଲାବାଳକ ପର୍ଯ୍ୟନ୍ତ କୋଡ଼ିଏ ତିରିଶ ଜଣ ପ୍ରଭାତ ନହେଉଣୁ ଗାଧୋଇବା ଛଳରେ ନଈ ତୁଠକୁ ଗଡ଼ୁଛନ୍ତି, କିମ୍ବା ସ୍କୁଲ ଘର ଚାରିପାଖଯାକ ଘେରିଯାଇଛନ୍ତି । ନୌକା ଦୁଇଟି ଆସି ଲାଗିଲା । ଆଗନ୍ତୁକ ଓ ଦର୍ଶକ, ସମସ୍ତଙ୍କ ମୁହଁ ହସ ହସ । ପଲ୍ଲୀ ଗାଁ ଦାଣ୍ଡରେ ନୂଆପଥିକ ।

 

ଆଜିକାଲିର ଟେକିନେଲା ଭଳି ଛୋଟ ଛୋଟ ଯନ୍ତ୍ରପାତିଗୁଡ଼ିକ ଆଡ଼କୁ ସଭିଙ୍କ ନଜର । ରାତିରୁ ଅଭିନେତା, ଅଭିନେତ୍ରୀମାନଙ୍କର ମେକ୍‍ଅପ୍‍ କାର୍ଯ୍ୟ ସରିଛି । ନଈକୂଳିଆ ମହାଦେବ ମନ୍ଦିରରେ, ଚିତ୍ରର ଯେଉଁ ଅଂଶଟିର ସୁଟିଂ ହେବାର କଥା ଥିଲା, ସେଥିପାଇଁ ସାମାନ୍ୟ ଅଳ୍ପ ସମୟ ଭିତରେ ମନିଟର ବା ରିହର୍‍ସାଲ କରାଗଲା । ତା’ପରେ ଡଇରେକ୍ଟର୍‍ଙ୍କ ଆଦେଶ ଅନୁସାରେ ଏକାବେଳକେ କ୍ୟାମେରା ଓ ସାଉଣ୍ଡ ଟ୍ରକ୍‍ (ଫଟୋଗ୍ରାଫ୍‍ ଯନ୍ତ୍ର ଓ ଶବ୍ଦ ଯନ୍ତ୍ର) କାମ କରିବାକୁ ଆରମ୍ଭ କଲା । ଅଳ୍ପ ସମୟ ଭିତରେ ଫଟୋ ଉଠା ସରିଲା । ବିଦ୍ୟାଳୟ ଆଗରେ ଆମ୍ବ ତୋଟାରେ ଆଗନ୍ତୁକମାନେ ଚା ଓ ଜଳଖିଆ ଖାଇ ହସଖେଳରେ ସମୟ କଟାଇଲେ । ଗାଁ ଝିଅ ବୋହୂଏ କୁହାକୁହି ହେଉଥାନ୍ତି—ବାଇସିକୋପ କାହିଁ ମ ? ଖାଲିତ କେଇଟା ମରଦ ଓ କେଇଟା ଅଣ୍ଡିରିଚଣ୍ଡୀ ବେହଲ ହେଉଚନ୍ତି ! ଇଲୋ ନାଟ କାହିଁ ? ବାଜା କାହିଁ ? ଭେସପଟା କାହିଁ ?

 

କଟକରେ ପାଠପଢ଼େ ସେରନ୍ତି ଅପା ପୁଅ ରାଧାଶ୍ୟାମ । ଏଙ୍କ କଥା ଶୁଣି କହିଲା—ରହିଥା ମାଇଁ ଦେଖିବ, ଦେଖିବ । ତମେସବୁ ନଈରେ ଗାଧୋଉଥିଲ । ଫଟ ଉଠି ଯାଇଚିଯେ । ବାଇସ୍କୋପ ପରଦା ଉପରେ ଯେତେବେଳେ ତମର ସବୁ ଗାଧୁଆ ଛବି ଦେଖାଯାଉଥିବ, ସେତେବେଳେ ଚିହ୍ନିଲା ଲୋକ କହୁଥିବେ— ।

 

ରୁକୁଣୀ ମାଇଁ ବଅସରେ ରାଧୁଆର ସମସରିସା । ଚାଖେଣ୍ଡେ ଲମ୍ବ ଜିଭ କାମୁଡ଼ିପକାଇ ଚିହିଙ୍କିଉଠି କହିଲା—ହଇରେ ଟୋକା, କ’ଣ କହୁଚୁ ? ଆମରସବୁ ଫଟ୍‍ ଉଠିଗଲା ? ମୁତ ତ ଚଣ୍ଡାଳୁଣୀ ଓଦାଲୁଗା ପାଲଟୁଥିଲି ରେ ! କି ବେହେଲ କଥା ହେଲା ?

 

ସମବୟସୀ ରାଧୁ । ମାଇଁ ବୋଲି ଡାକେ ସିନା; ରୁକୁଣୀକି ଦେଖିଲେ ହସେ, ହସି ହସି କଥା କହିବାକୁ ତାକୁ ସୁଆଦ ଲାଗେ । କହିଉଠିଲା—ଚିହ୍ନିଲାଲୋକ କହିବେ ମାଇଁ, ଆମରି ରୁକୁଣୀମ ! ଗାଧୋଇଲାବେଳେ ଦିହରେ ମୁଣ୍ଡରେ ଲୁଗା ରଖୁନାହିଁ ।

 

ଖଡ଼ୁମୁସାରେ ତୋ ତାଳୁ କଣା କରିଦେବିରେ ଟୋକା ! ଭଣଜା ପଛକେ ହ, ମତେ ସେତେବେଳେ ଡାକିଦେଲୁ ନାହିଁ ?

 

ସେତେବେଳେତ ତୁ ମାଇଁ, ଅଦ୍ଭୁତ ହେଇ ଗାଧୋଉଥିଲୁ । ଭଣଜା ହେଇ ତତେ ମୁଁ କେମିତି ଡାକିଥାନ୍ତି କହିଲୁ ?

 

ପୋଡ଼ାମୁହାଁ ଖଣ୍ଡିଆ ଟୋକାଟା !

 

କହିଦେଇ ରାଧୁଆ ଗାଲକୁ ଖୁନ୍ଦାଟାଏ ମାରି ରୁକୁଣୀ ଅନ୍ୟଆଡ଼େ ଚାଲିଗଲା । ଏମିତି ଏମିତି ସେଦିନର ସୁଟିଂକୁ କେନ୍ଦ୍ରକରି ଗାଁ ଲୋକେ କିଏ କାହା ସହିତ କେତେପ୍ରକାରେ କଥାବାର୍ତ୍ତା ହେଲେ ତାକୁ ଏକାଠି କଲେ ଖଣ୍ଡେ ଗାଉଁଲି ଗ୍ରନ୍ଥ ରଚନା କରାଯାଇ ପାରିବ । ଆମ୍ବତୋଟାରେ ଦିଖଣ୍ଡ ବଡ଼ ସତରଞ୍ଜି ଉପରେ ସେଦିନ ସୁନ୍ଦର ଗୋଟାଏ ବଣଭୋଜିର ଆୟୋଜନ କରାଯାଇଥିଲା । ସଙ୍ଗରେ କେତେପ୍ରକାରର ବାଦ୍ୟଯନ୍ତ୍ର ମଧ୍ୟ ଆସିଥିଲା ।

 

ଡାଇରେକ୍ଟର୍‍ ମଦନମୋହନ ମିଶ୍ର ମହାଶୟ ଏବଂ କମ୍ପାନୀର ମେନେଜର୍‍ ବିବୁଧେନ୍ଦୁ ମହାପାତ୍ର ନିଜନିଜର ଗୁରୁତ୍ୱ ଉପଲବ୍ଧିକରି ସ୍କୁଲର ଗୋଟାଏ ନିଭୃତ କକ୍ଷରେ ବିଶ୍ରାମ ନେଉଥାଆନ୍ତି । ସେଦିନ ଥାଏ ରବିବାର । ସ୍କୁଲ ବନ୍ଦ । ବନ୍ଦହେଲେବି ପିଲାଙ୍କ ସଂଖ୍ୟା ସ୍କୁଲହତା ବାହାରେ ଖୁବବେଶୀ ବଢ଼ିଯାଇଥାଏ । ସ୍କୁଲର ସେକ୍ରେଟେରୀ ରାମଚନ୍ଦ୍ର ମଙ୍ଗରାଜ ତାଙ୍କର ଜରିଦାର ଧୋତିକୁ କୁଞ୍ଚକୁଞ୍ଚ କରି ପିନ୍ଧି, ଦିହରେ କୁଞ୍ଚକୁଞ୍ଚିଆ କାମିଜ ଖଣ୍ଡକ ଗଳେଇ, ମୁଣ୍ଡରେ ସିନ୍ଦୂରକଲି ଟାଣି, ବେକରେ ମଠାଚାଦର ଖଣ୍ଡେ ଗୁଡ଼ାଇ, ଚଟିହଳେ ମଡ଼ାଇ, ଦୁଆର ମୁଁହରେ ଆସି ଠିଆହେଲେ । ସେ ଦିନର ଆୟୋଜନ ପାଇଁ ଚଳଚ୍ଚିତ୍ର ଉଦ୍ୟୋକ୍ତାମାନଙ୍କୁ ସ୍କୁଲ ଘର ଓ ହତା ଭିତରେ ସ୍ଥାନ ଦେଇଥିବାରୁ ସେ ନିଜର ସମ୍ମାନ ଓ ସମ୍ବର୍ଦ୍ଧନା ଆଦାୟ କରିନେବାକୁ ନିଜେ ଆସି ହାଜର ହୋଇଛନ୍ତି । ମହାପାତ୍ର ବାବୁ ଏବଂ ମିଶ୍ରବାବୁ ତାଙ୍କୁ ଆଗରୁ ଚିହ୍ନିଥିଲେ । ଲୌକିକତା ଦୃଷ୍ଟିରୁ ଆଗଭରି ନମସ୍କାର କରି ଏକସ୍ୱରରେ କହି ଉଠିଲେ—ଆସନ୍ତୁ, ଆସନ୍ତୁ ମହାଶୟ ! ଆମ ପିକ୍‍ନିକରେ ଆପଣାକୁ ଆଜି ନିମନ୍ତ୍ରଣ ରହିଲା ।

 

ନମସ୍କାର ପାଇଁ ହାତ ଦୋ’ଟି ଯୋଡ଼ି ଘର ଭିତରକୁ ପଶି ଆସୁ ଆସୁ ମଙ୍ଗରାଜ ବାବୁ ପିକ୍‍ନିକ୍‍ର ଅର୍ଥ ବୁଝିନପାରି ପଚାରି ଦେଲେ—କଅଣ ଆଜ୍ଞା କହିଲେ ? ବୁଢ଼ାଲୋକ, ବୁଝିପାରିଲି ନାହିଁ । ମୁଁ ତ ଆପଣମାନଙ୍କ ସାଙ୍ଗରେ ସମସରିସା ହୋଇପାରିବି ନାହିଁ ।

 

ମହାପାତ୍ରେ ହସି ଉଠିଲେ—କିଛିନାହିଁ ଆଜ୍ଞା, ଆପଣଙ୍କ ଦୟାରୁ ଆମର ଆଜିର ପ୍ରୋଗାମ୍‍ଟା ସୁରୁଖୁରୁରେ ସମାଧାନ ହେଲା । ଆମ ବଣଭୋଜିକୁ ଆପଣାଙ୍କୁ ନିମନ୍ତ୍ରଣ ।

 

ଆଜ୍ଞା, ଆଜ୍ଞା, କେତେ ଦୟା ଆପଣଙ୍କର ! ଆପଣ ଯେବେ ମତେ ବଣଭୋଜିକି ଡାକିଲେ, ତେବେ ତ ମୋର ମହାଭାଗ୍ୟର କଥା । ଗରିବର ଯାହା ଶକ୍ତି ପାଇବ ଅଲବତ୍‍ ଚାନ୍ଦାଭେଦା ଦେବି । ବଣଭୋଜି କଲାଦିନ ଦୟାକରି ଡାକିବେ ।

 

ମଦନମୋହନବାବୁ ମନେମନେ ହସିହସି ପାଖରେ ଶୂନ୍ୟ ପଡ଼ିଥିବା ଚୌକି ଖଣ୍ଡିକୁ ଦେଖାଇଦେଇ କହିଲେ—ବସିବା ହୁଅନ୍ତୁ ।

 

ଆଜ୍ଞା ବସୁଚି ।

 

ମଙ୍ଗରାଜେ ସକୁଚିତ ଭାବରେ ବସିଲେ । କେଡ଼େ ବଡ଼ ବଡ଼ ଲୋକେ ଆଜି ତାଙ୍କୁ ପାଖରେ ବସାଉଚନ୍ତି, ଇଆଠାରୁ ବଳି ବଡ଼ ଗୌରବର କଥା ଆଉ କଅଣ ଥାଇପାରେ ! ସେ ହେଲେ ଗାଁ ନି.ପ୍ରା. ବିଦ୍ୟାଳୟର ସମ୍ପାଦକ । ଶିକ୍ଷା ବିଭାଗର ହାକିମ ହୁକୁମା ଯେ କେହି ଆସିଲେ ତାଙ୍କୁ ତଲବ କରି ଆଣନ୍ତି ସ୍କୁଲ ଶିକ୍ଷକ । ତାଙ୍କ ଅବସ୍ଥା ଏଙ୍କଠାରୁ ନିଶ୍ଚୟ ଭଲ । ସେ ବି ଏକପ୍ରକାର ଏଙ୍କ ଉପରେ ହାକିମ । ସାନ ବଡ଼ ଯିଏ କେହି ଆସନ୍ତୁନା କାହିଁକି ସମ୍ପାଦକ ରୂପେ ଏଙ୍କର କାମ ହେଲା ନୂଆ ପୁରୁଣା, ଛିଣ୍ଡା ଦଦରା, ଖଣ୍ଡେ କିଛି ଦିହରେ ପକାଇ ହାତଯୋଡ଼ି ହାଜର ହୋଇଯିବା । ଦିନକୁ ତିନି ଚାରିଥର ଶିକ୍ଷକ ଆସି ଆଦେଶ ଦେବେ—ଏଠି ଦସ୍ତଖତ କର, ସଇ ଦିଅ; ସେଠି ସନ୍ତକ କାଟ ।

 

ନିର୍ବିକାର ଚିତ୍ତରେ ହାତଟିକି ବଢ଼ାଇଦେଇ ମଙ୍ଗରାଜେ ଦସ୍ତଖତ୍‍ କରୁ କରୁ କହନ୍ତି—ତମେ ମାଷ୍ଟେରେ ସଦାବେଳେ ତରତର । ଏତେ ଛାନିଆଁ ହେଉଛ କିଆଁ ? ଦସ୍ତଖତ୍‍ଟା କରିଦେଉଛି । ତମେତ ଜାଣି ଯାହା କହିବ ତା’ ମୁଁ କରିଦଉଚି । ଆଉ ବେସ୍ତ ହଉଛ କିଆଁ ?

 

ବ୍ୟସ୍ତ କିଆଁ ହଉଚି ? କାଲି ପରା ସ.ଇ. ଆସିବେ ! ସରୁ ଚାଉଳ, ବନ୍ତଳ କଦଳୀ, ଗୁଆ ଘିଅ । ତମେ ସିନା ମାହାଳିଆ ସମ୍ପାଦକ ।

 

ତୁମେ ମାଷ୍ଟ୍ରେ, ହାକିମ ହୁକୁମାଙ୍କୁ କହିପୋଛି ନିଜେ ନିଜେ ସମ୍ପାଦକ ହୋଇଯାଉନ ? ମତେ କିଆଁ ଏତେ ଅଡ଼ୁଆରେ ପୁରାଇଚ ଭଲା ।

 

ମାଷ୍ଟ୍ରେ ହସନ୍ତି । କହନ୍ତି—ଇସ୍କୁଲ ଖଣ୍ଡିକ ତମେ ସବୁ ମିଳି କରିଛ । ମୁଁ ହେଲି ଶିକ୍ଷକ । ମୁଁ କେମିତି ସମ୍ପାଦକ ହେବି ହେ ? ମୁଁ ବାରିକ, ମୁଁ ଇ ବାରିକିଆଣୀ ? ମୁଁ ଇଁ ପୁଣି କନ୍ୟା, ପୁଣି ମୁଁ ଇଁ ହେବି ବର ?

 

ମଙ୍ଗରାଜେ ହସି ଉଠନ୍ତି । ସମ୍ପାଦକ ପଦରେ ଟିକିଏ ମାନସମ୍ମାନ ଅଛି ବୋଲି ସେ ଶୁଣିଚନ୍ତି । ସେଥିପାଇଁବି ମନଟାରୁ ଲାଳସା ଛାଡ଼ିପାରୁନାହିଁ । ବିଷ୍ଣୁପୁର ଗାଁର ମୁଖିଆ ଲୋକ ସେ । ଛୋଟ ଗାଁଟି ଭିତରେ ସମସ୍ତେ ପ୍ରାୟ ଗରିବଗୁରୁବା । କେତୁଟା ପିଲା ଏବେ କଟକ ଯାଇ ଅଂରିଜୀ ପଢ଼ୁଛନ୍ତି । ଯେତେ ପାଠ ପଢ଼ୁନାହାନ୍ତି ତେତେ ଅପାଠ ଅଭ୍ୟାସ କରୁଚନ୍ତି । ବିଡ଼ି କଅଣ ଦେଖିବ, ସିଗାରେଟ କଅଣ ଦେଖିବ; ଆଉ ଆଉ ତ କେତେ ସବୁ । ବାପ ମାଆ ମନେକରୁଛନ୍ତି—ବୋଧହୁଏ ଏଗୁଡ଼ାକ ସବୁ ଇଂରାଜୀ ପାଠ ସାଙ୍ଗକୁ ନିହାତି ଦରକାର । ଇଂରାଜୀ ଇସ୍କୁଲରେ ବୋଧହୁଏ ଏଗୁଡ଼ାକ ଶିକ୍ଷା ଦିଆଯାଏ । କେତେବେଳେ କେମିତି ପିଲାଙ୍କୁ ଦେଖିବା ପାଇଁ କଟକ ଯାଇ ସେମାନେ ଦେଖନ୍ତି ଛାତ୍ରମାନଙ୍କ ସାଙ୍ଗରେ ମାଷ୍ଟ୍ରେ ଟାହିଟାପରା ହୁଅନ୍ତି । ପିଲାଙ୍କ ହାତରୁ ବିଡ଼ି ସିଗାରେଟ ଟଣାଭିଡ଼ା କରି ନିଅନ୍ତି । ତାଙ୍କ ବିଶ୍ୱାସ ଠିକ୍ ବୋଲି ସେ ଜାଣନ୍ତି । କିନ୍ତୁ ବୁଢ଼ା ବୁଢ଼ା ଜଣେ ଅଧେ କହନ୍ତି—ଏଗୁଡ଼ାକ ଅକାଳକୁ ଦେଖାଗଲା ହେ ! ଗୁରୁ ଆଉ ଛାତ୍ର, ବାପ ଆଉ ପୁଅ ସଙ୍ଗେ ସରି । ଭଲ କଅଣ ମନ୍ଦ ହୋଇଯିବ, ନା ମନ୍ଦଗୁଡ଼ାକୁ କେହି ଭଲ ବୋଲି କହିପାରିବ-? ଛାଡ଼……କାଳତ ଆସି ଏବେ ଲଟାରେ ପଶିଲାଣି । ଆମ କାଳର ଗୁରୁ ଗୌରବ ଆଜିନାହିଁ, କି ସେକାଳର ପାଠପଢ଼ା ବି ଆଜି ନାହିଁ ।

 

ନିଜକୁ ଯଥାସମ୍ଭବ ଗମ୍ଭୀର କରି ପାଦ ଦୁଇଟାକୁ ଚୌକି ଉପରକୁ ଟେକି ମିଶ୍ର ଏବଂ ମହାପାତ୍ର ବାବୁଙ୍କଠାରୁ ପୂରାମାତ୍ରାରେ ସମ୍ମାନ ପାଇବାପାଇଁ ତୁନି ହୋଇ ବସି ରହିଲେ ମଙ୍ଗରାଜେ-। ମିଶ୍ରେ ପଚାରିଲେ—ଆପଣଙ୍କର ପିଲାପିଲି କେତୋଟି ? ଝିଅ କେତେ, ପୁଅ କେତେ-। ବୟସ କେତେ ? କ’ଣ ସବୁ କରନ୍ତି ।

 

ମଙ୍ଗରାଜେ—ପଢ଼ୁଛନ୍ତି ଦିଓଟି ଯାକ ପୁଅ । ଗୋଟିକୁ ଅଠର । ଆରଟିକି ପନ୍ଦର । ଗୋଟିଏ ତୃତୀୟରେ ଆଉ ଆରଟି ଦ୍ଵିତୀୟରେ । ଝିଅ ଯୋଡ଼ିକ ବିଭାହୋଇ ଗଲେଣି । ମହାପାତ୍ରେ ମୁହଁ ଢାଙ୍କି ମନେମନେ ହସୁଥାଅନ୍ତି । ମିଶ୍ରେ କହିଲେ—ଯାହାହେଉ ଭଲକରିଛନ୍ତି । ପିଲା ଦିଟାକୁ ପାଠ ପଢ଼ାଉଛନ୍ତି । ଭାରି ଭଲକଥା । ଝିଅଙ୍କର ସବୁ ପିଲାପିଲି ହେବେଣି ତ ?

 

‘‘ହଁ ଆଜ୍ଞା’’ । ମଙ୍ଗରାଜଙ୍କ ମନ କୁରୁଳି ଉଠୁଚି । କହିଲେ—ହଁ ଆଜ୍ଞା, ବଡ଼ ଝିଅଟିର ଦୋଟି ପୁଅ । ସାନଟିର ଗୋଟିଏ ଝିଅ ।

 

ମହାପାତ୍ରେ ନିଜର ମନଭିତରୁ କୁରୁଳି ଉଠୁଥିବା ହସଟାକୁ ଲୁଚାଇବାକୁ ବୃଥା ଚେଷ୍ଟା ନକରି କୌଣସି ପ୍ରକାରେ କାମରେ ଲଗାଇବାକୁ କୌଶଳ କରି ହସିଉଠି କହିଲେ—ଭାଗ୍ୟବାନ ଆପଣ । ନାତି ନାତୁଣୀ ଖେଳାଇଲେଣି । ଏବେବି ତ ଆପଣଙ୍କ ବୟସ ଖୁବ୍‍ କମ୍‍ ବୋଲି ମନେ ହେଉଚି ।

 

ମଙ୍ଗରାଜେ କହିଲେ-ମୋଟେ ଚାଳିଶ ବର୍ଷ ।

 

ମଙ୍ଗରାଜେ ନିଜର ବୟସଟାକୁ ପ୍ରାୟ ପନ୍ଦର କୋଡ଼ିଏ ବର୍ଷ କମାଇ ଦେବାକୁ ଚେଷ୍ଟା କରୁଛନ୍ତି । କହିଲେ—ମୋତେ ଚାଳିଶବର୍ଷ । ସେ ବି ଆସନ୍ତା ମଗୁଶିରକୁ ପୂରିବ ।

 

ମିଶ୍ରେ—ଠିକ୍ ମୁଁ ସେଇଆ ଅନୁମାନ କରୁଥିଲି ।

 

ମହାପାତ୍ରେ—ଆପଣ ନିଶ୍ଚୟ ଅଣନାତି ପଣନାତି ଖେଳାଇବେ ମଙ୍ଗରାଜ ବାବୁ !

 

ବାବୁ ବୋଲି ମଙ୍ଗରାଜଙ୍କୁ କେହି ଏ ଗାଁରେ କହନ୍ତି ନାହିଁ । ମନଭିତରେ କିନ୍ତୁ ବାବୁ ପଦ ପାଇବାପାଇଁ ତାଙ୍କର ବହୁଦିନରୁ ଆଶା ଥିଲା । ସମ୍ପାଦକ ହେବା ଦିନରୁ ଇସ୍କୁଲ ଇଲାକାର ଅଫିସରମାନେ ଆସିଲେ ଡାକନ୍ତି—ହଇହେ ସମ୍ପାଦକେ, ହଇକିହେ ମଙ୍ଗରାଜେ ! ଆମେ ଭାବୁଚୁ ତମ ସ୍କୁଲର ଗ୍ରାଣ୍ଟ୍‍ ବନ୍ଦ୍‍ କରିଦେବାକୁ ଲେଖିଦେବୁ ।

 

ମଙ୍ଗରାଜେ କାନ ମୁଣ୍ଡା ଆଉଁସି ତୁନି ତୁନି ମାଷ୍ଟ୍ରଙ୍କ ପାଖକୁ ଯାଇ ପଚାରନ୍ତି—ମାଷ୍ଟ୍ରେ । କିଛି ତୁମେ ବୁଝୁନାହଁ । ବାବୁ ରାଗିଲେଣି କାହିଁକି ?

 

ମାଷ୍ଟ୍ରେ କହନ୍ତି—କିଛିତ ତୁମେ ବୁଝୁନ ମଙ୍ଗରାଜେ ! ମୋରି ଉପରେ ସବୁ ଧଡ଼ମଡ଼ି । ପିଲା ପଠଉଚି । ଖିଅ ଜାଲ ପକାଇ ପୋଖରୀରୁ ଦିଟା ମୀନ ପଠେଇ ଦିଅ । ଖାଇବା ପିଇବାରେ ଅସୁବିଧା ହେଲେ— ।

 

ମୁଁ କି ଏତେ କଥା ଜାଣିଚି ମାଷ୍ଟ୍ରେ ।

 

ମାଷ୍ଟ୍ରେ—ଆଉ ଖାଲି ସମ୍ପାଦକ ହେବାକୁ ମନ ସକ ସକ ।

 

ଆଜି ନୂଆକରି ମହାପାତ୍ରେ ଡାକିଲେ—ମଙ୍ଗରାଜ ବାବୁ ।

 

ମଙ୍ଗରାଜେ ଆଣ୍ଠୁ ଦିଟାକୁ ଦି’ ହାତରେ ଜାବୁଡ଼ି ଧରି ନିଜର ପୋଷାକପତ୍ର ଆଡ଼କୁ ଏକଲୟରେ ଅନାଇ ରହି ଭାବୁଚନ୍ତି—ମଙ୍ଗରାଜ ବାବୁ ।

 

ମିଶ୍ରେ କହିଲେ—ମଙ୍ଗରାଜ ବାବୁ, ଆପଣ ଆଜି ଏଠି ଆମ ସାଙ୍ଗରେ ଖାଇବେ ।

 

ମଙ୍ଗରାଜେ ଭିତରେ ଭିତରେ ମହାଖୁସି । କିନ୍ତୁ ଏଣେତେଣେ ଅନାଇ ଦେଖୁଚନ୍ତି—କିଏ କାଳେ ଶୁଣି ଗଲାକି ! ଗାଁରେ ଜାତି ପାଟକ କଥା । ଏମାନେ ତ ହେଲେ କିଏ କଅଣ ତା’ର ଠିକଣା ନାହିଁ । କିନ୍ତୁ ଆମ୍ବତୋଟା ଖନ୍ଦାଶାଳରେ ହଣ୍ଡା ଦିଟା ବସିଚି । ଗୋଟାଏ ଖାସି କଟା ସରିଲାଣି । ମସଲା ବାଟିବା ପାଇଁ ଜଣେ ଲୋକ ଓଳିଏ ହେଲା ତାଙ୍କରି ଘରକୁ ଯାଇଚି । ମନା କରିଦେବା ପାଇଁ ମନ ହେଉନାହିଁ ।

 

ମିଶ୍ରେ କହି ଉଠିଲେ—କଅଣ ଭାବୁଚନ୍ତି ମଙ୍ଗରାଜ ବାବୁ ! ମୁଁ ପରା ମିଶ୍ର ବ୍ରାହ୍ମଣ; ଚଳିବ । ଆପଣତ ଖଣ୍ଡାଏତ, ଆମର ତ ବ୍ରାହ୍ମଣ ଖନ୍ଦା; ଚଳିବ ନାହିଁ କାହିଁକି ?

 

ମଙ୍ଗରାଜେ ଚାରିଆଡ଼କୁ ଆଖି ବୁଲାଇ ଆଣି ଧୀରେ କହି ଉଠିଲେ—ଚଳିବ ଆଜ୍ଞା !

 

ଚଳିଯିବ । ଟିକିଏ ଶିଖିନେଲେ ତୁମେବି ଭଲ ଅଭିନୟ କରିପାରିବ । ଟ୍ରେନିଂ ନେଲେ ତୁମେବି ପ୍ରଧାନ ଭୂମିକାରେ ଅଂଶଗ୍ରହଣ କରିପାରିବ । ସଂସାରରେ ସାଧନାର ଅତୀତ କିଛି ନାହିଁ ମଣିମାଳା ! ଅଳ୍ପେ ବହୁତେ ତୁମେତ ପିଲାଦିନୁ ଗାଇବା ବଜାଇବା ଶିଖିଯାଇଚ । ପିଲାବେଳେ ତୁମେ ଦି’ଭଉଣୀ ପରା ଘରେ ଘରେ ନାଚ ଶିଖୁଥିଲ ।

 

ହସିଉଠିଲା ମଣିମାଳା । ବିଷ୍ଣୁପୁରର ନଈକୂଳିଆ ଲମ୍ଵାସ୍କୁଲର ଅନ୍ୟ ଗୋଟିଏ କୋଣଘରେ ସ୍ୱାମୀ ସ୍ତ୍ରୀ କଥାବାର୍ତ୍ତା ହେଉଚନ୍ତି । ମଣିମାଳା ସ୍ତ୍ରୀ ଏବଂ ବିଜୟକୃଷ୍ଣ ଚଉଧୁରୀ ସ୍ୱାମୀ । ଫିଲ୍ମ କମ୍ପାନୀ ଆଜି ଯେଉଁ ଚିତ୍ରର ସୁଟିଂ ଆରମ୍ଭ କଲେ ସେଥିରେ ବିଜୟକୃଷ୍ଣ ପ୍ରଧାନ ଅଭିନେତା ରୂପେ ଅବତରଣ କରିଛନ୍ତି । ତାଙ୍କର ନାୟିକା ରୂପେ ଅଭିନୟ କରୁଛନ୍ତି କୁମାରୀ ଉଷସୀ ଦେବୀ । ଚିତ୍ରର ନାମ ରଖାଯାଇଚି—ବିଜୟ ନିଶାଣ । ଚିତ୍ର କମ୍ପାନୀ ଦୁଇ ତିନି ଲକ୍ଷ ଟଙ୍କା ଖରଚ କରିବାକୁ ଯୋଜନା କରିଛନ୍ତି । ମଦନମୋହନ ବାବୁ ଛବିଟିକୁ ସର୍ବାଙ୍ଗସୁନ୍ଦର କରି ଫୁଟାଇବାପାଇଁ ପ୍ରତିଶ୍ରୁତି ଦେଇ ନିଜର ମନ ମୁତାବକ ଅଭିନେତା ଅଭିନେତ୍ରୀ ଯୋଗାଡ଼ କରିବା ନିମନ୍ତେ ଭାର ନେଇଚନ୍ତି । ବିଜୟବାବୁ ତାଙ୍କର ପୂର୍ବ ପରିଚିତ ବନ୍ଧୁ । ବିଭିନ୍ନ ନାଟ୍ୟଦଳରେ ସୁନ୍ଦର ଅଭିନୟ କରିଥିବାରୁ ତାଙ୍କର ସୁନାମ ଯଥେଷ୍ଟ ଅଛି । ମଦନବାବୁଙ୍କ ଅନୁରୋଧ କ୍ରମେ ଅଳ୍ପକିଛି ପାରିଶ୍ରମିକ ପାଇବା ଚୁକ୍ତିରେ ସେ ଆସି ଏଥିରେ ଯୋଗ ଦେଇଛନ୍ତି । ସେଦିନ ବିଜୟବାବୁଙ୍କ ଘରେ ପ୍ରଥମେ ଏ ପ୍ରସ୍ତାବଟି ଉଠିଲାବେଳେ ମଣିମାଳା ଉପସ୍ଥିତ ଥିଲେ । ଓକିଲ ଘରର ଝିଅ ସେ । ଆଧିନିକା ଏବଂ ଶିକ୍ଷିତା । ସେ ‘‘କିନ୍ତୁ” ଉଠାଇ କହିଲେ ‘‘ମଦନବାବୁ, ଗୋଟାଏ କଥା ନକହି ରହିପାରୁନାହିଁ । ଆପଣଙ୍କ ପିଲ୍ମ ରାଜ୍ୟକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରିହୁଏନାହିଁ । କୁମାରୀ ଉଷସୀଙ୍କ ନାମରେ ଅଳ୍ପେ ବହୁତେ କିଛି କିଛି ଶୁଣିଚି । ବୟସ ପଚିଶ ତିରିଶ ହେଲେବି ଏବେବି ସେ କୁମାରୀ ରହିଯାଇଚନ୍ତି । ଶୁଣିଚି ଡୁବନ ଦେଇ ଉଠିଚନ୍ତି ସେ ଅନେକ ଘାଟରେ । ଆପଣଙ୍କୁ ବୋଧହୁଏ ଅଗୋଚର ନଥିବ । ଆଖର ଆପଣଙ୍କ ‘‘ବିଜୟ ନିଶାଣ’’ ଚିତ୍ରଟିରେ ଅଭିନୟ କରିବାକୁ ଯାଇ ଆମ ବିଜୟବାବୁ କୁମାରୀ ଉଷସୀଙ୍କ ନିକଟରେ ପରାଜୟ ସ୍ୱୀକାର କରି ଶରଣ ପଶିଲେ ମୋର ସର୍ବନାଶ କଥା ।’’

 

ହସିଉଠିଲେ ମଦନବାବୁ ହୋ ହୋ ହୋଇ । କହିଲେ—ହେଲା ତେବେ । ଭଞ୍ଜେ କହିଚନ୍ତି ପରା—ନଉକା ନାୟିକା ହେଲେ ବୁଡ଼ିବ ଭେଳା !

 

ମଣିମାଳା—ଠିକ୍ କହିଚନ୍ତି ଆପଣ—ନଉକା ନାୟିକା ହେଲେ ଭେଳା ମୋର ବୁଡ଼ିଯିବ ସିନା ! ପାଠ କହିଚି—କ୍ଵଚିତ୍‍ବା ଦନ୍ତୁରୋ ମୂର୍ଖ, କ୍ଵଚିତ୍ ଗୀତବତୀ ସତୀ ।

 

ବିଜୟକୃଷ୍ଣ ହସି ହସି କହି ଉଠିଲେ—ନିଜ ଅଭିଜ୍ଞତାରୁ ବୋଧହୁଏ ଏ ଅନୁମାନ । ତୁମେତ ମାଳା, ନିଜେ ଗୀତବତୀ । ଆଜିକାଲି ଝିଅମାନଙ୍କ ଭିତରୁ ଶତକଡ଼ା କେତେସଂଖ୍ୟା ଗୀତ ଗାଇବା, ନାଚିବା ପାଇଁ ଶିକ୍ଷା ପାଉଚନ୍ତି ଜାଣ ? କିନ୍ତୁ ମୋ ପ୍ରତି ଏତେ ସନ୍ଦେହ ତୁମର ଏବେବି ଅଛିନା ! ଘର ଆଡ଼କୁ ଆଖି ବୁଲେଇ ଆଣୁଚଟିକି—ଗୋଟିଏ ପୁଅର ବାପ ମୁଁ ।

 

ଗୋଟିଏ ସନ୍ତାନର ମାଆ ମୁଁ—କହି ଉଠିଲେ ମଣିମାଳା ।

 

ତଥାପି ମୁଁ ମଣିଷ ମନକୁ ସନ୍ଦେହ କରେ ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ–ହେ ଭଗବାନ, ମଣିଷକୁ ପତନପଥର ସୁବିଧା ସୁଯୋଗ ଦିଅନାହିଁ ପ୍ରଭୁ !

 

ମଦନବାବୁ—ଏମିତି ଜଗିଲେ ସଂସାରରେ କୌଣସି କଳା ବଞ୍ଚିରହି ପାରିବ ନାହିଁ । ଆପଣ ତେବେ କଅଣ କହିବାକୁ ଚାହାନ୍ତି—ଆମ ଦେଶରେ ଛବି ଖଣ୍ଡିଏ ଉଠାଯାଇ ପାରିବ ନାହିଁ-?

 

ତୁମେ ଗୋଟିଏ କାମକର ମଣିମାଳା ! ତୁମେବି ମୋ ସାଙ୍ଗରେ ଚାଲ । ତୁମର ବି କିଛି କିଛି ତ ଜ୍ଞାନ ଅଛି । ଛୋଟ ଛୋଟ ରୋଲରେ କାମ କରିବ ।

 

ଏବଂ ତୁମକୁ ଜଗିଥିବି ଗୋଡ଼େ ଗୋଡ଼େ—ଏଇଆତ, କହିବାକୁ ଚାହଁ ? —ପ୍ରଶ୍ନକଲେ ମଣିମାଳା ।

 

ମଦନବାବୁ ଉଭୟଙ୍କୁ ଜାଣନ୍ତି । ହସିଉଠି କହିଲେ—ତେବେ ତ ଅତି ଆନନ୍ଦର କଥା । କ୍ଵାଇଟ୍ ଉଏଲ୍‍କମ୍ । ମାଳାଦେବି ! ଡିରେକ୍ଟର ହିସାବରେ ମୁଁ ଏଥିରେ ସମ୍ପୂର୍ଣ୍ଣ ସମ୍ମତ । ଗୋଟିଏ ପିଲାର ବାପାମାଅ ବିଜୟକୃଷ୍ଣ ଚଉଧୁରୀ ଓ ମଣିମାଳା—ସ୍ୱାମୀ-ସ୍ତ୍ରୀ । ଡିରେକ୍ଟର ମଦନବାବୁଙ୍କ ଆତ୍ମୀୟ ବନ୍ଧୁ ଉଭୟେ । ବିଜୟ-ନିଶାଣ ଚିତ୍ରରେ ଯୋଗ ଦେଇଚନ୍ତି । ବିଷ୍ଣୁପୁର ଗ୍ରାମରେ ନଦୀକୂଳ ମାହାଦେବ ମନ୍ଦିର ଓ ସ୍ନାନଘାଟକୁ ଘେନି ଆଜି ତା’ର ସୁଟିଂ ଆରମ୍ଭ ହେଲା । ଆମ୍ବତୋଟା ଭିତରେ ବଡ଼ ବଡ ସତରଞ୍ଜି ଦୁଇଟା ଉପରେ ଆର୍ଟିଷ୍ଟମାନଙ୍କ ମଧ୍ୟରେ କୁମାରୀ ଉଷସୀଦେବୀ ମଜଲିସ ଜମାଇଦେଇଚନ୍ତି । ଏଣେ ମଦନବାବୁ ଏବଂ ମହାପାତ୍ରବାବୁ ସମ୍ପାଦକ ମଙ୍ଗରାଜ ବାବୁଙ୍କୁ ଘେନି ଗୋଟିଏ ଘରେ ରହସ୍ୟାଳାପ ଆରମ୍ଭ କରିଦେଇଚନ୍ତି । ତେଣେ ଆଉ ଗୋଟିଏ କୋଠରୀରେ ବିଜୟ ଚଉଧୁରୀ ଏବଂ ତାଙ୍କର ଗୃହିଣୀ ମଣିମାଳା ଆଜିର ସୁଟିଂ ସମ୍ପର୍କରେ କଥାବାର୍ତ୍ତା ହେଉଚନ୍ତି-। ବିଜୟବାବୁ କହୁଚନ୍ତି—ଚଳିଯିବ ମାଳା, ଟିକିଏ ଟ୍ରେନିଂ ନେଲେ ତୁମେ ବି ପ୍ରଧାନ ନାୟିକା ରୂପେ କୌଣସି ଚିତ୍ରରେ ଛିଡ଼ା ହୋଇଯାଇ ପାରିବ । ସଂସାରରେ ସାଧନାର ଅତୀତ କିଛି ନାହିଁ-। ବିଜୟବାବୁଙ୍କୁ ବୟସ ତିରିଶ ବତିଶ ହେବ ଏବଂ ମଣିମାଳାଙ୍କୁ ପଚିଶରୁ କିଛି ଉପରକୁ । ରୂପ ଅଛି, ଗଢ଼ଣ ଅଛି, ବେଶଭୂଷାରେ ପରିପାଟି ଅଛି । ହାସ୍ୟରେ ଲାସ୍ୟ ଲୁଚି ରହିଚି, ଆଖି ଡୋଳାରେ ଖେଳାଲୋଳା ଖଞ୍ଜନର ଗଞ୍ଜନଗତି ଅଛି । ସଜାସଜି କରିଦେଲେ ବୟସଟା ଅନେକ ତଳକୁ ଖସିପଡ଼େ । ଆଜିର ସୁଟିଂ ବେଳେ ଯେତିକି ସେ କାମ ଦେଖାଇଲେ ସେତିକିରେ ଡିରେକ୍ଟର, ମେନେଜର ତଥା ଅନ୍ୟମାନେ ମୁଗ୍ଧ ହୋଇ ପଡ଼ିଚନ୍ତି ।

 

ବିଜୟବାବୁ କହି ଉଠିଲେ—ସତରେ ମାଳା, ରୋଲ୍‍ଟି ଅତି ସାଧାରଣ ହେଲେ ବି ତୁମେ ଆଜି ସୁନ୍ଦର ଅଭିନୟ କରିପାରିଚ । ଟ୍ରେନିଂନେଲେ ଚିତ୍ରରାଜ୍ୟରେ ତୁମେ ବି ସୁନାମ ଅର୍ଜନ କରିପାରିବ ବୋଲି ମୋର ପୂର୍ଣ୍ଣ ଆଶା ।

 

- ୨ -

 

ଆମ୍ବାସାଡର୍ କାର୍ ଖଣ୍ଡିଏ ଆସି ଛୋଟ କୋଠାଘରର ଫାଟକ ପାଖରେ ଠିଆ ହେଲା-। ଡାଇରେକ୍ଟର ମଦନବାବୁ ନିଜେ ଆସିଚନ୍ତି—ବିଜୟବାବୁ ଏବଂ ମଣିମାଳାଙ୍କୁ ଡାକିନେବା ପାଇଁ-। ବିଜୟ-ନିଶାଣ ଚିତ୍ରଟି ଆଜି ପ୍ରଥମଥର ମୁକ୍ତି ଲାଭ କରୁଚି । କେତୋଟି ଚିତ୍ର ତାରକା ବା ଶିଳ୍ପୀଙ୍କର ମିଳିତ ଅଭିନୟ ଚିତ୍ରରୂପ ଘେନି ପ୍ରକାଶ ପାଉଚି । ନିଜର ରୂପ, ନିଜର ସ୍ୱର, ନିଜର କଳା, ନିଜର ଅଭିନୟ ନିଜେ ବସି ଦେଖିବେ । ସ୍ରଷ୍ଟା ନିଜେ ନିଜର ସୃଷ୍ଟି ଆଡ଼କୁ ଚାହିଁ ଚାହିଁ ଆନ୍ଦନ ପାଏ-। ଅଗଣିତ ଦର୍ଶକମଣ୍ଡଳୀ ମଧ୍ୟରେ ନିଜର ଚଳନ୍ତା ଛବିକୁ ଜଡ଼ପ୍ରାୟ ଠାଏ ଲୁଚିବସି ଅଭିଭୂତ ହୋଇ ଏକ ଲୟରେ ଚାହିଁ ରହିବ ନିଜେ ଆର୍ଟିଷ୍ଟ । ଏହାଠାରୁ ଅଦ୍ଭୁତ କଥା ଆଉ କଅଣ ଥାଇପାରେ-! ରୁପେଲି ପରଦା ଉପରେ ନିଜର ଛାୟା ହସି କାନ୍ଦି ଖେଳ ଦେଖାଇବ—ନିଜର ସ୍ୱର ଓ ଧ୍ୱନି ଗୁଞ୍ଜରି ଉଠିବ । ମୂକ ଓ ଜଡ଼ ପରି ଶିଳ୍ପୀ କେଉଁ କୋଣରେ ଲୁଚି ବସି ଚାହିଁ ରହିଥିବ । ଏହାଠାରୁ ବଳି ଆନନ୍ଦଦାୟକ ଓ ଆଶ୍ଚର୍ଯ୍ୟର କଥା କଅଣ ଆଉ ଥାଇପାରେ । ପ୍ରାଣୀର ପ୍ରତ୍ୟକ କ୍ରିୟାର ପ୍ରତିକ୍ରିୟା ଅଛି ଓ ଥିବ । ପ୍ରତ୍ୟେକ ଶବ୍ଦ ଓ ପ୍ରତି ଅଙ୍ଗଭଙ୍ଗିଟିକୁ ଧରି ରଖାଯାଇପାରେ । କଳ୍ପନାର ସ୍ୱପ୍ନକୁ କବି ଓ ଚିତ୍ରକର ରୂପଦେଇ ଫୁଟାଇ ଉଠାଉଛନ୍ତି । ସ୍ୱପ୍ନକୁ ବି ଦିନେ ମଣିଷ ଅନ୍ୟ ଆଗରେ ପରିବେଷଣ କରିପାରିବ ।

 

ଛୋଟ କୋଠାଘର ଖଣ୍ଡିକ ଆଗରେ ମଟରଯାନଟି ଆସି ଠିଆ ହୋଇଗଲା । ଦାଣ୍ଡ କବାଟ ଫିଟାଇ ଭିତରୁ ଅଭିବାଦନ ଜଣାଇଲେ ମଣିମାଳା—ଆସନ୍ତୁ ଆସନ୍ତୁ, ନମସ୍କାର !

 

ନମସ୍କାର ! ବିଜୟବାବୁ କାହାନ୍ତି ?

 

ଉପରେ ଅଛନ୍ତି ? ଅସୁସ୍ଥ ।

 

ଏଁ, ଅସୁସ୍ଥ ! କଅଣ ହୋଇଚି ତାଙ୍କର ?

 

ମଣିମାଳା ମୁହଁ ଶୁଖାଇ ଦେଇ କହିଲେ—କେତେମାସ ହେଲା ଜ୍ୱର ଭୋଗୁଚନ୍ତି । ବଡ଼ ଦୁର୍ବଳ ହୋଇ ପଡ଼ିଚନ୍ତି । ଅଳ୍ପ ଜ୍ୱର, ମାତ୍ର ସବୁବେଳେ ତାତି । ସାଙ୍ଗକୁ ଅଳ୍ପ ଅଳ୍ପ କାଶ ।

 

କାଶ ? ଚମକି ଉଠିଲେ ମଦନବାବୁ । ପଚାରିଲେ କିଏ ଦେଖୁଚନ୍ତି ?

 

ଡାକ୍ତର ଉମାଶଙ୍କର ବାବୁ ।

 

କଅଣ କହୁଛନ୍ତି ସେ ? ଚାଲନ୍ତୁ ଦେଖିବା ।

 

ଆସନ୍ତୁ—କହି ମଣିମାଳା ଆଗେ ଆଗେ ଚାଲିଲେ । କହିଲେ ଡାକ୍ତର ଔଷଧ ଦେଉଚନ୍ତି ଏବଂ କହୁଚନ୍ତି କଲିକତା ନେଇ ଯିବାକୁ । ବିଶେଷଜ୍ଞଙ୍କୁ ଦେଖାଇବାପାଇଁ ତାଙ୍କର ଉପଦେଶ ।

 

ବାଟ ମଝିରେ ଶିଡ଼ି ପାଖରେ ଅଟକି ଯାଇ ମଦନବାବୁ ପଚାରିଲେ—କଟକର ଖ୍ୟାତନାମା ଡାକ୍ତର ଉମାଶଙ୍କରବାବୁ କହୁଚନ୍ତି କଲିକତା ନେବାପାଇଁ । ପୁଣି, ସେଠା ବିଶେଷଜ୍ଞଙ୍କୁ ଦେଖାଇବାପାଇଁ । ରୋଗଟା ତେବେ ମନେ ହେଉଚି ଜଟିଳ ବୋଲି ।

 

ଆଗରେ ଚାଲୁ ଚାଲୁ ପଛକୁ ଲେଉଟି ଚାହିଁ ମଣିମାଳା ଉତ୍ତର ଦେଲେ—ନିଶ୍ଚୟ ଜଟିଳ-। ଏତେଦିନ ଚିକିତ୍ସା ପରେ ଉମାଶଙ୍କରବାବୁ ରୋଗଟାକୁ ଚିହ୍ନିପାରି ନାହାନ୍ତି । —ଦୀର୍ଘନିଃଶ୍ୱାସ ଟାଣିଲେ ମଣିମାଳା ।

 

ହାୟ ଭଗବାନ ! ବିଜୟବାବୁଙ୍କୁ ଭଲ କରିଦିଅ । ଚିତ୍ରଟା ଅତି ସୁନ୍ଦର ହୋଇଚି । ଆଜି ମୁକ୍ତି ପାଉଚି । ଆପଣ ଉଭୟଙ୍କୁ ଡାକି ନେବାପାଇଁ ମୁଁ ନିଜେ ଆସିଚି । ଚାଲନ୍ତୁ ଯିବା ।

 

ମଣିମାଳା—ସେ ତ ଯାଇପାରିବେ ନାହିଁ ! ମୁଁ ବା କେମିତି ତାଙ୍କୁ ଛାଡ଼ି ଯିବି ? ପିଲାଟିକି ମୁଁ, ବୋଡ଼ିଂରେ ଛାଡ଼ିଦେଇଚି । ବାପ ପାଖରୁ ତାକୁ ଦୂରରେ ରଖିବା ମଙ୍ଗଳ ।

 

ମଦନବାବୁ ଚିହିଙ୍କି ଉଠି ପଚାରିଦେଲେ—ଦୂରଇ ରଖିବା ମଙ୍ଗଳ ! ପୁଣି ବାପପାଖରୁ-? ଡାକ୍ତରଙ୍କର ସନ୍ଦେହଟା ତେବେ କଅଣ କହିବାକୁ କିଛି ବାଧା ନାହିଁ ତ ? ମୁଁ ତ ଆପଣମାନଙ୍କର ଅତି ଆପଣାର ।

 

ମଣିମାଳା କାନିରେ ଆଖିପୋଛି ଉର୍ଦ୍ଧ୍ୱମୁଖୀ କୋହକୁ ଯଥାସମ୍ଭବ ସମ୍ଭାଳିନେଇ କହିଲେ–ଆପଣ ତ ଆମର ନିତାନ୍ତ ଆପଣାର, ବନ୍ଧୁ । ଡାକ୍ତର କଅଣ କହିବେ, ମୋର ବି ସନ୍ଦେହ ହୋଇ ସାରିଲାଣି । ବିଜୟବାବୁଙ୍କୁ ବୋଧହୁଏ–

 

ମଦନ—କଅଣ ଆପଣ କହୁଚନ୍ତି ? ଆପଣଙ୍କର ବି ସେଇ ସନ୍ଦେହ ହେଲାଣି ? କଅଣ ତେବେ କହିବେ କି ?

 

ମଣିମାଳା—ଟି.ବି .... କହିସାରି ଦୀର୍ଘଶ୍ଵାସ ଟାଣିନେଲେ ।

 

ମଦନ—ସତ୍ୟାନାଶ । ଦୟାକର ଭଗବାନ ! ଓଡ଼ିଶାର ଜଣେ ଶ୍ରେଷ୍ଟ ଚିତ୍ରଶିଳ୍ପୀର ଭାଗ୍ୟ ଆଜି ଏଇଆ ?

 

ମଣିମାଳା କାନ୍ଦି ଆସୁ ଆସୁ କୋହରେ କହିଉଠିଲେ—ମୁଁ ହତଭାଗୀ ମଦନବାବୁ, ମୋର ପିଲାଟା ବି ହତଭାଗା । ଆପଣମାନେ ଯେତେକ ଟଙ୍କାକଉଡ଼ି ଦେଇଥିଲେ, ଦୀର୍ଘଚିକିତ୍ସାରେ ସେତକ ପ୍ରାୟ ଶେଷ ହେଲାଣି । କଲିକତା ଯିବି ଯିବି ବୋଲି କେବେଳ ଭାବି ହେଉଚି ସିନା—ଅର୍ଥାଭାବରେ ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲାଣି । ପିଲାଟିକୁ ଦୂରରେ ରଖିବାଲାଗି ମୋର ଶତ ଚେଷ୍ଟା ବ୍ୟର୍ଥ ହେବ । କାଲି ସକାଳୁ ସେ କୌଣସି ଗୋଟିଏ ଅନାଥାଶ୍ରମରେ ଆଶ୍ରୟ ନେବାକୁ ବାଧ୍ୟ ହେବ । ଏତେ ଦିନକେ ଆପଣ ଯେବେ ଦୟା କରି ଏ ଦୁଆରକୁ ଆସିଚନ୍ତି ତେବେ ଥରେ ଦେଖିଯାଆନ୍ତୁ । ତାଙ୍କର ଆଉ ସେ ରୂପ ନାହିଁ କି ଭେକ ନାହିଁ । ଅସ୍ଥିକଙ୍କାଳସାର କ୍ଷୀଣ ଶରୀର ଖଣ୍ଡକ ଖଟଟି ଉପରେ ପଡ଼ି ରହିଚି । କ୍ଷୟ ରୋଗରେ ମଣିଷ ଏତେ ଶୀଘ୍ର କ୍ଷୟପ୍ରାପ୍ତ ହୋଇଯାଏ ?

 

ଦୀର୍ଘନିଃଶ୍ଵାସ ଟାଣି ମଦନବାବୁ ଚାହିଁ ରହିଲେ ମଣିମାଳା ଆଡ଼କୁ । ତାଙ୍କର ବି ପୂର୍ବ ରୂପନାହିଁ କି ପୂର୍ବ ଭେକନାହିଁ । ବିକଟ ଦାରିଦ୍ର୍ୟ ଏବଂ ବିଭତ୍ସ ଚିନ୍ତାର ଅସହାୟ ଛବି ପ୍ରକଟି ଦିଶୁଚି ସାରା ଦେହ ମୁହଁରେ । ଚିନ୍ତାର କାଳିମା ଓ ଦରିଦ୍ରତାର ନଗ୍ନରୂପ ଚାରିଆଡ଼ୁ ଖାଁ ଖାଁ ଗୋଡ଼ାଉଚି । ଏ ପରିବାର ସହିତ ଅତ୍ମୀୟତା ଅଛି ମଦନବାବୁଙ୍କର । କାର୍ଯ୍ୟବଶତଃ ସେ ଅନେକ ଦିନ ହେଲା ବମ୍ବେଠାରେ ରହିଯାଇଥିଲେ । ଆଜି ଆସି ଦେଖିଲେ । ଆକାରରେ ଛୋଟ ହେଲେବି ଯେଉଁ କୋଠାଘର ଖଣ୍ଡିକ ସେଦିନ ହସୁଥିଲା, ତାହା ଆଜିର ରୂପ ବିକଳ, ମଳିନ ମ୍ରିୟମାଣ ହୋଇ ସତେକି ହା ହା-କାର କରି ଛଳଛଳ ଆଖିରେ ଛାହିଁ ରହିଚି ।

 

ଅସହାୟ ମଣିମାଳାକୁ ସାହସ ଦେବାପାଇଁ ମଦନବାବୁ କହିଲେ—ଆପଣ ଏତେ ବିବ୍ରତ ହୋଇ ପଡ଼ିଚନ୍ତି କାହିଁକି ? ସ୍ୱାମୀଙ୍କର ଚିକିତ୍ସା ଏବଂ ପିଲାଙ୍କୁ ମଣିଷ କରିବାପାଇଁ ଟିକିଏ ଚେଷ୍ଟାକଲେ ଆପଣବି ଯଥେଷ୍ଟ ଉପାର୍ଜନ କରିପାରିବେ । ବିଜୟ-ନିଶାଣ ଛବିରେ ଆପଣ ଯେତିକି ଟିକିଏ କାମ କରିଚନ୍ତି ସେତିକିରୁ ମୁଁ ଜାଣିପାରୁଚି ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଜନ୍ମିଚି ଯେ ଆପଣ ବି ଅତି ସୁନ୍ଦର ଅଭିନୟ ଦେଖାଇପାରିବେ ।

 

ମଣିମାଳା—ସେ ସବୁ କଥା ଏତେବେଳେ କାହିଁକି ମଦନବାବୁ ? କ୍ଷୟରୋଗଗ୍ରସ୍ତ ସ୍ୱାମୀର ଯଥାର୍ଥ ଚିକିତ୍ସା କରିବାର ଚିନ୍ତା ଛଡ଼ା ଅନ୍ୟଗତି ମୋର କଅଣ ଅଛି ? ବ୍ୟସ୍ତ ବିବ୍ରତ ମନ ଘେନି କୌଣସି ଶିଳ୍ପୀ ବା କଳାକାର ସର୍ବାଙ୍ଗସୁନ୍ଦର କଳା ସୃଷ୍ଟି କରିପାରେ ନାହିଁ । କାତରେ କବିତା କୁତଃ ? ତାଙ୍କୁ କଲିକତା ନେବି, ବିଶେଷଜ୍ଞଙ୍କୁ ଦେଖାଇବି, ମହର୍ଘ ଚିକିତ୍ସା କରାଇବି; ଏଣେ ପିଲାଟି କୋଳଛାଡ଼ି କେଉଁ ବୋଡ଼ିଂରେ କେତେଦିନ କାହା ମର୍ଜି ଅନୁଗ୍ରହ ଉପରେ ନିର୍ଭର କରିଥିବ—ଆପଣ କଅଣ ଭାବୁଚନ୍ତି ଏ ସବୁ ମୋ ପକ୍ଷରେ ସମ୍ଭବ ନା, ସହଜ !

 

ମଦନବାବୁ—ଭଗବାନ ସାହାଯ୍ୟ କଲେ ସବୁ ସମ୍ଭବ ମାଳାଦେବି ! ମନରୁ ଚିନ୍ତା ଦୂର କରନ୍ତୁ । ତାଙ୍କରି ଉପରେ ସମ୍ପୂର୍ଣ୍ଣ ନିର୍ଭର ଦିଅନ୍ତୁ । ଦେଖିବେ ସବୁକଥା ସରଳ ଓ ସହଜ ହୋଇଯିବ-!

 

ମାଳା—କହୁଚନ୍ତି ସତ, କିନ୍ତୁ, କାର୍ଯ୍ୟକ୍ଷେତ୍ରରେ କିଛିମାତ୍ର ସହଜ ବା ସମ୍ଭବ ନୁହେଁ । ଏସବୁ କଥାକୁ ଅଜସ୍ର ଅର୍ଥଲୋଡ଼ା, କିଏ ଦେବ ? କିଏ ମୋତେ ଏ ଅସମୟରେ ସାହାଯ୍ୟ କରିବ-?

 

ମାଳା କାନ୍ଦିଉଠୁଚନ୍ତି ।

 

ମୁଁ ସାହାଯ୍ୟ କରିବି । ଯାହା ଦରକାର ମୁଁ ଦେବି ।

 

ଦାଣ୍ଡ ଘରଆଡ଼ୁ କେଉଁ ତୃତୀୟ ପୁରୁଷର ଶବ୍ଦ । ମାଳା ଅବାକ୍‍ ହୋଇ ସେଆଡ଼କୁ ଚାହିଁ ଭାବିଲେ ସତେ କଅଣ ତା’ର ମୁଣ୍ଡ ଖରାପ ହୋଇଗଲା ! ମଦନବାବୁ କହୁଥିଲେ—ଭଗବାନ ସାହାଯ୍ୟ କରିବେ । ସତେ କଅଣ ଅନ୍ତର୍ଯ୍ୟାମୀ ଭଗବାନ ସବାକ୍‍ ଅବସ୍ଥାରେ ମେଲାଘରେ ବିଦ୍ୟମାନ ହୋଇଗଲେ ? ମିଛ, ମିଛ । ମନର କଳ୍ପନା ସ୍ୱରରୂପେ ଶୁଣାଯାଉଚି ସିନା !

 

ମୁଁ ସାହାଯ୍ୟ କରିବି ଆପଣଙ୍କୁ । ଆପଣ ନିଶ୍ଚିନ୍ତ ହୁଅନ୍ତୁ—କହିକହି ଦାଣ୍ଡଘର ଭିତରୁ ଅଗଣା ବାରଣ୍ଡା ଉପରକୁ ଚାଲି ଚାଲି ଆସିଲେ ବିକ୍ରମକେଶରୀ ରାୟ । କଟକର ଜଣେ ବିଶିଷ୍ଟ ଧନୀ ବ୍ୟବସାୟୀ । ମଦନବାବୁଙ୍କର ପରିଚିତ ବନ୍ଧୁ । ଖଣ୍ଡେ ଚିତ୍ର ଉଠାଇବାଲାଗି କଳ୍ପନା ତାଙ୍କର ଅଛି, ମଦନବାବୁଙ୍କୁ ଧରିଚନ୍ତି । ମଦନବାବୁ ମଧ୍ୟ ତାଙ୍କୁ ସଙ୍ଗେ ସଙ୍ଗେ ଧରି କେଇଦିନ ହେଲା ଏଣେତେଣେ ବୁଲୁଚନ୍ତି । ବିଜୟବାବୁ ଏବଂ ମଣିମାଳାଙ୍କୁ ଦେଖିବା ପାଇଁ ଏବଂ ସେମାନଙ୍କ ପରିଚୟ ପାଇବାପାଇଁ ଆଜି ସେ ମଦନବାବୁଙ୍କ ସାଙ୍ଗରେ ଆସିଚନ୍ତି ।

 

ମିଶ୍ରବାବୁ ଡାକିଲେ—ଆସନ୍ତୁ ବିକ୍ରମବାବୁ, ମାଳାଦେବୀଙ୍କ ସହିତ ଆପଣଙ୍କର ପରିଚୟ କରାଇଦିଏ ?

 

ନମସ୍କାର ! ଆସନ୍ତୁ ।

 

ନମସ୍କାର ! ଚାଲନ୍ତୁ । ଆଗ ବିଜୟବାବୁଙ୍କୁ ଦେଖିଆସିବା, ତା’ପରେ ଯାହା କଥାବାର୍ତ୍ତା-। ଆପଣଙ୍କ କଥା ମୁଁ ମଦନବାବୁଙ୍କ ଠାରୁ ବହୁତ ଶୁଣିଚି । ମୁଁ ଆପଣଙ୍କୁ ନିର୍ଭର ଜବାବ ଦେଉଚି ମାଳାଦେବି ! ଆପଣଙ୍କର ଟଙ୍କା କଉଡ଼ିର ଅଭାବ ରହିବ ନାହିଁ । ପିଲାଟିର ପଢ଼ାପଢ଼ି ଓ ରକ୍ଷଣାବେକ୍ଷଣର ଭାର ମୁଁ ଆଜିଠାରୁ ଗ୍ରହଣ କରିନେଲି । ନିଶ୍ଚିନ୍ତ ମନରେ ଆପଣ ବିଜୟବାବୁଙ୍କୁ ନେଇ କଲିକତାକୁ ଯାଆନ୍ତୁ । ମୋର ସେଠି ଘର ଅଛି, ବ୍ୟବସାୟ ବି ଅଛି । ମୋର କର୍ମଚାରୀ ଆପଣଙ୍କର ସବୁ ସୁବିଧା ବୁଝିବେ । ଆମରି ଘରେ ରହିବାର ମୁଁ ବ୍ୟବସ୍ଥା କଲି ବୋଲି ଜାଣନ୍ତୁ-

 

ମଣିମାଳା ଆବାକାବା ହୋଇ ବିକ୍ରମବାବୁଙ୍କ ଆଡ଼କୁ କେବଳ ଅନାଇ ରହିଲେ । ସତେ କଅଣ ଏତେ ଦୟା ଏ ସଂସାରରେ ସମ୍ଭବ ? ମନ କହିଲା—ନାରୀ, ପୁଣି ସୁନ୍ଦରୀ ଯୁବତୀ । ତା’ ପାଖରେ ଅଦେୟ କିଛି ନାହିଁ । ନାରୀ ହାତ ପାତିଲା ପୂର୍ବରୁ ଶତ ଶତ ହାତ ‘ନିଅ ନିଅ’ ବୋଲି ଆଗେଇ ଆସିବ । ମାଳା ଭାବିଲା—ଆଗେଇ ଆସିବେ ସତ । କିନ୍ତୁ କାହିଁକି ? ଏଇ କାହିଁକିର ପ୍ରଶ୍ନବାଚକୀ ପଛରେ କେତେ ସ୍ୱାର୍ଥ ଆଉ କେତେ ବିଭତ୍ସ ଲାଳସା ଲୁଚି ରହି ଛାୟା ବିସ୍ତାର କରିଚି ଯେ ! ସହସ୍ର ଦାନ ଆଗେଇ ଆସିଲା ବେଳକୁ ନାରୀର ମନଟା ଭୟରେ ଜଡ଼ ହୋଇଯାଏ । ନାଗସାପର ଫଣା ଆଗରୁ ସଂକୁଚିତ ଭାବେ ପଛକୁ ଘୁଞ୍ଚିଗଲା ପରି ମନଟା ଓଲଟି ପଡ଼େ,ପଛେଇ ପଳାଏ । ମୌଖିକ ଧନ୍ୟବାଦଟି ମଧ୍ୟ ଦେବାକୁ ମଣିମାଳାର ତୁଣ୍ଡ ଲେଉଟିଲା ନାହିଁ ।

 

ମଦନବାବୁ ମାଣିମାଳାଙ୍କ ନିକଟରେ ବିକ୍ରମବାବୁଙ୍କ ପରିଚୟ ଦେଇ କହିଲେ—ଆପଣ ନିଶ୍ଚିନ୍ତ ହୁଅନ୍ତୁ ମାଳାଦେବୀ, ବିକ୍ରମବାବୁଙ୍କ କଳ୍ପିତ ଚିତ୍ରରେ ଆପଣ ଅଭିନୟ କରି ସୁଝିଦେବେ ଯେ-। ବର୍ତ୍ତମାନ ଆପଣ ଦୁସ୍ଥ । ବିକ୍ରମବାବୁ ଅତି ଧନୀ । ଆପଣଙ୍କୁ ସେ ଯାହାକିଛି ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଉଚନ୍ତି ତାକୁ ଆପଣ ଦାନ ବୋଲି ମନେ ନ କରି ଋଣରୂପେ ଗ୍ରହଣ କରନ୍ତୁ, କ୍ଷତିନାହିଁ-। ମୁଁ ବି ଆପଣଙ୍କୁ କହୁଚି ବିକ୍ରମବାବୁ ଅତି ଉଦାର ବ୍ୟକ୍ତି ।

 

ଦୀର୍ଘନିଃଶ୍ୱାସ ଟାଣି ମାଳା ଉଭୟଙ୍କୁ ବାଟ ଦେଖାଇ ସ୍ୱାମୀଙ୍କ ଶଯ୍ୟା ନିକଟକୁ ଘେନିଗଲେ । ଶୀର୍ଣ୍ଣ ଶରୀରକୁ ଯଥାସମ୍ଭବ ସମ୍ଭାଳି ନେଇ କଡ଼ ଲେଉଟାଇ ବିଜୟବାବୁ ଉଭୟଙ୍କୁ ନମସ୍କାର କଲେ । ତାଙ୍କୁ ଦେଖିଲାକ୍ଷଣି ଉଭୟେ ବିକ୍ରମବାବୁ ଏବଂ ମଦନବାବୁ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଲେ ।

 

ହତାଶ ସ୍ୱରରେ ବିଜୟବାବୁ କହିଲେ—ଏତେ ଦିନକେ ଆପଣ ଦେଖିବାକୁ ଆସିଲେ ମଦନବାବୁ ! ରଜାଙ୍କୁ ଘେନି ଆସିଚନ୍ତି ତ ସାଙ୍ଗରେ; ଏ କୁଡ଼ିଆରେ କେଉଁ ଆସନ ଦେବି ତାଙ୍କୁ ?

 

ବିକ୍ରମବାବୁଙ୍କୁ ବିଜୟବାବୁ ଚିହ୍ନନ୍ତି ଏବଂ ଜାଣନ୍ତି । ପାଖରେ ପଡ଼ିଥିବା ଦୁଇଖଣ୍ଡି କାଠର ଚଉକି ଆଡ଼କୁ ଅଙ୍ଗୁଳି ବଢ଼ାଇ ବସିବାକୁ ଇଙ୍ଗିତ କରି ଭିତରେ ଭିତରେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ । ଶରୀରର ଦୁର୍ବଳତା ବଢ଼ିଗଲା । ସାମାନ୍ୟ କଥା କେତେ ପଦରେ ଦୁର୍ବଳ ଫୁସ୍‍ଫୁସ୍‍ ଓ ହୃତ୍‍ପିଣ୍ଡ ହଠାତ୍ କମ୍ପି ଗଲା । ହଠାତ୍ କାଶ ଉଠିଲା । ଖୁଁ ଖୁଁ କାଶି କାଶି ସେ ଅନ୍ୟଆଡ଼କୁ କଡ଼ ଲେଉଟାଇଲେ । ବସନ୍ତୁ ବୋଲି ମଣିମାଳା ଉଭୟଙ୍କୁ କହିପାରୁନାହାନ୍ତି । କ୍ଷୟରୋଗଗ୍ରସ୍ତ ସ୍ୱାମୀର ଶଯ୍ୟାପାଖରେ ପଡ଼ିଥିବା ଚୌକି ଦିଖଣ୍ଡରେ ଅଭ୍ୟାଗତଙ୍କୁ ବସିବାକୁ କହିବେ ବା କେମିତି ? କେବଳ ମୁହଁଟି ଶୁଖାଇ ତାଙ୍କରି ଆଡ଼କୁ ଅନାଇ ରହିଲେ ।

 

ବିକ୍ରମବାବୁ ଖଟପାଖକୁ ଘୁଞ୍ଚିଯାଇ ବିଜୟଙ୍କ ଦେହରେ ହାତମାରି ଦେଖିଲେ ଜ୍ୱର ଅଛି-। କହିଲେ—ଆପଣ ନିଶ୍ଚିନ୍ତ ହୁଅନ୍ତୁ ବିଜୟବାବୁ ! ଆପଣଙ୍କ ଚିକିତ୍ସା ଭାର ମୁଁ ନେଲି । ଆପଣ କଲିକତାକୁ ଚାଲନ୍ତୁ । ଆମରି ବସାରେ ରହିବେ । ଯେତେ ଯାହା ଦରକାର ହେବ ମୁଁ ଦେବି ।

 

ଶବ୍ଦବ୍ରହ୍ମ । ଆଶ୍ଵାସନା ବାଣୀର ଝଙ୍କାର ମାତ୍ରେ କ୍ଷୟରୋଗୀର ପ୍ରାଣରେ ଆଶାର ସଞ୍ଚାର ହେଲା । ବିବ୍ରତ ମନ ବଳ ଓ ସାହସ ପାଇଗଲା । କଡ଼ ଲେଉଟାଇ ଆଣି ସେ ବିକ୍ରମବାବୁଙ୍କ ଆଡ଼କୁ ସକୃତଜ୍ଞ ନୟନରେ ଅନାଇ କହିଲେ—ଆପଣଙ୍କଠାରେ ଏତେ ଦୟା ! ରୋଗଠାରୁ ଅଭାବର ଚିନ୍ତାଟା ମୋତେ ବେଶି ଘାରି ପକାଉଚି । ପିଲାଟି ଓ ସ୍ତ୍ରୀର ରକ୍ଷଣାବେକ୍ଷଣ ଚିନ୍ତା ମୋତେ ଅଧିକରୁ ଅଧିକ ବିବ୍ରତ କରିପକାଉଚି । ଦିଅନ୍ତୁ ବା ନ ଦିଅନ୍ତୁ ଆପଣ ଆଜି ମୋ ଶଯ୍ୟା ପାଖରେ ଛିଡ଼ା ହୋଇଚନ୍ତି, ମୋ ଦେହରେ ହାତ ବୁଲାଇଚନ୍ତି; ସେଇ ମୋର କୋଟିନିଧି । ଦୁନିଆରେ ମୋତେ ଆଜି ସମସ୍ତେ ଘୃଣା କରୁଚନ୍ତି । ପାଖକୁ ଆସିବାକୁ ଆତ୍ମୀୟ ସ୍ୱଜନ ଭୟ କରୁଚନ୍ତି । ମୋ ରୋଗ ତାଙ୍କ ଉପରକୁ ଉଡ଼ିଯିବ ।

 

ଏତିକି କହିଲାବେଳକୁ ଅତି ହତାଶ ଭାବରେ ବିଜୟବାବୁ ବିକ୍ରମବାବୁଙ୍କ ଆଡ଼କୁ ଅନାଇଲେ । ଖୋଳା ଖୋଳା ଆଖି ଡୋଳା ଦୁଇଟା ଭୟଙ୍କର ଦିଶୁଚି । ଚିତ୍ର ତାରକା ବିଜୟକୃଷ୍ଣ ସତେକି ଆଜି ପ୍ରେତ ଭୂମିକାରେ ଅବତୀର୍ଣ୍ଣ ହୋଇପଡ଼ିଚନ୍ତି—ଜୀର୍ଣ୍ଣଶୀର୍ଣ୍ଣ ବିକଳାଙ୍ଗ କଙ୍କାଳମୟ ବିଭତ୍ସ ମୂର୍ତ୍ତିଟିର ମେକ୍‍ଅପ୍‍ ଘେନି । ଦେଖିଲା ବେଳକୁ ଡରମାଡ଼େ । କହିବାକୁ ଆରମ୍ଭ କଲେ ....

 

ମୋର ରୋଗ ତାଙ୍କ ଆଡ଼କୁ ଉଡ଼ିଯିବ । ମୁଁ ଆଜି ରାକ୍ଷସ, ପ୍ରେତ, ପିଶାଚ, ନରାଧମ । ଆଜି ମୁଁ ନିଶ୍ୱ, ଦରିଦ୍ର, ରୋଗଗ୍ରସ୍ତ, ବିକଳାଙ୍ଗ, କଙ୍କାଳସାର ମୋତେ ସମସ୍ତେ ତ୍ୟାଗ କଲେଣି । ମୋ ପାଖକୁ ଆସିବାକୁ ସମସ୍ତେ ଭୟ କଲେଣି । ଅବସ୍ଥା ମୋର ଭଲ ଥିଲାବେଳେ ସମସ୍ତେ ପାଖକୁ ଆସୁଥିଲେ । ହସିହସି କଥା କହୁଥିଲେ । ହାତ ପତାଇ ସାହାଯ୍ୟ ମାଗୁଥିଲେ । କିନ୍ତୁ......କିନ୍ତୁ ମଦନବାବୁ ! ଆଜି ମୁଁ ଅର୍ଥହୀନ, ଦରିଦ୍ର, କ୍ଷୟଗ୍ରସ୍ତ ପିଶାଚ ।

 

କହୁ କହୁ ଉତ୍ତେଜିତ ହୋଇପଡ଼ିବାରୁ ପୁଣି ଥରେ କାଶ ଉଠିଲା । ବିଜୟବାବୁଙ୍କର ଦି ଆଖିରୁ ଧାର ଧାର ଲୁହ ଗଡ଼ିଆସୁଚି । ଦେହ କମ୍ପି ଉଠୁଚି ! ଉତ୍ତେଜନା ମଣିଷ ପ୍ରାଣରେ ଏଇ ଅବସ୍ଥାରେ ଆସିଥାଏ । ସ୍ୱାର୍ଥସର୍ବସ୍ୱ ଦୁନିଆରେ ସ୍ୱାର୍ଥ ପାଇଁ ସମସ୍ତେ ପାଖକୁ ଆସିଥାଆନ୍ତି । ସ୍ୱାର୍ଥର ଆଶା ଲୋପ ପାଇଲେ ଦୂରେଇ ଯାଆନ୍ତି । ଅତି ଆପଣାର ବୋଲି ଯେଉଁମାନେ ଜଣାଉ ଥାଆନ୍ତି ସେହିମାନେହିଁ ପର କରିଦିଅନ୍ତି । ଏଇଟାହିଁ ବେଶି ବାଧେ ।

 

ପିଠି ଉପରେ ଆଉଥରେ ହାତବୁଲାଇ ବିକ୍ରମବାବୁ କହିଲେ ଏତେ ଭାବିହୁଅନ୍ତୁ ନାହିଁ ବିଜୟବାବୁ ! ପାରିବେତ ଚାଲନ୍ତୁ ଥରେ ପରଦା ଉପରେ ନିଜକୁ ଦେଖି ଆସିବେ । ଆମେ ଆପଣଙ୍କୁ ନେବାକୁ ଆସିଛୁ । ଛବିଟା ଭଲ ହେଇଚି । ଆପଣଙ୍କ ଅଭିନୟ ଅତି ସୁନ୍ଦର ହୋଇଚି ।

 

ଆନନ୍ଦ । ନିଜ କୃତିତ୍ୱର କାହାଣୀ ପରି ମୁଖରୁ ଶୁଣିଲେ ଭିତରେ ଭିତରେ ଶିଳ୍ପୀର ମନ ଫୁଲିଉଠେ । ମଞ୍ଚର ପରଦା ଉପରେ ନିଜର ଦ୍ଵିତୀୟ ଅବତାରକୁ ଚଳଚ୍ଚିତ୍ରରୂପେ ଥରେ ଦେଖି ଆସିବାପାଇଁ ବିଜୟବାବୁଙ୍କ ମନ ଚଞ୍ଚଳ ହୋଇ ଉଠିଲା ।

 

ଚାଲନ୍ତୁ ଥରେ ଦେଖି ଆସିବି ।

 

କିନ୍ତୁ ଶକ୍ତି କାହିଁ ? ଶେଯ ଉପରେ ଉଠି ବସିବାକୁ ସୁଦ୍ଧା ବଳ ପାଉନାହିଁ । ମନର ଉତ୍ତେଜନାରେ କହୁଣି ଉପରେ ଭରାଦେଇ ସାମାନ୍ୟ ଟିକିଏ ଉଠିଗଲାବେଳକୁ ଦୁର୍ବଳତା କଚାଡ଼ିଦେଉଚି । ଶେଯର ଆର କଡ଼କୁ ଛିଡ଼ାହୋଇ ମଣିମାଳା ଧରି ପକାଇଲେ ବୋଲି, ନୋହିଲେ ଅବସ୍ଥା ସାଂଘାତିକ ହୋଇଥାଆନ୍ତା ।

 

ତକିଆ ଉପରେ ବେକ ରଖି କିଛିସମୟ ଖୁଁ ଖୁଁ କାଶି କାଶି ନିଜକୁ ସମ୍ଭାଳି ନେଇ ବହୁ କଷ୍ଟରେ କହିଲେ—

 

ଯାଇପାରିବି ନାହିଁ ଆଉ । ଜୀବନ ନୌକା ମୋତେ ଅତି ବେଗରେ ମୃତ୍ୟୁସିନ୍ଧୁ ଆଡ଼କୁ ସମୟର ଖରସ୍ରୋତ ମୁଖରେ ଭସାଇ ନେଉଚି । ଏ ଜୀବନରେ ଆଉ ମୁଁ ଦେଖିପାରିବି ନାହିଁ ।

 

ଚିତ୍ରକର ନିଜେ ଚିତ୍ରଟିକି ଦେଖିବାର ସୁଯୋଗ ପାଉନାହିଁ । ଶିଳ୍ପୀ ନିଜ କୃତୀ ଉପଲବ୍ଧି କରିପାରୁନାହିଁ । ସ୍ରଷ୍ଟା ନିଜର ସୃଷ୍ଟି ଆଡ଼କୁ ଚାହିଁଲାବେଳକୁ ଅନ୍ଧ ହୋଇଯାଇଚି । ଏହାଠାରୁ ବଳି ଦୁଃଖ ଓ ବେଦନାର କଥା ଆଉ କଅଣ ଥାଇପାରେ ? ଅତି ଦୁଃଖରେ ସେ କ୍ଷୀଣ ସ୍ୱରରେ ମଦନବାବୁଙ୍କ ଆଡ଼କୁ ଅନାଇ କହିଲେ—ଚିତ୍ର ମୋର ଜୀବନ୍ୟାସ ପାଉଚି ଆଜି ମଦନବାବୁ !

 

ମୁଁ ଆଜି କ୍ଷୟ ରୋଗଗ୍ରସ୍ତ ଅକ୍ଷମ ।

 

ମୃତ୍ୟୁ ମୋର ହାତଧରି ଟାଣିଲାଣି ।

 

ଏ ଦେହ ଛାଡ଼ି ଜୀବନଟା ଚିତ୍ର ଦେହରେ ଜୀବନ୍ତ ହୋଇ ଫୁଟିଉଠୁ—ଏତିକି ମାତ୍ର କାମନା ।

 

ମୃତ୍ୟୁବିଜୟୀ କଳାକାର ମୃତ୍ୟୁର ଦେହଳି ଧରି ଆଜି ତା’ର ନିଜର ସୃଷ୍ଟିକୁ ଜୀବନ୍ୟାସ ଦେଇ ଯାଉଚି, ଏହାଠାରୁ ବଳି ବଡ଼ ଦୁଃଖ ଦୁନିଆରେ ଆଉ କଅଣ ଥାଇପାରେ ?

 

ମୁଁ ମରୁଚି ପଛକେ ମୋର କାରିଗରୀ ଜୀବନ୍ୟାସ ପାଉ ।

 

ଭିତରର ଦୁଃଖ ଦୁଃସହ ହୋଇ ଉଠୁଛି । ମଦନବାବୁ ଭାବିଲେ, ଏ ଅବସ୍ଥାରେ ଏଖବରଟା ନ ଦେଇଥିଲେ ବରଂ ଭଲ ହୋଇଥାଆନ୍ତା ।

 

ବିଜୟବାବୁ କିଛିକ୍ଷଣ ନୀରବ ରହି ପଚାରିଦେଲେ—

 

କେମିତି ହୋଇଛି ଛବିଟା ?

 

ମଦନବାବୁ ଶିଳ୍ପୀର ବେଦନା ବୁଝିଲେ । ସଫଳତାରେହିଁ ସ୍ରଷ୍ଟାର ଆନନ୍ଦ । କହିଲେ—ଚମତ୍କାର ହୋଇଚି । ବିଶେଷତଃ ଆପଣଙ୍କ ଅଭିନୟ—ସମ୍ପୂର୍ଣ୍ଣ ଜୀବନ୍ତ ଓ ପ୍ରାଣସ୍ପର୍ଶୀ ।

 

ବିଜୟବାବୁଙ୍କ ଅଧରରେ ମୃଦୁହାସ୍ୟ ଖେଳିଗଲା । ସେ କହିଲେ—ମୁଁ ମରେ ପଛେ ମୋର ଛବି ବଞ୍ଚିରହୁ ।

 

ବିକ୍ରମବାବୁ କହିଲେ—ଆପଣ ଅମର କଳାକାର । କଳାହିଁ ଶିଳ୍ପୀର ଜୀବନ । ଆପଣ ନିଶ୍ଚିନ୍ତ ହୁଅନ୍ତୁ । ଉପଯୁକ୍ତ ଚିକିତ୍ସା ହେଲେ ଆପଣ ନିଶ୍ଚୟ ଭଲ ହୋଇଯିବେ ।

 

ବିକ୍ରମବାବୁଙ୍କ ଆଡ଼କୁ ଫେରି ଚାହିଁଲେ ବିଜୟବାବୁ । ପଚାରିଲେ—ସତ କହୁଛନ୍ତି ବିକ୍ରମବାବୁ ! ମୁଁ ସତେ ବଞ୍ଚିବି; ସତେ ମୋର ଉପଯୁକ୍ତ ଚିକିତ୍ସା ହୋଇପାରିବ ? କିଏ ମୋତେ କଲିକତା ନେବ, କିଏ ମୋତେ ଏତେ ଅର୍ଥ ସାହାଯ୍ୟ କରିବ ?

 

ଶିଳ୍ପୀର ମନ ଆଶାର ଖିଅଧରି ଝୁଲୁଚି । ମରିବିକି ବଞ୍ଚିବି ! ବଞ୍ଚିବାକୁ ସମସ୍ତଙ୍କର ଆଶା-। ଆଶାହିଁ ଜୀବନ ମରଣ ମଝିରେ ଥିବା ଅଦୃଶ୍ୟ ପରଦା, ସେପଟକୁ ଗଲା ବାଟୋଇକୁ ଏପଟକୁ ଭିଡ଼ି ଧରି ରଖିଥାଏ । ଶ୍ମଶାନ ଯାତ୍ରୀକୁ ବାଟ ଓଗାଳି ଥାଏ । ମରୀଚିକା ହେଲେହେଁ ତୃଷାର୍ତ୍ତ ପଥିକକୁ ଜଳର ସ୍ୱପ୍ନ ଦେଖାଇ ଭୁଲାଇ ରଖିଥାଏ । ଆଶା ମରୀଚିମାଳି । ଆହା କି ସୁନ୍ଦର ରୂପତାର । କେତେ ମାୟା ତା’ର, କେତେ ମମତା !!

 

ସତେ ମୁଁ ବଞ୍ଚିବି ବିକ୍ରମବାବୁ । ସତେ ଏ ରୋଗର ଚିକିତ୍ସା ଅଛି ?

 

କପାଳ ଉପରେ ହାତ ବୁଲାଉଛନ୍ତି ବିକ୍ରମବାବୁ । କହିଲେ ଅଛି ଅଛି, ରୋଗଥିଲେ ନିଶ୍ଚୟ ତା’ର ଚିକିତ୍ସା ଅଛି ।

 

‘‘ହଉ ଆପଣଙ୍କର ଦୟା ।’’

 

ଦୀର୍ଘନିଃଶ୍ୱାସ ଟାଣିଲେ ବିଜୟବାବୁ । ପ୍ରାଣରେ କେତେ ବଡ଼ ଆଶା ସଞ୍ଚାରିତ ହୋଇଚି ଆଜି ! ଆଜିଯାକେ ଯିଏ ଆସିଚି, ଲେଉଟି ଯାଇଚି । ନାସ୍ତିବାଣୀ ଶୁଣାଇ ଯାଇଚି । ନିରାଶୟ କେରିଦେଇ ଯାଇଚି । ଯେତେ ଚିକିତ୍ସା କଲେବି ନିରାଶ ପ୍ରାଣରେ ଆଶାର ସଞ୍ଚାର କରାଇ ପାରିନାହାନ୍ତି କେହି । ପ୍ରାଣ ଚାହେଁ ଆଶାର ଅମୃତ । ସେତକ ଯାହାଠାରୁ ନମିଳେ ସେ ନୁହେଁ ଚିକିତ୍ସକ, ସେ ନୁହେଁ ଆନ୍ତରିକ ବନ୍ଧୁ । ଆଜିଯାକେ ସମସ୍ତେ ଘୃଣାକରି ଦୂରେଇ ରହୁଥିଲେ । ଆଜି କିନ୍ତୁ ଧନକୁବେର ବିକ୍ରମବାବୁ ଦେହରେ ହାତ ବୁଲାଉଛନ୍ତି । ନିରାଶ ରୋଗୀ ପ୍ରାଣରେ କମ୍‍ କଥା ନୁହେଁ ଇଏ ।

 

ମଦନବାବୁ ମାଳାଆଡ଼କୁ ଚାହିଁ ପଚାରିଲେ—ଆପଣ ତେବେ ଯାଇ ପାରିବେକି ?

 

ମଣିମାଳା—କେମିତି ଆପଣ ଏ ପ୍ରଶ୍ନ କରୁଛନ୍ତି ?

 

ମଦନବାବୁ ଦୀର୍ଘନିଃଶ୍ୱାସଟିଏ ଟାଣି କିଛି ସମୟ ଠିଆହୋଇ ରହିଲେ । ତା’ପରେ ବିକ୍ରମବାବୁ ଏବଂ ସେ ଧୀରସ୍ୱରରେ ବିଦାୟ ଘେନି ତଳକୁ ଓହ୍ଲାଇଲେ । ଗାଡ଼ିଟା ତଳେ ଛିଡ଼ା ହୋଇଛି ଏବଂ ସିନେମା ସୋ ଆରମ୍ଭ ହେବାର ବେଳ ପାଖେଇ ଆସୁଚି ।

 

-୩-

 

ସୋ ଆରମ୍ଭ ହେବାର ବେଳ ପାଖେଇ ଆସୁଚି । ଘରୋଇ ରିକ୍ସା ଖଣ୍ଡେ ଆସି ଦାଣ୍ଡ ଦୁଆରେ ଠିଆ ହେଲା । ବଡ଼ ଦୋ’ମହଲା ପକ୍କା ଘରଟାଏ । ଲମ୍ବା ବରଣ୍ଡାର ଠିକ୍ ମଝିକି ଡ୍ରଇଂରୁମ ଆଗରେ ପୋର୍ଟିକୋ । ବରଣ୍ଡା ଉପରକୁ ଉଠିଲା ବେଳକୁ କେତେଗୁଡ଼ିଏ ବେତର କୁଶନ ଚଉକି ପଡ଼ିଛି । ମୋଟ ପରଦାଟାଏ ଟଣା ହୋଇଚି—ଦୁଆର ମୁହଁକୁ । ଡାହାଣ କଡ଼କୁ ବିଜୁଳି ବେଲ୍‍ର ସୁଇଚ୍ । ରିକ୍ସା ଆସି ପୋର୍ଟିକୋତଳେ ଛିଡ଼ାହେଲା । ଉଷସୀଦେବୀ ବରଣ୍ଡା ଉପରକୁ ଆସି ବେଲ୍‍ ସୁଇଚ୍ ଟିପିଲେ । ପାଦରେ ଭେଲଭେଟ୍‍ର ଚପଲ ହଳେ, ସାଟିନ୍ ସାୟା ଓ ଭେଲଭେଟ୍‍ର ବ୍ଲାଉଜ ଉପରେ ଦାମିକା ଶାଢ଼ି, ବାଁ ହାତରେ ଭ୍ୟାନିଟି ବ୍ୟାଗ୍ । ମୁଣ୍ଡ ଉପରେ ଅତି ଆଧୁନିକ ଧରଣର କେଶ-ବିନ୍ୟାସ; ହାତ ବେକ ଓ କାନରେ ଅତି ଅଳ୍ପ ପରିମାଣ ସୁନାର ଅଳଙ୍କାର କେଇଖଣ୍ଡ ମାତ୍ର ।

 

ବେହେରା ଆସି ସଲାମ ଦେଲା । ନମସ୍କାର ହେଇ କହିଲା—ଆସନ୍ତୁ ଭିତରକୁ ।

 

ଡ୍ରଇଂରୁମ ପାରହେଇ ଡାହାଣ କଡ଼କୁ ବୈଠକଖାନାଘର । ଦାମିକା ସୋଫାସେଟ୍, ମଝିରେ ଅନୁଚ୍ଚ ଗୋଲ ଟେବୁଲ ଉପରେ ସୁନ୍ଦର ସୁନ୍ଦର ଫୁଲଦାନୀ ଏବଂ ଧୂପଦାନୀ କେଇଟା । ତଳେ ଦାମିକା ଗାଲିଚା କରାଯାଇଚି । ମଦନବାବୁ ବସି ବସି ସିଗାରେଟଟାଏ ଟାଣୁଚନ୍ତି ଏବଂ ଅଳସଭାବେ ଅପେକ୍ଷା କରି ରହିଚନ୍ତି । କିଛି ସମୟ ଆଗରୁ ଉସୀଦେବୀ ଆସିବେ ବୋଲି ଫୋନ୍‍ଦ୍ୱାରା ଜଣାଇ ଦେଇଥିଲେ । ସେତ ଆସିଗଲେ । ମାତ୍ର ଡାଇରେକ୍ଟର ମଦନବାବୁଙ୍କର ମନଭିତରେ ତିଳେମାତ୍ର ଉଦବେଗ ବା ଚଞ୍ଚଳତା ପରିଲକ୍ଷିତ ହେଉନାହିଁ । ନିତାନ୍ତ ମାମୁଲି ଧରଣର ହସଟିକେ ହସିଦେଇ କହିଲେ—ବସ ।

 

ଏକା ସୋଫା ଉପରେ ପାଖକୁ ଲାଗି ବସି ପଡ଼ୁ ପଡ଼ୁ ଉଷସୀ ଦେବୀ କହିଲେ—ନମସ୍କାର, ଚାଲନ୍ତୁ ଯିବା । ସୋ’ଟା ଆରମ୍ଭ ହୋଇଯିବ ଯେ । କାହିଁ, ଆପଣଙ୍କଠାରେ ଆଜିତ ଯିବାର ବ୍ୟଗ୍ରତା କିଛି ଦେଖାଯାଉ ନାହିଁ ?

 

ପାଟିରେ ସିଗାରେଟ । ଅନ୍ୟଆଡ଼େ ଚାହିଁ ମଦନବାବୁ ଉତ୍ତର ଦେଲେ—ଆଜି କିଛି ଭଲ ଲାଗୁନାହିଁ । କେତେଥର ସେ ଛବି ଖଣ୍ଡିକୁ ଦେଖିଯିବା ? ହୁଏତ ତୁମେ ଏକା ଯାଅ, ନୋହିଲେ ଆଉ କାହାକୁ ସଙ୍ଗକରିନିଅ । ମୋର ଆଉ ସ୍ପୃହା ନାହିଁ ।

 

ପାଖକୁ ଟିକେ ଘୁଞ୍ଚିଆସି ମୃଦୁ ହସି ଉଷସୀ କହିଲେ—କଅଣ କହିଲେ ଆପଣ ? ଏତେ ବାଟକୁ ଆଗେଇ ଆଣି ମଝି ବାଲିକୁଦରେ ବୃନ୍ଦାବତୀ ପରି ଆପଣ କଚାଡ଼ି ଦେଉଛନ୍ତି ଯେ !

 

ମଦନବାବୁଙ୍କ ହାତଟାକୁ ଧରିପକାଉଛନ୍ତି ଉଷସୀ । ନିଃଶ୍ୱାସ ଘନଘନ ବହିବାକୁ ଆରମ୍ଭ କରିଦେଇଚି । ଡାଇରେକ୍ଟର ମଦନମୋହନ ମିଶ୍ର—ନାମଜାଦା ଏବଂ ପଇସା ବାଲା । ମାମୁଲି ଆଟିଷ୍ଟ୍‍ ଜଣେ ଉଷସୀ ଦେବୀ । ଆଗେ ଉଷାଥିଲେ । ଚିତ୍ର ରାଜ୍ୟରେ ପଦାର୍ପଣ କରି ଉଷସୀ ସଂସ୍କରଣ ଧାରଣ କରିଚନ୍ତି । ମଦନବାବୁଙ୍କ ହାତଟି ତାଙ୍କରି ହାତମୁଠା ଭିତରେ ଧୀରେ ଧୀରେ ଥରୁଚି । ନାରୀର କୋମଳତା ଭିତରେ ପୁରୁଷର କର୍କଶତା ପରାଜୟ ସ୍ୱୀକାର କରୁଚି । ତଥାପି ଡାଇରେକ୍ଟର ମଦନବାବୁ ! ଅନେକ ଜଗିରଖି, ଲୋକାପବାଦକୁ ପୂରାମାତ୍ରାରେ ଭୟକରି ଚଳିବାକୁ ହୁଏ ତାଙ୍କୁ । ସାମାନ୍ୟ ଜଣେ ଅଭିନେତ୍ରୀ ସହ ଘନଘନ ଚିତ୍ର ଦେଖି ବୁଲିବା ସୁନ୍ଦର ନୁହେଁ କି ସମୀଚୀନ ନୁହେଁ । ବସିବସି ସେ ଏକଲୟରେ ଗୋଟିକ ପରେ ଗୋଟିଏ, ତା’ ପଛକୁ ଆଉ ଗୋଟିଏ କରି ସିଗାରେଟ ସେବନ କରୁଚନ୍ତି ଏବଂ ଭାବୁଚନ୍ତି କଅଣ କେମିତି କହି ଆଜି ସେ ଉଷସୀ ଠାରୁ ନିଜକୁ ବଞ୍ଚାଇ ନେଇ ପାରିବେ ।

 

ମୃଦୁ ମୃଦୁ ହସି ହସି ନିଜ ହାତଟିକୁ ଉଷାର ହାତମୁଠା ଭିତରୁ ମୁକାଳି ନେଇ କହିଲେ–ଶୁଣିଚ ନା ଉଷସୀ ଦେବି ! ବିଜୟବାବୁଙ୍କ ଅବସ୍ଥା ଅତି ସାଂଘାତିକ । ଦେଖିବାବୁ ଯାଇଚ-?

 

ଟିକିଏ ଦୂରକୁ ଘୁଞ୍ଚିବସି ଉଷା କହିଲା—ନାହିଁତ । ମୁଁ କିଛି ଜାଣେ ନାହିଁ ।

 

ଜାଣିଥିଲେ ଯାଇ ଥାଆନ୍ତ ଦେଖିବାକୁ ? ସେ ବର୍ତ୍ତମାନ ଭୟଙ୍କର ଅସୁସ୍ଥ ଏବଂ ବିପଦଗ୍ରସ୍ତ ।

 

ସତେନା ?

 

ଉଷସୀର ଅନ୍ତର ଭିତରେ ସହାନୁଭୂତି ଓ ମୃଦୁ କମ୍ପନ । ବିଜୟବାବୁ ଓ ସେ ନାୟକ ନାୟିକା ହେଇ ଚିତ୍ରଟି ସାରା ଅଭିନୟ କରିଛନ୍ତ । ସ୍ୱାମୀ ଓ ସ୍ତ୍ରୀ, ପ୍ରଣୟ ଓ ପ୍ରଣୟିନୀ; ସାମାନ୍ୟ ଅଭିନୟ ହେଲେବି ଉଭୟଙ୍କ ମନ ଉପରେ ଛାୟାପାତ ଘଟିନାହିଁକି ? ଛଳନାରେ ହେଉ ପଛକେ ଅଭିନୟଟାକୁ ସତ୍ୟଭଳି ମଣି ସତ୍ୟଭଳି ପ୍ରକାଶ କରି, ସତ୍ୟଭଳି ଲୋକଙ୍କୁ ଦେଖାଇବାକୁ ଗଲାବେଳକୁ ନିଜ ନିଜର ମନଭିତରେ ଯେଉଁ ତରଙ୍ଗ ସୃଷ୍ଟି ହୁଏ, ଯେଉଁ ମମତା ଜାଗେ ଏବଂ ଯେଉଁ ଅତ୍ମୀୟତା ଜନ୍ମେ, ତାକୁ କେହି କିଛି ନୁହେଁ ବୋଲି ଏଡ଼ାଇ ଦେଇ ପାରିବକି ?

 

ବେଦନାରେ ଉଷାର ପ୍ରାଣ ଭିତରେ ଭିତରେ ବିଗଳିତ ହେବାକୁ ଲାଗିଲା । ସେ ଭାବିଲା—ମିଥ୍ୟା ଓ ଛଳନା ବୋଲି ଅଭିନୟଟାକୁ ଉଡ଼ାଇ ଦିଆଯାଇ ପାରେ ନାହିଁ । ମିଥ୍ୟା ଓ ଅଭିନୟରୁହିଁ ସତ୍ୟର ଜନ୍ମ । ଅଭିନୟଟାକୁ ମିଥ୍ୟା ବୋଲି କହିଲେ ଜୀବନଟାକୁ ମିଥ୍ୟା ବୋଲି ଧରାଯାଇ ପାରିବ ଏବଂ ସମାଜର ବନ୍ଧନଟାକୁ ତୁଚ୍ଛ ଅଭିନୟ ବୋଲି ଧରିନିଆଯାଇ ପାରିବ । ମନଟା ଆଜି ଧୀରେ ଧୀରେ ଓଟାରି ହୋଇଯାଉଚି ବିଜୟବାବୁଙ୍କ ଆଡ଼କୁ ।

 

କିନ୍ତୁ ମଦନବାବୁ କଟମଟ କରି ଅନାଇଚନ୍ତି ଯେ ! ଉଷାର ଭିତରଟାକୁ ଅଣ୍ଡାଳି ପକାଇବାକୁ ସେ ମନ ଦୂରବୀକ୍ଷଣ ଯନ୍ତ୍ରରେ ଚାହିଁ ରହଚନ୍ତି ଯେ । ସେ କହିଲେ—ଭାବିବ ହିଁ ଭାବିବ । ଛବି ଗୋଟାକଯାକ ପ୍ରଣୟୀ ପ୍ରଣୟିନୀ ରୂପେ ଅଭିନୟ କରିଚ, ତାଙ୍କ ପାଇଁ ନଭାବି ସ୍ଥିର ହୋଇ ରହିବ କେତେକେ ?

 

ମନଚୋର ଧରାପଡ଼ିଯାଉଚି । ଉଷସୀ ଧରା ଦେବାକୁ ଚାହେଁନା । କହିଲା—ଅଭିନୟକୁ କେବଳ ଅଭିନୟ ରୂପେ ଦେଖିବାକୁ ହୁଏ ଆଜ୍ଞା ! ଜୀବନଟାରେ କେତେଥର ଅଭିନୟ କରିବାକୁ ହୁଏ କେତେପ୍ରକାରେ । ଆର୍ଟ୍‍ ପାଇଁ ଆର୍ଟ୍‍ । ପ୍ରାଣପାଇଁ ନୁହେଁ କି ଜୀବନ ପାଇଁ ନୁହେଁ ।

 

କଟମଟକରି ହସି ହସି ତାରି ମୁହଁ ଆଡ଼କୁ ଅନାଇ ରହିଚନ୍ତି ମଦନବାବୁ । କ୍ଷଣକ ପୂର୍ବରୁ ହାତଟିକି ତାଙ୍କର ଧରି ପକାଇ ଥିଲା ସେ । ପଚାରିଦେଲେ—ତେବେ ଆଜିର ଏ ଅଭିନୟଟା କଅଣ କେବଳ ଆର୍ଟପାଇଁ ? ଏମିତି ଆର୍ଟପାଇଁ ଜୀବନରେ କେତେଜଣଙ୍କ ହାତ ଧରିଚ ଉଷସୀ ଦେବି !

 

ଚମକି ଉଠିଲା ଛାତି । ଉଷାର ମୁଖମଣ୍ଡଳ ମଳିନତା ଧାରଣ କଲା । କଅଣ ଉତ୍ତରଦେବ ସେ ଠିକ୍ କରିପାରୁନାହିଁ । ଛଳ ଛଳ ଆଖିରେ ଅନାଇ ରହିଚି ଏବଂ ମୃଦୁ ମୃଦୁ ହସୁଚି-। କଥାଟାକୁ ଅନ୍ୟ ଆଡ଼େ ଘୂରାଇ ଦେବାକୁ ଚେଷ୍ଟା କରି ମଦନବାବୁ କହିଲେ—ଖଣ୍ଡେ ଛବିକି ଥରେ ଦିଥର ଦେଖିଦେଲେ ଆଉ ଦେଖିବାକୁ ମନହୁଏ ନାହିଁ । ଡିରେକ୍ଟର ହିସାବରେ ଛବିଟାଏ ଦେଖିଲାକ୍ଷଣି କେବଳ ଟେକ୍‍ନିକ୍ ଆଡ଼କୁ ମନ ଓ ନଜରଟା ଏକାଗ୍ର ରହିଯାଏ । ଛବିରେ ମଣିଷର ପ୍ରାଣସତ୍ତା ମୁଁ ଉପଲବ୍ଧି କରିପାରେ ନାହିଁ । ଜୀବନ ନାହିଁ ସେଥିରେ । ପ୍ରାଣର ପରିଚୟ ମୁଁ ସେଠି ପାଇପାରେ ନାହିଁ ଉଷସୀ ଦେବି !

 

ଉଷସୀ ତଳକୁ ଆଖିଢାଳି ଚାହିଁଚି । ଧୀରସ୍ୱରରେ କହିଲା—କିନ୍ତୁ ଆପଣଙ୍କ ହାତ ପାହାନ୍ତାରେ ଜୀବନ୍ତ ମଣିଷଟିଏ ପ୍ରାଣ ପ୍ରାଚୁର୍ଯ୍ୟ ଅଜାଡ଼ି ଦେଉଚି, ତାକୁ ତ କାହିଁକି ଆପଣ ତୋଳିନେଇ ପାରୁନାହାନ୍ତି !

 

ଉତ୍ତେଜିତ ସ୍ୱରରେ ଉଠି ଠିଆ ହୋଇଯାଇ ମଦନବାବୁ ଡାକିଲେ—ଉଷାଦେବି ! କଅଣ କହୁଚ ତୁମେ ?

 

ଉପରକୁ ମୁହଁଉଠାଇ ଉଷା କହିଲେ—ଯାହା କହୁଚି ସତ୍ୟ । ମୁଁ ଆପଣଙ୍କୁ—

 

‘‘ଭଲ ପାଏ’’ ଏଇଆ କହିବାକୁ ଚାହଁତ ତୁମେ ? ମୁଁ ଅବିବାହିତ ଏବଂ ତୁମେ କୁମାରୀ । ତୁମେ ମୋତେ ଭଲକରି ଜାଣିଚ ଏବଂ ମୁଁ ତୁମକୁ ଭଲ ଭାବରେ ଜାଣିଚି । ଅଭିନୟକାରୀ ବା ଡିରେକ୍ଟର; କାହାରିକଥା କାହାରିକି ଅଛପା ନାହିଁ । ବିଭିନ୍ନ ଅଭିନୟରେ ଆମେ ରାଜା ରାଣୀ, ପ୍ରଣୟୀ ପ୍ରଣୟିନୀ ସାଜିପାରୁଁ, ମାତ୍ର ପ୍ରକୃତରେ ସତକୁ ସତ ପ୍ରଣୟ ଆମ ଭିତରେ ସମ୍ଭବ ହୋଇପାରିବ ନାହିଁ । ତୁମର ଆଉ ମୋର ଆଜିର ଏ ମିଳନଟାକୁ କୌଣସି ଏକ ଅଭିନୟର ଗୋଟାଏ ଅଂଶରୂପେ ଧରିନିଆ ଯାଇପାରେ ମାତ୍ର । ବିଜୟବାବୁ ସାଂଘାତିକ ବେମାର ପଡ଼ିଚି, ସେବାକରୁଚି ତା’ର ସ୍ତ୍ରୀ । ଦିନ ପାଇଁ ହେଉ ବା ମାସକ ପାଇଁ ହେଉ ତୁମେ ତା’ର ପ୍ରଣୟିନୀ ଭୂମିକାରେ କାମ କରିଥିଲ । କିନ୍ତୁ ତା’ର ସଂସାର ଭୂମିକାରେ ତୁମର ଆବିର୍ଭାବ ହୋଇପାରିଲା ନାହିଁ । ଆର୍ଟ୍ ଫର୍ ଆର୍ଟ୍‍ସକ୍ । ତୁମେ ଶିଳ୍ପୀ, ମୁଁ ଡିରେକ୍ଟର । ତୁମ ମୋ ଭିତରେ ସଂସାର କରିବା ସମ୍ଭବ ନୁହେଁ ଉଷାଦେବି ! ଅନ୍ୟ କୌଣସି ଘାଟରେ ନୌକା ତୁମର ଭିଡ଼ିବାକୁ ଚେଷ୍ଟାକର ।

 

ଉଷସୀ ଆଜି ପଥର ପାଲଟି ଯାଉଚନ୍ତି । ଦୀର୍ଘନିଃଶ୍ୱାସ ଟାଣି ଚାହିଁ ରହିଚନ୍ତି ମଦନବାବୁଙ୍କ ମୁହଁ ଆଡ଼କୁ । ଚିତ୍ର ତାରକା ଆଜି ଚିତ୍ର ପ୍ରତିମାପରି ଚାହିଁ ରହିଚନ୍ତି । ଅନେକ ଦିନୁ ଆଶାଥିଲା, ଅବିବାହିତ ମଦନବାବୁଙ୍କୁ ହାତମୁଠା ଭିତରକୁ ଆଣିପାରିଲେ ଖୁବ୍ ବହୁତ କାମ ହାସଲ କରାଇ ନିଆଯାଇ ପାରିବ । ମାତ୍ର ତାହା ସମ୍ଭବ ହୋଇପାରୁ ନାହିଁ । ସେ ଆଜି କହିଦେଇ ସାରିଚନ୍ତି—

 

ଆରେ ନାଉରି ।

 

ଏଘାଟେ ତୁ ନବାନ୍ଧ ତରୀ ।

 

ଉଷସୀର ମୁଖମଣ୍ଡଳରେ ଉଷାର କିରଣ ଫୁଟି ଉଠୁଉଠୁ ହଠାତ୍ ଖଣ୍ଡେ କଳାମେଘ କାହୁଁ ଭାସି ଆସି ଘୋଟିଗଲା । କେତେବଡ଼ ଆଶାର ଦଉଡ଼ି ଧରି ଉଷା ଝଲୁଥିଲା ଆଜିଯାକେ । ହଠାତ୍ ସେ ଦଉଡ଼ିଟା ଝଣ୍‍କିନା ଛିଡ଼ିଗଲା ଏବଂ ତଳେ ସେ ଦାଉଁକିନା କଚାଡ଼ି ହୋଇ ପଡ଼ିଲା । ଜୀବନରେ କେତେ ଘାଟରେ ସେ ନିଜ ତରୀଖଣ୍ଡିକୁ ବାନ୍ଧି ବାନ୍ଧି ଆସିଚି । ଆଜିଯାକେ କେହିତ ତାକୁ ନାହିଁକରି ନାହାନ୍ତି । ବରଂ ସମସ୍ତେ ଆଗଭଳି ହାତ ବଢ଼ାଇ ଦେଇଚନ୍ତି ଦଉଡ଼ିଟା ଧରି ନିଜକୂଳକୁ ଘୋସାରିନେବାକୁ । କେତେଦିନ ଅଟକି ଯାଇ ସେ ଘାଟ ଛାଡ଼ି ସେ ନିଜେ ସିନା ନିଜ ତରୀକୁ ଫିଟେଇ ବହି ଆଣିଚି, ସେମାନେ ଫିଟେଇ ଦେଇନାହାନ୍ତି । କିନ୍ତୁ ଆଜି ? ମଦନବାବୁ କୂଳ ମଡ଼େଇ ଦେଉନାହାନ୍ତି । ଘାଟ ମନାକରି ଦେଉଚନ୍ତି ।

 

ତାଙ୍କ ଘାଟରେ କଅଣ ସତରେ ନାଆ ବାନ୍ଧିବାକୁ ମନା ? ତା’ ନୁହେଁ । କେତେ କିଏ ତାଙ୍କରି ଘାଟରେ ନାଆ ବାନ୍ଧିଥିବେ ତା’ର ଠିକଣା ନାହିଁ । କିନ୍ତୁ ଏ ନାଆ ଖଣ୍ଡିକ କୂଳକୁ ଲାଗିବି ଲାଗିବି ହୋଇ ଲାଗି ପାରିଲା ନାହିଁ । ଏକଲୟରେ ଚାହିଁ ଚାହିଁ ଉଷା ଦିର୍ଘନିଃଶ୍ୱାସଟିଏ ଟାଣିଲା । ହାତମୁଠା ଭିତରୁ ଭ୍ୟାନିଟି ବ୍ୟାଗ୍‍ଟା ଅଜାଣତରେ ଚଟାଣ ଉପରକୁ ଖସିପଡ଼ିଲା । ମଦନବାବୁ ସେ ଖଣ୍ଡକ ଉଠାଇ ଉଷା ହାତକୁ ବଢ଼ାଇ ଦେଇ କହିଲେ—ଆସ ଉଷା, ମୋର ଅନେକ କାମ ଅଛି । ପରେ ଦେଖା ହେବ । ମୁଁ ଟିକେ ସଙ୍ଗେ ସଙ୍ଗେ ବାହାରକୁ ଯିବି ।

 

ବାହାରକୁ ଯିବେ ? ସୋ’ଟା ଦେଖିବାକୁ ଯାଇ ପାରିବେ ନାହିଁ ?

 

ନାହିଁ । ଆଉ ମୋର ବେଳ ନାହିଁ । କ୍ଷମା ଦେବ । ହୁଏତ ତୁମେ ଏକା ଚାଲିଯାଅ, ନଚେତ୍‍ ଆଉ କାହାର ସାଙ୍ଗ ଦେଖ ।

 

ଆଉ କାହାର ? ଏତେ ବାଟକୁ ଟେକି ଆଣି ଆପଣ ଏତେ ବଡ଼ କଚଡ଼ାଟାଏ ଦେଇ ପାରିଲେ ମଦନବାବୁ !

 

ମଦନବାବୁ ହସୁଚନ୍ତି । କହିଲେ—ମୁଁ କଚଡ଼ା ଦେଇ ନାହିଁ ଉଷା ! ତୁମେ ନିଜେ ନିଜେ କଚଡ଼ା ଖାଉଚ । ତୁମର ଭ୍ରାନ୍ତିହିଁ ତୁମକୁ ଆଜି ଆଘାତ ଦେଉଚି, ହତାଶ କରାଉଚି । ମୁଁ ଜଣେ ସାମାନ୍ୟ ଡାଇରେକ୍ଟର ମାତ୍ର । ଚିତ୍ରଗୁଡ଼ିକରେହିଁ ମୋର ଆକର୍ଷଣ, ଚିତ୍ରଶିଳ୍ପୀଙ୍କଠାରେ ନୁହଁ । ଚିତ୍ର ପାଇଁ ମେକ୍‍ଅପ୍‍ । ମେକ୍‍ଅପ୍‍ ପାଇଁ ଚିତ୍ର ନୁହଁ । ଚିତ୍ରଟା ଉଠାଇ ସାରିବା ପର୍ଯ୍ୟନ୍ତ ଶିଳ୍ପୀ ସହିତ ଯାହା କିଛି ମୋର ସମ୍ପର୍କ; ତା’ପରେ ନୁହେଁ । ଜୀବନର ନାଆଖଣ୍ଡି ଧରି ମୁଁ କେତେ ନଦୀରେ କେତେବାଟ ଉପରତଳ ବାହିଚାଲିଚି ସିନା; ସବୁବେଳେ ପାଣି ଉପରେ ନାହାଟିକି ମୁଁ ଭସାଇ ରଖିଚି । ଥରେ ଯେବେ ପାଣିଟା ମୋ ନାହା ଭିତରେ ପଶିଯାଏ, ତେବେତ ସର୍ବନାଶ । ଉଷସୀ ଦେବି ! ବିଜୟନିଶାଣ ଛବିରେ ତୁମେ ସାଜିଥିଲ ନାୟିକା ଏବଂ ବିଜୟବାବୁ ସାଜିଥିଲେ ନାୟକ । ମୁଁ ଥିଲି ନିର୍ଦ୍ଦେଶକ । ଖେଳ ସରିଲା । ଯେ ଯାହାର ନିଜ ନିଜର ବାଟଧରି ପୃଥକ୍ ହୋଇଗଲେ । ତୁମେ କିଆଁ ଆଜି ମୋ ବାଟ ଓଗାଳି ବସି ରହିଚ ? ଭୁଲ୍‍ଟା ମୋର, ନା ତୁମର ?

 

ଦୀର୍ଘନିଃଶ୍ଵାସ ଟାଣି ଉଷସୀ ଏକଲୟରେ ମଦନବାବୁଙ୍କ ମୁହଁ ଆଡ଼କୁ ଅନାଇ ରହିଲା । ତା’ର ମନେ ହେଲା ସତେକି ମୁଣ୍ଡ ଉପରର ଛାତଟା ହଠାତ୍ ଭାଙ୍ଗିପଡ଼ିଲା ତାରି ମୁଣ୍ଡ ଉପରେ । ସଁ ସଁ ହୋଇ ସେ ଶ୍ୱାସ ଟାଣୁଚି । ଚିତ୍ର ତାରକା ଜୀବନରେ ଅନେକ ଚିତ୍ରରେ ସେ ଅଭିନୟ କରିଚି । ଅଭିନୟଗୁଡ଼ିକ ଅଭିନୟରେହିଁ ପର୍ଯ୍ୟବସିତ ହୋଇଯାଇଚି । ଜୀବନଟା ତା’ର ଗୋଟାଏ ଗଡ଼ଗଡ଼ା ପଥର ମାତ୍ର—ଏଠୁ ସେଠିକି, ସେଠୁ ଆଉ କେଉଁଠିକି ସମୟର ସୁଅରେ ଗଡ଼ି ଗଡ଼ି ଚାଲିଚି; କୌଣସିଠାରେ ଅଟକି ଯାଉନାହିଁ କି ଶିଉଳି ଧରୁନାହିଁ । ହତାଶ ଅନ୍ତରରେ ଚିନ୍ତା କରି ଦେଖିଲା ଉଷସୀ—ଗଡ଼ଗଡା ପଥରର ଜୀବନଟା କେବଳ ଗଡ଼ି ଗଡ଼ି ଯିବାପାଇଁ ସୃଷ୍ଟି ହେଇଚି । କେବଳ ଗତିହିଁ ତା’ର ଜୀବନ ।

 

ମଦନବାବୁ ତା’ ମୁହଁକୁ ଚାହିଁରହି କହିଲେ—ମୁଁ ତେବେ ଉଠେଁ ?

 

ଶୁଖିଯାଇଚି ମୁହଁଟି । ଅନେକ ଦିନର ଆଶା—ମଦନବାବୁଙ୍କୁ ଧରି ଠାଏ ଅଟକି ଯିବ ବୋଲି ଭାବି ନେଇଥିଲା ଉଷା । କିନ୍ତୁ ମରୀଚିମାଳିନୀର ଶୋଭା ସମ୍ପଦ ଆଜି ମରୀଚିକାରେହିଁ ପରିଣତ ହୋଇଗଲା । ଶୁଖିଲା ମୁହଁରେ ହତାଶାର ଦୀର୍ଘଶ୍ୱାସଟି ଟାଣି ମଳିନ-ମ୍ରିୟମାଣତାକୁ ପାଥେୟରୂପେ ଧରି ଧୀରେ ଧୀରେ ଚଉକି ଛାଡ଼ି ଉଠି ଠିଆହେଲା ଉଷା ।

 

ମୁଁ ତେବେ ଆସୁଚି ଆଜ୍ଞା, ନମସ୍କାର !

 

ନମସ୍କାର ! ଦେଖା ନିଶ୍ଚୟ ହେବ । ଆଶା କରିଚି ବିଜୟବାବୁଙ୍କ ଚିତ୍ରରେ ଆପଣଙ୍କୁ ମୁଁ ସ୍ଥାନ ଦେବି ।

 

ସେ ତ ଆପଣଙ୍କ ଅନୁଗ୍ରହ ।

 

ବିଦାୟ ନେଇ ଯାଉଚି ଉଷସୀ । ପଛକୁ ଫେରି ଚାହୁଁ ନାହିଁ । କହିଲା—ସେ ତ ଆପଣଙ୍କ ଅନୁଗ୍ରହ ।

 

ଅନୁଗ୍ରହ କଅଣ ହେ ଉଷସୀ ଦେବି ! ଚିତ୍ର ତାରକା ଆପଣ । ଅଭିନୟ କରିବେ—ପାରିତୋଷିକ ନେବେ; ସେଥିରେ ମୋର ଅନୁଗ୍ରହର ସ୍ଥାନ କେଉଁଠାରେ ?

 

ନମସ୍କାର ଡିରେକ୍ଟର ମହାଶୟ ! ମୋରି ଭୁଲପାଇଁ ମୁଁ ଆଜି ମନେପ୍ରାଣେ କ୍ଷତବିକ୍ଷତ ହୋଇ ଲେଉଟି ଯାଉଚି ସିନା—ଆପଣଙ୍କର ଭୁଲ କିଛି ନାହିଁ ।

 

ତୀବ୍ର ଉତ୍ତେଜନାରେ ଉଷା ନିଜ ରିକ୍ସାଟି ଉପରକୁ ଉଠି ବସିଲା । ହାତରେ ତା’ର ଭ୍ୟାନିଟି ବ୍ୟାଗ୍‍ଟି । ଚିତ୍ର ତାରକା ରୂପେ ଅଭିନୟ କରିବାକୁ ଆରମ୍ଭ କରିଦେବା ଦିନୁ ନିଜ ବ୍ୟାଗ୍ ଭିତରୁ ନିଜର ଭ୍ୟାନିଟିତକ ଏକଦମ୍‍ ହଜିଗଲାଣି । ଅଛି କେବଳ ଚିତ୍ରଟା—ସେଇ ଛବିଖଣ୍ଡିକ । ଯେତେ ମେକ୍‍ଅପ୍‍ କଲେ ସୁଦ୍ଧା ଭ୍ୟାନିଟି ଆଉ ମିଳିପାରିବ ନାହିଁ । ଭିତରେ ଭିତରେ ଲଜ୍ଜା ଓ ଅପମାନର ମେଘ ଅନ୍ଧକାର କରି ଘୋଟି ଘୋଟି ଆସୁଚି । ରିକ୍ସା ଚାଲିଚି ଏବଂ ତା’ ଉପରେ ବସି ବସି ଉଷସୀ ଦେବୀ କେବଳ ଚିନ୍ତା କରି କରି ଚାଲୁଛନ୍ତି । ଜୀବନଟାଯାକ ଚିତ୍ରମୟ, ଅଭିନୟମୟ-। କେତେ କେତେ ସେ ଅଭିନୟ କରିଆସିଚନ୍ତି, କେତେ ନାୟକଙ୍କୁ ଧରି ସେ ନାୟିକା ସାଜିଚନ୍ତି-। ହୁଏତ କେତୁଟାର ଛବି ଉଠିଚି, କେତୁଟାର ଉଠିପାରି ନାହିଁ । ଛବି ଉଠୁ ବା ନଉଠୁ ଜୀବନର ସ୍ରୋତଟା ବାଟଘାଟର କେତେ ଖମାଖାଲ, ବାଲିମାଟି, ବାଲିଗରଡ଼ା ଓ ଢିମାପଥର ଉପର ଦେଇ ବହି ବହି ଆଗେଇ ଯାଉଚି ଆଗକୁ ଆଗକୁ । ପଛଉ ନାହିଁ, ପଛକଥା, ଭାବିହେଇ ଅଟକି ଯିବାକୁ ପଡ଼ୁନାହିଁ । ଦୁଃଖକଷ୍ଟ, ମାନ ଅପମାନ, ଲାଭ କ୍ଷତି ସବୁକୁ ଛାଡ଼ି ସୁଅ ଛୁଟୁଚି ସିନ୍ଧୁ ଆଡ଼କୁ-

 

‘‘ରହରେ ରିକ୍ସାବାଲା ! ରହ ରହ ।’’

 

ପଛକୁ ଫେରି ଚାହିଁଲେ ଉଷସୀ ଦେବୀ ।

 

ଶୁଖିଲା ମୁହଁରେ ହସ ଫୁଟିଲା ।

 

‘‘ରହରେ ରିକ୍ସାବାଲା !’’

 

ଦୁନିଆଟା ଏମିତିଆ । କାହାରି ପାଇଁ କାହାରି କିଛି ଅଟକୁ ନାହିଁ । ଖଣ୍ଡେ ଚିତ୍ରର ଜଣେ ଅଭିନେତା—ରମାନାଥ ସିଂହ । ପଛରୁ ଡାକୁଚନ୍ତି । ଦିନେ ସେ ଏଇ ରମାନାଥର ହାତଧରି ନାୟିକା ସାଜି ଅଭିନୟ କରିଥିଲା ।

 

‘‘ନମସ୍କାର’’—ହସ ହସ ମୁହଁ ।

 

‘‘କୁଆଡ଼େ ବାହାରିଚ, ଏକା ଏକା ?’’

 

ନିରୁଦ୍ଦିଷ୍ଟ ପଥ ଉପରେ ନାରୀ କେବେ ଏକା ଚାଲେ ଦେଖିଚ ? ଏକୁଟିଆ ବାଟରେ ବାଟ ଓଗାଳି ଛିଡ଼ାହୋଇ ଦୁନିଆ କହେ—ଚାଲ, ମୁଁ ତୋ ସଙ୍ଗରେ ଯିବି ।

 

ପଛର ରିକ୍ସାଖଣ୍ଡିକ ଆସି ପାଖକୁ ଲାଗିଗଲା । ରମାନାଥ ହସିଉଠି ପଚାରିଲେ—କିଏ ଅଛି ସଙ୍ଗରେ ?

 

କାହିଁକି ? ଆପଣ—

 

ଆପଣ ? ଅର୍ଥାତ୍ ମୁଁ । ହୋ, ହୋ, ହୋ,ହୋ ! ଆପାତତଃ କୁଆଡ଼େ ଯିବାକୁ ବାହରିଚ-?

 

ଯୁଆଡ଼ିକି କହିବ ସେ ଆଡ଼ିକି ମୋ ରିକ୍ସା ଚାଲିବ ।

 

ଚିତ୍ର ତାରକା, ଦୁଇଜଣଯାକ । ଦୁଇଖଣ୍ଡି ରିକ୍ସା—ଏକ ଦିଗରେ ଚାଲିଲା, ଏକମୁହାଁ ହୋଇ । ବାଟଯାକ କଥାବାର୍ତ୍ତା ଏବଂ ହୋ-ହୋ ହସ ।

 

ତେତେବେଳଯାକେ ଫିଲ୍ମ ସୋ ଆରମ୍ଭ ହୋଇନଥାଏ । ଉଷସୀ ଭାବିଲା—ମଦନବାବୁ ନ ଆସିଲେ କଅଣ ଚିତ୍ର ଦେଖା ବନ୍ଦ ହୋଇଯାଉଚି, ନା ସାଙ୍ଗରେ ବସି ଦେଖିବା ପାଇଁ ଦର୍ଶକ ଅଭାବ ଅଛନ୍ତି ?

 

ଭ୍ୟାନିଟି ବ୍ୟାଗ୍ ଭିତରେ ଯଥାର୍ଥରେ ଭ୍ୟାନିଟି ଆଉ କିଛି ନଥାଏ । ଥାଏ କେବଳ ଧରି ବାହାରିପଡ଼ିବାର ଗୋଟାଏ ଅଭ୍ୟାସ । ନିତିଦିନିଆ ଅଭ୍ୟାସ ଘେନି ମଣିଷର ସ୍ଵଭାବ ଗଢ଼ିହୋଇଥାଏ । ଚଳଚ୍ଚିତ୍ରରେ ଅଭିନୟ ଦେଖାଇବା ପାଇଁ ସିମ୍ପାଞ୍ଜିଟିକୁ ମଣ କରାଯାଉଚି । ବିଲେଇ କୁକୁରକୁ ବିଭିନ୍ନ କୌଶଳ ଶିଖାଯାଉଚି । ଚିତ୍ର ବାହାରେ ମଧ୍ୟ ଦୈନଦିନ ଜୀବନରେ ସେଇସବୁ ଖେଳ ସେମାନେ ଦେଖାଇଦେଇ ଯାଉଚନ୍ତି । ଜଣେ କାହାରିକି ଧରି ବୁଲିବା, ହସିବା, ବସିବା ଆଦି ଅଭିନୟକଳାର ଅଭ୍ୟାସ କରୁ କରୁ ଚିତ୍ର ତାରକାର ସେ ସବୁ ଅଭ୍ୟାସରେ ପଡ଼ିଯାଏ ମାତ୍ର । ଅଭିନୟ କୌଶଳଟା ମିଥ୍ୟାରୁ କ୍ରମେ ସତ୍ୟରେ ପରିଣତ ହୋଇ ନିତ୍ୟ ନୈମିତ୍ତିକ ମାମୁଲି କାମଟିଏ ହୋଇଯାଏ ସିନା ! ଅଭିନୟ ବାହାରେ ମଣିଷର ଜୀବନ ଅଭିନୟମୁକ୍ତ ହୋଇ ରହିପାରେ ନାହିଁ । ଧୂଳିଖେଳ ବେଳେ ପିଲା ଦିଇଟା କେବେ ବରକନ୍ୟା ସାଜିଥିଲେ । ସଂସାରୀ ହୋଇ ଭିନ୍ନେ ଭିନ୍ନେ ଘରସଂସାର କଲାବେଳକୁ ସେକଥା ମନେ ପଡ଼ିଗଲେ ମନ ଭିତରଟା ଛାଏଁ ଛାଏଁ ସଙ୍କୁଚିତ ହୋଇଯାଏ କାହିଁକି ? ତେବେ କାହଁକି ? ଧୂଳି ଖେଳଟା କିଛି ନୁହେଁ ପରା !

 

-୪-

 

ସତ କହୁଚନ୍ତି, ମୁଁ ବଞ୍ଚିବି ?

 

ବହଳ ଶେଯ ଉପରେ ଅତି ଦୁର୍ବଳ ଅବସ୍ଥାରେ ପଡ଼ିରହି କ୍ଷୀଣ କଣ୍ଠରେ ବିଜୟବାବୁ ପଚାରିଲେ—ମୁଁ ବଞ୍ଚିବି ସତେ ?

 

ସୁସଜ୍ଜିତ ପ୍ରକୋଷ୍ଠ । ବୈଦ୍ୟୁତିକ ଆଲୋକ ଉଦ୍ଭାସିତ ଶଯ୍ୟାଗୃହର ଆବଶ୍ୟକୀୟ ଉପକରଣ ଛଡ଼ା ଔଷଧ ରଖିବା ପାଇଁ ଛୋଟ ଆଲମିରାଟିଏ ଏବଂ ଶେଯ ପାଖକୁ ଲାଗି ଖଣ୍ଡେ ଟେବୁଲ ଉପରେ ଔଷଧଖିଆ ଗ୍ଲାସ୍‍, ଔଷଧ ବୋତଲ କେତୋଟି, ଥାର୍ମୋମିଟର ଆଦି ଆଉ ଆଉ କେତୋଟି ପଦାର୍ଥ । ଘର ଖଣ୍ଡିକ ଦୋମହଲା ଉପରେ । ଗୋଳମାଳ କିଛି ନାହିଁ । ସାମାନ୍ୟ ଟିକିଏ ଦୂରକୁ ଦିଖଣ୍ଡି ଚଉକି ପଡ଼ିଚି । ଖଣ୍ଡିକ ଉପରେ ବିକ୍ରମବାବୁ ବସି ହସ ହସ ମୁହଁରେ ବିଜୟବାବୁଙ୍କ ରୋଗା ମୁହଁ ଆଡ଼କୁ ଚାହିଁରହିଛନ୍ତି । କହିଲେ—ଆପଣ କିଛି ମାତ୍ର ଚିନ୍ତା କରନ୍ତୁ ନାହିଁ । ଅଳ୍ପ କେତୋଟି ଦିନ ଭିତରେ ନିଶ୍ଚୟ ଭଲ ହୋଇଯିବେ ।

 

କ୍ଷୟ ରୋଗୀର ଶରୀର । ଧୀରେ ଧୀରେ କ୍ଷୟପ୍ରାପ୍ତ ହେଉଚି । ଅସ୍ଥିକଙ୍କାଳ ଓ ଚର୍ମଢାଙ୍କୁଣୀ ଛଡ଼ା ଆଉ ପ୍ରାୟ କିଛି ନାହିଁ । ପାଖକୁ କେହି ଆସୁନାହାନ୍ତି । ସ୍ୱାମୀ ସ୍ତ୍ରୀଙ୍କୁ କଲିକତା ଘେନି ଆସିଚନ୍ତି ବିକ୍ରମବାବୁ । ବିଶେଷଜ୍ଞ ଡାକ୍ତର ଆସି ଦୁଇଥର ଦେଖି ଗଲେଣି, ଆଶା ଦେଇ ପାରୁନାହାନ୍ତି । ମାତ୍ର ରୋଗୀ ଆଗରେ କୌଣସି କଥା ପ୍ରକାଶ କରିବାକୁ ମନା କରିଚନ୍ତି । କହିଚନ୍ତି–ତୁରନ୍ତ ଯକ୍ଷ୍ମା ନିବାସକୁ ପଠାଇଦିଅ । ଦୁଇଟିଯାକ ଫୁସ୍‍ଫୁସ୍‍ ମଧ୍ୟରୁ ଗୋଟିଏ ତ ଗଲାଣି, ଆରଟି ଆସି ଅଧାଅଧି ହେଲାଣି । ଏକ୍‍ସରେ’ ଫଟ ଦିଖଣ୍ଡି ସେ କାହାରିକୁ ଦେଖାଇବାକୁ ନାରାଜ-

 

ଚିକିତ୍ସା ଚାଲିଚି । ମଣିମାଳା ପାଖକୁ ଆସି ଗିଲାସରେ ଢାଳି ଔଷଧ ଖୁଆଇ ଦେଇଗଲେ । ଏଥି ସହ ତରଳ ଖାଦ୍ୟସାର ମଧ୍ୟ ଦିଆଯାଉଚି । କୋଟରଗତ ଚକ୍ଷୁ ଦୁଇଟିକୁ ଉପରକୁ ଟେକି କାତର ସ୍ୱରରେ ବିଜୟବାବୁ କହିଲେ—କାହିଁକି ଆଉ ଲାଗିଚ ମାଳା !

 

ନିର୍ବାଣଦୀପେ କିମୁ ତୈଳଦାନଂ ?

 

ଦୀର୍ଘନିଃଶ୍ୱାସଟିଏ ଟାଣିଲେ ମଣିମାଳା । ଦୀର୍ଘଶ୍ୱାଶ ଛାଡ଼ୁଚନ୍ତି ବିକ୍ରମବାବୁ । ପାଞ୍ଚୋଟିବର୍ଷ ପୂର୍ବରୁ ଏଇଘରେ ବିକ୍ରମବାବୁଙ୍କ ବାପା କ୍ଷୟରୋଗରେ ପଡ଼ି ପଡ଼ି ଶେଷ ନିଃଶ୍ଵାସ ଛାଡ଼ିଚନ୍ତି । ହଜାର ହଜାର ଟଙ୍କା ଖରଚ କରିକରି କିଛି ଫଳ ହୋଇନାହିଁ । ଆଜିକାଲି ଅବଶ୍ୟ ରୋଗର ନାନାପ୍ରକାର ଚିକିତ୍ସା ବାହାରିଲାଣି । ମାତ୍ର ଜଣଜଣକର ରୋଗଟା ତୁରନ୍ତ ବଢ଼ିଯାଏ । ରୋଗର ଆଦ୍ୟାବସ୍ଥାରେ ସୁଚିକିତ୍ସା ନକଲେ ବଞ୍ଚାଇବା ଆଶା ରହେନାହିଁ । ଏରୋଗ ଆଉ କୁଷ୍ଠ ରୋଗ ଆକ୍ରମଣ କଲେ ଲୋକେ ପ୍ରଥମାବସ୍ଥାରେ ଲୁଚାଇବାକୁ ଚେଷ୍ଟା କରନ୍ତି । ଫଳରେ ରୋଗର ଶେଷ ଆଡ଼କୁ ଚିକିତ୍ସା କରି ବସି ବିଫଳ ହୁଅନ୍ତି । ଆଉ ମଧ୍ୟ ସେତେବେଳକୁ ଘରେ ବାହାରେ ଅନ୍ୟ କେତେଜଣକୁ ସେମାନେ ନିଜର ସାଂଘାତିକ ରୋଗଟି ବିତରଣ କରିଦେଇ ସାରିଥାଆନ୍ତି ।

 

ନିର୍ବାଣଦୀପେ କିମୁ ତୈଳଦାନଂ ।

 

ବୃଥାରେ ଆପଣ ମୋ ପାଇଁ ହଜାର ହଜାର ଟଙ୍କା ଉଡ଼ାଇ ଦେଉଚନ୍ତି ବିକ୍ରମବାକୁ ! ମୁଁ ତ ବଞ୍ଚିବାର ଆଶା ଦେଖୁନାହିଁ ।

 

ମଣିମାଳା ଅତି କରୁଣ ଭାବରେ ବିକ୍ରମବାବୁଙ୍କ ଆଡ଼କୁ ଅନାଇ ରହିଲେ । କେହି ଆସୁନାହାନ୍ତି । ସେଇ ଆସୁଚନ୍ତି । ନିର୍ବିକାର ଚିତ୍ତରେ ପାଖରେ ବସୁଚନ୍ତି । ଧନକୁବେର ହଜାର ହଜାର ଟଙ୍କା ଖରଚ କରିଦେଉଚନ୍ତି । ବିକ୍ରମବାବୁ କହନ୍ତି—ରୋଗୀକି ଘୃଣା କରନାହିଁ; ରୋଗକୁ ଘୃଣାକର । ସାବଧାନ ରୁହ । ମୋ ବାପା ଏଇ ରୋଗରେ ପଡ଼ି ପଡ଼ି ମଲେ । ମୋର ଘୃଣା ତୁଟି ଯାଇଚି । ଆମର ଚିକିତ୍ସାବିଜ୍ଞାନ ଅବଧି ଏ ରୋଗ ପାଇଁ ଯଥାର୍ଥ ଔଷଧ ଆବିଷ୍କାର କରି ପାରିନାହିଁ ବୋଲି ଆମେ ଆମର ଅଜ୍ଞତାକୁ ଧିକ୍‍କାର ଦେବାର କଥା ସିନା !

 

କଲିକତା ସହରର ଧର୍ମତଲା ଷ୍ଟ୍ରିଟ୍‍ ଉପରେ ବିକ୍ରମବାବୁଙ୍କର ତେତାଲା ଘରଖଣ୍ଡେ । ତଳେ ବ୍ୟବସାୟର ଗଦି । ମେନେଜର ବୁଝାସୁଝା କରନ୍ତି । ଦଲାଲ ଅଛନ୍ତି । ଗୋଦାମ ଅନ୍ୟ ଜାଗାରେ । ଲାଖ୍‍ ଲାଖ୍‍ ଟଙ୍କାର କାରବାର ଚାଲିଚି । ତମ୍ବା, ସୀସା, ଖପର, ରଙ୍ଗ ଆଦି ଧାତୁ ଜିନିଷର ମୋଟଦରିଆ କାରବାର । ଦୋମହଲା ତେମହଲାରେ ରହିବା ଘର ।

 

ଶେଯ ଉପରେ ପଡ଼ି ଅନ୍ୟକଡ଼କୁ ମୁହଁ ବୁଲାଉ ବୁଲାଉ କ୍ଷୀଣ କାଶ ଭିତରେ ବିଜୟବାବୁ ଘୋଷି ହେଉଚନ୍ତି—

 

ନିର୍ବାଣଦୀପେ କିମୁ ତୈଳଦାନଂ ।

 

ଖୁଁ ଖୁଁ ଖୁଁ ଖୁଁ ।

 

ବରଂ ମୃତ୍ୟୁଟା କେମିତି ଶୀଘ୍ର ଶୀଘ୍ର ପଦକ୍ଷେପ କରି ଆସିଯିବ ତହିଁର ବ୍ୟବସ୍ଥା କଲେ ମୁଁ ବଞ୍ଚିଯାଆନ୍ତି...

 

Unknown

ଖୁଁ ଖୁଁ ଖୁଁ ଖୁଁ ।

 

ମଣିମାଳା ଠିଆହୋଇ ଏକଲୟରେ ସ୍ୱାମୀଙ୍କ ଆଡ଼କୁ ଅନାଇ ରହିଥିଲେ । ଆଉ କିଛି ସାହାଯ୍ୟ କରିବାର ଉପାୟ ନାହିଁ । ମଣିଷର ହାତ ଯେତେଦୂର ପାଏ ସେ ବଢ଼ାଇଚନ୍ତି । ଔଷଧପତ୍ର ଯାହା କରିବାର କଥା ତାହାର ବରାଦ କରିଯାଉଚନ୍ତି ବିକ୍ରମବାବୁ ନିତାନ୍ତ ଅକୁଣ୍ଠିତ ଚିତ୍ତରେ । ତେଣିକି ଭାଗ୍ୟ ଓ ଭଗବାନ !

 

ଭାବନାର ମଝିବାଟରେ ଗୋଟିଏ ଗହିଡ଼ିଆ ଦୀର୍ଘଶ୍ୱାସ ।

 

ଚୌକି ଉପରୁ ଉଠୁ ଉଠୁ ବିକ୍ରମବାବୁ ଧୀର ସ୍ୱରରେ କହି ଉଠିଲେ—କାଲିକି ମାଳା, ବରାଦ କର । ଯକ୍ଷ୍ମା ନିବାସକୁ ନିଶ୍ଚୟ ପଠାଇଦେବା । ହୁଏତ ସେଠି ସେମାନେ ଆଉକିଛି ଅଧିକା ବ୍ୟବସ୍ଥା କରିବେ । ଇଞ୍ଜେକ୍‍ସନ ଦେବେ କିମ୍ବା ଅକ୍‍ସିଜନ୍‍ ଦେବେ ।

 

ବିକ୍ରମବାବୁ ଧୀରେ ଧୀରେ ତଳକୁ ଓହ୍ଲାଇଗଲେ । ମଣିମାଳା ବରଣ୍ଡାଟି ଉପରେ ଏକୁଟିଆ ଠିଆହୋଇ ରହି ଭାବିହେଲେ—କଅଣ କରିବେ ? ରୋଗୀର ଅବସ୍ଥା ଏମିତି । ପୁଅଟି ପାଖରେ ନାହିଁ । ଆପଣାର ବୋଲି କହିବାପାଇଁ ଏକମାତ୍ର ବିକ୍ରମବାବୁ । ଧନକୁବେର ସେ, ଅକାତରରେ ଟଙ୍କା କଉଡ଼ି ଦେଇ ପକାଉଚନ୍ତି । ସ୍ୱାମୀଙ୍କୁ ଯକ୍ଷ୍ମା ନିବାସକୁ ନପଠାଇ ଉପାୟ ନାହିଁ । ପଠାଇଦେଲେ ନିଜ ଉପରକୁ ଆଙ୍କୁଶ ହୋଇ କେହି ରହୁନାହିଁ । ବିକ୍ରମବାବୁଙ୍କ ପ୍ରତି କୃତଜ୍ଞତାରେ ପ୍ରାଣମନ ଭରପୂର ହୋଇ ଉଠୁଚି । ମାତ୍ର ଯୁବତୀସୁଲଭ ଦୁର୍ବଳତା ଘେନି ଏ ନିର୍ଜନ ଧନକୁବେର ଘରେ ବିକ୍ରମବାବୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଏକୁଟିଆ ରହିବାକୁ ସାହସ ହେଉନାହିଁ । ଏହିଭଳି ଅବସ୍ଥାରେ ପଡ଼ିଲେ ମଣିଷ କିଂକର୍ତ୍ତବ୍ୟବିମୂଢ଼ ହୋଇ ସମୟର ଘଟନା ସ୍ରୋତ ଉପରେ ନିଃସହାୟ କୁଟା ଖିଅଟିପରି ଆପଣାକୁ ଭସାଇଦେବା ଛଡ଼ା ଅନ୍ୟ ଉପାୟ ପାଏନାହିଁ । ସ୍ୱାମୀ ଦେବତା । ତାଙ୍କୁ ବଞ୍ଚାଇବା ପାଇଁ ସଂସାରରେ ସବୁ କଥାକୁ ମଥା ପୋତି ସହିନେବାକୁ ପଡ଼ିବ ସିନା !

 

ଏକୁଟିଆ ଅନେକବେଳଯାକେ ସେଇଠାରେ ସେମିତି ଠିଆହୋଇରହି ମଣିମାଳା ଆକାଶପାତାଳ ଭାବି ହେଉଚି । ସାନ-ପିଲାଟିଦିନୁ ଆଜି ପର୍ଯ୍ୟନ୍ତ ଜୀବନର ସବୁ ଘଟନାଗୁଡ଼ିକ ଗୋଟିକ ପଛକୁ ଆଉ ଗୋଟିଏ ହୋଇ ମନେପଡ଼ି ଯାଉଚନ୍ତି । ସ୍ୱାମୀ ବେମାର ପଡ଼ିଲାବେଳେ ବାପଘରର ସାହାଯ୍ୟ ସେ ଚାହିଁଥିଲା । ଅନେକ ଦିନୁ ବାପା ମରିଗଲେଣି । ମା ଅତି ବୃଦ୍ଧା । ଭାଇ ଦୁଇଟି ଓ ଭାଉଜ ଘରର କର୍ତ୍ତାକର୍ତ୍ତ୍ରୀ । ସେମାନେ କେହି ପାଖକୁ ଆସିଲେ ନାହିଁ । କ୍ଷୟରୋଗ ପ୍ରତି ସେମାନଙ୍କର ପୂରା ଭୟ । ସାମାନ୍ୟ କିଛି ସାହାଯ୍ୟ ପଠାଇ ଦେଇ କହିଲେ—ପୁଅକୁ ଘେନି ଚାଲି ଆସିବୁ । ବିଜୟକୁ କୌଣସି ଦାତବ୍ୟ ଚିକିତ୍ସାଳୟରେ ଛାଡ଼ିଦେବାର ବ୍ୟବସ୍ଥା କରିବୁ ।

 

ସେଦିନ ମଣିମାଳା ମନେମନେ ସ୍ଥିର କରିଥିଲା—ପ୍ରାଣ ପଛକେ ଯାଉ ତାଙ୍କୁ ମୁଁ ହାସପାତାଳରେ ନିଃସହାୟଭାବେ ଛାଡ଼ିଦେଇ ଭାଇ ଘରକୁ ପଳାଇଯାଇ ପାରିବି ନାହିଁ ।

 

ସେଇ କଥାଟି ଭାବିଲା ବେଳକୁ ଆଜିକାର କଥା ମନେପଡ଼ିଯାଉଚି । କାଲି ସକାଳୁ ତାଙ୍କୁ ଯକ୍ଷ୍ମା ନିବାସରେ ଛାଡ଼ିଦେଇ ଆସିବାକୁ ପଡ଼ିବ ।

 

କାନ୍ଦ ମାଡ଼ିଲା । ବରଣ୍ଡାର କର୍ଣ୍ଣିସଟାକୁ ଧରି ସେ ସେଇଠି ସେମିତି ଛିଡ଼ାହୋଇ ରହିଲା-। ଭାବିହେଲା ଏବଂ କାନ୍ଦିବାକୁ ଲାଗିଲା । ବିକଳ ହୋଇ କଇଁ କଇଁ କାନ୍ଦିଉଠିଲା । ଏମିତି ଏମିତି ରାତି ଅନେକ ହେଲା । ତଳେ ବ୍ୟବସାୟ ବନ୍ଦ ହେଲା । ରାଜପଥ ଉପରୁ ଯାନବାହନର ଗହଳି ଧୀରେ ଧୀରେ କମିଆସିଲା । ବିକ୍ରମବାବୁ ପାଖ ଶିଡ଼ି ଦେଇ ତି’ମହଲା ଉପରକୁ ଉଠି ଯାଉ ଯାଉ ଦେଖିଲେ, ତଳକୁ ଓହ୍ଲାଇ ଗଲାବେଳେ ମାଳା ଯେଉଁଠାରେ ଛିଡ଼ାହେଇ ତାଙ୍କୁ ବଳେଇ ଦେଉଥିଲା ଠିକ୍ ସେଇଠାରେ ସେ ଠିଆହୋଇ ରହିଛି ଏବଂ ତା’ର କଇଁ କଇଁ କାନ୍ଦ ଶୁଭିଯାଉଚି-। ଧୀରେ ଧୀରେ ସେ ପାଖକୁ ଆସିଲେ । ଧୀରେ ଧୀରେ ଡାକିଲେ—ମାଳା ! ମଣିମାଳା !

 

ଉତ୍ତର ନାହିଁ ।

 

ତୁମେ କାନ୍ଦୁଚ ? କାଁହଁକି ?

 

କାଲି ମୁଁ ବିଜୟବାବୁଙ୍କୁ ଯକ୍ଷ୍ମା ନିବାସକୁ ପଠାଇବାର ବ୍ୟବସ୍ଥା କରୁଚି ।

 

ସେଇଥିପାଇଁତ ମୁଁ କାନ୍ଦୁଚି । ତାଙ୍କୁ ଛାଡ଼ି ବଞ୍ଚିବି କେମିତି ?

 

ଦୀର୍ଘନିଃଶ୍ୱାସ ଟାଣି ବିକ୍ରମବାବୁ ଭାବିଲେ, କିଛି କ୍ଷଣ ପରେ ପଚାରିଲେ—ନପଠାଇ ଉପାୟ କଅଣ ?

 

ମାଳା ମୁହଁ ବୁଲାଇଲା । ମୁହଁଟା ତା’ର ଫୁଲିଯାଇଚି ।

 

ଧାର ଧାର ଲୁହ ଏବେବି ଗଣ୍ଡ ଦୁଇଟି ଉପର ଦେଇ ବହି ଚାଲିଚି । ବିକ୍ରମବାବୁ ପୁଣିଥରେ ପଚାରିଲେ—

 

ନ ପଠାଇ ଉପାୟ କଅଣ ?

 

ପ୍ରତ୍ୟୁତ୍ତରରେ ମାଳା ପଚାରିଦେଲା—ପଠାଇଦେଲେ ମୋର ଉପାୟ କଅଣ ?

 

ପାଖକୁ ଲାଗିଆସି ବିକ୍ରମବାବୁ ନିଜ ପଞ୍ଜାବି ହାତରେ ମଣିମାଳାର ଆଖିରୁ ଲୁହ ପୋଛିଦେବାକୁ ଲାଗିଲେ । ଅଜ୍ଞାତସାରରେ ମଣିମାଳା କେତେବେଳେ କେମିତି ବିକ୍ରମବାବୁଙ୍କ ଛାତି ଉପରକୁ ଢଳି ପଡ଼ିଚି ସେକଥା ସେ ବୁଝିପାରିଲା ନାହିଁ । ତାରି ଖୋଲା ମୁଣ୍ଡଟି ଉପରେ ହାତ ବୁଲାଉ ବୁଲାଉ ବିକ୍ରମବାବୁ କହି ଉଠିଲେ—ତୁମର କିଛି ଚିନ୍ତା କରିବାର କାରଣ ନାହିଁ ମାଳା ! ମୁଁ ଅଛି ।

 

ବିକ୍ରମବାବୁଙ୍କ ଛାତି ଉପରେ ନିଜର ମୁହଁଟାକୁ ଲୁଚାଇ ରଖି ମଣିମାଳା ଏକପ୍ରକାର ଶୋକାଭିଭୂତ ଓ ଅଜ୍ଞାନ ହୋଇପଡ଼ିଚି । ନିଜ ଆଡ଼କୁ ସମ୍ପୂର୍ଣ୍ଣରୂପେ ତାକୁ ଆଉଜାଇ ନେଇ ବିକ୍ରମବାବୁ ତା’ର ପିଠି ଆଉଁସି ଦେଉଚନ୍ତି ଏବଂ କାହୁଚନ୍ତି—ତୁମେ କାନ୍ଦନାହିଁ ମାଳା ! ତୁମଲାଗି ମୋତେ କାନ୍ଦ ମାଡ଼ୁଚି । ବିଜୟବାବୁଙ୍କର ଉପଯୁକ୍ତ ଚିକିତ୍ସା କରାଇବାରେ ଲେଶମାତ୍ର ତ୍ରୁଟି ହେବନାହିଁ । ତେଣିକି ତାଙ୍କ ଭାଗ୍ୟ ଓ ଭଗବାନ ବରାଦ !

 

ସେଇଠି ସେମିତି କୋଳ ଭିତରେ ସ୍ଵପ୍ନବିଭୋଳ ଥାଇ ମାଳା ପଚାରିଦେଲା—ଆଉ ମୋ ପରି ଅନଥାପାଇଁ କଅଣ କାହାର ବରାଦ ?

 

ସେ ବରାଦ ମୁଁ କରିବି । ତୁମର ଚିନ୍ତାକରିବାର କିଛି ନାହିଁ । ମୁଁ ବଞ୍ଚିଥିବାଯାକେ ତୁମର ଭାବନା ନାହିଁ, ନିଶ୍ଚୟ । ଯାଅ, ତୁମେ ଶୋଇପଡ଼ । ଅନେକ ରାତି ହେଲାଣି । ନିଜ ଦେହ ଖରାପ କରନାହିଁ ।

 

ଦୁନିଆକୁ ସମସ୍ତେ ଆସିଚନ୍ତି ଏକା ଏକା । କେହି କାହାରି ପଛରେ ଗୋଡ଼ାଇ ଯିବେନାହିଁ । ଏକାଠି ଥିବାଯାକେ ଆମର ଯାହା କର୍ତ୍ତବ୍ୟ ତାହା କରାଯିବ ସିନା । ବାପା ଯେତେବେଳେ ବେମାର ପଡ଼ିଲେ, ସେତେବେଳେ ଆମ ପରିବାରରେ ହଇଚଇ ପଡ଼ିଗଲା । ମୁଁ ତ ଫୁଙ୍ଗୁଳା ହୋଇ ବୁଲୁଥିଲି । ଭାବିଲି—ବ୍ୟବସାୟ ବାଣିଜ୍ୟ, ଘରଦ୍ଵାର, ସବୁ ଛାରଖାର ହୋଇଗଲା-। ଭାବିଲି, ଦିନ କେଇଟା ଭିତରେ ସର୍ବହରା ହୋଇ ମୁଁ ରାସ୍ତାକଡ଼ରେ କପର୍ଦକ ଶୂନ୍ୟ ହାତରେ ଛିଡ଼ା ହେବି । ଆମେ କେତେ କନ୍ଦାକଟା କଲୁଁ । ମାତ୍ର ବାପା କାହାରିପାଇଁ ଅପେକ୍ଷା କଲେନାହିଁ-। ତାଙ୍କ ବାଟରେ ସେ ଚାଲିଗଲେ । ଧୀରେ ଧୀରେ ଆମେ ତାଙ୍କୁ ଭୁଲିଗଲୁ । ଆମର ସଂସାରକୁ ଆମେ ମୁଣ୍ଡେଇଲୁ । ଆମ ଭାଗ୍ୟ ଅନୁସାରେ ଆମର ବ୍ୟବସାୟ ବାଣିଜ୍ୟ ଆୟବ୍ୟୟ ଚାଲିଚି ତ-। ଦୁନିଆରେ କେହି କାହାର ନୁହେଁ ମାଳା ! ଯେଝା ବାଟ ଧରି ସେ ଚାଲିଚି । ଆମ ଘରେ ଘଣ୍ଟାଟିଏ ଟଙ୍ଗା ହୋଇଚି—ସମୟ ଅନୁସାରେ ଚାବିଦେବା ଆମର କର୍ତ୍ତବ୍ୟ । ତେଣିକି ଯେବେ ଦୈବକ୍ରମେ କେବେ ସେ ଘଡ଼ିଟା ଖସିପଡ଼ି ଭାଙ୍ଗିଯାଏ, ସେଥିଲାଗି ଆମେ କଅଣ ବସି ବସି କାନ୍ଦୁଥିବା ମାତ୍ର-?

 

ବିକ୍ରମବାବୁଙ୍କ ଛାତି ଉପରୁ ମୁହଁଟାକୁ କାଢ଼ିନେଇ ମାଳା ଚାହିଁଲା ତାଙ୍କରି ମୁହଁକୁ । କହିଲା—ଯାହା ମୁଁ ଅନୁମାନ କରୁଚି,ସେ ଆଉ....

 

ଆଉ କହି ପାରୁନାହିଁ ମାଳା—କାନ୍ଦୁଚି । କଣ୍ଠ ତା’ର ରୁଦ୍ଧ ହୋଇଯାଉଚି । ଦେହ ଥାରୁଚି । ଠିଆ ହୋଇଥିବା ସ୍ଥାନରେ ସେ ଭାରକେନ୍ଦ୍ର ଠିକ୍ ରଖିପାରୁନାହିଁ, ଟଳି ପଡ଼ୁଛି ।

 

ଛାତି ଉପରକୁ ପୁଣି ଥରେ ତାକୁ ଆଉଜାଇ ନେଇ ବିକ୍ରମବାବୁ କହିଲେ—ସେଭଳି ଅମଙ୍ଗଳ ଚିନ୍ତା କରୁଚ କାହିଁକି ମଣିମାଳା ! ତୁମେ ଚାଲ ଶୋଇବ । ଖାଇନାହଁ ବୋଧହୁଏ ?

 

ଚାକରାଣୀକି ଡାକିଲେ ବିକ୍ରମବାବୁ—ରାଣି ! ରାଣି ! ହେ ରାଣିଆ !

 

ଦୂରରୁ ଶୁଭିଲା—ଆଜ୍ଞା !

 

ଆ—ଆ’ତ ଏଣିକି !

 

ଜ୍ଞାନ ହେଲା ମାଳାର । ସେ ବିକ୍ରମବାବୁଙ୍କଠାରୁ ଦୂରେଇଗଲା । ତଥାପି ସେ ଠିଆହୋଇ ପାରୁନାହିଁ, ଟଳି ପଡ଼ୁଚି । ତା’ ହାତଟାକୁ ଧରିପକାଇ ବିକ୍ରମବାବୁ ପାଖକୁ ଚାଲିଚାଲି ଆସୁଥିବା ଚାକରାଣୀ ଆଡ଼କୁ ଚାହିଁ କହିଲେ—ଧରିନେଇ ଯା, ଖାଇବାକୁ ଦେ । ସେ ଏକପ୍ରକାର ଅଜ୍ଞାନ ଅଛନ୍ତି । ଖଟ ଉପରେ ଆଗ ଶୁଆଇ ଦେ । ଦେଖ୍‍, ପାଖ ପାଖରେ ଥିବୁ । ପାଖରେ ଶୋଇବୁ । ବିଜୟବାବୁଙ୍କ ଅବସ୍ଥା ଆଜି ଭଲ ନାହିଁ । ରାତିଟା ଜଗି ରହିବୁ ।

 

-୫-

 

ବିଜୟବାବୁଙ୍କୁ ଯକ୍ଷ୍ମା ହାସପାତାଳରେ ରଖା ହୋଇଚି । ଫୁସ୍‍ଫୁସ୍‍ ଭିତରକୁ ଇଞ୍ଜେକ୍‍ସନ ଦିଆଯାଉଚି ଏବଂ ସର୍ବୋତ୍କୃଷ୍ଟ ଚିକିତ୍ସା ହେବାରେ କିଞ୍ଚିତ ମାତ୍ର ହେଳା କରାଯାଉ ନାହିଁ । ତଥାପି ଡାକ୍ତର ଶୁଣାଇ ଦେଇଛନ୍ତି—ଦେଖନ୍ତୁ ବିକ୍ରମବାବୁ ! ମଣିଷ ହାତର ସୀମା ଲଙ୍ଘି ଯାଇଚି ରୋଗୀ; ଆଶା ଖୁବ୍‍ କମ୍‍ ।

 

ମଣିମାଳା କିଛି ଅବଶ୍ୟ ଶୁଣିନାହିଁ, ତଥାପି ବିକ୍ରମବାବୁଙ୍କ ମୁଖମଣ୍ଡଳରେ ହତାଶାର ଛାଇପଟଳ ଲକ୍ଷ୍ୟକରି ସେ ବି ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଚି । ଧର୍ମତଲା ଷ୍ଟ୍ରିଟ୍‍ର ଦିମହଲାର ସୁସଜ୍ଜିତ କୋଠାଘର ଭିତରେ ଏକୁଟିଆ ବସିବସି ସେ ଏକ ଧ୍ୟାନରେ ଚିନ୍ତା କରି ଚାଲିଚି—କାହାର ଜୀବନ ଗତି କେଉଁ ଦିଗକୁ ଚାଲିଚି ? ସ୍ୱାମୀ ଘରେଥିଲେ ଏବଂ କଲିକତା ବସାରେ ଥିଲେ । ଥିଲାବେଳେ କେବଳ ଶେଯ ଉପରେ ଛଟପଟ ହେଉଥିଲେ । ତାଙ୍କୁ ଚାହିଁଦେଲା ବେଳକୁ କଲିଜା ଭିତରଟା ଦୁହିଁ ହୋଇ ଯାଉଥିଲା । ମାତ୍ର ଆଖି ଉପରେ ଥିବାଯାକେ ସେ ଥିଲେ କଳ୍ପନା ଜଳ୍ପନାର ଏକମାତ୍ର ଅବଲମ୍ବନ । ଦି’ଦିନ ହେଲା ସେ କିନ୍ତୁ ଆଖି ଆଗରୁ ଅନ୍ତର ହୋଇ ଗଲେଣି । ତାଙ୍କ ପାଖକୁ ନିର୍ଦ୍ଦିଷ୍ଟ ସମୟଟି ଛଡ଼ା ଯିବାକୁ ମନା । ନିତାନ୍ତ ଅବଲମ୍ବନହୀନ କର୍ମବିହୀନ ଜୀବନଟା ଶୂନ୍ୟଘରଟି ଭିତରେ ନିତାନ୍ତ ଶୂନ୍ୟ ଲାଗୁଚି । ଅନ୍ତର ବାହାର ଅହରହ ହାହାକାର କରି ଉଠୁଚି । ଘରଟି ଭିତରେ ଚୌକି,ମେଜ, ଶେଯ, ସୁପାତି, ବାକ୍ସ, ଆଲମାରି ଓ ଗାଲିଚା, ବିଛଣା ଅଛି । ମାତ୍ର ସବୁଥାଇ ନାହିଁ ଗୋଟିଏ ଜିନିଷ—ଶାନ୍ତି; ଯାହାବିନା ମନ ମରି ମରି ଯାଏ, ପ୍ରାଣ ଡହଳ ବିକଳ ହୁଏ, ଜୀବନଟା ଅହରହ ସନ୍ତୁଳି ହେଉଥାଏ । ତତଲା ତେଲ କଡ଼େଇରେ ପଡ଼ି ମାଛଟି ଛଟପଟ ହେଲାପରି ମଣିଷ, କେବଳ ଛଟପଟ ହେଉଥାଏ । ଘର ବାହାର, ବାହାର ଘର—ବାହାରକୁ ଆସିଲେ ଶୂନ୍ୟ ବରଣ୍ଡା ଖଣ୍ଡେ । ଝରକାବାଟେ ଦାଣ୍ଡ ଆଡ଼କୁ ଅନାଇଲେ ଯାନବାହନ ଓ ଜନସ୍ରୋତ । ସଦାବେଳେ ଘୋଓଘା ଲାଗିଚି । କାନ ଅତଡ଼ା ପଡ଼ୁଚି । ଏତେଲୋକ ଯାଉଚନ୍ତି, ଆସୁଚନ୍ତି; କେହିତ କାହିଁ ଉପରକୁ ଥରେ ଆଖିପକାଇ ଚାହୁଁ ନାହିଁ ଯେ ଏକୁଟିଆ ଘରଟିରେ ନିଃସହାୟ ନାରୀଟିଏ ଅଶ୍ରୁଜଳରେ ଅହରହ ଭାବୁଚି ବୋଲି । ଦୁନିଆଟା ଏଇଆ ! ମଣିମାଳା ଭାବିଲା—ନିଜ ନିଜର ବାଟଧରି ଯିଏ ଯାହାର ଚାଲିଚନ୍ତି । କାହାପାଇଁ କାହାରି ଟିକିଏ ହେଲେ ଭାବନା ନାହିଁ କି ବେଦନା ନାହିଁ ।

 

ଭାଇ ଭାଉଜ, ଆତ୍ମୀୟସ୍ୱଜନ—ସମସ୍ତଙ୍କ ପାଖକୁ ମାଳା ଚିଠିଲେଖି ନିଜ ଦୁଃଖ ଜଣାଇଚି । କେହି ଆସିନାହାନ୍ତି ପାଖକୁ—ଦୂରେଇ ରହିଚନ୍ତି । କେହିଅବା ପତ୍ର ଖଣ୍ଡିଏ ପଠାଇ ଶୁଖିଲା ସହାନୁଭୂତିପୂର୍ଣ୍ଣ ଦିଧାଡ଼ି ପ୍ରାଣହୀନ ଅକ୍ଷର ଲେଖି ପଠାଇଚି । କେହି କେହି ଅବା ଟଙ୍କା କେଇଟା ମନିଅଡ଼ର୍‍ଦ୍ୱାରା ପଠାଇ ଦେଇଚନ୍ତି । ମାଳା କଅଣ ସେମାନଙ୍କଠାରୁ ସେଇଆ ଆଶା କରିଥିଲା ? ଦୁନିଆଟା ସ୍ୱାର୍ଥପର–ସମ୍ପୂର୍ଣ୍ଣ ସ୍ୱାର୍ଥସର୍ବସ୍ୱ ।

 

“କା କସ୍ୟ ପରିବେଦନା ?’’

 

ଏକୁଟିଆ ଘରେ ବସି ବସି ଆଖିରୁ ଲୁହ ଗଡ଼ାଇ ମାଳା ଭାବି ହେଉଚି ମାତ୍ର—ସ୍ୱାମୀ କଥା, ପୁଅଟି କଥା, ଆଉ ବାପା ମାଆଙ୍କ କଥା । ବାପା ଥିଲେ ନିଶ୍ଚୟ ଆସିଥାଆନ୍ତେ । ବାପାଙ୍କ ଠେଇଁ ସବୁ ଶରଧା ସରିଚି । ମା ବୁଢ଼ୀ, ପରାଧୀନା । ଶୁଣି ଶୁଣି ଖାଲି କାନ୍ଦୁଥିବ । ଜନ୍ମଦାତ୍ରୀ ମା–ସବୁ ସ୍ନେହ ସରିଚି ତାରି ପାଖରେ । କିନ୍ତୁ ତା’ର ଚାରା କଅଣ ?

 

ସେ କାଳର ପାଠ କହେ ନାରୀର ସ୍ୱତନ୍ତ୍ରତା କାହିଁ ? ପିଲାବେଳେ ବାପା, ଯୁବାବେଳେ ସ୍ୱାମୀ, ବୁଢ଼ାବେଳେ ସନ୍ତାନ ତା’ର କର୍ତ୍ତା ଓ ରକ୍ଷକ ।

 

ଭାବିଲା ମାଳା... ମା କଅଣ କାନ୍ଦୁନଥିବ ?

 

ଭାବିଲାବେଳକୁ ମଣିମାଳାର ଗଣ୍ଡ ବହି ଲୁହଧାର ଗଡ଼ି ପଡ଼ୁଚି ।

 

‘‘ବାପା, ମୋତେ ଛାଡ଼ି କୁଆଡ଼େ ଗଲ ତୁମେ ?’’

 

ମାଳା ଅଝରଝର କାନ୍ଦିଉଠୁଚି । ଆତ୍ମଜ୍ଞାନ ହରାଇ ସେ କଇଁକଇଁ ହୋଇଉଠୁଚି । ଖଟ ଉପରୁ ତଳକୁ ଓହ୍ଲାଇ ବସିପଡ଼ି ତଳେ ଗଡ଼ିଯାଉଚି—ବାପା, ବାପା, ମୋ ବାପା କୁଆଡ଼େ ଗଲ ତୁମେ, ମତେ ଛାଡ଼ି କୁଆଡ଼େ ପଳାଇଗଲ ?

 

ଆରଘରୁ ଚାକରାଣୀ ରାଣିଆ ଦୌଡ଼ି ଆସିଲା । ଛୋଟ ପିଲାଟି ପରି ଉଠାଇନେଇ ଖଟ ଉପରେ ଶୁଆଇଦେଲା । ରାଣିଆ କୋଳରେ ମୁଣ୍ଡ ଥୋଇ ମଣିମାଳା ଭେଁ ଭେଁ ହୋଇ କାନ୍ଦିଉଠୁଛି । କହୁଚି—ଏତେବଡ଼ ସଂସାରଟାରେ ଆପଣାରହୋଇ କେହି ନାହିଁ । ଅସହାୟ ଅନାଥା ମୁଁ, କାହା ହାତ ଧରି ବାଟ ଚାଲିବି । ନାରୀ ମୁଁ, ନିରାଶ୍ରୟା ଅବଳା—ମୋ ମୁଣ୍ଡ ଉପରକୁ ଛତା ଧରିବ କିଏ ରାଣିଆ !

 

ରାଣିଆ ବୁଝାଇବାକୁ ପ୍ରାଣପଣେ ଚେଷ୍ଟା କରୁଚି । ମାତ୍ର ମାଳାର ପ୍ରାଣ ଆଜି କୌଣସି କଥାରେ ଆଶ୍ୱାସନା ପାଇପାରୁନାହିଁ । ତା’ ମୁଣ୍ଡଟାକୁ ନିଜ କୋଳ ଉପରକୁ ଟେକିନେଇ ମୁହଁଟାକୁ ଆଉଁସି ଦେବାକୁ ଲାଗିଲା ରାଣିଆ । ମାତ୍ର ବିକଳରେ ଫାଟି ପଡ଼ୁଥିବା ମୁହଁଟି ଆଡ଼କୁ ତା’ର ଚାହିଁଦେଲା ବେଳକୁ ନିଜର ପ୍ରାଣ ଭିତରେ କୋହ ଉଠି ଆସୁଛି । ନାରୀ ସେ, ତା’ର ବି ହୃଦୟ ଅଛି-। ସେ ବି ଭୋ ଭୋ କାନ୍ଦିଉଠିଲା ।

 

କେତେବେଳକେ ଦୁଆର ମୁହଁକୁ ଆସି ଛିଡ଼ା ହୋଇଗଲେ ବିକ୍ରମବାବୁ । କଅଣ ହୋଇଛି ରାଣିଆ ? ଏମିତି କନ୍ଦାକଟା କାହିଁକି ?

 

ଭିତରକୁ ପଶିଆସି ପାଖରେ ଛିଡ଼ା ହୋଇଗଲେ । ଇଏ ସବୁ କଅଣ ମାଳା ! ତୁମେ କ’ଣ ପିଲା ହେଇଚ ? ଶିକ୍ଷିତା ହୋଇ ତୁମେ ଏମିତି ଅଧୀର ଭାବେ ଗଡ଼ୁଚ ! ବିପଦବେଳେ ଧୈର୍ଯ୍ୟ ଧରିବା ସିନା ଦରକାର ।

 

ପାଖକୁ ଲାଗିଆସି ମାଳାର ଆଖି ପୋଛି ଦେଉଚନ୍ତି । ହାତଟି ଧରି ଉଠାଇ ବସାଉଚନ୍ତି-। ଛି ଛି, ଇତର ଲୋକ ପରି ଭେଁ ଭେଁ କାନ୍ଦୁଚ ? କଅଣ ହେଇଚି କାହାର ?

 

ଅଜ୍ଞାନ ଭଳି ଉଠି ବସୁ ବସୁ ମାଳା କହିଲା—ଆପଣାର ବୋଲି କେହି ନାହିଁ ମୋର ବିକ୍ରମବାବୁ ! ଏତେବଡ଼ ସଂସାରଟାରେ ମୁଁ ନିତାନ୍ତ ଅସହାୟ ।

 

କିଏ କହୁଚି ଏକଥା । ମୁଁ ଅଛି, ତୁମର ଭାବିବାର କିଛି ନାହିଁ । ମୁଁ ଥିବାଯାକେ ତୁମର ଅଭାବ କିଛି ରହିବ ନାହିଁ କି ତୁମକୁ ଅସମ୍ମାନ କେହି ଦେଇପାରିବେ ନାହିଁ । ଉଠ, ଉଠ ମାଳା !

 

ହାତଧରି ଉଠାଇ ଦେଉଚନ୍ତି ବିକ୍ରମବାବୁ ।

 

ମାଳା ଦୂରକୁ ଘୁଞ୍ଚିଘୁଞ୍ଚି ଯାଉଚି ।

 

ସେ ଦିନ ରାତିର ଘଟଣା ତା’ର ମନେପଡ଼ି ଯାଉଛି । ନିଛାଟିଆ ବାରଣ୍ଡାଟି ଉପରେ ବିକ୍ରମବାବୁଙ୍କ ବକ୍ଷ ଉପରକୁ ସେ ଢଳିପଡ଼ିଥିଲା । ନାରୀର ଲଜ୍ଜା ଆଉ ସଙ୍କୋଚର କାରଣ ଇଆଠାରୁ ବଳି କଅଣ ଆଉ ଥାଇପାରେ ? ମନ ଭିତରର ଗ୍ଳାନିରେ ମନେମନେ ସଙ୍କୁଚିତ ହୋଇପଡ଼ି ସେ ଘୁଞ୍ଚିଯାଉଚି । ନିଜକୁ ସମ୍ଭାଳି ନେବାକୁ ଚେଷ୍ଟା କରୁଚି । ଆଖି ଲୁହ ପୋଛିପକାଇ ଅନ୍ତରର କୋହକୁ ସେ ଲୁଚାଇଦେବାକୁ ପ୍ରାଣପଣେ ଚେଷ୍ଟା କରୁଚି । ବିକ୍ରମବାବୁ କିଛି ଦୂର ଘୁଞ୍ଚିଯାଇ ଚୌକି ଖଣ୍ଡିକ ଉପରେ ବସିପଡ଼ି କହୁଚନ୍ତି—ପାଣି ଆଣି ମୁହଁଟାକୁ ତାଙ୍କର ଧୋଇଦେ ରାଣିଆ ! ଆଜି ମୁଁ ହାସପାତାଳ ଯାଇଥିଲି । ବିଜୟବାବୁଙ୍କ ଅବସ୍ଥା ଭଲ ଅଛି । ତାଙ୍କ ଲାଗି ତୁମେ ଚିନ୍ତା କରନାହିଁ ମାଳା ! ସେ ଚିନ୍ତା ମୋ ଉପରେ ଛାଡ଼ିଦିଅ ।

 

ଉପର ତାଲାରୁ ଚାକର ପିଲାଟି ଦୌଡ଼ି ଆସି କହିଲା—କଟକରୁ ଟ୍ରଙ୍କକଲ୍‍ ଆସିଚି ଆଜ୍ଞା ! ମାଳାଦେବୀଙ୍କୁ କିଏ ଡାକୁଚନ୍ତି ।

 

ମୋତେ ? କଟକରୁ କିଏ ଡାକୁଚି ।

 

ମନଭିତରେ ହଠାତ୍ ପରିବର୍ତ୍ତନ । ତରଙ୍ଗଟା ହଠାତ୍ ଗତି ବଦଳାଇଚି । ଖଟ ଉପରୁ ଧଡ଼ପଡ଼ ହୋଇ ପଡ଼ିଉଠି ଧାଇଁଲେ ମଣିମାଳା । ମୁହଁ ଧୋଇଦେବାକୁ ପାଣି ଧରି ଆସି ପହଞ୍ଚିଥିଲା ରାଣିଆ । ପାତ୍ରଟାକୁ ତଳେ ଥୋଇ ଦେଇ ମାଳାର ହାତଟାକୁ ଧରି ପକାଇଲା । ନୋହିଲେ ସେ ପଡ଼ିଯାଇଥାଆନ୍ତା । ମାଳା ଓଟାରି ହୋଇ ଦୌଡ଼ି ଯାଉଚନ୍ତି, ପଛେ ପଛେ ଧରି ଧରି ଚାଲିଚି ରାଣିଆ ।

 

ତା’ ପଛକୁ ଚାଲିଚନ୍ତି ବିକ୍ରମବାବୁ ।

 

ହାଲୋ, କିଏ ଡାକୁଚନ୍ତି ।

 

ଇରେ ମୋ ଧନ, ମୋ ପୁଅ ।

 

ବାବା, ବାବୁରେ, କଅଣ କହୁଚୁ ?

 

ଆସିବୁ ? କାହା ସାଙ୍ଗରେ, କେବେରେ ଧନ ?

 

ହଁ ହଁ, କାଲି ସକାଳୁ ? ମଦନବାବୁଙ୍କ ସାଥିରେ ?

 

ହଉ ହଉ, ତାଙ୍କ ଦୟା ।

 

ମୋ ଧନ, ମୋ ବାପା, ଭଲଅଛୁ ?

 

କିଏ ? ମଦନବାବୁଙ୍କୁ ଫୋନ୍ ଦଉଚୁ ?

 

ଦେ ବାପା ।

 

ହାଲୋ, ଆପଣ ? ନମସ୍କାର ।

 

ଜୀବନରେ ଆପଣଙ୍କ ଋଣ ସୁଝିପାରିବି ନାହିଁ ।

 

କାଲି ସକାଳୁ ?

 

କିଏ, ବିକ୍ରମବାବୁ ? ଏଇଠି ଅଛନ୍ତି ।

 

ଫୋନ୍ ତାଙ୍କୁ ଦଉଚି ।

 

ନମସ୍କାର ।

 

ବିକ୍ରମବାବୁ ରିସିଭର୍‍ଟା ଧଇଲେ ।

 

ନମସ୍କାର ।

 

କାଲି ସକାଳୁ ପହଞ୍ଚୁଛନ୍ତି ?

 

ପୁଅଟିକି ସଙ୍ଗରେ ନିଶ୍ଚୟ ଘେନି ଆସିବେ ।

 

ମାଳାଦେବୀଙ୍କ ମନର ଅବସ୍ଥା ? ଭଲନାହିଁ ?

 

ଏକପ୍ରକାର ଅଛନ୍ତି ।

 

ହଉ, ନମସ୍କାର ।

 

ରିସିଭର୍‍ଟା ଥୋଇଦେଇ ମାଳା ଆଡ଼କୁ ଚାହିଁ ହସିଦେଲେ—ଆଉ ଚିନ୍ତା କଅଣ ? ପୁଅଟିତ ପାଖକୁ ଆସୁଚି । ତାରି ପାଇଁ ତ ଚିନ୍ତା ? ସେ ଏଇଠି ପଢ଼ିବ ।

 

ଦିର୍ଘନିଃଶ୍ୱାସଟିଏ ଟାଣି ମଣିମାଳା କହିଉଠିଲେ—ଦୟା ଆପଣଙ୍କର । ଋଣଟା ଜୀବନରେ ସୁଝି ହେବନାହିଁ ।

 

ମୃଦୁ ମୃଦୁ ହସୁଚନ୍ତି ବିକ୍ରମବାବୁ ।

 

ମାଳାର ମନର ଝଡ଼ ସମ୍ପୂର୍ଣ୍ଣ ଥମ୍ବିଯାଇଚି । ନିଜ ଘରକୁ ସେ ଓହ୍ଲାଇ ଆସିଲା ।

 

ନଅ ଦଶ ବର୍ଷର ପୁଅ ରବିନାରାୟଣଟିକି ଧରି ଡାଇରେକ୍ଟର ମଦନମୋହନ ମିଶ୍ର ସକାଳ ଦଶଟା ଭିତରେ ପହଞ୍ଚିଗଲେ ।

 

ମା, ମା-ଆ !

 

‘ମୋ ଧନମଣି’ ବୋଲି ହାତ ଦିଇଟାକୁ ଆଗକୁ ପ୍ରସାରିତ କରି ବରଣ୍ଡା ଉପରକୁ ଧାଇଁଆସିଲେ ମଣିମାଳା । କାଲିଠାରୁ ସ୍ୱାମୀଙ୍କ ଚିନ୍ତା ମନଭିତରୁ ଦୂରେଇ ଯାଉଚି । ପୁଅ ଆସିଚି ପାଖକୁ । କୋଳକୁ ଟାଣିନେଇ ବକ୍ଷ ଉପରକୁ ଉଠାଇ ମୁହଁରେ ତା’ର ଚୁମା ଖାଇଖାଇ ଏକୁଟିଆ ଘରଭିତରକୁ ପଶିଯାଉଚନ୍ତି ମଣିମାଳା । ପଛରେ ତାଙ୍କର ଧୀରେ ଧୀରେ ଆଗେଇ ଆସୁଚନ୍ତି ମଦନବାବୁ, ମୃଦୁ ମୃଦୁ ହସି ହସି । ସେଆଡ଼କୁ ସନ୍ତାନବିଭୋଳା ମାଆର ନଜର ନାହିଁ । ମଦନବାବୁ ବି ତାଙ୍କର ଧ୍ୟାନ ଭଙ୍ଗ କରିବାକୁ ଚାହାନ୍ତି ନାହିଁ । ଧୀରେ ଧୀରେ ଘରଟି ଭିତରକୁ ନିଃଶବ୍ଦରେ ପାଦପକାଇ ମଦନବାବୁ ଚଉକି ଖଣ୍ଡିକ ଉପରେ ବସିପଡ଼ି ମାଆ କୋଳରେ ପୁଅଟିର ନିବିଡ଼ ସ୍ନେହ ବିଭୋଳତାର ଚିତ୍ରଟି ପ୍ରତି ଏକଦୃଷ୍ଟିରେ ଲକ୍ଷ୍ୟ କରିବାକୁ ଲାଗିଲେ । ଶିଳ୍ପୀ ସେ—ଦୃଷ୍ଟିଟି ତାଙ୍କର ଶିଳ୍ପ କଳାରେହିଁ ବିଭୋଳ, ପାଗଳ । ସେ କିଛି କହୁନାହାନ୍ତି । ନୀରବ ହୋଇ ଜୀବନ୍ତ ମେଡୋନା ଚିତ୍ରଟିପ୍ରତି ଦୃଷ୍ଟି ବଢ଼ାଇ ଚୌକି ଖଣ୍ଡିକ ଉପରେ ନିଜେ ନିଜେ ଚିତ୍ର ପ୍ରତିମାଟିଏ ପାଲଟିଯାଉଚନ୍ତି । ଅନେକବେଳ ପରେ ମାଳାର ଧ୍ୟାନ ଭଙ୍ଗ ହେଲା । ସେ ପଛକୁ ଚାହିଁ କହିଉଠିଲା—କିଏ ? ଆପଣ....ନମସ୍କାର ।

ଆଉ ଆପଣ ? ନମସ୍କାର ଗ୍ରହଣ କରନ୍ତୁ ।

ଧୀରେ ଧୀରେ ହସୁଚନ୍ତି ମଦନବାବୁ ।

ଧୀରେ ଧୀରେ ଲଜ୍ଜା ମିଶ୍ରିତ ହାସ୍ୟରେଖା ଉକୁଟିଉଠିଲା ମାଳାର ଅଧର ଓଷ୍ଠରେ ।

ଧୀରେ ଧୀରେ ମଦନବାବୁଙ୍କ ମୁହଁଟି ଶୁଖି ଝାଉଁଳିପଡ଼ୁଚି । ପଚାରିଲେ—କେଇଟା ଦିନ ଭିତରେ ଆପଣ ଏତେଦୂର ଶୁଖି ଗଲେଣି ?

ମନର ଗତିଟା ହଠାତ୍ ଦିଗ ବଦଳାଇଲା । ଦିର୍ଘନିଃଶ୍ୱାସଟିଏ ଟାଣି ମାଳା ମୌନ ହୋଇଗଲେ ଏବଂ ମୁହଁଟିକି ଶୁଖାଇଦେଲେ । କ୍ଷଣକ ପୂର୍ବରୁ ଆକାଶ ନିର୍ମଳ ଥିଲା । ଖରା ହସୁଥିଲା । ମୁହୂର୍ତ୍ତକ ମଧ୍ୟରେ କାହୁଁ ଖଣ୍ଡେ କଳାମେଘ ଘୋଟି ଆସି ସାରା ଆକାଶଟାକୁ ଢାଙ୍କି ପକାଇଲା । ମଦନବାବୁ ମନେମନେ ଭାରି ଲଜ୍ଜିତ ହୋଇପଡ଼ିଲେ ନିଜେ ନିଜେ—ହସଟିକେ ଆମେ ତ କାହାରି ମୁହଁରେ ଫୁଟାଇ ପାରିବା ନାହିଁ ! ବୃଥାରେ ଦୁଃଖ ଦେଇ କେଉଁ ବଡ଼ିମା ଆମେ ଦେଖାଉ ହେ ? ମାଳାର ଭୁଲା ମନ ପୁଅକୁ ପାଇ ଭୁଲିଥିଲା । ସହାନୁଭୂତିପୂର୍ଣ୍ଣ ବାକ୍ୟ ପ୍ରୟୋଗ କରି ମନଟାକୁ ତା’ର ପୁଣିଥରେ ଘାଇଲା କରାଇଦେଇ ଭୁଲ କରିଚନ୍ତି ସେ । କଥାଟାକୁ ଅନ୍ୟଆଡ଼କୁ ଘୂରାଇ ନେବାକୁ ଚେଷ୍ଟାକରି ପଚାରିଲେ—ବିକ୍ରମବାବୁ କଅଣ କୁଆଡ଼େ ଯାଇଚନ୍ତି ?

ତଳକୁ ଚାହିଁ ମାଳା ଉତ୍ତର ଦେଲା—କହିପାରୁ ନାହିଁ, ହୁଏତ ଉପରେ ଥିବେ ।

ମାଳା ଦୀର୍ଘଶ୍ୱାସ ଟାଣୁଚି । ମନ ଭିତରର ଘାଇଲା ଉପରେ ଜୋରରେ ଆଘାତ ଲାଗିଚି । ଯନ୍ତ୍ରଣାଟା ହଠାତ୍ ଭୁଲି ହେଉନାହିଁ । ନୋହିଲେ ସେ ମଧ୍ୟ ଜାଣୁଚି ସ୍ୱାମୀଙ୍କ ଚିନ୍ତାଟାକୁ ମନଭିତରେ ଏତେ ଘଣ୍ଟାଚକଟା କଲେ ଫଳ କିଛି ଫଳିବ ନାହିଁ । ବରଂ ଦୁଃଖର ଚିନ୍ତାରେ ଦୁଃଖ ବଢ଼ିଯାଉଥିବ ।

ରବିର ହାତଟିକି ଧରି ସେ ଧୀରେ ଧୀରେ ବରଣ୍ଡା ଉପରକୁ ଆସି ଡାକିଲା— ରାଣିଆ-! ଏ ରାଣି !

ଆର ଘରୁ ଶୁଭିଲା—ଆଜ୍ଞା ! ଯାଉଚି ।

ବାବୁ ଅଛନ୍ତି ?

ଆଜ୍ଞା ଅଛନ୍ତି ।

ଖବର ଦେ, ମଦନବାବୁ ଆସିଚନ୍ତି ।

ଯାଉଚି ଆଜ୍ଞା ।

ମଦନବାବୁ ଉଠିପଡ଼ି—ନାହିଁ ନାହିଁ, ଥାଉ ।

ମୁଁ ନିଜେ ଯାଉଚି ଦେଖା କରିବି ।

ମାଳା ରବିକି ଡାକି କହିଲେ—ତୁ ବି ଯାଆ ବାବା, ନମସ୍କାର କରି ଆସିବୁ ।

କାହାକୁ ମା ?

ବିକ୍ରମବାବୁଙ୍କୁ ।

ସେ କିଏ ମା ?

ତାଙ୍କରି ଘରେ ପରା ଆମେ ଅଛୁ । ସେ ଭାରି ଭଲଲୋକ । ଆମକୁ ସାହାଯ୍ୟ କରୁଚନ୍ତି-। ତାଙ୍କ ଋଣ ଆମେ ସୁଝି ପାରିବୁ ନାହିଁ ।

ମୁଁ କାହାରିକି ଚିହ୍ନେ ନାଇଁ । କିଏ ସେ ବିକ୍ରମବାବୁ ଫିକ୍ରମବାବୁ ମୁଁ ଜାଣେନା ।

ମୃଦୁ ମୃଦୁ ହସି ହସି ନିଜେ ବିକ୍ରମବାବୁ ଧୀରେ ଧୀରେ ଘର ଭିତରକୁ ପଶିଆସିଲେ ।

ମଦନବାବୁ ଉଠିପଡ଼ି ନମସ୍କାର ହେଲେ ।

ମାଳା ଚୌକି ଖଣ୍ଡକ ଆଗେଇ ଦେଇ କହିଲା—ବସନ୍ତୁ ।

କାବାହେଇ ରବି ଚାହିଁ ରହୁଚି ତାଙ୍କରି ଆଡ଼କୁ । ମା କହିଲା—ନମସ୍କାର କର ।

ସାନ ପିଲା, କଟମଟ କରି ଚାହିଁରହୁଚି । ଧୀରେ ଧୀରେ ହାତଯୋଡ଼ି ଉଠାଉଚି, ନମସ୍କାର ହେଉଚି; ମାତ୍ର ପାଟିରେ ନମସ୍କାର ଶବ୍ଦଟି ଉଚ୍ଚାରଣ କରିପାରୁନାହିଁ ।

ଦି’ହାତ ବଢ଼ାଇ ବିକ୍ରମବାବୁ ତାକୁ କୋଳକୁ ଭିଡ଼ି ନେଇ ଛାତି ଉପରକୁ ଆଉଜାଇପକାଇ ହସୁଚନ୍ତି । କହୁଚନ୍ତି—ମୁଇଁ ବିକ୍ରମବାବୁ ।

ରବି ମୁହଁକୁ ଛାହିଁରହି ପୁଣିଥରେ ନମସ୍କାର କରି କହୁଚି—ନମସ୍କାର । ପିଲାମନ ତା’ର ମା କଥାକୁ ଏତେବେଳକେ ଗ୍ରହଣ କରୁଚି । ନିଜ କୋଳର ଉଷୁମଦେଇ ଜାବୁଡ଼ି ଧରି ବିକ୍ରମବାବୁ କହୁଚନ୍ତି—ମୁହଁ ହାତ ଧୋଇବୁ ଯା ବାବା ! କାଲି ରାତିଟା ଉଜାଗର ପରା । ଖିଆପିଆ କରି ସାରିଲେ ଆମେ ଚିହ୍ନା ପରିଚୟ ହେବା ଯେ ତେଣିକି ।

ପବନର ଗତି ବଦଳି ଯାଉଚି । ଦିଗହରା ପକ୍ଷୀ ଆଶ୍ରୟ-ତରୁର ସନ୍ଧାନ ପାଇଯାଉଚି । ମାଳା ଦୀର୍ଘଶ୍ୱାସ ଟାଣି ବାହାରକୁ ବାହାରି ଯାଉଚି । ମନ ଉପରୁ ତା’ର ମସ୍ତବଡ଼ ବୋଝଟାଏ ଉତୁରି ଯାଉଚି ।

ବାହାରେ ଠିଆହୋଇ ସେ ଏକଲୟରେ ଚାରିକଣିଆ ଛୋଟ ଆକାଶ ଖଣ୍ଡିକ ଆଡ଼କୁ ଚାହିଁ ଭାବୁଛି—ଇଏ କଅଣ ହେଲା ? ମନ ଉପରୁ ବୋଝଟା ଉତୁରି ଯାଉଚି ନା ମନ ଉପରେ ଦୁଶ୍ଚିନ୍ତାର ବୋଝଟା ବେଶି ବେଶି ଲଦି ହୋଇ ପଡ଼ୁଚି ? ଧନପତି ବିକ୍ରମବାବୁ ଅନାଥାକୁ ଏତେ ଆପଣାର କରି ନେଉଚନ୍ତି କାହିଁକି ? ସ୍ନେହ ଶ୍ରଦ୍ଧଟା ସବୁଠେଇ ଅମୃତ ନୁହେଁ ତ । କାହା ପାଖରେ ବିଶଲ୍ୟକରଣୀ, ପୁଣି କାହା ପାଖରେ ବିଷଗରଳ । ଖାଇଲେ ମଲ, ନଖାଇଲେ ମଲ । ହସିଲେ ମଲ, କାନ୍ଦିଲେ ମଲ । ଗ୍ରହଣ କରିବାକୁ ହାତ ବଢ଼ାଇଲେ ମଲ, ଗ୍ରହଣ ନକରିବାକୁ ହାତ ସଙ୍କୁଚିତ କରିନେଲେ ବି ମଲ ।

ସେଦିନ ରାତି କଥା । ଦୁଃଖ ବିଭୋଳ ମ୍ରିୟମାଣ ଶରୀରଟା ଅଜ୍ଞାତରେ ଢଳିପଡ଼ିଥିଲା ବିକ୍ରମବାବୁଙ୍କ ମୁକ୍ତବକ୍ଷ ଉପରକୁ । ଘଟଣା ସ୍ରୋତରେ ଭାସି ଭାସି ସମ୍ପୂର୍ଣ୍ଣ ଅନିଚ୍ଛା ସତ୍ତ୍ୱେ ଏବଂ ଅଜ୍ଞାତସାରରେ କିଏ କାହାଠେଇଁ ଆଇଜିଯାଏ ତା’ର ଠିକଣା ନାହିଁ । ତା’ ଉପରେ କାହାରି ମଧ୍ୟ କିଛି ଅକତିଆର ନାହିଁ । ଦୁନିଆ କିଛି ବୁଝିବ ନାହିଁ—କହିବ ତୁ ଭୁଲ କଲୁ । ଭୁଲଟା କିନ୍ତୁ ଜାଣିଶୁଣି କେହି କରିବସେ ନାହିଁ । ଭଲ କରୁ କରୁ ଭୁଲ ହୋଇଯାଏ । ଘଟନାଚକ୍ରରେ ପଡ଼ିଲେ ଭୁଲ ହୋଇଯାଏ । ଦୁନିଆରେ ପୁଣି ଭୁଲ କେଉଁଟା, ଠିକ୍ କେଉଁଟା ତାକୁ ଠିକ୍‍କରି କହିଦେବ କିଏ ? ଭାସମାନ କାଠିକୁଟା ବେଗଗାମୀ ସ୍ରୋତରେ ଭାସି ଭାସି ଚାଲିଚି । କେଉଁଠି ଲାଗିଗଲା, କେଉଁଠି ଛାଡ଼ିଗଲା, କେଉଁଠି ଅଟକିଗଲା; କେଉଁଠିବା ଭଉଁରୀରେ ପଡ଼ି ବୁଡ଼ିଗଲା—ତା’ ଉପରେ ତା’ର ନିଜର ଅକତିଆର କିଛି ନାହିଁ ।

ଏକୁଟିଆ ଛିଡ଼ା ହୋଇ ମଣିମାଳା ଭାବିଚାଲିଚି । ରବିର ହାତଧରି ରାଣିଆ ଗାଧୁଆଘରକୁ ଘେନିଗଲାଣି । ନିରୋଳା ଘରେ ମଦନବାବୁ ଏବଂ ବିକ୍ରମବାବୁ ତୁନି ତୁନି କେତେ କଅଣ କଥାବାର୍ତ୍ତା ହେଉଚନ୍ତି । ମାଳା ଶୁଣିପାରି ନାହିଁ ।

ବିଜୟବାବୁଙ୍କର ଆଉ ଆଶା ନାହିଁ ।

ତେବେ ମାଳା ?

କୌଣସି ପ୍ରକାରେ ଭୁଲାଇ ରଖିବାକୁ ହେବ ।

ଏ ଚିତ୍ରରେ ତେବେ ତାଙ୍କୁ ସ୍ଥାନ ଦିଆଯାଉ ।

ଦିଅନ୍ତୁ, କିନ୍ତୁ ସେ ଗଲେ ତ ହେଲା ?

ନ ଗଲେ ନିଜକୁ ଭୁଲାଇ ରଖିବେ ସେ କେମିତି ?

ସେଇ ଚେଷ୍ଟା କରନ୍ତୁ ଆପଣ ? କର୍ମନିରତ ମନ ଶୂନ୍ୟଚିନ୍ତା ପାଇଁ ସମୟ ପାଏନାହିଁ ।

 

-୬-

 

ବିକ୍ରମବାବୁଙ୍କ ଚିତ୍ରରେ ମଣିମାଳା ଅଂଶଗ୍ରହଣ କରିଚନ୍ତି । ମନଭିତରେ ଚିନ୍ତାର ପ୍ରବାହ ଅବରୁଦ୍ଧ ହୋଇ ପଡ଼ିଲେ ମନଟା ବିଷାକ୍ତ ହୋଇ ଉଠେ । ଗ୍ରାମୋଫୋନ୍‍ ରେକଡ଼ ଉପରେ କୌଣସି କାରଣରୁ ଠାଏ ଖଣ୍ଡିଆ ହୋଇଗଲେ ସଙ୍ଗୀତର ଛିନ୍ନ ଅଂଶଟି କେବଳ ଘାଉଁ ଘାଉଁ ହେଉଥାଏ । ଗୋଟିଏ ମାତ୍ର ଚିନ୍ତା ସଦାବେଳେ ଏକମୁଖୀ ହୋଇପଡ଼ିଲେ ମନଟା ମ୍ରିୟମାଣ ହୋଇପଡ଼େ, ପାଗଳ ହୋଇଯାଏ । ଚିତ୍ରରେ ଅଂଶଗ୍ରହଣ କରି ମାଳା ଦେଖିଲେ—ବାସ୍ତବିକ୍‍ ସେ ନିଜେ ଧୀରେ ଧୀରେ ସୁସ୍ଥ ହୋଇଉଠୁଚନ୍ତି । ସବୁବେଳେ ଏକମାତ୍ର ସ୍ୱାମୀଙ୍କ ଚିନ୍ତା କରି ଲାଭ ନାହିଁ-। ସ୍ୱାମୀଙ୍କର ତା’ଦ୍ୱାରା କିଛି ମଙ୍ଗଳ ହେବନାହିଁ କି ନିଜର କିଛି ମଙ୍ଗଳ ହେବନାହିଁ । ପୁଅଟି ପାଖରେ ଥାଇ ଏକୁଟିଆ ସମୟଟା ଭୁଲାଇ ରଖୁଚି । ନିତିପ୍ରତି ଷ୍ଟୁଡ଼ିଓକୁ ଯିବା, ରିହରସେଲରେ ଯୋଗଦେବା ଏବଂ ବଡ଼ ଦର୍ପଣ ଆଗରେ ଠିଆହୋଇ ନିଜ ଅଭିନୟକୁ ନିଜେ ପରଖି ଦେଖିବା, ଏଇଥିରେ ତାଙ୍କର ବହୁତ ସମୟ କଟିଯାଏ । ଚିତ୍ର ତାରକା ରୂପେ ନିଖୁଣ କରି ନିଜକୁ ଗଢ଼ିନେବାକୁ ହେବ । ସେଥିପାଇଁ କମ୍‍ ସାଧନା ଦରକାର ହୁଏନାହିଁ । ନିର୍ଦ୍ଦେଶ ଦେବାକୁ ମଦନବାବୁ.....ସଙ୍ଗରେ ଅଭିନୟ କରିବା ଲାଗି ଜଣେ ଶ୍ରେଷ୍ଠ ଅଭିନେତା । ଏମିତି ହାତ ହଲାଅ, ଏମିତି ଦେହ ବଙ୍କାଅ, ଏମିତି ଚାହଁ,ଏମିତି ହସ, ଏମିତି କାନ୍ଦ, ଏମିତି ଛଳନା କର, ଏମିତି ଏମିତି ମୃଦୁ ହସ, ବସ, ଉଠ, ଚାଲ, ଟହଲ, ଚମକିପଡ଼, ଥମକି ଠିଆହୁଅ । ଫୁଲ ତୋଳ, ମାଳା ଗୁନ୍ଥ, ମୁଖଭଙ୍ଗି କର, ଅଙ୍ଗଭଙ୍ଗି କର । କଥା କୁହ, ତୁନି ହୁଅ, ରାନ୍ଧ, ବାଢ଼, ଖାଅ, ପିଅ, ଖୁଆଅ, ପିଆଅ-। ସମ୍ପୂର୍ଣ୍ଣ କାଳ୍ପନିକ କଥାବସ୍ତୁଟିକୁ ଅଭିନୟ ଓ ଚିତ୍ରରେ ନିଖୁଣ ରୂପ ଦେଇ ଜୀବନ୍ତ କରି ଗଢ଼ିଦିଅ–କମ୍‍ ସାଧନାର କଥା ଇଏ ନୁହେଁ, ଧୀରେ ଧୀରେ ମନଟା ଗତି କରିଗଲା ଅନ୍ୟ ଦିଗକୁ-। ସ୍ୱାମୀଚିନ୍ତା ନିତାନ୍ତ ମାମୁଲି ହୋଇଗଲା । ବିକ୍ରମବାବୁ ଅସୁସ୍ଥ ହେଲେ । ମଦନବାବୁଙ୍କ ଅଧରରେ ସନ୍ତୋଷ ଓ ହାସ୍ୟରେଖା ଖେଳିଗଲା ।

 

ଧୀରେ ଧୀରେ ମାଳାର ଏକମୁଖୀ ମନଟା ବହୁମୁଖୀ ହେବାକୁ ଲାଗିଲା । ଅଭିନୟ କ୍ଷେତ୍ରରେ ଯୋଡ଼ିଦାର ପୁରୁଷ ବିମଳଚନ୍ଦ୍ର । ଦେଖିବାକୁ ସୁନ୍ଦର, ହସ ହସ ମୁହଁ, ମନଭିତରେ ଭାବପ୍ରବଣତା ଓ ସ୍ନେହ ଶ୍ରଦ୍ଧା ଢେଉ ଢେଉକା ବେଳା ଡେଇଁ ପଡ଼ିବାକୁ ସଦା ଚଞ୍ଚଳ, ସଦା ବ୍ୟଗ୍ର । ତାହାରି ସଙ୍ଗରେ ହସଖେଳ, ବସାଉଠା ଥଟା ତାମସାର ଅଭିନୟ । ବେଳେବେଳେ ସେ ଆସି ମୁକୁଳା କବରୀରେ ଫୁଲଟାଏ ଖୋସିଦେଇ ଯାଉଚି । ତାହାରି ଗଳାରେ ଲମ୍ବାଇ ଦେବାପାଇଁ ମଣିମାଳା ହସ ହସ ମୁହଁରେ ଏକଲୟରେ ଫୁଲ ମାଳଟିଏ ଗୁନ୍ଥୁଚି । ତାହାରି ଆଡ଼କୁ ଅନାଇ ମାଳା ଗୀତଟିଏ ବୋଲୁଚି । ତାହାରି ବାହୁ ଉପରକୁ କେତେବେଳେ ଅବା ଢଳି ପଡ଼ୁଚି । ମଣିଷର ମନଟା କିଛି ପଥର ନୁହେଁ ଯେ ଅବିଚଳିତ ରହିବ । ମଣିଷର ମନଟା ସମ୍ପୂର୍ଣ୍ଣ ତରଳ, ଚଞ୍ଚଳ ଓ ତରଙ୍ଗମୟ-। ଧୀରେ ଧୀରେ ସ୍ୱାମୀ ଆଡ଼ୁ ମନଟା ଦୂରେଇ ଆସୁଚି । ଅତି ଆପଣାର ପର ହୋଇ ଯାଉଚି-। ଯିବାର ଯିଏ ଦୂରେଇ ଯାଉଚି । ଆସିବାର ଯିଏ ପାଖକୁ ଲାଗି ଆସୁଚି । ଗତିଶୀଳ ଦୁନିଆରେ ଗତିହିଁ ଏକମାତ୍ର ପରିବର୍ତ୍ତନ ଆଣିଥାଏ । କେହି କାହାରି ପାଇଁ ଅନାଇ ରହେନାହିଁ ।

 

ବାପଘରୁ ଝିଅଟି ବିଦାୟ ନେଉଚି । ବାପ ମାଆ ଜନ୍ମ ଦେଇଥିଲେ, ଲାଳନପାଳନ କରିଥିଲେ । କାନ୍ଦି ଗଡ଼ି ଯାଉଚନ୍ତି—ତୋତେ ଛାଡ଼ି କିମିତି ଆମେ ବଞ୍ଚି ରହିବୁ ଲୋ ମାଆ... ।

 

ଝିଅଟି ବି ବାପମାଆଙ୍କୁ ଛାଡ଼ି ଗଲା ବେଳକୁ ଅତି ବିକଳରେ ରଡ଼ି ଛାଡ଼ୁଚି—ପର ଦୁଆରକୁ ପେଲି ଦଉଚକି ବାପା ହେ, ମଝି ଦରିଆକୁ ଠେଲି ଦଉଚ କି ବାପା ହେ... ।

 

କିନ୍ତୁ ସାମାନ୍ୟ ବର୍ଷେ ଦିବର୍ଷ ପରେ ବାପା ମାଆ ଝିଅକୁ ଭୁଲି ଯାଉଚନ୍ତି । ଝିଅ ବି ବାପା ମାଆକୁ ଭୁଲି ନିଜର.ନୂଆ ସଂସାରଟିକୁ ଘେନି ବିଭୋଳ ହୋଇଯାଇଚି ।

 

ମା କୋଳରୁ ଛୁଆ ଚାଲିଯାଉଚି । ସ୍ୱାମୀ କୋଳରୁ ସ୍ତ୍ରୀ ଚାଲି ଯାଉଚି । ସ୍ତ୍ରୀ କି ଛାଡ଼ି ସ୍ୱାମୀ ଅନ୍ତର ହେଉଚି । ତଥାପି ଦୁନିଆ ଭୁଲୁଚି । ମଣିଷ ଭୁଲିଯାଉଚି । ଦୂରକୁ ଗଲା ଯିଏ, ଦୂରେଇ ଗଲା ସିଏ । ନିକଟକୁ ଆସୁଚି ଯିଏ, ନିକଟକୁ ଆସି ଯାଉଚି ସିଏ—ଆପଣାର ହୋଇ ଯିବାପାଇଁ ।

 

ବିମଳଚନ୍ଦ୍ର ପାଖକୁ ପାଖକୁ ଲାଗିଆସୁଚି । ଷ୍ଟୁଡ଼ିଓ ଏବଂ ରିହରସେଲ୍‍ ବାହାରେ ମଧ୍ୟ ବିମଳକୁ ଦେଖିଲେ ମଣିମାଳାର ମନଭିତରେ ତରଙ୍ଗ ସୃଷ୍ଟି ହେଉଚି ଏବଂ ମଣିମାଳାକୁ ଦେଖିଲେ ବିମଳଚନ୍ଦ୍ର ବିମଳ ଚନ୍ଦ୍ରପରି ହସିଉଠୁଚି ।

 

ନିର୍ଦ୍ଦେଶକ ମଦନମୋହନ ମିଶ୍ର ଷ୍ଟୁଡ଼ିଓରେ ନିର୍ଦ୍ଦେଶ ଦିଅନ୍ତି । ଘରକୁ ଆସି ଭଲମନ୍ଦ ବୁଝନ୍ତି । ପାଖରେ ବସି ଦୁଃଖ ସୁଖ ହୁଅନ୍ତି । ଆତ୍ମୀୟ ବନ୍ଧୁ ବିଜୟର ସ୍ତ୍ରୀ । ଅତି ଆପଣାର ଲୋକ-। ରବିକୁ ସଙ୍ଗରେ ନେଇ ବୁଲିଯାଆନ୍ତି । ଦିନେ ଦିନେ ଗାଡ଼ି ଆଣି ମାଳାକୁ ଧରି ଏଣେତେଣେ ବାହାରିଯାଆନ୍ତି । ବିଭିନ୍ନ ସ୍ଥାନକୁ ଯାଆନ୍ତି ସୁଟିଂ ପାଇଁ । ସଙ୍ଗରେ ଥାଆନ୍ତି, ନିର୍ଦ୍ଦେଶ ଦିଅନ୍ତି-। କାହିଁ ଚଣ୍ଡୀଖୋଲର ଝରଣା ପାଖରେ, କାହିଁ ଗୋନାସିକାର ପାହାଡ଼ ତଳେ, କେତେବେଳେ ଅବା ଗୋପାଳପୁରର ସମୁଦ୍ର କୂଳ ଏବଂ ନୋଳିଆ ପଲ୍ଲୀରେ, କେତେବେଳେ ଅବା କୋରାପୁଟ ବଣ ଭିତରେ ଆଦିବାସୀଙ୍କ ଚଇତପର୍ବର ଉଚ୍ଛବରେ । ଫଟୋ ଉଠାଯାଉଚି । ଚାରିଆଡ଼େ ଗଛଲଟା ଫୁଲ ଭାରରେ ହସିଉଠିଚି । ମନ ହସୁଚି, ପ୍ରାଣ ମାତି ଉଠୁଚି । ଜହ୍ନ ରାତିରେ ଧାଙ୍ଗଡ଼ା ଧାଙ୍ଗଡ଼ୀ କୁଣ୍ଡଳୀ ହୋଇ ଗୀତ ଗାଇ ନାଚୁଚନ୍ତି । ମଣିଷ ତ ଏମାନେ, ଅଭିନେତା ଅଭିନେତ୍ରୀମାନେ-! ମଣିଷର ମନ ଓ ଦୁର୍ବଳତା ଘେନି ଏମାନଙ୍କୁ ଗଢ଼ିଚି ତ ବିଧାତା ! ନିରୋଳା ଥାନରେ କଥା କହୁ କହୁ ମାଳାର ହାତଟିକି ଧରିପକାଇ ମଦନବାବୁ କେମିତିଆ ଗୋଟାଏ ମନ ମତାଣିଆ ହସ ହସିଉଠନ୍ତି । ମଣିମାଳାର ଦେହରେ ଶିହରଣ ଜାଗେ, ଲୋମ ଟାଙ୍କୁରି ଉଠେ-। ସେ ବି ରକ୍ତମାଂସର ଶରୀର ଘେନି ମଣିଷ ଜନ୍ମ ପାଇଚି ।

 

ସ୍ୱାମୀର ଚିନ୍ତା ଏବଂ ଅଭାବର ତାଡ଼ନାରେ ମନଟା ତା’ର ମରିମରି ଯାଉଥିଲା । ଘଟନାଚକ୍ରରେ ଦୂରେଇ ଆସି ମଣିମାଳାର ପରିବର୍ତ୍ତନ ଘଟିଯାଇଚି । ଗଢ଼ଣ ତା’ର ଛୋଟ ଏବଂ ସୁନ୍ଦର । ଚିନ୍ତା-ଶୂନ୍ୟମନ ତାକୁ ଭିତରେ ଥାଇ ମେକ୍‍ଅପ୍‍ କରାଇ ଦେଉଚି । ବିଭିନ୍ନ ସ୍ଥାନରେ ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅନୁଭୂତି ତା’ର ସ୍ୱାସ୍ଥ୍ୟଟିକୁ ଧୀରେ ସୁନ୍ଦର କରିଆଣୁଚି । ବସନ୍ତଟା ଅକାଳରେ ଝାଉଁଳି ଯାଉଥିଲା, ଲେଉଟିପଡ଼ିଚି । ତା’ର ଅଙ୍ଗଲତା, ତା’ର ଚେହେରା, ତା’ର ବର୍ଣ୍ଣ ସତେକି ମାସ କେଇଟା ଭିତରେ ହସି ଉଠିଲାଣି । ଦୁଆର ଭରି ଆସିଚି । ତା’ ଆଡ଼କୁ ନଚାହିଁଲା ଲୋକ ଚାହିଁ ରହୁଚନ୍ତି, ଦୂରେଇ ଯିବା ଲୋକ ପାଖକୁ ଲାଗିଆସୁଚନ୍ତି । ପାଞ୍ଚଜଣଙ୍କ ସଙ୍ଗରେ ମିଶି ବସି ହସିହସି କଥା କହିବାକୁ ତା’ର ମନଟି ମଧ୍ୟ ଆଜିକାଲି ଛକପକ ହେଲାଣି । ମଣିଷର ପ୍ରାଣ ଚାହେଁ ଆନନ୍ଦ । ହସିଖେଳି ଦିନଟି କଟାଇ ଦେବାକୁ ସେ ଚାହେଁ । ଆନନ୍ଦ ବିନା ମଣିଷ ବଞ୍ଚିରହି ପାରେନାହିଁ ।

 

ଛାଇପରି ବିକ୍ରମବାବୁ ପାଖେ ପାଖେ ଛିଡ଼ା ହୋଇଚନ୍ତି, ସଙ୍ଗେ ସଙ୍ଗେ ଘୂରି ବୁଲୁଚନ୍ତି, ଅଜସ୍ର ପଇସା ଖରଚ କରୁଚନ୍ତି । ଅଭାବ ଅସୁବିଧା କାହାରି କିଛି ହେଉନାହିଁ । ହାସ୍ୟମୟ, ଲାସ୍ୟମୟ, ସଙ୍ଗୀତମୟ ଜୀବନଟା ଘେନି ସେ ବି ପାଖରେ ବସୁଚନ୍ତି, ଆପଣାର କରୁଚନ୍ତି । ରବିକି କୋଳକୁ ଟେକିନେଇ କହୁଚନ୍ତି ବାବା ବୋଲି ଡାକ ମୁଁ ତୋର ବାବା, ତୁ ମୋର ପୁଅ ।

 

ଚିତ୍ର ତାରକା ମଣିମାଳାର ରୂପ ଅଛି, ବର୍ଣ୍ଣଅଛି, କେଶବିନ୍ୟାଶ ଅଛି । ସ୍ୱାମୀ ଚିନ୍ତାରେ ଲୁଚି ହଜି ଯାଉଥିଲା ଯାହା, ତାହା ସବୁ ପୁଣି ଫେରି ଆସିଚନ୍ତି । ଆନନ୍ଦମୟ ପ୍ରାଣ ସାଗରରେ ତା’ର ଆନନ୍ଦର ଜୁଆର ଉଠିଚି । ସବୁଦିନେ ଦୁଃଖଦୁର୍ଦ୍ଦଶାର ଚିନ୍ତାକୁ ମନଭିତରେ ଜାବୁଡ଼ି ଧରି କେହି ବସି ରହେନାହିଁ । ବହୁମୁଖୀ ମନଟା ତା’ର ଯେଉଁ ଆଡ଼କୁ ଆଖି ବୁଲାଉଚି ସେ ଆଡ଼ୁ ଯୋଡ଼ିଏ ଲେଖା ଆଖି ତାହାରି ଆଡ଼କୁ ଅନାଇ ହାତ ବଢ଼ାଉଚି । ଦୁନିଆରେ ନାରୀ ଆଡ଼କୁ ହାତଟା ନ ବଢ଼ାଏ କିଏ ? ଝିଅ କୁହ, ମାଆ କୁହ, ସ୍ତ୍ରୀ କୁହ, ବାନ୍ଧବୀ କୁହ—ଗୋଟିଏ ମାତ୍ର ସ୍ଵରର ବିଭିନ୍ନ ରାଗିଣୀ ମାତ୍ର । ଚିତ୍ର ତାରକା ମଣିମାଳା, ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ର ସେ ଆଜି । କିନ୍ତୁ ପାଖକୁ କେହି ପଶିପାରୁନାହାନ୍ତି । ସିଂହର ଦୃଷ୍ଟି ଯାହା ଉପରେ ପଡ଼ିଚି, ତା’ ଉପରୁ ଅନ୍ୟ ଜନ୍ତୁମାନଙ୍କ ଦୃଷ୍ଟି ଅନିଚ୍ଛା ସତ୍ତ୍ୱେ ଦୂରେଇ ରହେ ସିନା !

 

ଚିତ୍ର ତାରକା ମଣିମାଳା । କେବଳ ଆର୍ଟ୍‍ ପାଇଁ ଆର୍ଟ୍‍ । ଅଭିନୟ ପାଇଁ ଅଭିନୟ । ଚିତ୍ର ଖଣ୍ଡିକ ଉଠିବା ପର୍ଯ୍ୟନ୍ତ ମିଳାମିଶା ଓ ଖେଳାବୁଲା । ଯୁକ୍ତି ଛଳରେ ଯେତେ ଯାହା କହିଲେ ବି ମନଟା ଆର୍ଟ୍‍ ଭିତର ବୁଡ଼ିଯାଏ କାହିଁକି ? ଅଭିନୟଟାକୁ ସତ୍ୟ ମଣି ଆଖିରୁ ଲୁହ ଗଡ଼ିପଡ଼େ କାହିଁକି ? ପ୍ରାଣ ଭିତରେ ମମତା ଜନ୍ମିଯାଏ କାହିଁକି ? ମନଭିତରେ ଯୋଡ଼ିଦାର ଅଭିନେତା ଭିତରେ ଭିତରେ ଆପଣାର ହୋଇଯାଏ କାହିଁକି ? ମଣିଷ ଜୀବନଟା ଗୋଟାଏ ବଡ଼ ଅଭିନୟ ଏବଂ ଚିତ୍ରଟା ଗୋଟାଏ ସେହି ଅଭିନୟର ସଂକ୍ଷିପ୍ତ ସଂସ୍କରଣ ମାତ୍ର । ଉଭୟଥିରେ ପ୍ରାଣର ସଜୀବତା ଦେଖା ଦେଇଥାଏ । କେବଳ ଆର୍ଟ୍‍ ପାଇଁ ଆର୍ଟ୍‍ ବୋଲି କଥାଟାକୁ ଯେତେ ଉଡ଼ାଇ ଦେଲେ ବି ଉଡ଼ିଯିବାର ପଦାର୍ଥ ସେ ନୁହେଁ । ସାମାନ୍ୟ ମିଳାମିଶାରୁ ମମତା ଜନ୍ମେ, ମମତାରୁ ମୋହ ଓ ବନ୍ଧନ ଜାତହୁଏ । ମିଥ୍ୟାର ଅଭିନୟରେ ସତ୍ୟର ଉଦ୍ଭବ ହୋଇଥାଏ । ମଣିମାଳାର ମନ ଥରୁଚି, ଡରୁଚି, ଦୂରେଇ ରହୁଚି । ଏବେ ସେ ଟାଣି ଓଟାରି ସ୍ୱାମୀର ଚିନ୍ତାକୁ ମନଭିତରେ ପୂରାଇ ନିଜକୁ ସଞ୍ଜତ କରିନେଇଛି ସିନା ।

 

ଦିବସର ହସଖେଳ ମିଳାମିଶା ପରେ ରାତିକି ଶୋଇଲା ବେଳକୁ ପୁଅଟିକି ପାଖରେ ଶୁଆଉଚି ଏବଂ ସ୍ୱାମୀର ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରି ଆଖି ବୁଜୁଚି । ତନ୍ଦ୍ରା ଭିତରେ ବିଭିନ୍ନ ସ୍ଵପ୍ନ ଦେଖୁଚି, ଭୟରେ ଚିହିଙ୍କି ଉଠୁଚି । ନିଦ୍ରା ଭିତରେ ବି ଜୀବନର ଅଭିନୟଟିକୁ ଅଭିନୟ କରିଚାଲିଚି ସ୍ଵପ୍ନର ସୂତ୍ର ଧରି ଧରି । ଜୀବନର ସବୁ ଘଟନାଯାକ ଗୋଟିକ ପଛକୁ ଗୋଟିଏ ହୋଇ ଆସୁଚନ୍ତି ଏବଂ ଉଭେଇ ଯାଉଚନ୍ତି । ଚିତ୍ରାଭିନୟର ଦୃଶ୍ୟାବଳି ଦିଶି ଯାଉଚି । ନିଭିଯାଉଚି । ବିଫଳ ଜୀବନରେ ସଫଳତାର ସ୍ଵପ୍ନ ଦିଶିଯାଉଚି । ହତାଶାର ବାୟୁସ୍ରୋତ ଦୂରକୁ ଉଡ଼ାଇନେଇ ଯାଉଚି ସବୁ ତା’ର ଆଶାଭରସା । ସେ ଚିହିଙ୍କି ଉଠୁଚି—ସତେ କଅଣ ତା’ର ରବିଟି ମଣିଷ ହେବନାହିଁ ! ସତେ କଅଣ ସବୁଦିନ ପାଇଁ ଅକାତର ଚିତ୍ତରେ ସାହାଯ୍ୟ କରି ଯାଉଥିବେ ବିକ୍ରମବାବୁ ? ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ଓ ଦାନ ପଛରେ ତାଙ୍କର କଅଣ ସ୍ୱାର୍ଥ କିଛି ନାହିଁ ? ନାହିଁ ତ ସେ ଏଭଳି ଚାହୁଁଚନ୍ତି କାହିଁକି ? ପାଖକୁ ଲାଗି ଆସୁଚନ୍ତି କାହିଁକି ? ରବିକି ପୁଅ କରିଚନ୍ତି କାହିଁକି ? ଘରେ ତାଙ୍କର ବିବାହିତା ସ୍ତ୍ରୀ, ବାଟ ଚାହିଁ ବସି ରହିଥିବ । ଯାଉନାହାନ୍ତି କାହିଁକି ? କେବଳ କଅଣ କାମର ଭିଡ଼ରେ ସମୟ ପାଉନାହାନ୍ତି ?

 

ଏଇଠି ଅଟକିଯାଏ ମଣିମାଳାର ଚିନ୍ତା । ହାତ ପତାଇବା ଆଗରୁ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ଦେଇ ଯାଉଚି ଯିଏ, ତାକୁ କଅଣ ସବୁ କ୍ଷେତ୍ରରେ ବିଶ୍ୱାସ କରାଯାଇପାରେ ?

 

ନିଦ୍ରିତାବସ୍ଥାରେ ସ୍ୱପ୍ନ ତ ଦେଖାଯାଏ । ଏଣିକି ଏଣିକି ଜାଗରଣରେ ମଧ୍ୟ ମଣିମାଳା କେତେ କଅଣ ସ୍ୱପ୍ନ ଦେଖିଯାଉଚି । ଚିତ୍ର ତାରକା ମଣିମାଳା, ଚକିତ ଚିତ୍ରଖଣ୍ଡିଏ ପରି ଏକଲୟରେ ଗୋଟିଏ ଦିଗକୁ ଅନାଇ ରହି ଭାବି ହେଉଚି । ମଝିରେ କେତୋଟି ମାସ ଚିନ୍ତା ଭାବନାରୁ ନିଜକୁ ସେ ମୁକ୍ତ କରି ପାରିଥିଲା । ଏଣିକି କାହିଁକି କେଜାଣି ପରିବର୍ତ୍ତନ ଦେଖା ଦେଲାଣି । ଛାଏଁ ଛାଏଁ ସ୍ୱାମୀର ଚିନ୍ତା ଚୋରାଇ ଲୁଚାଇ ମନ ଭିତରକୁ ପଶି ଆସୁଛି । ଏକୁଟିଆ ବସି ରହିଲେହିଁ ଚିନ୍ତାଚୋର ଆକ୍ରମଣ କରୁଚି ମନଟାକୁ । ମନ ଦୁର୍ବଳ ହୋଇ ପଡ଼ୁଚି । ବିକ୍ରମବାବୁ ମନ୍ତବ୍ୟ ଶୁଣାଇ ଦେଉଚନ୍ତି—ଚିନ୍ତା ଦୂରକର ମଣିମାଳା ! ନୋହିଲେ ତୁମ ସ୍ୱାସ୍ଥ୍ୟ ଖରାପ ହୋଇଯିବ ।

 

କେତୋଟି ମାସ ପରେ ଦିନେ ରାତି ପ୍ରାୟ ତିନିଟାବେଳକୁ ମଣିମାଳା ସ୍ଵପ୍ନ ଦେଖିଲା—କଙ୍କାଳସାର ଦୁର୍ବଳ ବିଜୟବାବୁ ତା’ ଖଟ ପାଖରେ ଠିଆହୋଇ ଡାକୁଚନ୍ତି—ମାଳା ! ଉଠ, ମୁଁ ଚାଲିଲି । ପର ମୁହୂର୍ତ୍ତରୁ ମୁଁ ତୁମର କେହି ନୁହେଁ କି ତୁମେ ମୋର କେହି ନୁହଁ । କ୍ଷୟରୋଗଗ୍ରସ୍ତ ଶରୀରଟା ଭିତରୁ ମୁଁ ଏବେ ମୁକ୍ତ—ସମ୍ପୂର୍ଣ୍ଣ ମୁକ୍ତ ।

 

ଚାଉଁକିନା ମାଳାର ନିଦ ଭାଜିଗଲା । ଦେଖିଲା—ଛାୟାମୂର୍ତ୍ତିଟା ଅପସରି ଯାଉଚି । ଉଠି ବସିଲା, ଆଲୁଅ ଜାଳିଲା । ଘଣ୍ଟା ଆଡ଼କୁ ଅନାଇଲା, ତିନିଟା ବାଜିଚି । ବାହାରେ ଚାକର ପିଲାଟା ଡାକୁଚି—କବାଟ ଫିଟାଅ ମା, ବାବୁ ଅପେକ୍ଷା କରିଚନ୍ତି ।

 

କିଏ ? ବାବୁ ! ବିକ୍ରମବାବୁ ? ଏତେ ରାତିରେ ? କାହିଁକି ?

 

ଛାତିଟା ଧଡ଼ ଧଡ଼ ପଡ଼ୁଚି ଉଠୁଚି ।

 

ଚାକର ପିଲା କବାଟରେ ହାତ ମାରୁଚି ।

 

ବିକ୍ରମବାବୁ ଡାକୁଚନ୍ତି—ମାଳା ! ଉଠ, କବାଟ ଫିଟାଅ ।

 

ବିକ୍ରମବାବୁଙ୍କ କଣ୍ଠ ଥରୁଚି । କଣ୍ଠଟା ଗମ୍ଭୀର ଶୁଣାଯାଉଚି, ଗୋଦଡ଼ା ଲାଗୁଚି, କାହିଁକି-? କିଛି ଗୋଟାଏ ବ୍ୟତିକ୍ରମ ଦେଖାଯାଉଚି । ରାତିରେ କେବେ ସେ ଡାକନ୍ତି ନାହିଁ, ଆଜି କାହିଁକି-? ମନଟା ପାପ ଛୁଉଁଛି ।

 

କବାଟ ଫିଟାଇ ଚାହିଁଲେ ମାଳା । ଆଲୁଅରେ ବିକ୍ରମବାବୁଙ୍କ ମୁହଁଟା ଭୟଙ୍କର ଦିଶୁଚି । ପାଟିରୁ କଥା ବାହାରୁ ନାହିଁ । ମାଳା କଟମଟ ତାଙ୍କ ଆଡ଼କୁ ଅନାଇ ରହୁଚି । ବିକ୍ରମବାବୁ ବାହାର ଆଡ଼କୁ ଆଖି ଫେରାଇ କହିଲେ—ରାତି ତିନିଟା ପରେ ପରେ ଫୋନ୍ ଡାକ ଶୁଣି ଉଠିଲି, ଡାକ୍ତରଖାନାରୁ ଖବର ଆସିଲା—ବିଜୟବାବୁ ଚାଲି ଯାଇଚନ୍ତି । ଆଜି ସେ ମୁକ୍ତ । ଚିନ୍ତା କରନାହିଁ ମାଳା ! ବହୁତ ଦୁଃଖ ସେ ପାଉଥିଲେ । ଆଜି ତାଙ୍କର ସବୁ ଦୁଃଖ ଯନ୍ତ୍ରଣାର ଆବସାନ ଘଟିଲା । ଭଗବାନ ତାଙ୍କୁ ଶାନ୍ତି ଦିଅନ୍ତୁ । ମୁକ୍ତି ଦିଅନ୍ତୁ ।

 

କାଠର ପ୍ରତିମାଟି ପରି ମାଳା ସେଇଠାରେ ସେମିତି ଠିଆହୋଇ ରହିଲା । ତା’ର ମନେହେଲା ଯେମିତିକି ପୂର୍ବ ସ୍ଵପ୍ନଟା ଏବେବି ଗଡ଼ି ଗଡ଼ି ଚାଲିଚି । ନିଦ ଭାଙ୍ଗି ନାହିଁ, ତନ୍ଦ୍ରା ଛାଡ଼ି ନାହିଁ । ଶଯ୍ୟା ପାଖରେ ଠିଆ ହୋଇଯାଇ ଛାୟାମୂର୍ତ୍ତି କହୁଚି—ମାଳା ଉଠ, ମୁଁ ଚାଲିଲି । ମୁଁ ତୁମର କେହି ନୁହେଁ କି ତୁମେ ମୋର କେହି ନୁହଁ ।

 

ଭାବୁଚି ମାଳା—କାନ୍ଦୁଚି, ଆଉ ଚିନ୍ତା କରୁଚି । କଳ୍ପନାର ଖିଅଧରି ଗତ ଜୀବନର ପୃଷ୍ଠାଗୁଡ଼ିକୁ ମନେମନେ ଓଲଟାଇ ଚାଲିଚି । ସେଦିନ ପରି ଲାଗେ—ବିବାହ ହେଲା, ବେଦୀ ଉପରେ ହାତରେ ହାତ ଶେଯ ଉପରେ ମିଳିଲା, ମନରେ ମନ ମିଳିଲା, ଦୈନନ୍ଦିନ ଜୀବନରେ ପ୍ରାଣରେ ପ୍ରାଣ ମିଶିଲା, ବାପମାଆ ଭାଇ ଭାଉଜ ପର କରି ଦୂରେଇଗଲେ । ଅନ୍ଧକାରମୟ ସଂସାରର ଯାତ୍ରା ପଥରେ ଏକମାତ୍ର ଧ୍ରୁବତାରା ପରି ଆଜିଯାକେ ଯେଉଁ ବିଜୟବାବୁ ତାକୁ ବାଟ କଢ଼ାଇ ଏତେବାଟ ଅଣାଇଲେ, ସେ ଆଜି ନାହାନ୍ତି ! ସେ ଆଜି ଛାଡ଼ି ଯାଇଚନ୍ତି । ସେ ଆଜି ବିଦାୟ ନେଇଚନ୍ତି । ଜଟିଳ କୁଟିଳ ଦୁନିଆର କଣ୍ଟକିତ ବନ୍ଧୁର ପଥ ଉପରେ ଅନ୍ଧ କରି ତାକୁ ଏକୁଟିଆ ଛାଡ଼ିଦେଇ କୁଆଡ଼େ ଗଲେ ସେ ? ଭାବିଲାବେଳକୁ ମନ ଭିତରଟା ମରିମରି ଯାଉଚି । ବିକଳରେ ପ୍ରାଣ କାନ୍ଦିଉଠୁଚି । ଚତୁର୍ଦ୍ଦିଗରେ ଅନ୍ଧକାର ଦିଶୁଚି । ମୁଣ୍ଡ ଉପରେ ଚତୁର୍ଦ୍ଦିଗରୁ ବତାସ ପିଟି ଯାଉଚି । ମନ ଗଗନରେ ପ୍ରଳୟର ଝଡ଼ ତୋଫାନ । ମଡ଼ମଡ଼ ହୋଇ ଆଶ୍ରୟତରୁ ଭାଙ୍ଗି ଚୁରମାର ହୋଇଯାଇଚି । ନୀଡ଼ ଖଣ୍ଡିକ ଭାଙ୍ଗି ନଷ୍ଟ ହୋଇଗଲାଣି । ଡେଣା ଭାଙ୍ଗି ଯାଇଚି । ନିଃସହାୟ ପକ୍ଷୀଟି ଓଦାଭୂଇଁ ଉପରେ କଚଡ଼ା ଖାଇ ପଡ଼ିଗଲା । ଚତୁର୍ଦ୍ଦିଗ ଅନ୍ଧକାର । ଭବିଷ୍ୟତ ଅନ୍ଧକାର । ନିଜେ ସେ ଅନ୍ଧ, ମୂକ, ଜଡ଼ । ପ୍ରାଣବାୟୁ ଉଡ଼ି ଗଲାଣି । ପିଣ୍ଡଟା ଭୂଇଁ ଉପରେ ପଡ଼ି ଛଟପଟ ହେଉଚି ମାତ୍ର । ଠିଆ ହୋଇଥିବା ସ୍ଥାନରେ ସେ କାଠ ପାଲଟି ଗଲା । ସ୍ୱପ୍ନର ପ୍ରେତଟି ଏବେବି ତା’ର ତନ୍ଦ୍ରାଜଡ଼ିତ ମନଭିତରେ । କଙ୍କାଳମୂର୍ତ୍ତିଟି ବାରମ୍ବାର ଦେଖାଦେଇ କହୁଚି—ମୁଁ ଚାଲିଲି ମାଳା, ରହିପାରିଲି ନାହିଁ । ମୋ ବାଟ ଘେନି ମୁଁ ଚାଲିଲି । ସଂସାରରେ ମୁଁ ତୁମର କେହି ନୁହେଁ ।

 

କେହି ନୁହେଁ ! କେହି କାହାରି ନୁହଁ !! ତେବେ ଏ ସ୍ଵପ୍ନ କାହିଁକି ? ସଂସାରରୁ ବିଦାୟଘେନିଯିବା ମୁହୂର୍ତ୍ତରେ ସେ କିଆଁ ଏଭଳି ସ୍ଵପ୍ନ ଦେଖାଇ ଦେଇଗଲେ ? କେହି ତ ନୁହଁ । କିଏ ତେବେ ଥିଲା; କିଏ ତେବେ ଛାଡ଼ିଗଲା ? ଗଲାବେଳକୁ କାହିଁକି ଏ ସଙ୍କେତ ବାଣୀ ଶୁଣାଇ ଦେଇଗଲା ! ପିଣ୍ଡ ଛାଡ଼ି ଚାଲିଗଲାବେଳେ ମୋତେ ଯିଏ ଏତକ କହି ଡାକି ଦେଇଗଲା, ସେ କଅଣ ସତରେ ମୋର କେହି ନୁହଁ ? କେହି ନୁହଁ ତ କହିଗଲା କାହିଁକି ? ପ୍ରେତ ଭୂତ । ପିଣ୍ଡଛାଡ଼ି ଚାଲି ଯାଉଛି । ବାୟୁମଣ୍ଡଳରେ ଶୂନ୍ୟରୂପ ଘେନି ଘୂରି ବୁଲୁଛି । ଶରୀର ଛାଡ଼ି, ଆଶରୀରୀ ଆତ୍ମାରୂପ ଧରି ସେ ଶୂନ୍ୟମଣ୍ଡଳରେ ମିଳେଇ ଯାଉଛି । ରୋଗଜୀର୍ଣ୍ଣ ଶରୀରଟାର ସମ୍ପର୍କ ସେ ତୁଟାଇ ଦେଇଛି । କିନ୍ତୁ ଅଛି ସେ । ନାହିଁ ବୋଲି କହିବା ଭୁଲ ।

 

ଶୂନ୍ୟ ଆଡ଼କୁ ଅନାଇ ମଣିମାଳା ଦି’ହାତକୁ ଉଠାଇ ପାଗଳ ପରି ଡାକ ଛାଡ଼ିଲା—ହେଇଟିତ ତୁମେ, ସେ ଛାତ ତଳକୁ ଛିଡ଼ା ହୋଇ ରହିଚ । ହେଇତ ତୁମର ସେଇ ରୂପଟା ମୋ ଆଡ଼କୁ ଚାହିଁ ରହିଛି । ମୋତେ ନେଇଯାଅ, ଛାଡ଼ିଯାଅ ନାହିଁ । ମୁଁ ବି ତୁମରି ସଙ୍ଗରେ ଯିବି । ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ ।

 

ତୀବ୍ର ଉତ୍ତେଜନା ଓ ଉନ୍ମାଦନାରେ ସମ୍ପୂର୍ଣ୍ଣ ଅଜ୍ଞାନ ହୋଇ ପାଗଳୀପରି ଆଗକୁ ଧାଇଁ ଯାଉ ଯାଉ ମଣିମାଳା ଚଟାଣଟା ଉପରେ କଚାଡ଼ି ହୋଇ ପଡ଼ିଲା । ହାଁ ହାଁ କରି ଆଗେଇ ଯାଇ ଧରି ପକାଇଲେ ବିକ୍ରମବାବୁ । ଅଲୁଳାୟିତକେଶା, ଅସଞ୍ଜତ ବସନା ମଣିମାଳା ସମ୍ପୂର୍ଣ୍ଣ ଅଜ୍ଞାନ ଅବସ୍ଥାରେ ବିକ୍ରମବାବୁଙ୍କ କୋଳ ଉପରୁ ପକ୍‍କା ଚଟାଣର ଗାଲିଚା ଉପରଯାକେ ଲମ୍ଵହୋଇ ପଡ଼ିଗଲା । ସତେକି ସେ ସ୍ୱାମୀଙ୍କ ସାଙ୍ଗେରେ ଚାଲିଗଲା । ସତେକି ସେ ସଂସାରଟା ଛାଡ଼ି ଚାଲିଗଲା । ଝଡ଼ ତୋଫାନର ଶେଷ ଅବସ୍ଥାଟା ଅତି ଭୟଙ୍କର । ତୋଫାନଟା ଶେଷ ହେବାବେଳକୁ ସତେକି ସର୍ବୋଚ୍ଚ ଶକ୍ତି ପ୍ରୟୋଗ କରୁଚନ୍ତି ଅଣଚାଶ ପବନ । ଘରଦ୍ଵାର ଗଛଲଟା ମଡ଼ ମଡ଼ ହୋଇ ଭାଙ୍ଗିରୁଜି ପଡ଼ୁଛି । ବଜ୍ର ହୁଙ୍କାର ଛାଡ଼ି ଚତୁର୍ଦ୍ଦିଗରୁ ପ୍ରବଳ ବାୟୁ ସ୍ରୋତ ତୀବ୍ର ବେଗରେ ପ୍ରବାହିତ ହୋଇ ଚାଲିଛି । ପ୍ରଳୟର ଝଞ୍ଜା ଶେଷମୁଣ୍ଡରେ ପ୍ରବଳତମ ଧକ୍‍କାଟିଏ ଦେଇ ବିଦାୟ ନିଏ । ଅନେକ ଦିନର ରୋଗ ଶୋକ ଓ ଦୁଃଖ ଦୈନ୍ୟ ପରେ ବିଜୟବାବୁ ଆଜି ବିଦାୟ ନେଇଚନ୍ତି । ସେ ଚାଲିଗଲାବେଳକୁ ଶେଷ ଧକ୍‍କାଟି ଦେଇଗଲେ ମାଣିମାଳାକୁ । ସକାଳ ନଅଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଜ୍ଞାନ ହୋଇ ରହିଲା ସେ । ଡାକ୍ତର ଆସି ବହୁଚେଷ୍ଟା କଲାପରେ ଜ୍ଞାନ ଫେରିଲା-। ଇଞ୍ଜେକ୍‍ସନ ଦେଇ ଶୁଆଇ ପକାଇଲେ । ଜ୍ଞାନ ଫେରିଆସିଲେ ପୁଣି ସେ ଅଜ୍ଞାନ ହୋଇ ପଡ଼ିବ,ଏଇ ହେଲା ଆଶଙ୍କା ।

 

ସମୟ ଗଡ଼ି ଚାଲିଲା । ରବିଟିକୁ କୌଣସି ପ୍ରକାର ଭୁଲାଇ ନେଇ ଯାଇଚନ୍ତି ମଦନବାବୁ । ବହଳ ଶେଯ ଉପରେ ଗାଢ଼ ନିଦ୍ରାଭିଭୂତ ହୋଇ ପଡ଼ିରହିଚି ମଣିମାଳା । ମଝିରେ ମଝିରେ ଡାକ୍ତର ଆସି ପରୀକ୍ଷା କରିଯାଉଚି । ନର୍ସଟିଏ ପାଖରେ ବସୁଚି । ବିକ୍ରମବାବୁ ଆସି ହାତଟି ଉଠାଇ ନାଡ଼ିର ଗତି ଲକ୍ଷ୍ୟ କରି ଯାଉଚନ୍ତି । ଝଡ଼ର ଶେଷରେ ନିର୍ଜୀବ ହୋଇ ପଡ଼ିଚି ଆକାଶ ଧରଣୀ । ପ୍ରାଣିଜଗତ ଅଜ୍ଞାନ ହୋଇ ପଡ଼ିଚି । ସମୟ ଗଡ଼ି ଚାଲିଚି । କାହାରି ଦୁଃଖ ଶୋକ ପ୍ରତି ଲକ୍ଷ୍ୟ ନାହିଁ ତା’ର । ଚକ ଗଡ଼ି ଚାଲିଚି ଆଗକୁ ଆଗକୁ । ପ୍ରଭାତର ଚକ୍ରବାଳର ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠୁଚି, ପଶ୍ଚିମ ଚକ୍ରବାଳ ତଳେ ବୁଡ଼ି ଯାଉଚି । ବୁଡ଼ି ଯାଉଚି—ପୁଣି କାଲି ସକାଳୁ ନୂଆ ତେଜ ଘେନି ଝଟକି ଉଠିବାକୁ । ଦେହର ଘା ଶୁଖି ଯାଉଚି, ମନର ଘା ମଉଳି ପଡ଼ୁଚି । ଝଡ଼ ଝଞ୍ଜାର ଧକ୍‍କା ପାସୋରି ପକାଉଚି ମଣିଷ । ପୁରୁଣା ସ୍ମୃତି ଭୁଲି ଯାଉଚି । ନୂଆ ଅନୁଭୂତିର ହାତ ଧରି ଆଗକୁ ପାଦ ପକାଉଚି । ସମୟର ଅମୃତ ପ୍ରଲେପ ମନଭିତରର ଘା ଶୁଖାଇ ଦେଉଚି । ଘର ଭାଙ୍ଗି ଯାଉଚି, ବାପ ମା ମରି ଯାଉଚନ୍ତି । ପୁଅ ଝିଅ ବିଦାୟ ନେଉଚନ୍ତି । ସ୍ୱାମୀ ସ୍ତ୍ରୀ ଛାଡ଼ି ଯାଉଚନ୍ତି-। କେହି କାହାରି ପଛରେ ଗୋଡ଼ାଇ ଯାଉନାହିଁ । ହଠାତ୍ ଗୋଟିଏ ଧକ୍‍କା ଲାଗୁଚି । ଧକ୍‍କାଟାକୁ ଏଇ ମଣିଷ ସମ୍ଭାଳି ନେଇ ପୁଣିଥରେ ଉଠି ଠିଆ ହେଉଚି-। ପୁରୁଣା ସ୍ମୃତିତକ ଧୀରେ ଧୀରେ ପୁରୁଣା ହୋଇଯାଉଚି । ମନରୁ ଚେର ଛିଡ଼ାଇ ଆପେ ଆପେ ପାସୋର ହୋଇଯାଉଚି । ଗଛଟିଏ ମଲା, ଚେର ଛିଡ଼ିଗଲା । ଭୂଇଁ ଭିତରେ କ୍ରମେ କ୍ରମେ ମିଳେଇ ସଢ଼ିଗଲା । ଶେଷକୁ ଶେଷତକ ମାଟି ସଙ୍ଗରେ ମିଶି ମାଟିହୋଇ ନିଜତ୍ୱ ହରାଇଦେଲା । ମାଟି କୁଆଡ଼େ ଯାଉନାହିଁ— ପଡ଼ିରହିଚି-

 

କା ତବ କାନ୍ତା କସ୍ତେ ପୁତ୍ରଃ

ସଂସାରୋୟଂ ଅତୀବ ବିଚିତ୍ର ।

 

ବିଚିତ୍ରତା ଘେନି ସଂସାରଟା ଚାଲିଚି । ସୃଷ୍ଟି ଆଗେଇଚି । ଥୋକେ ଯାଉଚନ୍ତି, ଥୋକେ ଅଟକୁଚନ୍ତି । ପୁରୁଣା ବିଦାୟ ନେଉଚି, ନୂଆ ଆସନ ଗ୍ରହଣ କରୁଚି । ମଣିଷ କହୁଚି ମୋର ମୋର, ତୋର ତୋର । କିନ୍ତୁ ମାୟା ଓ ଭ୍ରାନ୍ତିର ବୃଥା ମରୀଚିକା ପଛରେ ପାଗଳ ପରି ଧାଇଁଚି ସିନା ସେ । ମିଥ୍ୟାକୁ ସତ୍ୟ ବୋଲି ମଣି ବୃଥାରେ ଜନପ୍ରାଣୀ ସ୍ଵପ୍ନଭିତରେ ଘାରି ହେଉଚନ୍ତି ।

 

ମଣିମାଳାର ନିଦ ଭାଙ୍ଗିଲା ତନ୍ଦ୍ରା ଛାଡ଼ିନାହିଁ । କାଲି ସଞ୍ଜବେଳେ ପଶ୍ଚିମ ଚକ୍ରବାଳତଳେ କ୍ଳାନ୍ତ ଶ୍ରାନ୍ତ ସୂର୍ଯ୍ୟ ବୁଡ଼ିଯାଇଥିଲେ । ନୂଆହେଇ ଆଜି ସକାଳୁ ସେ ଉଠି ଆସୁଚନ୍ତି । କାଲିକା କଥା ଆଜି ନାହିଁ । ଆଜି ସେ ନୂଆ । ମଣିମାଳାର ନିଦ ଭାଙ୍ଗିଲା । ତନ୍ଦ୍ରା ଛାଡ଼ି ନାହିଁ । ନିଦ୍ରା ମୃତ୍ୟୁ ଭିତରେ ସେ ମରିଥିଲା । ନୂତନ ଜୀବନ ଘେନି ନବଜନ୍ମ ଲଭୁଛି । ପୂର୍ବଜନ୍ମର ସ୍ମୃତି ମନେପଡ଼ୁ ନାହିଁ-। ତନ୍ଦ୍ରା ଘାରି ରଖିଛି । ଅସୁସ୍ଥ ମନ ପ୍ରାଣ ନବଶକ୍ତି ଲାଭ କରିଚନ୍ତି । କଡ଼ ଲେଉଟାଇ ଆଖି ମେଲିଦେଲା ବେଳକୁ ଦେଖିଲା ବିକ୍ରମବାବୁ ଶେଯଉପରେ ବସି ତାଆରି ହାତଟିକି ଆଉଁସୁଚନ୍ତି-। ତନ୍ଦ୍ରା ଭିତରେ ଅର୍ଦ୍ଧ ଅଜ୍ଞାନ ଥାଇ ମାଳା ମେଲିଲା, ପୁଣି ବୁଜିଦେଲା । ଆଖି ଦିଇଟା ଛାଏଁ ଛାଏଁ ଢୁଳେଇ ଆସୁଚନ୍ତି । ବିକ୍ରମବାବୁ ତା’ କପାଳ ଉପରେ ହାତ ବୁଲାଉଚନ୍ତି । ଶୂନ୍ୟଘରେ ଆଉ କେହିନାହିଁ । ବିଜୁଳିର ନୀଳ ଆଲୁଅଟା ଘରଟିକୁ ସମ୍ପୂର୍ଣ୍ଣ ତନ୍ଦ୍ରାମୟ କରି ରଖିଚି । ଝଡ଼ମାଡ଼ଖିଆ ଡେଣା ଭଙ୍ଗା ଚଢ଼େଇଟିକୁ କେହି ଜଣେ କୋଳକୁ ଉଠାଇ ନେଇ ଆଉଁସିଦେଉଛି । ଚଢ଼େଇଟି ବୁଲୁ ବୁଲୁ କରି ଚାହିଁ ରହିଛି ତାହାରି ମୁହଁକୁ । ମନଭିତରେ ତା’ର ଭୟ ନାହିଁ, ଅବିଶ୍ୱାସ ନାହିଁ । ଚିନ୍ତା ନାହିଁ, ଦକ ନାହିଁ । ଉଡ଼ିପଳାଇ ଯିବାକୁ ସେ ଚେଷ୍ଟା କରୁ ନାହିଁ । ନିର୍ଜୀବ ନିଶ୍ଚେଷ୍ଟ ହୋଇ କେବଳ ପଡ଼ିରହିଛି । ନିଜ କୋଳ ଉପରକୁ ମଣିମାଳାର ମୁଣ୍ଡଟିକୁ ଟେକି ଥୋଇଦେଲେ ବିକ୍ରମବାବୁ । ମାଳାର ଲେଶମାତ୍ର ଆପତ୍ତିନାହିଁ ଏଥିରେ । ମନଭିତରଟା ଫାଙ୍କା ଫାଙ୍କା ଲାଗୁଛି, କୌଣସି ଭୟ ବା ଆଶଙ୍କା ସ୍ଥାନ ପାଉନାହିଁ । ଏବେବି ତନ୍ଦ୍ରାଜଡ଼ିତ ହୋଇ ପଡ଼ିରହିଛି ମନଟା ତା’ର । ମୁଣ୍ଡରେ ଲୁଗାନାହିଁ । ଦେହର ଅନେକ ଅଂଶ ଏକପ୍ରକାର ମୁକ୍ତ । ବିକ୍ରମବାବୁ ମୁଖମଣ୍ଡଳରେ ତା’ର ହାତ ବୁଲାଉଚନ୍ତି । ମାଳା ଆଖି ଖୋଲି ଚାହିଁ, ପୁଣି ଆଖି ଦୋଟି ବୁଜିଦେଉଛି । କେଉଁଠାରେ ଅଛି, କିଭଳି ଅବସ୍ଥାରେ ଅଛି, କିଏ ତା’ ପାଖରେ ଅଛି, ହୁଏତ କିଛି ବୁଝିପାରୁନାହିଁ । ନୁଁହେ ତ କିଛି କିଛି ବୁଝି ଅବିଚଳିତ ହୋଇ ପଡ଼ିରହୁଛି । ଘଟଣା ସ୍ରୋତର ତରଙ୍ଗ ଉପରେ ସମ୍ପୂର୍ଣ୍ଣ ଅବିଚଳିତଭାବେ ନିଜକୁ ଭାସିଯିବାକୁ ସେ ଛାଡ଼ି ଦେଇଛି । ତନ୍ଦ୍ରାଜଡ଼ିତ ମନଭିତରେ ହୁଏତ ସେ ଭାବୁଛି ଏ ଦୁନିଆରେ ଯାହାଯାହା ଘଟି ଯାଉଛି ତହିଁରେ ମଣିଷର କିଛି ମାତ୍ର ହାତ ନାହିଁ । ଅଦେଖା ହାତର ନିର୍ଦ୍ଦେଶ ଯେଉଁ ଆଡ଼କୁ ତାକୁ ଟାଣିନେଉଛି, ନେଇ ଯାଉ; ନିଜକୁ ଫେରାଇ ଆଣିବାର ବାସ୍ତବିକ୍‍ ତା’ର ଶକ୍ତି ସାମର୍ଥ୍ୟ ନାହିଁ । ଭଲକହୁ ମନ୍ଦକହୁ, ଦୁନିଆ ଯାହା କିଛି କହୁନା କାହିଁକି ଯାହା ଘଟିବାର କଥା ତାହା ନିଶ୍ଚୟ ଘଟିଯିବ । କେହି କିଛି ବାଧା ଦେଇ ପରିବେ ନାହିଁ । ଚିତ୍ର ତାରକା ମଣିମାଳା ଧୀରେ ଧୀରେ ଆଖିମେଲି ଚାହୁଁଛି । ପୁଣି ଆଖିଯୋଡ଼ିକ ମୁଦିଦେଉଛି । ଅଧର ଓଠରେ ହସ କାନ୍ଦର କ୍ଷୀଣରେଖା ଉକୁଟି ଉଠୁଛି, ପୁଣି ମିଳାଇ ଯାଉଛି । ଅବଶ ଶରୀରଟା ଶେଯ ଉପରେ ଅଚଳ ଅବସ୍ଥାରେ ପଡ଼ିରହିଛି । ବିକ୍ରମବାବୁଙ୍କ ଉଷ୍ଣ ନିଃଶ୍ୱାସ ସଙ୍ଗେ ନିଜର ତପ୍ତ ଶ୍ୱାସ ମିଶି ଏକ ହେଉଛି । ତନ୍ଦ୍ରାଜଡ଼ିତ ମନଭିତରେ ଅଜ୍ଞାତ ଆନନ୍ଦର ଆଭା ଦିଶିଯାଉଛି, ପୁଣି ନିଭିଯାଉଛି । ବାହାର ଦୁନିଆ ଆଡ଼େ ଆଖି ବୁଲାଇ ଆଣିବା ଉଦ୍ଦେଶ୍ୟରେ ସେ ବାରଣ୍ଡା ଆଡ଼କୁ ଚାହୁଁଛି, ପୁଣି ଆଖି ଫେରାଇ ଆଣୁଛି । ଧୀରେ ଧୀରେ ତନ୍ଦ୍ରା ଛାଡ଼ି ଆସୁଛି । ତଥାପି ସେ ଶେଯ ଉପରେ ସେମିତି ଅଚଳ ହୋଇ ପଡ଼ିରହୁଛି, ଉଠୁନାହିଁ । ଉଠି ବସିବାକୁ ମନ କରୁନାହିଁ । ବିକ୍ରମବାବୁଙ୍କ କୋଳ ଉପରେ ସେମିତି ସେ ମୁଣ୍ଡଟିକୁ ପଡ଼ି ରହିବା ପାଇଁ ଛାଡ଼ିଦେଇଛି ।

 

-୭-

 

ଶାନ୍ତିନିକେତନର ଗେଷ୍ଟ ହାଉସରେ ସୁଟିଂ ପାର୍ଟି ଦି’ଦିନପାଇଁ ସ୍ଥାନ ସଂଗ୍ରହ କରିନେଇଚନ୍ତି । ବୋଲପୁରର ଉଚ୍ଚାନୀଚା ଫାଙ୍କା ସ୍ଥାନଟି ଉପରେ ଆଶ୍ରମଟିକୁ ଗଢ଼ିଚନ୍ତି ବିଶ୍ଵକବି ରବିନ୍ଦ୍ରନାଥ । ଚାରିଆଡ଼େ ପ୍ରାନ୍ତର ପଡ଼ିଆ, ନାଳ ଖାଲ ଦେଖାଯାଉଛି । ମଝିରେ ମଝିରେ ଛୋଟ ଛୋଟ ଗାଁ ଖଣ୍ଡିଏ ଲେଖାଁ । ବାପା ମହର୍ଷି ଦେବେନ୍ଦ୍ରନାଥଙ୍କ ନୈସର୍ଗିକ ପ୍ରତିଭା ବଳରେ ଡକାୟତ-ସର୍ଦ୍ଦାର ସାଧୁ ପାଲଟିଥିଲେ ଏଇ ବୋଲପୁରର ପଞ୍ଚପର୍ଣ୍ଣ ଗଛଟି ମୂଳେ । ପିତୃ ଆଦେଶରେ ରବିନ୍ଦ୍ରନାଥ ଏହି ଶାନ୍ତିନିକେତନଟି ଗଢ଼ିଚନ୍ତି । କଳା ଓ ବିଦ୍ୟା ଭବନରେ ପୃଥିବୀର ବିଭିନ୍ନ ଦେଶରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷାଲାଭ କରୁଚନ୍ତି । ବିରାଟ ଅନୁଷ୍ଠାନଟିଏ—ଚାରିଆଡ଼େ ଗାଁ ଗଣ୍ଡା କେତୋଟି । ଦୂରରୁ ଗୋଟିଗୋଟିକିଆ ଗଛଗୁଡ଼ିକ ଦେଖାଯାଏ । ଭାରତ ବାହାରୁ ବିଦ୍ଵାନ୍‍ ପଣ୍ଡିତମାନେ ଆସି ଅଧ୍ୟାପନା କରୁଚନ୍ତି ।

 

ଗେଷ୍ଟ ହାଉସ୍‍ର ଉପର ବରଣ୍ଡାର ଗୋଟିଏ କଡ଼କୁ ଏକୁଟିଆ ବସିବସି ମଣିମାଳା ଏକଦୃଷ୍ଟିରେ ନୀଳ ଆକାଶ ଆଡ଼କୁ ଅନାଇ ରହିଛି । ଅଦୂରରେ ରବିଟି ଟହଲୁଚି । ଡାକିଲା—ମାଆ !

 

ଶୁନ୍ୟ ଆକାଶ ଆଡ଼କୁ ଦୃଷ୍ଟି ରଖି ଶୂନ୍ୟମନରେ ମଣିମାଳା ପୁଅ ଡାକର ଉତ୍ତରଦେଲେ–ଉଉଁ ।

 

ପାଖକୁ ଲାଗିଆସି ରବି ଠିଆହେଲା । ତଥାପି ମା’ର ଦୃଷ୍ଟି ଫେରୁନାହିଁ । ନୀଳ ଆକାଶର ଅନନ୍ତ ନୀଳିମା ମଧ୍ୟରେ ହଜି ଯାଇଥିବା କେଉଁ ଚିନ୍ତା ଭାବନାର ସନ୍ଧାନରେ ବୃଥା ଚେଷ୍ଟାକରି ଘୂରି ବୁଲୁଚି ।

 

ମା—ଆ—ଆ !

 

ପିଠି ପାଖକୁ ଆଉଜିପଡ଼ି ଡାକିଲା ରବି—ମାଆ ?

 

ଉଁ, କଅଣ କହୁଚୁ !

 

ପୁଅକୁ ଆଗକୁ ଆଣି ମୁଣ୍ଡ ଉପରେ ହାତ ଥୋଇଚି ମାଳା । ତଥାପି ଢେଗା ଢେଗା ଆଖି ଦୁଇଟା ଆକାଶ ଆଡ଼ୁ ଫେରୁନାହିଁ । ଅସ୍ପଷ୍ଟ ତରୁଲତାର ଆଢ଼ୁଆଳରେ ଡାକି ଡାକି ଉଡ଼ିଉଡ଼ି ଧାଇଁଛି ଗୋଟିଏ ପକ୍ଷୀ—ଏକୁଟିଆ, ସାଥିର ଅନୁସନ୍ଧାନରେ । ମଣିମାଳାର ଆଖିପତା ତଳେ ଦି’ଠୋପା ଲୁହ ଜମିଗଲା । ଏଇ ଗଡ଼ି ପଡ଼ିବ । ଭିତର ଉଚ୍ଛ୍ୱାସଟାକୁ ଆଉ ସମ୍ଭାଳି ନେଇ ହେବନାହିଁ । ଭିତରର ମଣିଷଟା ଝୁରି ହେଉଚି । ବାହାରର ମଣିଷଟା ଯନ୍ତ୍ର ପରି ହସୁଛି, କାନ୍ଦୁଛି, ଖେଳୁଛି, ବୁଲୁଛି, ଅଭିନୟ କରୁଛି । ଚିତ୍ରଲାଗି ନିଜକୁ ସଜାଇ ଛିଡ଼ା କାରାଉଛି, ଅଧର ଓଠରେ ମୃଦୁହାସ୍ୟ ଖେଳାଇ କଥା କହୁଛି; କିନ୍ତୁ ଭିତରର ମଣିଷଟା ଭିତରେ ଭିତରେ ଗୁମୁରି ଗୁମୁରି ଅହରହ କାନ୍ଦୁଛି ମାତ୍ର ।

 

ମା ! ଆଜିପରା ଶ୍ରୀ ନିକେତନରେ ଛବି ଉଠିବ ? ତୁମେ ପରା ଯିବ ? ମୁଁ ଯିବି ସାଥିରେ,ବୁଲି ଆସିବି ।

 

ହଉ,ଗାଡ଼ି ଆସୁ ।

 

‘‘ଗାଡ଼ି ଆସୁ ! ଗାଡ଼ିବି ଆସିବ ?’’ ଦୁଇ ମାଇଲ ବାଟରେ ଶାନ୍ତିନିକେତନର କୃଷି ଶିଳ୍ପ ଶାଖା ଶ୍ରୀନିକେତନ । ଦଶଟା ବେଳକୁ ଯାତ୍ରା ଆରମ୍ଭ ହେବ । ଜମା ଆଠଟା ବାଜିଛି । ଏତେବେଳରୁ ବ୍ୟଗ୍ର ହେବାର କାରଣ କିଛିନାହିଁ । ପିଲାର ମନ ସିନା ଚଞ୍ଚଳ ହେଉଛି । ମାଆର ମନ କେଉଁଠାରେ ସେ କାଁହୁ ଜାଣିବ ? ଶୂନ୍ୟ ଗଗନତଳେ ଶୂନ୍ୟ ମନଟିରେ ତାଙ୍କର ଶୂନ୍ୟହୋଇ ମିଳାଇଯାଇଥିବା କେଉଁ ଆତ୍ମୀୟର ସନ୍ଧାନ କରି ବୁଲୁଚନ୍ତି ସେ ମନେମନେ । ମନ ଗହନରେ ବନଦହନ ଶେଷ ହୋଇଯାଇଛି । ଭିତରେ ଭିତରେ ଧୂଆଁ କୁହୁଳୁଛି । ପ୍ରାଣ ଧୂପାଚିରେ ଧୂପଶିଖା କୁଣ୍ଡଳୀ ପକାଇ ଭିତରେ ଭିତରେ ଘୂରି ବୁଲୁଛି । ଅନ୍ତର ତଳେ ଆଗ୍ନେୟ ଲାଭା-ଭଣ୍ଡାର ଆଉଟି ହୋଇ ଢଳଢଳାଉଛି । ବାହାରେ ଶାନ୍ତିନିକେତନ, ଶ୍ରୀନିକେତନ, ରବିନାରାୟଣ, ମଦନବାବୁ ଏବଂ ବିକ୍ରମବାବୁ ଆଦି । ପାଉଁଶ ତଳେ ନିଆଁ ଲୁଚି ରହିଛି । ଉପରେ କାଲୁଆ, ଭିତରେ କୁହୁଳୁଛି । ମଣିମାଳା ପୁଅର ମୁହଁ ଦିହରେ ଆନମନା ଭାବେ ହାତ ବୁଲାଉଛନ୍ତି । ଦୃଷ୍ଟି କିନ୍ତୁ ସୁଦୂରବ୍ୟାପୀ ଶୂନ୍ୟମଣ୍ଡଳ ଆଡ଼କୁ ଟାଣି ହୋଇଯାଉଛି ।

 

ଭିତରକୁ ଆସ ମାଳା ! ଏକୁଟିଆଟା ବସି କଅଣ ଦେଖୁଚ ? ମନେ କରିଚକି ଏ ଦେଖାରେ ଆଉ କାହାରିକି ଭାଗ ଦେଇ ପାରିବ ନାହିଁ ?

 

ପଛକୁ ଫେରି ଚାହିଁଲା ମଣିମାଳା—ମଦନବାବୁ ଅଳ୍ପ ଦୂରକୁ ଠିଆ ହୋଇଚନ୍ତି । ମୁଖରେ ମୃଦୁ ହାସ୍ୟ ଖେଳାଇ ହସିବାକୁ ଚେଷ୍ଟା କଲା । ଦୁଇ ଆଖିରେ ସଞ୍ଚିତ ଲୁହତକ ସେ ଗଣ୍ଡଦେଇ ତଳକୁ ନିଗାଡ଼ି ପକାଇଲା ।

 

ଛି ମାଳା ! କାନ୍ଦୁଚ ? ଚାରିଆଡ଼େ ଏଡ଼େ ସୁନ୍ଦର ପ୍ରକୃତି ହସୁଛି । ଶାନ୍ତିନିକତନର ଶାନ୍ତିମୟ ଚତୁର୍ଦ୍ଦିଗରୁ ମନ୍ଦ୍ର ଓଁକାର ଧ୍ୱନି ଉଠାଉଛି । ମହର୍ଷି ଦେବେନ୍ଦ୍ରଙ୍କ ଧ୍ୟାନପୂତ ପଞ୍ଚପର୍ଣ୍ଣିତରୁ ଶାଖା ବିସ୍ତାର କରି ଏବେବି ବିଦ୍ୟମାନ, କବିନ୍ଦ୍ର ରବିନ୍ଦ୍ରଙ୍କ ମନ୍ଦ୍ରମଧୁର ସଙ୍ଗୀତାବଳି ଆଶ୍ରମର ବାୟୁମଣ୍ଡଳରେ ଏବେବି ଝଙ୍କୃତ । କାହିଁକି ତୁମେ ଏକୁଟିଆ ବସି ରହିଚ ମାଳା ! ଗଗନ ପବନରେ ଯେତେବେଳେ ଆନନ୍ଦମୟ ପ୍ରକୃତି ହସିଉଠିଛି ତେତେବେଳେ ତୁମେ କିଆଁ ଏକୁଟିଆ ବସି ବସି ମନଧୂପାଚିରେ କୁହୁଳା ପକାଉଚ ?

 

ନୀଳାକାଶେର୍‍ ଅସୀମ ଛେୟେ ଛଡ଼ିୟେ ଗେଛେ

ଚାନ୍ଦେର୍‍ ଆଲୋ,

ଆବାର କେନ ଘରେର୍‍ ଭିତର୍‍

ଆବାର୍‍ କେନ ପ୍ରଦୀପ ଜାଲୋ ।

 

ଆସ ମାଳା ! ସମସ୍ତେ ଅପେକ୍ଷା କରିଛନ୍ତି । ନିଜକୁ ଏକୁଟିଆ ରଖନାହିଁ । କୋଳକୁ ଲାଗି ଛିଡ଼ା ହୋଇରହିଛି ରବିନାରାୟଣ । ତା’ ମୁହଁକୁ ଚାହୁଁନା କାହିଁକି ? ବୃଥା ଚିନ୍ତା ଭାବନା କାହାରିକି ଶାନ୍ତି ଦେଇପାରେ ନାହିଁ, କି ଆନନ୍ଦ ଦେଇପାରେ ନାହିଁ ।

 

ବୃଥା ଭାବନା ଆଉ କରିବି ନାହିଁ ?

 

ଭାବନାରେ ଆନନ୍ଦ ମିଳଇ କାହିଁ ?

 

ବୃଥା ଭାବନାକୁ ମନଭିତରେ ସ୍ଥାନ ଦିଅନାହିଁ ମାଳା !

 

ପଣତ କାନିରେ ମାଳା ଆଖି ପୋଛୁଚି । ମନେମନେ ସାମାନ୍ୟ ଲଜ୍ଜା ଅନୁଭବ କରି ହସୁଛି ।

 

କେହି କାହାରି ନୁହେଁ ମାଳା ! କାହାରି ସ୍ମୃତି କାହାରିକି ଆନନ୍ଦ ଦେଇପାରିବ ନାହିଁ । ଛାଡ଼ି ଯିବାଟା ହିଁ ଦୁନିଆର ନିୟମ । ଛାଡ଼ିଯିବା ମଣିଷ ପଛରେ କେହି ଗୋଡ଼ାଇ ଯାଏନାହିଁ ।

 

କାହିଁକି କେଜାଣି ମାଳାର ମନ ବୁଝୁନାହିଁ । ମନଭିତରେ କାହାର ସ୍ମୃତି ଗୁରାଣ୍ଡି ପକାଉଚି । ଦୁଃଖରେ ମୁହଁ ଫାଟି ଆସୁଚି । ଆଖିରେ ଲୁହ ଜମି ଯାଉଚି । ଭିତର ମଣିଷଟା ଝୁରୁଚି-। ବାହାର ମଣିଷଟା ଭୁଲିବାକୁ ଚେଷ୍ଟା କରୁଚି । ହାତଧରି ମଦନବାବୁ ଟାଣିନେଲେ—ଆସ ମାଳା-! ଏକୁଟିଆ ବସି ରହନାହିଁ । କର୍ତ୍ତବ୍ୟ ଭିତରେ ନିଜକୁ ବୁଡ଼ାଇ ରଖ, ଭୁଲାଇ ଦିଅ । କଳା ହିଁ କଳାକାରର ସର୍ବସ୍ୱ, ଦେବତା । ନିଜ କଳାରେ ନିଖୁଣତା ଫୁଟାଇ ପାରିବା ହିଁ କଳାକାରର ସିଦ୍ଧି । ସିଦ୍ଧି ପାଇଁ ସିଦ୍ଧାର୍ଥ ସଂସାର ଛାଡ଼ିଥିଲେ । ବାପ, ମାଆ, ସ୍ତ୍ରୀ, ଓ ପୁତ୍ର ତ୍ୟାଗ କରିଥିଲେ । ସିଦ୍ଧି ଲାଗି ଚୈତନ୍ୟ ସ୍ତ୍ରୀ ସହ ସଂସାର ଛାଡ଼ିଥିଲେ । ଯୋଗୀର ଲୋଡ଼ା ଯୋଗ । ଆସ ମାଳା ! ଉଠି ଆସ-। ସାଧନାର ପଥ ତୁମର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ମୃତ ସମାଧିସ୍ଥ ଅନାଗତ ଭବିଷ୍ୟତକୁ ବିଶ୍ୱାସ ନାହିଁ-। ଜୀବନ୍ତ ବର୍ତ୍ତମାନକୁ ଘେନି କାମ କରିଯାଅ । ଭିତରେ ରହିଛି ତୁମର ପରିପୂର୍ଣ୍ଣ ହୃଦୟ ଏବଂ ମୁଣ୍ଡଉପରେ ବିଦ୍ୟମାନ ଅଛନ୍ତି ସର୍ବବ୍ୟାପୀ ଅନ୍ତର୍ଯ୍ୟାମୀ ଭଗବାନ । ଯେଉଁଆଡ଼କୁ ତୁମକୁ ସେ କଢ଼ାଇ ନେଉଚନ୍ତି ସେଇ ଆଡ଼କୁ ମୁହଁକରି ଚାଲିବାକୁ ମନ ବଳାଅ ମଣିମାଳା ! ଶୂନ୍ୟ ଆକାଶ ଆଡ଼େ ବୃଥା ଆଖି ରଖି ହୃଦୟ ଭିତରେ ବ୍ୟଥାର ଭଣ୍ଡାରକୁ ଅଯଥା ବଢ଼ାଇ ଚାଲ ନାହିଁ । ଦେବତା ନୁହଁ ତୁମେ, ମଣିଷ—ରକ୍ତ ମାଂସର ଶରୀର ଘେନି ସାଧାରଣ ମଣିଷ । ଦୁନିଆରେ ମଣିଷର ଅଭାବ ନାହିଁ । ଏତେ ଚିନ୍ତା କରୁଚ କାହିଁକି ମାଳା ! କାମ ଯାହାର କିଛି ନାହିଁ,ସେଇ କେବଳ କ୍ରନ୍ଦନକୁ ସମ୍ବଳ କରି ଧରି ବସି କାନ୍ଦୁଥାଏ । ସ୍ୱାମୀ-ସ୍ତ୍ରୀ ସଂସାର ସମାଜର ଗୋଟାଏ ଯୋଡ଼ା ଯୋଡ଼ି କାମ । ମୃତ ସ୍ୱାମୀ ପାଇଁ ସ୍ତ୍ରୀ ବସିରହି ସଦାବେଳେ କାନ୍ଦୁଥିବ, କିମ୍ବା ମୃତ ସ୍ତ୍ରୀ ପାଇଁ ସ୍ୱାମୀ ବସି ବସି ଭାଳି ହେଉଥିବ, ଏସବୁ ହେଲା ସତୀଦାହ ପ୍ରଥା ସଙ୍ଗେ ସମ୍ପୂର୍ଣ୍ଣରୂପେ ସମାନ । ସମାଜର ପଣ୍ଡା ଏବଂ ସାହିତ୍ୟିକମାନଙ୍କର ଏସବୁ ବାନ୍ଧିରଖି ଜୀବନସାରା ଛଟପଟ କରାଇବାର ଗୋଟାଏ ଗୋଟାଏ ଫନ୍ଧି ମାତ୍ର । ଜଣେ ମଣିଷ ଯଦି ଆରଜଣକ ସହ ଏକ, ତେବେ ସେ ଛାଡ଼ି ଯାଉଚି କାହିଁକି ? ସ୍ୱାମୀ ମଲା ପରେ ସ୍ତ୍ରୀକୁ ଜବରଦସ୍ତି ସ୍ୱାମୀର ଚିତାନଳ ଉପରକୁ ଫିଙ୍ଗିଦେଇ ସମାଜ କହୁଥିଲା—ସତୀଦାହ । ସେଠି ଅଳ୍ପ ସମୟ ଭିତରେ ବିଧବା ପୋଡ଼ିଜଳି ମରିଯାଉଚି । ମୃତ ସ୍ୱାମୀ ପାଇଁ ଜୀବନ ସାରା କନ୍ଦାଇ କନ୍ଦାଇ ସମାଜ ବିଧବା ସ୍ତ୍ରୀଟିକୁ କହୁଛି—ପଲକେ ପଲକେ ମରୁଥାଆ ତୁ । ପଲକେ ପଲକେ ତୁ ପୋଡ଼ିଜଳି ପାଉଁଶ ହେଉଥା । ଭୁଲ ଏବଂ ଅପରାଧଟା କାହାର ମାଳା-? ଏଥିରେ କଅଣ ସମାଜର ପଣ୍ଡା ଓ ସାହିତ୍ୟିକମାନଙ୍କର ପୌରୁଷର ପ୍ରମାଣ ମିଳୁଚି-? ଦୁର୍ବଳ ଲେଖକର ଦୌର୍ବଲ୍ୟ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗରହିଁ ପ୍ରଥମେ ବିଧବା ବିବାହ ପ୍ରଥା ପ୍ରଚଳନ କରାଇ ଯାଇଚନ୍ତି—କୁତ୍ସିତ ସାମାଜିକ ପ୍ରଥାରେ କୁଠାରାଘାତ କରିବା ପାଇଁ । ଲଳିତ ଭାଷାରେ ସାହିତ୍ୟିକ ସୁନ୍ଦର କରି ବର୍ଣ୍ଣନାଟି କରିଗଲେ—ଜଣେ ମଲା, ଆଉଜଣେ ସାରା ଜୀବନ ଏକୁଟିଆ ବସି ବସି ଅନାଥା ଅସହାୟା ଭିକାରୁଣୀ ପରି ପରଘରେ ଦାସୀ ବୃତ୍ତି ଘେନି କାନ୍ଦି କାନ୍ଦି ଝୁରି ଝୁରି ମଲା-। ଆହା-ହା ! କେଡ଼େ ସୁନ୍ଦର ରଚନାଟା । ଶୁଣିବାକୁ ସୁଆଦ, କହିବାକୁ ସୁଆଦ, ବର୍ଣ୍ଣନା କରିବାକୁ ଲଳିତ, ମଧୁର । ସେ ସବୁ ଲେଖାର ମଣିଷ ସମାଜରେ ପରମାୟୁ କେତେଦିନ ହେ-? ସାଧାରଣ ମଣିଷ ଚିରଦିନ ମଣିଷ ହୋଇ ରହିବ ସିନା ! ଦେବତା ହୋଇପାରିବ ନାହିଁ, କି ମହାପୁରୁଷ ପାଲଟି ଯାଇ ପାରିବ ନାହିଁ । ଏହି ସଂଘର୍ଷମୟ ଦୁନିଆରେ ବଞ୍ଚି ରହିବାକୁ ହେଲେ ବଞ୍ଚି ରହିବାପାଇଁ ଏକ ସମର୍ଥ ମଣିଷରୂପେ ରହିବାକୁ ହିଁ ପଡ଼ିବ ତାକୁ ।

 

ମଦନବାବୁଙ୍କ ହାତମୁଠା ଭିତରେ ମଣିମାଳାର ହାତଟିଏ । କୋଳ ପାଖକୁ ଆଉଜି ଛିଡ଼ା ହେଇଛି ରବିନାରାୟଣ । ମାଳା ଉଠି ଠିଆ ହେଲା । ଦୀର୍ଘନିଃଶ୍ୱାସଟିଏ ଟାଣିଲା । ଆଖିରେ ତା’ର ଲୁହ ଜକେଇ ଆସୁଚି । ମୁହଁରେ ହସ ଫୁଟୁଛି । ମଣିଷ ସବୁବେଳେ ଦୁଇ ଦୁଇଟା । ଭିତରେ ମନ, ବାହାରେ ଶରୀର । ମନର ରୂପ ପ୍ରକାଶ ପାଉଚି ଆଖି ଲୁହରେ । ବଞ୍ଚି ରହିବା ପାଇଁ ଆଶାୟୀ ମନ ହାସ୍ୟରେଖା ଆଙ୍କୁଛି ଅଧର ଓଠରେ । ବାହାର ମଣିଷଟା ବଞ୍ଚିବା ପାଇଁ ଅଭିନୟ କରି ଚାଲିଛି । ଭିତରଟା ଭିତର କଥାକୁ ଗଣ୍ଠି କରି ଧରି ଗଣ୍ଠିଲି ଫିଟାଉଛି ଓ ବାନ୍ଧୁଛି । ଗୁଡ଼ାଇ ବାନ୍ଧୁଛି ଏବଂ ଫିଟାଇ ଦେଖୁଛି । ବାହାରେ ଯନ୍ତ୍ର, ଭିତରେ ମନ୍ତ୍ରକୁ ସମ୍ବଳ କରି ଦୁନିଆ ବାଟରେ ମଣିଷଟି ଚାଲିଚି । ଗଲା କଥାକୁ ଧୀରେ ଧୀରେ ଭୁଲିଛି, ପାସୋରୁଚି । ଚିରା ଲୁଗାରେ ସେ ଗଣ୍ଠି ପକାଉଚି । ଚିରାକାନି ଧୀରେ ଧୀରେ ମିଳେଇ ଯାଉଚି ସିନା, ସଙ୍ଗେ ସଙ୍ଗେ ନୁହେଁ । ମଦନବାବୁଙ୍କ ଯୁକ୍ତିତର୍କକୁ ମଣିମାଳା ସମ୍ପୂର୍ଣ୍ଣ ଗ୍ରହଣ କରିପାରୁନାହିଁ, କି କିଛି ନୁହେଁ ବୋଲି କହିପାରୁନାହିଁ । ଠିଆ ହୋଇଯାଇ ସେ ହସୁଛି ଏବଂ କାନ୍ଦୁଛି । ଏମିତିଆ ହସମିଶା କାନ୍ଦଟାକୁ ବିଶ୍ୱାସ କରିହୁଏ ନାହିଁ । ମଦନବାବୁଙ୍କ ମୁହଁ ଆଡ଼କୁ ଏକଲୟରେ ଚାହିଁ ରହୁଛି ମଣିମାଳା । ଦୀର୍ଘନିଃଶ୍ୱାସ ଟାଣୁଚି ଏବଂ ଛାଡ଼ୁଚି । କୋଳ ପାଖକୁ ଲାଗି ଛିଡ଼ା ହୋଇଥିବା ପୁଅଟିର ମୁଣ୍ଡ ଉପରେ ଧୀରେ ଧୀରେ ହାତ ବୁଲାଉଚି । ଅନ୍ୟମନସ୍କ ଭାବେ ସେ ଠିଆ ହୋଇପଡ଼ିଛି । କର୍ତ୍ତବ୍ୟ ଆସି ତା’ ହାତ ଧରି ଡାକୁଚି—ଆସ, କାମ କର, ବଞ୍ଚିବ ଯଦି ପଛକଥା ଭୁଲିଯାଇ ଆଗକୁ ପାଦ ପକାଅ । ତୁମେ କିଛି ପାର୍ବତୀ ନୁହଁ ଯେ ବଣ ଜଙ୍ଗଲରେ ଅପର୍ଣ୍ଣା ହୋଇ ବସିରହି ଶିବଙ୍କର ଧ୍ୟାନ କରିବ । ତୁମେ ସାଧାରଣ ମାନବୀ ମାତ୍ର । କଳାଚର୍ଚ୍ଚା ହିଁ ଏଣିକି ତୁମର ଧ୍ୟାନ ହେଉ । ଆସ, ଉଠି ଆସ ମାଳା !

 

ମଦନବାବୁଙ୍କ ହାତ ଛାଏଁ ଛାଏଁ ଖସିପଡ଼ିଲା । ସେ ଦେଖିଲେ—ମାଳା ଭିତରେ ଦୁଇଟା ମଣିଷ । ଗୋଟାଏ ହେଲା ଚଳଚ୍ଚିତ୍ରର ତାରକା ଏବଂ ଅପରଟି ସ୍ୱାମୀହରା ଅନାଥା ନାରୀ ।

 

ଦଶଟା ବେଳକୁ ଗାଡ଼ି ପ୍ରସ୍ତୁତ । ବଳଦ ଗାଡ଼ି ଗୁଡ଼ିଏ ଘଣ୍ଟି ଘାଘୁଡ଼ି ବଜାଇ ଆଗିଲି ପିଛିଲି ଚାଲିଛି । ଖାଲ ବାଟରେ ତଳକୁ ଗଡ଼ୁଚି, ଢିପ ଉପରକୁ ଉଠୁଚି । ମଝିରେ ମଝିରେ ତାଳଗଛ ମୁଣ୍ଡ ଟେକିଛି । ଆଦିବାସୀ ପଲ୍ଲୀ ଏବଂ ଛୋଟ ଛୋଟ ଗାଁ । ଏତେଗୁଡ଼ିଏ ଗାଡ଼ି ଶବ୍ଦ ଶୁଣି ଗାଁ ପିଲାଏ ବାଟ କଡ଼କୁ ଛିଡ଼ା ହୋଇଯାଉଚନ୍ତି । କୌତୂହଳୀ ଦୃଷ୍ଟି ବଢ଼ାଇ ଗାଁ ମାଇପେ ଚାହିଁ ରହୁଛନ୍ତି-। ଆର୍ଟିଷ୍ଟ୍‍ ଯାକ ଏବଂ ଯନ୍ତ୍ରପାତି । କୃଷି ଫାର୍ମ ଭିତରେ କାମ ଚାଲିଛି । ଶିଳ୍ପ ଶିକ୍ଷାଳୟକୁ କେତେ କେତେ ଗାଉଁଲି ମହିଳା ଝିଅବୋହୂଏ ବିଭିନ୍ନ କାମ ଶିଖିବାକୁ ଆସିଛନ୍ତି । ସୂତାରଙ୍ଗ କରାଯାଉଛି, ଲୁଗା ବୁଣା ଯାଉଛି । କନା ଉପରେ ଛିଟ ଛପାଯାଉଛି । ବାଟିକ୍‍ କାମ କରିଯାଉଛନ୍ତି କେତେଗୁଡ଼ିଏ ଶିକ୍ଷାର୍ଥିନୀ । ଚମଡ଼ା ଉପରେ ଡିଜାଇନ୍‍ ଅଙ୍କା ଯାଉଛି । କାଠ କାମ ଓ ଲୁହା କାମର କାରଖାନା ଖୋଲିଚି । ପୂର୍ବ ବନ୍ଦୋବସ୍ତ ଅନୁସାରେ ମଣିମାଳା ଓ ଅନ୍ୟ କେତୋଟି ଶିଳ୍ପୀ ବିଭିନ୍ନ ବିଭାଗରେ ବସି କାମ କରିବାକୁ ଲାଗିଲେ । କ୍ୟାମେରା ମ୍ୟାନ୍‍ କ୍ୟାମେରା ଧରିଲେ । ଶବ୍ଦଗୁଡ଼ିକ ରେକର୍ଡ଼ କରାଗଲା ସାଉଣ୍ଡ ଟ୍ରାକ୍‍ ଯନ୍ତ୍ର ସାହାଯ୍ୟରେ । କୃଷି କ୍ଷେତ୍ରରେ ମଧ୍ୟ କେତେକ ଆର୍ଟିଷ୍ଟଙ୍କୁ ନେଇ କେତେଗୁଡ଼ିଏ ଚିତ୍ର ଉଠାଗଲା । ଚାରିଟା ବେଳକୁ ସେଦିନର କାମ ବଢ଼ିଲା । ଶାନ୍ତିନିକେତନର ଅତିଥିଶାଳାକୁ ସଞ୍ଜ ସୁଦ୍ଧା ସମସ୍ତେ ଲେଉଟିଆସିଲେ ।

 

କେତେଜଣ ଓଡ଼ିଆ ଅଧ୍ୟାପକ ଏବଂ କେତୋଟି ଛାତ୍ର ଆସି ମଦନବାବୁ ଓ ବିକ୍ରମବାବୁଙ୍କୁ ଦେଖା କଲେ । ଓଡ଼ିଶାରୁ ଆସିଛନ୍ତି ଏମାନେ; ଚିହ୍ନା ପରିଚୟ ପାଇଁ ସେମାନେ ଆସିଚନ୍ତି । ତାଙ୍କ ସହ ଶାନ୍ତିନିକେତନ ପରିଚାଳନା ବିଭାଗର କେତେଜଣ ଭଦ୍ରବ୍ୟକ୍ତି ମଧ୍ୟ ଆସିଛନ୍ତି । ସାନବଡ଼ ହୋଇ ଗୋଟିଏ ସଭା ଜମିଛି । ଚିତ୍ର ପ୍ରତିଷ୍ଠାନର ସଙ୍ଗୀତ ଶିଳ୍ପୀ କେତେଜଣ ଓଡ଼ିଶୀ ସଙ୍ଗୀତ କେତୋଟି ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଦେଲେ । ସେମାନଙ୍କ ଭିତରେ ଥିଲେ ମଣିମାଳା । ମଦନବାବୁ ଜଣ ଜଣ କରି ପରିଚୟ କରାଇଦେଲେ । ଅଧ୍ୟାପକ ବିବୁଧେନ୍ଦ୍ର ଚଉଧୁରୀ ଶାନ୍ତିନିକେତନର ଶିଶୁ ବିଭାଗର କର୍ମକର୍ତ୍ତା ଏବଂ ବିକ୍ରମବାବୁଙ୍କର ଅତି ପ୍ରିୟ । ବିକ୍ରମବାବୁଙ୍କ ଠାରୁ ପତ୍ର ପାଇ ଶାନ୍ତିନିକେତନରେ ଚିତ୍ରାଂଶ ଉଠାଇ ନେବାପାଇଁ ବିବୁଧେନ୍ଦ୍ର ବାବୁହିଁ ସମସ୍ତ ବନ୍ଦୋବସ୍ତ କରାଇଥିଲେ । ବିକ୍ରମବାବୁ ଅଧିକା କରି ମଣିମାଳାଙ୍କୁ ତାଙ୍କ ସହ ପରିଚୟ କରାଇ ଦେଇ କହିଲେ—ଇଏ ହେଉଚନ୍ତି ଓଡ଼ିଶାର ଜଣେ ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ସ୍ତ୍ରୀ । ସଙ୍ଗୀତ ଶିଳ୍ପୀ ହିସାବରେ ତାଙ୍କର ପରିଚୟତ ଆପଣ ଏଇ ସଭାରେ ପାଇଯାଇଛନ୍ତି । ଚିତ୍ରଶିଳ୍ପୀ ରୂପେ ତାଙ୍କର ଦକ୍ଷତା ଫଟ ଉଠୁଥିବା ମୋର ଏଇ ଚିତ୍ରଟି ମୁକ୍ତି ପାଇଲେ ଆପଣମାନେ ଦେଖିପାରିବେ । ସଂସାରରେ ତାଙ୍କର ଅବଲମ୍ବନ ଏକମାତ୍ର ପୁଅଟି ସାଙ୍ଗରେ ଆସିଛି । ତାକୁ ମୁଁ ଏଠି ଆପଣଙ୍କ ଜିମା ଛାଡ଼ିଯିବି । ଆଶ୍ରମର ସମ୍ପୃକ୍ତ ବିଭାଗରେ ଆପଣଙ୍କ ତତ୍ତ୍ଵାବଧାନରେ ରହିବ । ଆଶ୍ରମର ମାଆମାନେ ତା’ର ଯତ୍ନ ନେବେ । ବିଦ୍ୟାଳୟରେ ଶିକ୍ଷା ଲାଭ କରିବ । କଳା ହେଉ, ସଙ୍ଗୀତ ହେଉ, ଚିତ୍ର ହେଉ, ନୃତ୍ୟ ବାଦ୍ୟ ହେଉ, ଅଥବା କୃଷି ଶିଳ୍ପ ବିଜ୍ଞାନ ମଧ୍ୟରୁ ଯେଉଁଥିରେ ପାରଦର୍ଶିତା ଦେଖାଇବ ସେଇଥିରେ ତାକୁ ଶିକ୍ଷା ଦିଆଯିବ । ମୁଁ ତା’ର ଯାବତୀୟ ଖରଚ ଯୋଗାଇଦେବି । ସଯତ୍ନରେ ରଖି ତାକୁ ମଣିଷପରି ମଣିଷଟିଏ ଗଢ଼ିଦିଅନ୍ତୁ ଆପଣ, ଏତିକି ମୋର ବିନୀତ ଅନୁରୋଧ ।

 

ମଣିମାଳା ଆବାକାବା ହୋଇ ଚାହିଁ ରହିଲେ ବିକ୍ରମବାବୁଙ୍କ ଆଡ଼କୁ । ପୁଅ ତାଙ୍କର ମଣିଷ ହେବ; କେଉଁ ମା’ ନଚାହେଁ ତାହା ? କିନ୍ତୁ କଲିକତା ହେଉ ବା କଟକ ହେଉ, ଏକୁଟିଆ ଘରେ ବସି ବସି ଅବଲମ୍ବନ-ହୀନ ଜୀବନଟିକୁ ଘେନି ସେ କେମିତି ତାଙ୍କର ଦିନଗୁଡ଼ିକ କଟାଇବେ-!

 

ମଣିମାଳାଙ୍କ ଆଡ଼କୁ ଚାହିଁ ବିକ୍ରମବାବୁ ପଚାରିଦେଲେ—କଅଣ ଆପଣଙ୍କ ଇଚ୍ଛା ?

 

ନାହିଁ କରିବାର ଉପାୟ ନାହିଁ । କେମିତି କେଜାଣି ହଠାତ୍ ତାଙ୍କ ପାଟିରୁ ବାହାରିଗଲା ଆପଣଙ୍କ ଇଚ୍ଛା । ମୁଁ ଆଉ କଅଣ କହିବି ? ମୋ ସଂସାରରେ ଏକମାନ୍ତ୍ର ମଙ୍ଗଳକାଙ୍‍କ୍ଷୀ ତା’ର ଆପଣ । ଯାହା ଭଲ ମନେକରୁଚନ୍ତି, କରନ୍ତୁ ।

 

ବିବୁଧେନ୍ଦ୍ର ବାବୁ ହସି ହସି କହି ଉଠିଲେ—ଯଥାର୍ଥ ଉତ୍ତର ଦେଇଚନ୍ତି ମାଳା ଦେବୀ । ମୁଁ ସେ ପିଲାଟିର ଭାର ନେଲି । ଏଠି ଆମର ବିଭିନ୍ନ ଦେଶରୁ ବହୁସଂଖ୍ୟାରେ ପିଲା ଆସି ଅଛନ୍ତି । ମାଆ ବାପା ଛାଡ଼ିଯାଇଚନ୍ତି । ଆଶ୍ରମରେ ଥାଇ ବିଭିନ୍ନ ଦେଶର ପିଲାଙ୍କ ସଙ୍ଗରେ ରହି ସେମାନେ ପୃଥିବୀର ମାନବଜାତିକୁ ଭଲ ଚିହ୍ନିପାରୁଚନ୍ତି । ସଂକୀର୍ଣ୍ଣତା ଭୁଲି ଉଦାର ମାନବିକତା ଲାଭ କରିପାରୁଚନ୍ତି । ଏଠି ଜାପାନୀ ଅଛନ୍ତି, ଜର୍ମାନ୍‍ ଅଛନ୍ତି, ଆମେରିକାର ଛାତ୍ରଛାତ୍ରୀ ଅଛନ୍ତି । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପୃଥିବୀରେ ଯଥାର୍ଥ ସମ୍ମାନ ଲାଭ କରି ସାରିଲାଣି ।

 

ଭିତରେ ଭିତରେ ଛୋଟ ହୋଇଯାଉଚି ମଣିମାଳା । ସଙ୍କୁଚିତ ହୋଇପଡ଼ୁଚି ଅସହାୟା ଅନାଥା ନାରୀ । ସ୍ୱାମୀ ନାହାନ୍ତି, ଭାଇଭାଉଜ ପଚାରୁ ନାହାନ୍ତି । ଜୀବନର ମୋଡ଼ ବାଟରେ ଗୋଡ଼ ପଡ଼ି ଚାଲିଚି ଆଗକୁ ଆଗକୁ—ଚିତ୍ର ରାଜ୍ୟ ଆଡ଼କୁ । ସେ ରାଜ୍ୟର ଉଷସୀ କଥା ମନେ ପଡ଼ିଗଲା ବେଳକୁ ଲୋମ ଟାଙ୍କୁରି ଉଠୁଚି । ମଦନବାବୁ ହାତ ବଢ଼ାଉଚନ୍ତି, ବିକ୍ରମବାବୁ ଆଖିବୁଜା ସାହାଯ୍ୟ କରିଯାଉଛନ୍ତି । କପର୍ଦ୍ଦକଶୂନ୍ୟ ହାତରେ ଭିକ୍ଷା ଝୁଲି ଘେନି ଦୁନିଆର ଦାଣ୍ଡରେ ଛିଡ଼ାହେଇଗଲେ ନାରୀ ହିସାବରେ ତାଙ୍କର ଅସହାୟତା ଓ ବିପଦର ମାତ୍ରା ବଢ଼ିବ ସିନା, କମିବ ନାହିଁ । ଏଣେ ଯେଉଁ ଚିତ୍ରଟିରେ ସେ ଅଂଶଗ୍ରହଣ କରିଚନ୍ତି ସେ ଚିତ୍ରଟି ସରିବା ଯାକେ ବିଭିନ୍ନ ସ୍ଥାନରେ ବୁଲିବାକୁ ପଡ଼ିବ । ଛୁଆଟିକି ସଙ୍ଗରେ ଧରି କେତେଆଡ଼େ ସେ ବୁଲିବେ ଏବଂ ତାକୁ ଅବହେଳା କଲେ ସେ ବା ମଣିଷ ହେବ କିପରି ? ପୁଣି ମଣିଷ କରିବାକୁ ହେଲେ ତାକୁ ନିଶ୍ଚୟ କୌଣସି ଶିକ୍ଷାନୁଷ୍ଠାନକୁ ପଠାଇବାକୁ ପଡ଼ିବ । ଶାନ୍ତିନିକେତନର ଏତେବଡ଼ ସୁବିଧା ମିଳେ କେତେଜଣଙ୍କର ଭାଗ୍ୟରେ !

 

ମନେମନେ ବିକ୍ରମବାବୁଙ୍କ ପ୍ରସ୍ତାବରେ ସେ ସମ୍ପୂର୍ଣ୍ଣ ଏକମତ ହୋଇଗଲେ । ଶାନ୍ତିନିକେତନ ଛାଡ଼ି କଲିକତା ଫେରିଲା ବେଳକୁ ରବିକୁ ବିବୁଧେନ୍ଦ୍ର ବାବୁଙ୍କ ଜିମା ଛାଡ଼ି ଆସିଲେ-। ଫେରିଆସି ଦିନେ ଦୁଇଦିନ ସେ ଅଶ୍ଵସ୍ତି ଅନୁଭବ କଲେ ଅବଶ୍ୟ । ମାତ୍ର ପରେ ପରେ ତାହା ବି ଦେହସହା ହୋଇଗଲା । ଏକୁଟିଆ କୋଠରୀ ଭିତରେ ନିର୍ଜନ ଜୀବନ । ତାନପୁରା ଧରି ଗୀତ ଗାଇବା, ବହିପତ୍ର ପଢ଼ି ସମୟ କଟାଇବା । ଚିତ୍ରପାଇଁ ନିଜର ଅଙ୍ଗଅବୟବକୁ ସଜାଇବା, ନିଜର ସ୍ୱର ଏବଂ ଭାବଭଙ୍ଗିକୁ ସଜାଡ଼ିବା, ମୁକୁର ଆଗରେ ଛିଡ଼ା ହୋଇ ନିଜକୁ ନିଜେ ପରଖି ଦେଖିବା, ଷ୍ଟୁଡ଼ିଓକୁ ଯାଇ ଆଲୁଆ ଆଗରେ ଆଖିବୁଲାଇବା, ଅଭିନୟ ଶିଖି ଅଭ୍ୟାସ କରିବା, ରିହରସେଲରେ ଯୋଗଦେବା, ସୁଟିଂବେଳେ ଏଣେତେଣେ ଯାଇ ଫଟଉଠା ପାଇଁ ଅଭିନୟ କରିବା—ଏଇ ହେଲା ତାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ । ପୁଅ କଥା ଭାବିବାକୁ ଅବସର ମିଳେ ନାହିଁ, କି ସ୍ୱାମୀ କଥା ଚିନ୍ତା କରିବାକୁ ସମୟ ଯୁଟେ ନାହିଁ । ଅଳସ ମନ ସମୟ ଦେଖି ଚିନ୍ତା କରେ ଏବଂ ଚିନ୍ତାକୁ କେନ୍ଦ୍ରକରି ଅବଶ ହୋଇଯାଏ । କର୍ମରତ ମନ ଗତ କଥାର ଭାବନା ପାଇଁ ସୁଯୋଗ ପାଏ ନାହିଁ । ଏମିତି ଏମିତି ଦିନ ମାସ ଗଡ଼ିଯାଏ । ଖରା ଯାଏ ବର୍ଷା ଆସେ, ଶୀତ ପରେ ବସନ୍ତ-। ମନ ରାଜ୍ୟରୁ ନିଦାଘ ଦୂର ହେଲା, ଦୁର୍ଦ୍ଦିନ ଦୂର ହେଲା । ଶରୀରରେ ଶୀତର ପ୍ରକମ୍ପ, ଏକୁଟିଆ ଶେଯ ଉପରେ ଶୀତରେ କଲିଜା କମ୍ପିଯାଏ । ଧୀରେ ଧୀରେ ବସନ୍ତ ହସି ଉଠିଲା ଚାରିଆଡ଼େ-। ବିକ୍ରମବାବୁଙ୍କ ଚିତ୍ର ମୁକ୍ତିଲଭିଲା । ଶିଳ୍ପ ମନ୍ତ୍ରୀ ଉଦ୍‍ଘାଟନ ମଣ୍ଡପରେ ମଣିମାଳାର ଭୁରି ଭୁରି ପ୍ରଶଂସା କରିଗଲେ । ବାଟେଘାଟେ, ପତ୍ରପତ୍ରିକାରେ ମଣିମାଳାର ଚିତ୍ର ଝୁଲୁଚି । ସହସ୍ର ସହସ୍ର ରୂପ ଘେନି ମାଳା ଚାରିଆଡ଼େ ବିଦ୍ୟମାନ । ନିଜର ଗୌରବରେ ସେ ଆସି ଗରବିଣୀ । ହାତକୁ ହଜାର ହଜାର ଟଙ୍କା ଆସୁଚି । ହଜାର ହଜାର ଦର୍ଶକ ସମ୍ବର୍ଦ୍ଧନା ଜଣାଇବାକୁ ଧାଇଁ ଆସୁଚନ୍ତି-। ଚିତ୍ର ତାରକା ମଣିମାଳା ବିଜୟବାବୁଙ୍କ ଗୃହିଣୀ ହୋଇ ଆଉ ରହି ପାରିଲେ ନାହିଁ । ଧନ, ମାନ, ଯଶ ଓ ପ୍ରଶଂସାରେ ସେ ଆଜି ଜଣେ ଶ୍ରେଷ୍ଟ ଶିଳ୍ପୀ ଓ ତାରକା ।

 

ମଦନବାବୁ ମଝିରେ ମଝିରେ ଆସୁଚନ୍ତି । ତାଙ୍କ ସାଙ୍ଗସାଥି ନିର୍ଦ୍ଦେଶକମାନେ ମଧ୍ୟ ଆସି ଅନୁରୋଧ କରୁଚନ୍ତି—ମାଳା ଦେବି ! ଆପଣ ଆମ ଚିତ୍ରରେ ଅଂଶଗ୍ରହଣ କରନ୍ତୁ, ବଡ଼ ଧରଣର ପାରିତୋଷିକ ପାଇବେ । ଘନ ଘନ ଆସୁଚନ୍ତି ବିକ୍ରମବାବୁ—ମାଳା ! ତୁମଲାଗି ମୁଁ ଆଜି ପ୍ରଶଂସିତ-। ତୁମ ଋଣ ମୁଁ ସୁଝିପାରିବି ନାହିଁ ।

 

ହସୁଚନ୍ତି ମାଳା । ଜୀବନରେ ତାଙ୍କର ନିଦାଘ ସଂତପ୍ତ ଉଷ୍ଣତା ବିଦାୟ ନେଇଚି । ନୟନରୁ ଦୁର୍ଦ୍ଦିନର ଜଳଧାରା ଉଭେଇ ଯାଇଚି । ଶୀତ ସଙ୍କୁଚିତ ଜଡ଼ତାର ଜାଡ଼ ଉଡ଼ିଗଲାଣି । ପ୍ରାଣ ପଟ୍ଟଭୂମି ଉପରେ ଏବେ ରୂପବନ୍ତ ହସନ୍ତ ବସନ୍ତ ବିଦ୍ୟମାନ । ବିକ୍ରମବାବୁ ପାଖକୁ ପାଖକୁ ଲାଗି ଆସୁଚନ୍ତି । ସମୟ ବଦଳିଚି, ମନ ବଦଳିଚି, ମାଳା ବଦଳିଚି । ଏମିତି ବଦଳି ଯାଉଚି ଦୁନିଆ-। ପଛ ମିଛ ହୋଇ ସ୍ୱପ୍ନପରି ପାସୋର ଯାଉଚି । ବର୍ତ୍ତମାନଟି ଚତୁର୍ଦ୍ଦିଗରୁ ଆବୋରି ପକାଉଚି-। ମଣିମାଳା ଭାବିଲା—ହସକାନ୍ଦର ଦୁନିଆରେ ହସ ଯେବେ ପାଖକୁ ଆସୁଚି—ଆସୁ । ବାଧା ଦେଇ ଲାଭନାହିଁ ।

 

-୮-

 

କାନ୍ଥ ବାଡ଼ରେ ସହର ତମାମ ମଣିମାଳାର ପୋଷ୍ଟର ଛବି ମରା ଗଲାଣି । ବିଜୟବାବୁ ଯେଉଁ ଛବିରେ ପ୍ରଧାନ ଅଂଶଗ୍ରହଣ କରିଥିଲେ ସେଥିରେ ମାଳା ଅତି ଗୌଣଅଂଶ ନେଇ ଚିତ୍ର ଉଠାଇ ଥିଲେ । ଏ ଛବିରେ ମାଳା ମୁଖ୍ୟ ନାୟିକା । ଚିତ୍ରଟା କଟକ ଆସୁଚି । ଚାରିଆଡ଼େ ହୁରି ପଡ଼ିଯାଇଚି । ଅନେକ ଦିନ ହେଲା ବାପଘର ସହିତ ମାଳାର ସମ୍ପର୍କ କିଛି ନାହିଁ । ଛବିରେ ମାଳାକୁ ଦେଖିବା ଲାଗି ସେ ପରିବାରର ସମସ୍ତଙ୍କ ମନରେ ବ୍ୟଗ୍ରତା ଦେଖା ଦେଇଚି । ମା ବୁଢ଼ୀ ଦିନକୁ ଦଶଥର ପଚାରୁଚନ୍ତି—ଆରେ ପୁଅ ! ମୋ ଝିଅର ଛବି କେବେ ଆସୁଚି ।

 

ମଣିମାଳାର ଭାଇ ବୈଦ୍ୟନାଥ ବାପାଙ୍କ ବ୍ୟବସାୟ ଧରିଚନ୍ତି । ଓକିଲାତି । ବାପାଙ୍କର ଯୋଗ୍ୟତା ଥିଲା । ମାତ୍ର ବୈଦ୍ୟନାଥ ଜଣେ ଓକିଲଙ୍କ ପଛରେ ଗୋଡ଼ାଉଚନ୍ତି । ଅନାମଧେୟ ସିନିଅର୍‍ଙ୍କ ପଛରେ ଜୁନିଅର୍‍ । କିନ୍ତୁ ବେଶପଟା ଓ ଆଡ଼ା ଚଉଡ଼ା ଠିକ୍ ଅଛି । ଓକିଲଙ୍କ ବି.ଏ.ବି.ଏଲ୍‍. ପୁଅ ହିସାବରେ ସେ ବିଭା ହୋଇଛନ୍ତି ଜଣେ ରିଟାୟାଡ଼୍‍ ଡେପୁଟିଙ୍କର ଝିଅଙ୍କୁ । ନାଁ ତାଙ୍କର ଶଶିକଳା । ବାପା ଥିଲେ ସେ କାଳର ଡିପୋଟି । ଭୂଇଁ ଉପରେ ଚାଲନ୍ତି ନାହିଁ । ତାଙ୍କରି କଳା ଘେନି ଆସିଛନ୍ତି ଝିଅ । କୋଳକୁ ଦିଓଟି ଛୁଆ । ପୈତୃକ ଆଡ଼ାଚଉଡ଼ାଟା ପୁରାମାତ୍ରାରେ ଜାହିର କରିବାକୁ ଷୋଳପଣ ମନ ତାଙ୍କର । ହେଲେ ଶଶୁରଙ୍କ ବ୍ୟାଙ୍କ୍‍ ବାଲାନ୍‍ସ (ଗଚ୍ଛିତ ଧନ) ଧୀରେ ଧୀରେ କମିବାରେ ଲାଗିଛି । ସ୍ୱାମୀଙ୍କ ରୋଜଗାରରୁ ଗୋଟିଏ ମାତ୍ର ପଇସା ସେ ବାଲାନ୍‍ସ ବଢ଼ାଇବା ଦିଗରେ ସାହାଯ୍ୟ କରିପାରୁ ନାହିଁ । ଘରେ ଗୋଟିଏ ମାତ୍ର ଚାକର ପିଲା । ତାଆରି ଉପରେ ଏଙ୍କର ସବୁଯାକ ରାଗ ରୋଷ । ଅଶିକ୍ଷିତ ସାଧାରଣ ଘରେ ସ୍ତ୍ରୀଲୋକେ କାନ୍ଥବାଡ଼କୁ ଡାକି ସମ୍ପ କାଟି ଛେଦ ବନାଇ ଦିଅନ୍ତି—ଲକ୍ଷ୍ୟ କିନ୍ତୁ ଯାହାଠାରେ ସେ ଠିକ୍ ଜାଣିପାରେ ଏବଂ ସେ ବି ଗଛ ବୃକ୍ଷକୁ ଡାକି ଓଲଟି ଜବାବ ଦେଇଯାଏ । ଡେପୁଟି ମାଜିଷ୍ଟ୍ରେଟ୍‍ଙ୍କ ଝିଅ ଶଶିକଳା ଗରିବ ଚାକର ପିଲାଟି ଉପରେ ଗରଗର ହୁଅନ୍ତି—ଲକ୍ଷ୍ୟଟି କିନ୍ତୁ ସ୍ୱାମୀ ଓ ଶାଶୁଙ୍କ ଉପରେ । ମାଆବି ବୁଝନ୍ତି, ତୁନି ହୋଇଯାଆନ୍ତି; ମଲା କଙ୍କଡ଼ାକୁ ଯେତେ ଓଲଟପାଲଟ କଲେ, ହଲଚଲ ହେବାର ଉପାୟ ନାହିଁ । ମନେମନେ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଲୁହ ଗଡ଼ାଇ ମନେମନେ କହନ୍ତି—ମତେ ଏମିତି ହୀନିମାନୀ କରିଗଲ ତୁମେ, ସାଙ୍ଗରେ ନେଇଗଲ ନାହିଁ । ତୁମ ମନରେ ଏଇ କଥା ଥିଲା ?

 

ଶାଶୁ ମାରୁଥାଏ ବୋହୂକୁ

ବୋହୂ ଚୁଲିପଶି କାହାକୁ ମାରିବ

ମାରୁଥାଏ ଚୁଲି ମୁହଁକୁ

 

ଇଏ ଗଲା ଶାଶୁଙ୍କ କଥା । ବୈଦ୍ୟନାଥଙ୍କ ମନକଥା କହିଲେ କିଛି ଫଳ ହେବନାହିଁ । କର୍କଶ ସ୍ଵରଟା ଅହରହ କାନରେ ବାଜି ବାଜି କାନ ଦିଇଟା ବଧିରା ହୋଇଗଲାଣି । ଶୁଖିଲା କାଠଟାକୁ ପିଟି ପିଟି ଗୁଣ୍ଡୁଗୁଣ୍ଡା କରିଦେଲେବି ସେ ଲମ୍ବ ହୋଇପାରିବ ନାହିଁ । ମା ଯେତେବେଳେ ପଚାରୁଛନ୍ତି—ଝିଅର ଛବି କେବେ ଆସୁଛି ବାପା ! —ତେତେବେଳେ ଛାଁକୁ ଛାଁ ମନଟା କାହିଁକି ଭଉଣୀର ଗୌରବ କଥା ଶୁଣିଲାବେଳକୁ କେମିତି କଅଣ ଗୋଳମାଳିଆ ହୋଇଯାଉଚି । ମାଳା କଟକ ନଆସି କଲିକତାରେ ହିଁ ରହୁଛି । ପୁଅକୁ ନେଇ ଶାନ୍ତିନିକେତନରେ ପଢ଼ାଉଛି । ଶୁଣାଯାଉଛି ଯଥେଷ୍ଟ ପଇସା ସେ ଉପାର୍ଜନ କରୁଚି । ମାଳା, ମଣିମାଳା, ବୈଦ୍ୟନାଥଙ୍କ ସାନ ଭଉଣୀ ହୋଇ ଆଜି ସେ ନାହିଁ । ସେ ଆଜି ବଡ଼ଲୋକ । ଅତି ବଡ଼ଲୋକ । ମନେମନେ ଭାବନ୍ତି ବୈଦ୍ୟନାଥ—ମୋର ଆଜି ଅଭାବ ବଢ଼ି ଚାଲିଚି । ଭାଇ ଆଉ ଭଉଣୀ । ଭଉଣୀ ପାଖକୁ ଯାଇ କହିଲେ ହୁଏତ ସେ ସାହାଯ୍ୟ କରନ୍ତା !

 

‘‘କିନ୍ତୁ’’—ବୈଦ୍ୟନାଥଙ୍କ ମନଟା ଘୂରିପଡ଼େ ସାମାନ୍ୟ କେତୋଟି ବର୍ଷ ପଛକୁ । ମାଳାର ସ୍ୱାମୀ ବିଜୟକୃଷ୍ଣ—ତା’ରି ଭିଣୋଇ । ରୋଗରେ ପଡ଼ିଲେ । ଭଉଣୀ ଅତିରିକ୍ତ ଅଭାବରେ ପଡ଼ି କାଳୁବାଲୁ ହେଲା । ଅନ୍ୟର ସାହାଯ୍ୟ ନେଇ କଲିକତା ପଳେଇଲା । ସେହିଠାରେ ସ୍ୱାମୀକୁ ହରାଇ ବିଧବା ହେଲା । ଅନାଥ ହୋଇ ଅନ୍ୟର ଆଶ୍ରୟ ନେଲା । କେତେବେଳେ ତ ବୈଦ୍ୟନାଥ ତା’ ପାଖରେ ଛିଡ଼ା ହୋଇନାହାନ୍ତି ! ତାକୁ ପଦେ ଆହା କରିନାହାନ୍ତି । ଏତେବଡ଼ ଅନାଥ ଭଣଜାଟିକୁ ପାଖକୁ ଘେନି ଆସି ନାହାନ୍ତି ! ସଂସାରରେ ସାମାନ୍ୟ ଦୁର୍ବଳା ଅବଳା ଭଉଣୀଟି ସମାଜର ଶତ ଲାଞ୍ଛନା ଓ ଅବମାନନା ପ୍ରତି ଭ୍ରୂକ୍ଷେପ ନକରି ସମ୍ପୂର୍ଣ୍ଣ ଜଣେ ପରର ଆଶ୍ରୟ ଘେନି ନିଜ ଗୋଡ଼ରେ ଛିଡ଼ା ହୋଇଚି । ଆଜି ବୈଦ୍ୟନାଥ ଭାବୁଚି ନିଜର ଅଭାବବେଳକୁ ତାଆରି ପାଖରେ ହାତ ପତାଇବ ? ଭାଇ ଭଉଣୀ ଦିଓଟି ଭିତରୁ ବାପା ଭାଇଟି ହାତରେ ଦେଇଯାଇଚନ୍ତି ନିଜର ସଞ୍ଚୟତକ । ବି.ଏ.ବି.ଏଲ୍‍. ପଢ଼ାଇ ଦେଇଯାଇଛନ୍ତି ବିଦ୍ୟାରେ, ମାତ୍ର ନିଜର ଉଦ୍ୟମ ଓ ଯୋଗ୍ୟତା ଅଭାବରୁ ସେ ଆଜି ଅପଦାର୍ଥ ଓ ଅଭାବଗ୍ରସ୍ତ ।

 

ମାଆ ପଚାରନ୍ତି—କେବେ ଆସୁଛି ବାପ ମଣିଷର ଛବିଟା ? ମୁଁ ଟିକେ ତାକୁ ଦେଖିଯିବି ।

 

ବୈଦ୍ୟନାଥ ଭାବେ—ମଣି ଯେତେବେଳେ ରୁଗ୍‍ଣ ସ୍ୱାମୀ ଏବଂ ଅନାଥ ସନ୍ତାନଟିକୁ ଧରି ନିତାନ୍ତ ଅନାଥାପରି ଦାଣ୍ଡକୁ ଗୋଡ଼ କାଢ଼ିଲା, ସେତେବେଳେ ମାଆତ ଏମିତି ଜିଗର ଧରି ନଥିଲେ । ସେତେବେଳେ—ଦେଲା ନାରୀ, ହେଲା ପାରି । ଆଉ ଏତେବେଳେ ମୋ ଝିଅ, ମୋ ମାଳା, ମୋ ମଣି ! କାହିଁକିନା ଦୁନିଆ ଆଜି ମାଳାର ବାହା ବାହା କରୁଛି; ତା’ର ଛବିଟାକୁ ଦେଖି ଆନନ୍ଦଲାଭ କରିବା ପାଇଁ ବ୍ୟଗ୍ରତା ପ୍ରକାଶ କରୁଛି । ଅତି ଅଭାବ ଏବଂ ଅତିରିକ୍ତ ଅସୁବିଧା ଭିତରେ ମଣିମାଳା ଭାଇ ପାଖକୁ କାକୁତି ଜଣାଇ କେତେ ଚିଠି ନଲେଖିଛି ! ଥରେ ଆସିବାକୁ କେତେ ତା’ର ମିନତି; କିନ୍ତୁ ଯାଇଥିଲାକି ବୈଦ୍ୟନାଥ ? ଆଜି ବୈଦ୍ୟନାଥ ମନଟାକୁ ବଳାତ୍କାର କରୁଛି ଚାଲ ଥରେ କଲିକତା । ମାଳା ହାତରେ ବର୍ତ୍ତମାନ ପଇସା ହୋଇଛି, ସେ ଧନୀ ଓ ମାନୀ ।

 

ମାନୀ ! ମାଳା ଆଜି ସମ୍ମାନ ଅର୍ଜନ କରିଛି ? କରିଚି କେଉଁ ବାଟ ଦେଇ ସେ କଥାଟିକି ଆଜିତ ବୈଦ୍ୟନାଥ ଭାବୁ ନାହିଁ । ମାଳା ହାତକୁ ଆଜି ଧନ ଆସିଚି । ଆସିଛି ପୁଣି କେଉଁ ବାଟ ଦେଇ ସେ କଥାଟି ଆଜିତ ବୈଦ୍ୟନାଥର ଚିନ୍ତା ଭିତରେ ସ୍ଥାନ ପାଉନାହିଁ । ଲୋକର ହାତକୁ ଧନ ଆସିଯିବା ପରେ କେଉଁବାଟେ ଆସିଗଲା ସେ କଥାତ କେହି ଆଲୋଚନା କରି ଦେଖନ୍ତି ନାହିଁ । ପାଖକୁ ଦୌଡ଼ିଯାଇ ଆତ୍ମିୟତା ଜନ୍ମାନ୍ତି, ହସିହସି ମିଶିବାକୁ ଚେଷ୍ଟା କରନ୍ତି । ସମସ୍ତେ ଆପଣାର ହୋଇଯାଆନ୍ତି ଏବଂ ଆପଣାର ବୋଲି ହୁରି ଛାଡ଼ନ୍ତି । ଶୂନ୍ୟ ହାତରେ ତୁମେ ଦାଣ୍ଡରେ ଛିଡ଼ା ହୋଇଯାଅ, ଚିହ୍ନିଲା ଲୋକେ ମୁହଁ ବୁଲାଇଦେଇ ଯିବେ । ଆପଣାର ଲୋକେ କବାଟ କିଳିଦେବେ-। ପୂର୍ଣ୍ଣ ହାତରେ ତୁମେ କବାଟ କିଳିଦିଅ—ଦେଖିବ ତୁମ ଦୁଆରେ ଲୋକଙ୍କ ଧାଉଡ଼ି–କିଏ ଡାକୁଥିବ ସଙ୍ଗାତ, କିଏ ଡାକୁଥିବ ମଇତ୍ର, କିଏ ଡାକୁଥିବ ବାପ, ଭାଇ ଓ କିଏ ଡାକୁଥିବ ମାଉସୀ, ଖୁଡ଼ୀ । ସବୁର ମୂଳ ହେଲା ପଇସା ।

 

ଆରେ ମଉସା, ଜଡ଼ ପଇସା ।

 

ତୁମ ହାତରେ ନଗଦ୍‍ ନାରାୟଣ ବିରାଜମାନ କଲେ ସମସ୍ତେ କହିବେ ମୋର ମୋର ।

 

ମଣିମାଳାର ବିପଦବେଳେ ବୈଦ୍ୟନାଥ ଦୁଆରେ ଠିଆ ହୋଇନାହାନ୍ତି । ସ୍ୱାମୀକୁ ଘେନି ସେ କଲିକତା ଗଲାପରେ ବୈଦ୍ୟନାଥ ଭାବିଲେ—ଯକ୍ଷ୍ମାରୋଗୀ ସ୍ୱାମୀ, ନିଶ୍ଚୟ ସେହିଠାରେ ମରିବ ! ସାନ ପିଲାଟିକି ଧରି ମାଆ ନିଶ୍ଚେ କଲିକତା ବଜାରରେ ଭିକ୍ଷା ମାଗି ବୁଲିବ-। ତେଣିକି ବିଜୟବାବୁଙ୍କ କଟକ କୋଠାଖଣ୍ଡକ ହାତମୁଠା ଭିତରକୁ ଆସିଯିବ । ଛକ ରାସ୍ତାଉପରେ ଘରଖଣ୍ଡକ । ଓକିଲାତି ବ୍ୟବସାୟକୁ ଖାସା ସ୍ଥାନଟିଏ । ନିଜର ସ୍ୱାର୍ଥ ଦୃଷ୍ଟିରୁ ସେତେବେଳେ ବୈଦ୍ୟନାଥ ମନେମନେ ବିଭିନ୍ନ ପ୍ରକାରର ମସୁଧା କରୁଥିଲେ । କିନ୍ତୁ ଆଜି ଦେଖିଲେ ସେତକ ସମ୍ଭବ ହେଲାନାହିଁ । ମଣିଷ ପାଞ୍ଚେ ଏକ—ଦେବତା ପାଞ୍ଚେ ଆନ । ସୃଷ୍ଟିର ଆଦିକାଳରୁ ମଣିଷକୁ ନିର୍ମୂଳ କରି ଶେଷକରି ଦେବାଲାଗି ମଣିଷହିଁ ଲାଗିପଡ଼ିଛି । ଭାଇକି ଭାଇ ମାରୁଛି, ବାପକୁ ପୁଅ ମାରୁଛି, ପୁଅକୁ ବାପ ମାରୁଛି । ଗୋଟିଏ ଦଳକୁ ଆଉ ଗୋଟିଏ ଦଳ ଆକ୍ରମଣ କରୁଛି, ଗୋଟିଏ ରାଜ୍ୟ ଉପରେ ଆଉ ଗୋଟିଏ ରାଜ୍ୟ ଚଢ଼ାଉ କରୁଚି । ତଥାପି ମଣିଷ ବଞ୍ଚିରହିଛି ଏବଂ ସଂଖ୍ୟା ବୃଦ୍ଧି କରିଚାଲିଛି । ଆମର ଏଇ ଦେଶ ଉପରେ ହଜାର ହଜାର ବର୍ଷଧରି କେତେ ବିଦେଶୀ ଆସି ଲୋକକ୍ଷୟ କରିଚାଲିଛନ୍ତି, ତଥାପି ଭାରତ ଅଛି, ଭାରତବାସୀ ଅଛନ୍ତି ଏବଂ ଭାରତର ଜନସଂଖ୍ୟା ବଢ଼ିଚାଲିଛି । ମଣିଷ ସହଜେ ମରି ଶେଷ ହୁଏନାହିଁ । ଦୂବଘାସ ନିର୍ମୂଳ ହୁଏନାହିଁ ।

 

ବୈଦ୍ୟନାଥର ହଜାର କଳ୍ପନା ଜଳ୍ପନାକୁ ଉପେକ୍ଷା କରି ମଣିମାଳା ଆଜି ମଣିଷ ହେଲା-। ତାରି ହାତରେ ପ୍ରଚୁର ଧନ ଆସି ଠୁଳହେଲା । ବୈଦ୍ୟନାଥ ଆଜି ମନେମନେ ବିଚାରିଛି ତା’ରି ପାଖକୁ ଯାଇ କହିବ—ମାଳା ! ଭଗବାନ ତୋର ମଙ୍ଗଳ କରନ୍ତୁ । ଅଧିକରୁ ଅଧିକ ତୋ ଧନ ମାନ ଯଶ ବଢ଼ିଯାଉ । ତୁତ କଲିକତାରେ ରହୁଚୁ, କଟକଘରଟା ତୋର ଖାଲି ପଡ଼ିଛି-। ମୁଁ ସେଠି ବ୍ୟବସାୟ କରୁଥାଏ । ଯେତେବେଳେ ତୋର ଦରକାର ହେବ ଛାଡ଼ିଦେବି ଯେ ।

 

ମଣିଷ ଦିଗୋଡ଼ିଆ ଦୋ ମୁହାଁ । ଜୀବନ—ଦିମୁଣ୍ଡିଆ ସାପ । ଦରକାର ପଡ଼ିଲେ ଆଗକୁ ଚାଲିଲା, ଦରକାରବେଳେ ପଛକୁ ବି ଚାଲିଲା । କିନ୍ତୁ ଆଗ ହେଉ ପଛ ହେଉ, ଚାଲିବା ପଛରେ ଗୋଟାଏ ଅତି ବିଷାକ୍ତ ଓ ମାରାତ୍ମକ ଜିନିଷ ଲୁଚି ରହିଛି । ତାହା ହେଉଛି—ସ୍ୱାର୍ଥ । ସେ ହସି ହସି କଥା କହୁ ବା କାନ୍ଦି କାନ୍ଦି କାକୁତି ମିନତିର ଛଳନା କରୁଥାଉ—ଦି’ଫାଳିଆ ଜିଭଟା ତା’ର ଭିତରେ ଭିତରେ ଲହଲହ ହେଉଥିବାର କଥାଟି ସାର ।

 

କେବେ ଆସୁଛି ମାଳାର ଛବି ବୈଦ୍ୟନାଥ !

 

ମା ବ୍ୟଗ୍ରହୋଇ ପଚାରୁଚନ୍ତି । ମାଆର ମନ ଦୋସରା । ସ୍ୱାମୀ ମଲା ପରେ ପୁଅବୋହୂଙ୍କ ବାହୁଛାୟା ତଳେ ନିଜତ୍ୱ ହରାଇ ସେ ଆଶ୍ରୟ ଗ୍ରହଣ କରିଚନ୍ତି । ଝିଅ ଜ୍ୱାଇଁଙ୍କପାଇଁ ମନ ଭିତର ଯେତେ ଛଟପଟ ହେଲେବି ପୁଅବୋହୂଙ୍କ ଅନିଚ୍ଛା ସତ୍ତ୍ୱେ ଚାଲିଯାଇ ଦେଖି ଆସିବାକୁ ସାହସ ହୋଇନାହିଁ । ବିଜୟବାବୁ ବେମାର ପଡିଥିଲାବେଳେ ବୋହୂ ଶୁଣାଇଦେଲେ—ମା ! ସେ ତ ରାଜକାଶରେ ପଡ଼ିଚନ୍ତି, ତାଙ୍କ ଭିଟା ମାଡ଼ିବା ବିପଦ । ଯେବେ ଯିବ ତେବେ ସେଇଠି ରହିବ । ଛୁଆପିଲା ନେଇ ମୁଁ ଘର କରୁଛି । ଅସାଧ୍ୟରୋଗର ଜୀବାଣୁ ଆମଘରକୁ ଘେନି ଫେରିଆସିବ, ସେତକ ମୁଁ କରାଇ ଦେଇ ପାରିବିନାହିଁ ।

 

ଜୋଇଁ ମଲେ । ଝିଅ କଲିକତାରେ ରହିଗଲା । ଆଉ ତା’ର ଖବର ଅନ୍ତର କିଛି ଆସିଲା ନାହିଁ । କାନ୍ଦିକାଟି ମନେମନେ ମନକୁ ମାରି ଧୀରେ ଧୀରେ ଝିଅ ଆଉ ନାତିଟି କଥା ସେ ପାସୋରିଲେ । ଅକର୍ତ୍ତବ୍ୟ ଲୋକର ଅନ୍ୟ ଉପାୟ କଅଣ ଅଛି ? ଏବେବି କିନ୍ତୁ ଅନ୍ୟ ପ୍ରକାରର ଚିନ୍ତା । ସହରସାରା ଚାରିଆଡ଼େ ଝିଅଟିର ପ୍ରଶଂସା ଶୁଣାଯାଉଚି । ତାରି ଛବିଟା ଆସିଯାଉଚି । ହଜାର ହଜାର ଲୋକେ ଦେଖିବାକୁ ଯିବେ । ମାଆର ମନ ବ୍ୟାକୁଳ ହୋଇ ଉଠୁଚି, ଥରେ ହେଲେ ଯାଇ ଦେଖିଆସିବ ବୋଲି । ନାଚରେ ମିଶୁ ବା ଡ୍ରାମାରେ ମିଶୁ, ଅଥବା ବାଇସ୍କୋପରେ ଛବି ଦଉ–ଝିଅ ତ ! ଜନ୍ମ କରିଛନ୍ତି, ଦଶମାସ ପେଟରେ ଧରିଚନ୍ତି । ଆପଣା ନାହିକୁ କାଟି ଦିଖଣ୍ଡ କରିଚନ୍ତି-। କୋଳରେ କାଖରେ ବଢ଼ାଇଚନ୍ତି । ମା, ଆଉ ଛୁଆ । ଭଲହେଉ ମନ୍ଦହେଉ, ମାଆର ଛୁଆ-। ଆପଣାର ପ୍ରତିରୂପ, ଆପଣାର ଅବତାର । ମନ ପର କରିଦେବ କେମିତି ?

ହେ ବୈଦ୍ୟନାଥ ! ହେ ବୋହୂ ! ମୋ ମଣିର ଚିତ୍ର କେବେ କଟକ ଆସିବ ?

କାଲି-ପରି ।

କାଆଲି ପରି ?

ମାଆର ଛାତି ଦୁଲ୍‍ ଦୁଲ୍‍ କମ୍ପିଉଠିଲା । ଜୀବନ୍ତ ମଣିମାଳା ନୁହଁ । ଚିତ୍ରର ମଣିମାଳା କାଲି ପରି ଆସିବ । ରୁପେଲି ପରଦା ଉପରେ ଖେଳିବ, ବୁଲିବ, କଥାକହିବ, ଗୀତ ବୋଲିବ, ହସିବ, କାନ୍ଦିବ । ସତ-ର ମଣିମାଳା ଆସିବ ନାହିଁ, ମିଛର ମଣିମାଳା ଆସିବ । ଛାୟାଛବିରେ କାୟାର ମାୟା ମାତ୍ର । ତା’ର ମାୟା ତ କମ୍‍ ନୁହେଁ । ମାଆର ମନ ବ୍ୟାକୁଳ ହୋଇ ଉଠୁଚି । ଗୋଟିଏ କି ଯୋଡ଼ିଏ ରାତି ମାଆକୁ ନିଦ ହେଲା ନାହିଁ । ମନଟା ଛଟପଟ ହେଉଚି ସଦାବେଳେ ।

ଛବିଟା ସତରେ ଆସିବଟି କି ? ନା ମତେ ଭଣ୍ଡୁଚ ?

ସତରେ ସତରେ.....ସତରେ ଆସୁଚି ମା !

କହିଲାବେଳକୁ ବିରକ୍ତ ହୋଇଉଠୁଚନ୍ତି ଶଶିକଳା । ମନଭିତରେ ତାଙ୍କର କେତେ ପ୍ରକାରର ଦ୍ଵନ୍ଦ୍ଵ—ଅଭିନେତ୍ରୀ ମାଳାପ୍ରତି ମନେମନେ ଘୃଣା । ଆଜିଯାକେ ସ-ସନ୍ତାନା ମାଳା ବଞ୍ଚିରହି ସ୍ୱାମୀ-ସ୍ତ୍ରୀଙ୍କର କଳ୍ପନା ଜଳ୍ପନା ପଣ୍ଡ କରିଦେଲା । ଏଥିଲାଗି ଭିତରେ ଭିତରେ ହିଂସା ଓ ରାଗ । ଚିତ୍ର ତାରକା ମଣିମାଳାର ଯଶଃ ଗୌରବ ଶୁଣି ଶୁଣି ଦେହ ସହୁ ନାହିଁ, ବିଷେଇ ଉଠୁଛି । ଅନାଥା ମାଳା ହାତରେ ଆଜି ହଜାର ହଜାର ଟଙ୍କା ଜମିଯାଇଚି । ଭାବିଲାବେଳକୁ ମନଭିତରେ ପରଶ୍ରୀକାତରତା ଜାଗିଉଠୁଚି । ମଣିଷର ମନ ଆଉ ଗୋଟାଏ ମଣିଷକୁ ଦେଖିଲେ ବିଭିନ୍ନ ଦିଗରୁ ଦେଖିବାକୁ ଚେଷ୍ଟା କରେ । ଗୋଟାଏ ମଣିଷ ଭିତରେ ସେ ଖୋଜିବୁଲେ, ବିଭିନ୍ନ ପ୍ରକାରର କେତୁଟା ମଣିଷ ଲୁଚି ରହିଚନ୍ତି ପରଖି ଦେଖିବାପାଇଁ । ସନ୍ଦେହ ? ମନ ଘେନି ମନିଷଗଢ଼ା ହିଂସାଦ୍ୱେଷ, ପରଶ୍ରୀକାତରତା ଓ ସ୍ୱାର୍ଥପରତାର ପଶୁଗୁଡ଼ିଏ ତା’ ଭିତରେ ସଦାବେଳେ ଘୂରି ବୁଲୁଚନ୍ତି । ସେଗୁଡ଼ିକୁ ମାରି ଘଉଡ଼ାଉଦେଇ ଯାହା ଭିତରେ ସଚ୍ଚା ମଣିଷପଣିଆ ଟିକକ ଅନିଭା ଦୀପଟିକୁ ଧରି ଜାଗର ଜାଳି ବସିଚି, ସେଇ ହେଲା ଏ ଦୁନିଆରେ ଦେବତାଟିଏ । ତାକୁ ଦେଖିଲେ ସ୍ୱତଃ ଆନନ୍ଦ ଜାତହୁଏ ଏବଂ କାହାକୁ ଗୋଟିଏ ଦେଖିଲେ ତା’ ମନରେ ସ୍ୱତଃ ଆନନ୍ଦ ଜାତ ହୋଇଯାଏ । ସେଇ ଏକା ଦିନେ ଦୁନିଆ ଲୋକଙ୍କ ଉଦ୍ଦେଶ୍ୟରେ ଉଚ୍ଚାରି ଉଠିଥିଲା—

ସର୍ବେ ସୁଖୀନୋ ଭବନ୍ତୁ

ସର୍ବେ ସନ୍ତୁ ନିରାମୟା

ସର୍ବେ ପଶ୍ୟନ୍ତୁ ଭଦ୍ରାଣି

ମା କଶ୍ଚିତ୍‍ ଦୁଃଖ ଭାଗ ଭବେତ୍‍ ।

 

ସେ ଦେବ-ମାନବ ଆଜି ଅନ୍ତର୍ଦ୍ଧାନ ହୋଇଯାଇଚି । ଦୁନିଆଟା ସାରା ପଶୁ-ମାନବରେ ପୂରିଗଲାଣି । ମାରମାର, ଧରଧର, ହାଣ, କାଟ, ଗୁଳିକର, ବୋମା ଫୁଟାଅ, ଆଣବିକ ବୋମା, କ୍ଷେପଣାସ୍ତ୍ର ମୁହୂର୍ତ୍ତକେ ଗୋଟାଏ ଗୋଟାଏ ଦେଶ ଧ୍ୱଂସ କରିଦିଅ । ଛି, ଛି, ଛି, ଛି; ମଣିଷ ଆଜି କୁଆଡ଼େ ଗଲାରେ ! ପଶୁବଳ ଘେନି ଅଜ୍ଞାନ ହୋଇ ପଡ଼ିଲେଣି ସମସ୍ତେ । ବିଜ୍ଞାନ ବିଜ୍ଞାନ ବୋଲି ଯାହାକୁ ପାଇଚନ୍ତି ତାକୁ ବ୍ୟବହାର କରି ଚାଲିଚନ୍ତି ମଣିଷ ଧ୍ୱଂସ ଉଦ୍ଦେଶ୍ୟରେ । ବିଜ୍ଞାନରୁ ଏଇଆ କଅଣ ଶିକ୍ଷା ପାଇଲା ମାନବ ଜାତି ? ପଶୁର ଶକ୍ତି ଘେନି ନିଜକୁ ମାନବ ବୋଲାଇବା ପାଇଁ ତେବେ ଇଛୁକ କାହିଁକି ?

 

ଛବିଟା ଆସିଲା । ସହରରେ ଚହଳ ପକାଇଦେଲା । ଏଇ ସହରର ଝିଅଟିଏ, ପୁଣି ଏଇ ସହରର ବୋହୂ । ବୋହୂବେଳେ ମୁଣ୍ଡରେ ଓଢ଼ଣା, ଘରେ ପରଦା । ଛବିରେ ପୁଣି ଏମିତି ବେପରଦା ହୋଇ କାହା ସାଙ୍ଗରେ ହସିଖେଳି, ଆଖି ମିଟିକା ମାରି ସତରେ ଆପଣାର ଲୋକ ପରି ଅଭିନୟ କରିଚାଲିଛି । ଛବିଟା ଜୀବନ୍ତ ହୋଇଚି ସତ; ମାତ୍ର ସତ-ର ମଣିଷଟାର ଦଶା କଅଣ ହେଲା ? ମଣିଷ ହୋଇ ରହିଲା ନା ଅମଣିଷ ହୋଇଗଲା ? ନିଜର ଗୁରୁ ଗୌରବ ଓ କୁଳ ଗୌରବ ମୁହଁରେ ଚୂନକଳା ବୋଳି ଦାଣ୍ଡରେ ଛାଡ଼ିଦେଇ କଳା କଳା (Art, Art) ହୋଇ ବୁଲୁଚି ମଣିମାଳା ? ଏଇ ଗାଆଁର ଝିଅ ?

 

ଏଇ ଗାଆଁର ପୁଏ କହନ୍ତି—ସୁନ୍ଦର ଅଭିନୟ କରିଛି ମଣିମାଳା । ଚମତ୍କାର ! ଏଇ ଗାଁର ପୁଅ ପଚାରନ୍ତି—ଆଜି ସମାଜ କହୁଚି ମାଳା ସମାଜ ମୁହଁରେ କାଳି ବୋଳିଲା ବୋଲି, କିନ୍ତୁ ରୁଗ୍‍ଣ ସ୍ୱାମୀକୁ ଘେନି ଚିକିତ୍ସା କରାଇବା ପାଇଁ ଶୂନ୍ୟ ହାତରେ ଯେତେବେଳେ ସେ କଳିକତାକୁ ଗୋଡ଼ କାଢ଼ିଲା—ସେତେବେଳେ ଏଇ ଗାଁ, ଏଇ ସମାଜର କେହିତ କହିଲା ନାହିଁ—କୁଆଡ଼େ ଯାଉଛୁ ମା ! ଆ, ମୁଁ ସାହାପକ୍ଷ ହେବି । ଦାଣ୍ଡକୁ ଗୋଡ଼ କାଢ଼ନା ।

 

ଛବିଟା ସୁନ୍ଦର ହୋଇଛି । ମା ବୁଢ଼ୀ ଆସି ଦିଥର ଦେଖିଗଲେଣି । ପ୍ରତିଥର କାନ୍ଦି କାନ୍ଦି ଯାଉଛନ୍ତି । ଶଶିକଳାକୁ ସଙ୍ଗରେ ଧରି ବୈଦ୍ୟନାଥ ଥରେ ଦିଥର ଆସିଲାଣି । ଦେଖିଯାଉଛି, ଦେଖିବାକୁ ଭଲ ଲାଗୁଚି । ନିଜର ଭଉଣୀ ସ୍ୱାମୀକୁ ହରାଇ ଅନ୍ୟଜଣକ ସାଙ୍ଗରେ ସ୍ୱାମୀ-ସ୍ତ୍ରୀ ପରି ଅଭିନୟ କରିଚାଲିଛି । ଦେଖିବାକୁ ଭଲ ଲାଗୁନାହିଁ, ଭାବିଲା ବେଳକୁ ଦେହ ସହୁନାହିଁ । କେତେ ଛଳରେ ଶଶିକଳା କଥାର କେଞ୍ଚମାରି ବୈଦ୍ୟନାଥଙ୍କ ବଂଶମର୍ଯ୍ୟାଦା ଉପରେ ଆଘାତ କରୁଚି । ସେଥିରେ ତା’ର ଆନନ୍ଦ । ଏ ଘରର କୁଳବଧୂ ହୋଇ ଆସିଛି ସେ; ସେଥିଲାଗି ତା’ର ପିତୃକୁଳକୁ ଲଜ୍ଜା ଓ ଅପମାନ । ସବୁକଥା ଶୁଣି ହଜମ କରି ନେଉଛି ବୈଦ୍ୟନାଥ । ମନଭିତରେ କିନ୍ତୁ ରହିରହି କିଏ ଯେମିତି କେତେ କେତେବେଳେ କହି ଯାଉଛି—କଲିକତା ଚାଲ; ଥରେ ତାକୁ ଦେଖି ଆସିବ-। ଯାହା କରୁନା କାହିଁକି, ସୁଖରେ ସେ ଅଛି । ବିଜୟ ବଞ୍ଚିଥିଲେ ସେ ଶାନ୍ତିପାଇ ନଥାନ୍ତା-। ଯାହା ସେ କରୁ, ଯାହା ପାଖରେ ଥାଉ ନା କାହିଁକି, ସେ ଆଜି ମଣିଷ ପରି ଚଳିବାର ସୁବିଧା କରିନେଇ ପାରିଛି । ନିଜର ହାତଟାଏ ତା’ର କଟିଗଲା ପରେ ନିଜକୁ ବଞ୍ଚାଇ ରଖି ଚଳାଇ ନେବାର ସୁବିଧା କରିବା ପାଇଁ ସେ କୃତ୍ରିମ ହାତଟାଏ ଲଗାଇ ନେଇଚି, ଏତିକି ତ ! ଭୁଲ କଅଣ କଲା ସେ-?

 

ନମସ୍କାର ବୈଦ୍ୟନାଥ ବାବୁ ! ଭାଉଜ କାହାନ୍ତି ?

 

ହାତରେ ଖଣ୍ଡେ ଭ୍ୟାନିଟି ବ୍ୟାଗ୍, ଦେହରେ ଦାମିକା ଶାଢ଼ି, ପାଦରେ ଦିପଟ ଫୁଲୁରି ଚପଲ । ଉଷସୀ ହସି ହସି ଘର ଭିତରକୁ ପଶି ଆସୁଛି—ନମସ୍କାର ଭାଇ !

 

ଭାଇ !

 

ବୈଦ୍ୟନାଥ ଟେବୁଲ ଉପରେ ମୁହଁ ଟେକି ଚାହିଁଲେ । ଦେଖିଲେ ଚିତ୍ର ତାରକା ଉଷା ।

 

ନମସ୍କାର ! ଆସ ଆସ, କୁଆଡେ କେମିତି ?

 

ଟେବୁଲ ଆରକଡ଼କୁ ଖଣ୍ଡେ ଚୌକି ଟାଣି ବସିପଡ଼ି ଉଷସୀ କହିବାକୁ ଆରମ୍ଭ କଲେ—ଭାଉଜ କାହାନ୍ତି ? ଟିକେ ଏମିତି ବୁଲାବୁଲି କରି ଆସିଛି । କନ୍‍ଗ୍ରାଚୁଲେସନ୍‍ ! ଆପଣଙ୍କ ଭଉଣୀ ମଣିମାଳାଙ୍କର ଚାରିଆଡ଼େ ଭୁରିଭୁରି ପ୍ରସଂଶା ରଟୁଛି । ମୁଁ ବି କାହିଁକି ସେଥିରେ କିଛି ଭାଗୀଦାର ହେବିନାହିଁ ? ଆପଣଙ୍କ ଜରିଆରେ ତାଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଆସିଚି । ଭାଉଜ ଭିତରେ ପରା ?

 

ଉଠିବାକୁ ଉଦ୍ୟତ ହେଲେ ଉଷା—ଭିତରକୁ ଯିବା ପାଇଁ; ମାତ୍ର ବୈଦ୍ୟନାଥ କହି ଉଠିଲେ—ବସନ୍ତୁ, ମୁଁ ଡାକୁଚି ।

 

ବୈଦ୍ୟନାଥ ଚାହିଁରହିଲେ ଉଷସୀଙ୍କ ମୁହଁ ଆଡ଼କୁ । ଆଖିଦିଟା ନାଚୁଛି । ମୁହଁରେ କୃତ୍ରିମତା ଓ ଛଳନାର ପ୍ରଚ୍ଛନ୍ନ ଛବି ଲୁଚି ଲୁଚି ଲୁଚୁକାଳି ଖେଳିଯାଉଚି । ସହର ତମାମ ତାଙ୍କର ନିନ୍ଦା, କୁତ୍ସା । ଏବେବି ଉଷସୀ କୁମାରୀ ରହିଯାଇଛନ୍ତି । କୁଷ୍ଠରୋଗୀ ଭଲଲୋକ ସହିତ ମିଶିବାକୁ ଭଲପାଏ । ଭଲ ଲୋକଙ୍କଠାରେ କୁଷ୍ଠରୋଗ ହେବାର ଦେଖିଲେ ମନେମନେ ସନ୍ତୋଷ ଲାଭ କରେ । କଳଙ୍କିନୀ ଅନ୍ୟଠାରେ କଳଙ୍କ ଦେଖିଲେ ଆଶ୍ଵସ୍ତ ହୋଇଥାଏ । ବୈଦ୍ୟନାଥଙ୍କ ଭଉଣୀ ଆଜି ତାରି ବାଟ ଧରିଛନ୍ତି, ଏଇ ସୁ-ଖବରଟା ଖୋଦ୍‍ ବୈଦ୍ୟନାଥଙ୍କ ନିକଟରେ ପ୍ରଚାର କରିଦେଇ ବୈଦ୍ୟନାଥଙ୍କ ପରିବାରର ଗୌରବ-ଗାରିମାରେ ଶକ୍ତ କେଞ୍ଚାଟାଏ ମାରି ବାଟେ ବାଟେ ହସି ହସି ମୁଣ୍ଡଟେକି ସଦର୍ପରେ ଚାଲିଯିବା ଲାଗି ସେ ଆସିଛନ୍ତି । ଆଉ ଆସିଛନ୍ତି ପରୋକ୍ଷରେ ବୈଦ୍ୟନାଥ ନିକଟରେ ତାଙ୍କ ଭଉଣୀଙ୍କୁ ଧନ୍ୟବାଦ ଦେବା ଛଳରେ କୁତ୍ସାଗାନ କରିଯିବା ଲାଗି । ଉଷାସୀ ଏବେବି ଅବିବାହିତା । କହିଲେ—ଚାଲାନ୍ତୁନା ଆଜି ସାଙ୍ଗ ହୋଇ ଛବିଟା ଦେଖି ଆସିବା । ଭାଉଜ ଯିବେ, ଆପଣ ଯିବେ, ମୁଁ ବି ଯିବି । ଟେକ୍‍ନିକରେ କେଉଁଠାରେ କଅଣ ରହିଯାଉଛି ହୁଏତ ମୁଁ ଟିକେ ବୁଝାଇ ଦେବି । ଛବିଟା ଅନେକଥର ମୁଁ ଦେଖି ଆସିଲିଣି । ମାଳା ନିଜର ପ୍ରଣୟୀକୁ ଦେଖି ଆଖି ମିଟିକା ମାରିଚନ୍ତି, ତାଙ୍କ ବାହୁ ଉପରେ ଢଳିପଡ଼ିଚନ୍ତି । ଗୀତ ଗାଇ ତାଙ୍କୁ ମୁଗ୍ଧ କରିପକାଇଚନ୍ତି । ଏଗୁଡ଼ିକ ଅତି ଶସ୍ତା ଏବଂ ଯୁବ-ପ୍ରାଣକୁ ନିଶା ଖୁଆଇ ମତ୍ତ କରିଦିଏ । ସେଥିଲାଗି ସହରସାରା ବାହା ବାହା ପଡ଼ିଯାଇଛି । କିନ୍ତୁ ଏ ଦେଶରେ ଛବିର ଟେକ୍‍ନିକ୍‍ ବୁଝନ୍ତି କେତେଜଣ ? ଆଉ ଡାଇରେକ୍ଟର ହିସାବରେ ମଦନବାବୁଙ୍କର ସ୍ଥାନ କେତେ ତଳେ ତା’ ଆପଣମାନେ ଜାଣନ୍ତି ନାହିଁ ।

 

ବୈଦ୍ୟନାଥ ଚାହିଁଚନ୍ତି ଏବଂ ହସୁଚନ୍ତି । ମନେମନେ ମାପିନେଉଚନ୍ତି ଉଷସୀର ଦୌଡ଼ଟା କେତେଦୂର । ମଣିମାଳାର ନିନ୍ଦା କରିବାକୁ ସେ ଆସିଚି । ମଦନବାବୁଙ୍କର ହୀନତା ପ୍ରଚାର କରିବାକୁ ଆସିଚି । ଏ ଛବିଟା ଉଠିଲା ବେଳେ ଉଷା ମଦନବାବୁଙ୍କ ପାଖକୁ ବାରମ୍ବାର ଦୌଡ଼ିଥିଲା—ସ୍ଥାନ ଦେବା ପାଇଁ । ମଦନବାବୁ ପ୍ରତ୍ୟାଖ୍ୟାନ କରିଚନ୍ତି । ସେଇ ରାଗଟା ମନେମନେ ଆଜିଯାକେ କୁହୁଳୁଥିଲା । ଉଷା ଆଜି ଅଭିଯାନ ଚଳାଇଚି ତାଙ୍କରି ନିନ୍ଦା କରି ବୁଲିବା ଲାଗି ।

Unknown

 

ମୁଁ ଗୋଟିଏ ନୂଆ ଛବିରେ ଅଭିନେତ୍ରୀ ହେବାପାଇଁ କଣ୍ଟ୍ରାକ୍ଟ କରି ସାରିଲିଣି ବୈଦ୍ୟନାଥବାବୁ ! ମୋଟା ଟଙ୍କା ମିଳିବ । ଏଥର ମଦନବାବୁ ଡାକିଲେ ସଫା ସଫା ଜବାବ ଦେଇ ଦେବି । ଛବିଟା ମୁକ୍ତିପାଉ, ଦେଖିବେ କେଡ଼େ ଚମତ୍କାର ହେବ

 

ବୈଦ୍ୟନାଥବାବୁ ମୃଦୁ ମୃଦୁ ହସୁଚନ୍ତି ।

 

-୯-

 

କଳିକତାଯାକେ ଦୌଡ଼ି ଆସିଚନ୍ତି କୁମାରୀ ଉଷସୀ ଦେବୀ । ମାଳା ଦେଖିଲା ସ୍ୱାମୀଙ୍କ ସାଥିରେ ଅଭିନୟ କରିଥିଲେ ଏଇ ଉଷସୀ । କଲିକତା ଦୌଡ଼ି ଆସିଚନ୍ତି ଅଭିନନ୍ଦନ ଜଣାଇବା ପାଇଁ । ସଙ୍ଗରେ ଆସିଚନ୍ତି ବୈଦ୍ୟନାଥ । ଏକୁଟିଆ ଆସିବାକୁ ବୈଦ୍ୟନାଥଙ୍କର ସାହସ ହେଲା ନାହିଁ । ଉଷସୀ ସେଥିଲାଗି ବାଟ କରିଚନ୍ତି । କହିଲେ—ମୁଁ ନିଜେ ଜୋର୍‍ କରି ସଙ୍ଗରେ ଘେନି ଆସିଚି ମାଳା ଦେବି ! ଆପଣଙ୍କୁ ଦେଖିବା ପାଇଁ ମା କାନ୍ଦୁଚନ୍ତି.....ଭାଉଜ ବ୍ୟାକୁଳ ହେଉଚନ୍ତି । ଆପଣ କଅଣ ଘରକୁ ଆଉ ଯିବେ ନାହିଁ ? ଚିତ୍ର ଘେନି କଲିକତାରେ ହିଁ ରହିଯିବେ ? ଏଠି ଆପଣ ବିକ୍ରମବାବୁଙ୍କ ଘରେ ଅଟକି ଯାଇଚନ୍ତି । ତେଣେ ଶୁଣିଲି ବିକ୍ରମବାବୁଙ୍କ ସ୍ତ୍ରୀ ମହା ଖପ୍‍ପା ।

 

କେଞ୍ଚାଟା କେଉଁଠିକି ମରାଯାଉଚି ସେକଥା ମାଳା ଠିକ୍ ଠଉରେଇ ନେଲେ । ଟେକାଟାକୁ ଏମିତି ଭାବରେ କାହିଁକି ଆଜି ମାରିଚନ୍ତି ଉଷାଦେବୀ ତା’ ବି ସେ ଠିକ୍ ବୁଝିନେଲେ । ଉଷା ଚାହାନ୍ତି କୌଣସି ପ୍ରକାରେ ମାଳାକୁ ବିଦାୟ କରିଦେଲେ ମଦନବାବୁଙ୍କ ନଜର ଉପରେ ଏକମାତ୍ର ସେଇ ରହି ପାରିବେ । ତେଣିକି ତାଙ୍କ ଜରିଆରେ ବିକ୍ରମ କେଶରୀଙ୍କ କେଶର ତକ ନିଜ ହାତମୁଠା ଭିତରେ ଧରିନେଇ ପାରିଲେ ଟଙ୍କା କଉଡ଼ି, ମାନସମ୍ମାନ କୌଣସିକଥାରେ ଅଭାବ ରହିବ ନାହିଁ । ଗୋଟିଏ ଟେକାରେ ଦୁଇଟା ପକ୍ଷୀ ସ୍ଵଚ୍ଛନ୍ଦରେ ମାରିହେବ । କିନ୍ତୁ ତାଙ୍କ ଘରକୁ ଆଜି ଅତିଥି ରୂପେ ଉଷା ଆସିଚନ୍ତି । ସଙ୍ଗରେ ପୁଣି ବୈଦ୍ୟନାଥ ଭାଇ । ଏତେବେଳେ ଏସବୁ କଥା ଘେନି ଘଣ୍ଟାଚକଟା କରିବା ଠିକ୍ ନୁହେଁ । କହିଲେ—

 

ରାତି ଅନିଦ୍ରା ହୋଇ ଆସିଚନ୍ତି । ବିଶ୍ରାମ ନିଅନ୍ତୁ, ପରେ କଥାବାର୍ତ୍ତା ହେବା ! ଅନେକ ଦିନପରେ ଭାଇ ଆସିଚନ୍ତି, ଅନେକ ଝଡ଼ ଝଞ୍ଜାର ଅବସାନ ପରେ । ମଣିମାଳା କଅଣ ବଞ୍ଚିଚି ଏ ଦୁନିଆରେ ? ଜୀବିତ ଅଛି ?

 

ତଳକୁ ଆଖିଫେରାଇଲେ ବୈଦ୍ୟନାଥ । ଭଉଣୀ ଆଜି ଶକତ୍‍ କେଞ୍ଚାଟାଏ ମାରିଦେଲା-। ମାରିବାର କଥା ଏକା । ନିତାନ୍ତ ଅସମୟରେ ଯେଉଁ ଭାଇ ପଚାରି ନାହିଁ ସେ ପୁଣି ଆଜି ଏ ସୁସମୟରେ କାହିଁକି ? ଯାହାର ନାହିଁ ତା’ର ମନରେ ଏଇ ସନ୍ଦେହଟି ଜାତ ହେବହିଁ ହେବ-। ମଣିମାଳା ବଡ଼ଲୋକ ହୋଇଯାଇଚି । ତା’ର ବେଶଭୂଷା ଓ ଅଳଙ୍କାରପତ୍ର ଦେଖିଲେ ଯେ କେହି ତା’ର ପରିଚୟ ପାଇଯିବ । ବିଧବାର ନଗ୍ନତା ତା’ ନିକଟରେ କିଛି ମାତ୍ର ନାହିଁ । ସେ ଚଳଚ୍ଚିତ୍ରର ତାରକା । ବୈଦ୍ୟନାଥ ତା’ ନିକଟରେ ନିଜର ଭଉଣୀଟିକୁ ଖୋଜି ପାଉନାହାନ୍ତି । ସେ ଆବାକାବା ହୋଇ ଏଣେତେଣେ ଏକୁଟିଆ ଠିଆହୋଇ ଭାବି ହେଉଚନ୍ତି କେବଳ । ବିକ୍ରମବାବୁଙ୍କର ଏତେ ବଡ଼ ଘରଟାର ସର୍ବମୟ କର୍ତ୍ତ୍ରୀ ଆଜି ମଣିମାଳା । ଉଷା ତା’ ନିକଟରେ କେତେ ସାମାନ୍ୟ-। ଟେଳାଟା ପାହାଡ଼ଟା ଦିହରେ ପଡ଼ିଲା ପରି ନିଜେ ନିଜେ ଚୂନା ହୋଇଗଲା । ଦାସୀଟିଏ, ଚାକର ଦୁଇଟି, ପୂଜାରିଟି ଆସି ମାଆ ମାଆ କହି ଆଜ୍ଞାକୁ ଅପେକ୍ଷା କରି ରହିଚନ୍ତି । ଦେଖି ଦେଖି ବୈଦ୍ୟନାଥର ପାଟି ତୁଣ୍ଡ ଫିଟୁନାହିଁ । ଉଷାଙ୍କ ଆଖି ଜଳକା ହୋଇ ଯାଉଚି । ମଣିମାଳାର ଖଟ ପଲଙ୍କ, ଚୌକି ଟେବୁଲ, ଆସବପତ୍ର, ଦାମୀ ପରଦା, ଦାମିକା ଗାଲିଚା ଆଡ଼କୁ ଚାହିଁଦେଲାବେଳକୁ ଡର ମାଡ଼ୁଚି ପାଟି ଫିଟାଇ ପଦେ କଥା କହିବା ପାଇଁ । ଉଷା ଆଉ ବୈଦ୍ୟନାଥ ମନେମନେ ସଂକୁଚିତ ହୋଇ ପଡ଼ୁଚନ୍ତି ।

 

ଟେବୁଲ ଉପରେ ଫୋନ୍, ପ୍ରତି ପାଞ୍ଚ ମିନିଟିରେ କିଏ ଡାକୁଚି—ଟ୍ରିଂ ଟ୍ରିଂ ଟ୍ରିଂ ଟ୍ରିଂ ।

 

ହାଲଲୋ ?

 

କିଏ କହୁଚନ୍ତି ?

 

ଆପଣ ? ଆଚ୍ଛା ଆଚ୍ଛା ।

 

ବିକ୍ରମବାବୁ ଘରେ ନାହାନ୍ତି ।

 

ହଁ, ହଁ, ଆଜି ଉପରଓଳି ।

 

ହଁ, ଉପରଓଳି ।

 

ପ୍ରସ୍ତୁତ ହୋଇ ହାଉଡ଼ା ଆସନ୍ତୁ ।

 

ଆଜି ଆମେ ନିଶ୍ଚୟ ବାହାରୁଛୁଁ ।

 

ରହିବା କେଉଁଠି ?

 

କାହିଁକି ? ସବୁତ ବନ୍ଦୋବସ୍ତ ହୋଇ ସାରିଚି ।

 

ଆମେ ରହିବୁଁ ଗୋଟାଏ ବଙ୍ଗଳାରେ ।

 

ହଁ ହଁ, ବିକ୍ରମବାବୁ ଏବଂ ମୁଁ ।

 

ହୁଏତ ଆମ ସଙ୍ଗରେ ମଦନବାବୁ ରହିବେ ।

 

ଦାର୍ଜିଲିଂ ? କେମିତି ଜାଗା ? କେବେ ଯାଇନ ?

 

ସୁନ୍ଦର ଜାଗା ।

 

ଆଚ୍ଛା ରହିଲି ।

 

ହଁ, ବିକ୍ରମବାବୁ କୁଆଡ଼େ ବାହାରକୁ ଯାଇଚନ୍ତି ।

 

ଠିକ୍ ସମୟରେ ଫେରିଆସିବେ ।

 

ସୁଟିଂପାର୍ଟି ରେଡ଼ି ।

 

ହଉ ରହିଲି ।

 

ବାହାର ବରଣ୍ଡାରେ ଠିଆହୋଇ ବୈଦ୍ୟନାଥ ଫୋନ୍‍ର ଏପଟ କଥାତକ ଶୁଣୁଚି । ‘‘ଆମେ ରହିବୁ ଗୋଟାଏ ବଙ୍ଗଳାରେ । ହଁ ହଁ, ବିକ୍ରମବାବୁ ଏବଂ ମୁଁ । ହୁଏତ ଆମ ସାଙ୍ଗରେ ମଦନବାବୁ ରହିବେ—.....ଦାର୍ଜିଲିଂ.......ସୁନ୍ଦର ଜାଗା । ଆଜି ଉପରଓଳି !’’

 

ବାସ୍‍, ଏଇହେଲା ମଣିମାଳାର ଜୀବନ । ଆଜି ଦାର୍ଜିଲିଂ ତ କାଲି ବନାରସ, ପ’ରିଦିନକୁ କୋରାପୁଟ ଜଙ୍ଗଲ । ସଙ୍ଗରେ ବିକ୍ରମବାବୁ । ବିକ୍ରମ କେଶରୀ ରାୟ । ଧନପତି, କୁବେର । ଫୋନ୍ ଉପରେ ମଣିମାଳା ନିର୍ଦ୍ଦେଶ ଦେଉଚି । ଆଦେଶ କରୁଚି । ହୁକୁମ ଚଳାଉଚି । କାହାକୁ ?

 

ଦାସୀ ଆସି ଦୁଆର ମୁହଁରେ କାକୁସ୍ଥ ଭାବେ ଛିଡ଼ାହୋଇ ଡାକୁଚି—ମା !

 

ଚାକର ଆସି ପାଣିଧରି ଠିଆହୋଇ ରହିଚି ।

 

ତଳୁ ଗୁମାସ୍ତା ଆସି ହୁକୁମ ଅପେକ୍ଷାରେ ଠିଆହୋଇ ରହୁଚି—ମା ! ବାବୁତ ନାହାନ୍ତି, କିଏ ହୁକୁମ୍‍ ଦେବ ? ବ୍ରଜଲାଲ ଚୌହାନୀ ଦି’ହଜାର ଟଙ୍କା ମଗାଇ ପଠାଇଚନ୍ତି । ଦେବି ନା ନାହିଁ-?

 

ହୁକୁମ ଦେଉଚି ମାଳା—ଦେଇ ଦିଅ ।

 

ଆଉ ଜଣେ ଆସି ପଚାରୁଚି—ଆପଣ ଦାର୍ଜିଲିଂ ଯିବେ, କେତେଟଙ୍କା ହାତଖରଚ ନେବେ ?

 

—ଦି’ତିନି ହଜାର ଦେଇଥାଅ ।

 

ବୈଦ୍ୟନାଥ ଠିଆହୋଇ ରହିଚି । ସବୁ ଶୁଣୁଚି । ସବୁ ଦେଖୁଚି । ଭାବୁଚି—ଏଇ କଅଣ ତା’ ଭଉଣୀ ମଣିମାଳା ?

 

ଉଷସୀ ଆସି କାନ ପାରୁଚି । କଟମଟ କରି ଚାହିଁ ରହୁଚି । କେତୋଟି ମାତ୍ର ବର୍ଷ । ବିକ୍ରମବାବୁଙ୍କର ଖଣ୍ଡିଏ ଛବିପରେ ଆଉ ଖଣ୍ଡିଏ, ତା’ ପଛକୁ ଖଣ୍ଡିଏ ଚାଲିଚି । ମଣିମାଳା ଏତେବଡ଼ ହୋଇଯାଇଚି, ଏଇଥି ଭିତରେ ! ମଣିମାଳା ଆଜିତ ସାମାନ୍ୟ ଅଭିନେତ୍ରୀ ନୁହଁ, ଜଣେ କୋଟିପତି ଘରେ ସର୍ବମୟୀ କର୍ତ୍ତ୍ରୀ । ବିକ୍ରମବାବୁଙ୍କର ପ୍ରତିନିଧି । ଚିତ୍ର ଛଡ଼ା ତାଙ୍କ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ବିକ୍ରମବାବୁଙ୍କ ପାଇଁ ହୁକୁମ ଚଳାଉଚନ୍ତି । ପୁଣି ହଜାର ହଜାର ଟଙ୍କା ଖରଚ ବିଷୟରେ ! ମନେମନେ ଉଷା ଭାବିଲା—କେଉଁ ସାହସରେ ପହିଲି ଦେଖାବେଳେ ସେ କହି ପକାଇଥିଲା—ବିକ୍ରମବାବୁଙ୍କ ସ୍ତ୍ରୀ ତେଣେ ଖପ୍‍ପା । ନିତାନ୍ତ ହାସ୍ୟାସ୍ପଦ କଥା । ମଣିମାଳାର ସାମନାକୁ ଯିବାକୁ ଆଉ ତା’ର ସାହସ ହେଉନାହିଁ । ବରଣ୍ଡାର ଆର କଡ଼କୁ ଚୌକି ଖଣ୍ଡିକ ଉପରେ ବସିପଡ଼ି ସେ ଏଣେତେଣେ ଜୁଳୁ ଜୁଳୁ ହୋଇ ଅନାଉଚି ।

 

ଅନେକ ବେଳ ପରେ ଲମ୍ବା ମଟର ଗାଡ଼ିଖଣ୍ଡେ ଆସି ତଳେ ଛିଡ଼ାହେଲା । ଖଟଖଟ ଜୋତା ଆଉଆଜ୍‍ କରି ବିକ୍ରମବାବୁ ସିଡ଼ି ଟପି ଉଠିଆସିଲେ । ବାଟ ମଝିରେ ଚୌକି ଛାଡ଼ି ଛିଡ଼ା ହୋଇପଡ଼ି ଉଷା ନମସ୍କାର ହେଲା । ଫେରି ଚାହିଁ ପଚାରିଦେଲେ ବିକ୍ରମବାବୁ—କିଏ ? ସତେକି ଚିହ୍ନିପାରି ନାହାନ୍ତି । ପଚାରିବାର ତାତ୍ପର୍ଯ୍ୟ ହେଲା ତମେ ଏଠିକି କାହିଁକି ଉଷସୀ ?

 

ଆଜ୍ଞା, ମୁଁ ଉଷସୀ ।

 

ଆଚ୍ଛା ।

 

ଏତିକି କହି ବିକ୍ରମବାବୁ ପରଦା ଠେଲି ଭିତରକୁ ପଶିଲେ । ବରଣ୍ଡା କଡ଼କୁ ବୈଦ୍ୟନାଥ ନ ଚିହ୍ନିଲା ପରି ଦୂରେଇ ଗଲେ । ଭୟ ହେଉଚି ଆଗକୁ ଆସିବାକୁ । ଭିତରକୁ ପଶି ବିକ୍ରମବାବୁ କହିଲେ—କଅଣ, ସବୁ ପ୍ରସ୍ତୁତ ତ ? ଦାର୍ଜିଲିଂ କେମିତି ଜାଗା ଜାଣିଚଟିକି । ଏବେବି ଶୀତ ବାକିଥିବ । କିଛି ଶୀତ ପୋଷାକ ଧରିଚନା ସଙ୍ଗରେ ?

 

ହଁ ହଁ ହଁ । ତୁମର ଏତେ ଚିନ୍ତା କାହିଁକି ? ତୁମ କାମ ତୁମେ କର । ପ୍ରସ୍ତୁତ ହୋଇପଡ଼ ।

 

ବୈଦ୍ୟନାଥ ଠିଆହୋଇ ଭାବୁଚି—‘‘ତୁମର ଏତେ ଚିନ୍ତା କାହିଁକି । ତୁମ କାମ ତୁମେ କର । ପ୍ରସ୍ତୁତ ହୁଅ’’ । ବିକ୍ରମବାବୁ ଆଉ ‘‘ଆପଣ’’ ହୋଇ ନାହାନ୍ତି । ତୁମେ ପାଲଟି ଗଲେଣି । ଗୋଟିକ ପରେ ଆଉ ଗୋଟିଏ, ତା’ ପଛକୁ ଆଉ ଗୋଟିଏ ଚିତ୍ରରେ ଅଭିନୟ କରିବାକୁ ଯାଇ ଜଣକ ପରେ ଆଉ ଜଣକୁ ବାହୁ ଉପରକୁ ଅକୁଣ୍ଠିତ ଚିତ୍ତରେ ଢଳିପଡ଼ିବାକୁ ଅଭ୍ୟାସ କରି ଶେଷକୁ ମଣିମାଳା ବିକ୍ରମବାବୁଙ୍କୁ ଆପଣାର ବାହୁ ବନ୍ଧନ ଭିତରେ ବାନ୍ଧିନେଇ ପାରିଛି । ଏଇ ହେଲା ଚିତ୍ରରାଜ୍ୟର ମୁନାଫା । ବିକ୍ରମବାବୁ ଆଜି ମଣିମାଳାର ହାତମୁଠା ଭିତରେ କ୍ରୀଡ଼ା ପୁତ୍ତଳିକା ମାତ୍ର ।

 

‘‘ଆପଣ ଆପଣ’’ ବର୍ଷ କେଇଟା ଭିତରେ କେବେ ଏବଂ କେତେବେଳେ ‘‘ତୁମେ ତୁମେ’’ ହୋଇ ଯାଇଛି ତା’ର ହିସାବ ଉଭୟଙ୍କ ଭିତରୁ କେହି ରଖିପାରି ନାହାନ୍ତି । ମଦନବାବୁ କିନ୍ତୁ ପାଖକୁ ଯେତେ ଘୁଞ୍ଚି ଆସିବାକୁ ଚେଷ୍ଟା କରିଚନ୍ତି ତେତେ ତେତେ ବିଫଳ ହୋଇଚନ୍ତି । ସେ ତାଙ୍କର ଆପଣ ଆପଣ ଛାଡ଼ି ପାରିଲେ ନାହିଁ । ମଣିମାଳା ବି ଆପଣ, ବିକ୍ରମବାବୁ ବି ଆପଣ । ତାଙ୍କ ପାଖରେ ବିକ୍ରମବାବୁଙ୍କ ଚିତ୍ରଟା ଓ ‘‘ଆପଣ’’ଟାର ଯେତିକି ସମ୍ପର୍କ ସେତିକି । ସାମାନ୍ୟ ଅଭିନେତ୍ରୀ ହେବାକୁ ଆସି ମଣିମାଳା ବିକ୍ରମବାବୁଙ୍କୁ ତୁମେ ତୁମେ କରିନେଇ ପାରିଚନ୍ତି, ଏଇ ହେଲା ଚିତ୍ର ତାରକା ମଣିମାଳାର ଗୌରବ ।

 

ଉପରଓଳି ଦାର୍ଜିଲିଂ ବାହାରିଲାବେଳକୁ ଭାଇଙ୍କି ଡାକି ମାଳା ପଚାରିଲା—କୁଆଡ଼େ ଆସିଚ ଜାଣିପାରିଲି ନାହିଁ । ସୁଟିଂପାଇଁ ଦାର୍ଜିଲିଂ ଯାଉଚି । ଛଅ ସାତଦିନ ପରେ ଫେରିବି । ତୁମର ରହିବାର ସବୁ ବନ୍ଦୋବସ୍ତ କରିଦେଇ ଯାଉଚି । ରହିଥିବ । ମୁଁ ଫେରିଆସେ ।

 

ପାଖକୁ ଲାଗିଆସି ଆଗଭଳି ଉଷସୀ ଜବାବ ଦେଲା—ନାହିଁ ମାଳାଦେବି ! ଆପଣ ଯାଆନ୍ତୁ । କାମର କଥା । ଆମେ ଆଜି କଟକ ଫେରିଯାଉଚୁ । ହୁଏତ ଆଠ ଦଶ ଦିନ ପରେ ଭାଇ ଆସିବେ ।

 

ଆପଣ କୁଆଡ଼େ ଆସିଥିଲେ କହନ୍ତୁ ନା ଉଷସୀ ଦେବୀ ?

 

ବାସ୍ତବିକ୍‍ କାହିଁକି ସେ ଆସିଥିଲେ ତା’ର ଠିକ୍ ଉତ୍ତରଦେଇ ପାରୁନାହାନ୍ତି । କେବଳ କହିଲେ—କିଛି ଉଦ୍ଦେଶ୍ୟ ନାହିଁ । କେବଳ ଭାଇଙ୍କ ସାଥିରେ ବୁଲାବୁଲି ହୋଇ ଆସିଥିଲି ମାତ୍ର ।

 

ଆଚ୍ଛା, ଗୋଟାଏ କାମ କରିବେ କି ? ଆମର ଏଇ ଚିତ୍ରରେ ଆପଣଙ୍କପାଇଁ ଯେବେ ମୁଁ କିଛି କାମ ଯୋଗାଡ଼ କରିଦେଇ ପାରେ...

 

ତେବେ, ହଁ, ତେବେ... ।

 

କହନ୍ତୁ ନା, ଆପଣ ରାଜି ଅଛନ୍ତିତ ?

 

ଭାବିଲା ଉଷସୀ । କହିବାକୁ ଲାଜମାଡ଼ୁଛି । ନାହିଁ କରି ଦେବାକୁ ମନ ବଳୁନାହିଁ । ମଣିମାଳାର ବ୍ୟକ୍ତିତ୍ୱ ନିକଟରେ ମୁଣ୍ଡ ନଇଁ ପଡ଼ୁଚି । ପାଟିରୁ କଥା ବାହାରୁନାହିଁ । କୁମାରୀ ଉଷସୀ ଦେବୀ କିଛିମାତ୍ର କହିନପାରି ମୃଦୁ ମୃଦୁ ହସିଲେ ମାତ୍ର ।

 

ମଣିମାଳା କହିଲେ—ମୁଁ ଚିଠି ଦେବି । ଆପଣ ନିଶ୍ଚୟ ଆସିବେ ତ ?

 

ହଁ, ଆସିବି ।

 

ମାଳା ଏତିକି ଉତ୍ତର ଚାହୁଁଥିଲେ । ଭିତରକୁ ଭାଇଙ୍କି ଡାକିନେଲେ । ଆଲମାରି ଫିଟାଇ ପୁଳିଏ ନୋଟ ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ—ପିଲାମାନେ କେମିତି ଅଛନ୍ତି ? ମାଆକୁ ମୋର ଭୂମିଷ୍ଠ ପ୍ରଣାମ ଦେବ । ମୁଁ ଫେରି ଆସେକି, ଆସିବ ।

 

ତଳେ ଗାଡ଼ିରେ ଅପେକ୍ଷା କରିଚନ୍ତି ବିକ୍ରମବାବୁ । ମଣିମାଳା ଓହ୍ଲାଇଗଲେ । ପଛରେ ଛିଡ଼ାହୋଇ ରହି ଉଭୟ ବୈଦ୍ୟନାଥ ଓ ଉଷସୀ ଦେବୀ କେବଳ ଅନାଇ ରହିଲେ । ମାତ୍ର ଗାଡ଼ିର ପଛ ସିଟରେ ବିକ୍ରମବାବୁ ଓ ମଣିମାଳା ଉଭୟେ ବସିପଡ଼ିଲା ପରେ ଗାଡ଼ି ଛାଡ଼ିଦେଲା । ଠିଆହୋଇ ରହି ନୋଟ୍‍ ପୁଳିକ ଗଣୁଗଣୁ ବୈଦ୍ୟନାଥ ମନେମନେ ଭାବିଲେ—ପଚାରି ତ ପାରିଲି ନାହିଁ—ମାଳା, ବିକ୍ରମବାବୁଙ୍କ ସହିତ ତୋର କି ସମ୍ବନ୍ଧ ?

 

ପାଖକୁ ଘୁଞ୍ଚି ଆସି କୁମାରୀ ଉଷସୀ କହିଲେ—ଚାଲ ଭାଇ, କଟକ ଫେରିଯିବା । ଯେଝା ବାଟଧରି ଯେ ଚାଲୁଚି । ଆମର ତୁମର କି ଯାଏ ଆସେ ?

 

‘‘କଟକ ଫେରିଯିବା ।’’

 

ଏକା ଟେକ୍‍ସିରେ ପାଖପାଖ ହୋଇ ଉଷା ଓ ବୈଦ୍ୟନାଥ ବସିଚନ୍ତି । ଆଗରେ ବଡ଼ ସୁଟକେଶଟା ଭିତରେ ମଣିମାଳା ଦେଇଥିବା ନୋଟ୍‍ ପୁଳିକ । ଉଷା ପାଖକୁ ପାଖକୁ ଲାଗି ଆସୁଛି-। ଆସିଲାବେଳର ମନଟା ସତେକି ସମ୍ପୂର୍ଣ୍ଣ ବଦଳିଯାଇଛି । ବୈଦ୍ୟନାଥ ବୁଲିପଡ଼ି ଚାହିଁ ଦେଖିଲେ ସତେକି ଉଷାର ରୂପ ବଦଳି ଯାଇଛି । ତା’ର ଚାହାଣି, ତା’ର କଥାବାର୍ତ୍ତା, ତା’ର ଘନଘନ ଶ୍ୱାସ ଆସିଲା ବେଳର ଉଷାର ନୁହଁ । ଚିତ୍ର ତାରକା ଅଭିନେତ୍ରୀ ଉଷସୀ ଦେବୀର । ଆର୍ଟିଷ୍ଟ୍‍ ରଙ୍ଗ ବଦଳାଉଛି, ରୂପ ବଦଳାଉଛି; ପରିପାଟି ବଦଳ କରି ସାରିଛି । ଉଷା କାହିଁକି ଆଜି ଭାରି ସୁନ୍ଦର ଦିଶୁଛି ! ଅତି ପାଖକୁ ଲାଗିଆସି ସେ ବୈଦ୍ୟନାଥର କୋଳ ଉପରକୁ ନିଜର ହାତଟିକି ଥୋଇଦେଇ ବୈଦ୍ୟନାଥର ମୁହଁ ଆଡ଼କୁ ଅନାଇ ହସିହସି ପଚାରିଦେଲା—କଅଣ କହୁଚ, କଟକ ଫେରିବ, ନା ପୁରୀଆଡ଼େ ଦିନେ ଦିଦିନ ବୁଲି ଆସିବା ?

 

ହସିହସି ବୈଦ୍ୟନାଥ ତଳକୁ ଆଖି ଫେରାଉଚି । ଉଷାର ମୁହଁଟି ସୁନ୍ଦର ଦିଶୁଚି । ହାତଟିକି ତା’ର ଧରି ପକାଇଲା । ଘନଘନ ଶ୍ୱାସ ବହୁଚି । ଛାତି ଭିତରଟା ଦୁଲୁକି ଉଠୁଚି । ଭିତରେ ଭିତରେ ପଶୁ ମଣିଷଟା ଚେଇଁ ଉଠୁଚି । ଗୋଁ ଗୋଁ ଗର୍ଜନ ଶୁଭୁଛି । ଯୁବକର କୋଳ ଉପରେ ଯୁବତୀଟିର ହାତ । ଟ୍ୟାକ୍‍ସିଟା ଯାନବାହନ ଓ ଜନସମୁଦ୍ର ପହଁରି ଦ୍ରୁତ ବେଗରେ ଛୁଟିଚି । ମନଟା ବି ଆଜି ଛୁଟି ଚାଲିଚି ବିପରୀତ ଦିଗରେ ।

 

କଅଣ କହୁଚ ?

 

ପ୍ରଶ୍ନ ପଚାରି ହସୁଚି ଉଷା । ତା’ର ହାତଟିକି ନିର୍ଦ୍ୱନ୍ଦ୍ୱରେ ବୈଦ୍ୟନାଥର ହାତମୁଠା ଭିତରେ ଛାଡ଼ି ଦେଇଚି । ଏକାବେଳକେ ଦେହକୁ ଲାଗି ଢାଳି ପଡ଼ିଚି । ରୂପସୀ ଉଷସୀର ନାରୀ ଅଙ୍ଗ । ନାହିଁ କହିଦେବାକୁ କାହିଁ ତା’ର ଚାରା ? ଅଜାଚିତ ଦାନ ପ୍ରତ୍ୟାଖାନ କରିଦେବା ସହଜ ନୁହେଁ ।

 

ହଉଚାଲ । କଟକରେ ନ ଓହ୍ଲାଇ ପୁରୀ ଚାଲ ।

 

ଟିକଟ୍‍ଟା ମୁଁ କିଣିବି ?

 

ତୁମ ଇଚ୍ଛା ।

 

ଏତିକି କହିଲାବେଳକୁ ବୈଦ୍ୟନାଥ ଏକପ୍ରକାର ଆତ୍ମବିଭୋର ହୋଇ ପଡ଼ିଲାଣି । ଉଷସୀ ସମ୍ପୂର୍ଣ୍ଣରୂପେ ଢଳି ପଡ଼ିଲାଣି ବୈଦ୍ୟନାଥର କୋଳ ଉପରକୁ । ଅଙ୍ଗଲତାଟାକୁ ତା’ର ଲୁଚାଇ ଲୁଚାଇ ପରଖି ନେଉଚି ବୈଦ୍ୟନାଥ । ଯୁବକ କୋଳରେ ନାରୀ—ଯୁବତୀ, ରୂପସୀ, ମଧୁମତୀ । ଗାଡ଼ି ଚାଲିଚି ତୀର ବେଗରେ ।

 

ହାଉଡ଼ା ଷ୍ଟେସନ । ଜନଗହଳି ଭିତରେ ଦୁହେଁଯାକ ଓହ୍ଲାଇ ପଡ଼ିଲେ । ମନ କହୁଥାଏ ଆହୁରି ଦୂର ହେଇଥାଆନ୍ତା କି । ବାଟଟା ସରୁ ନଥାନ୍ତା । ଆନନ୍ଦଟା ଏତିକିରେ ଇତି ହୋଇଗଲା ।

 

ନା ନା, ଆହୁରି ଅଛି । ଏକ୍‍ସପ୍ରେସ୍‍ ଗାଡ଼ି ଛାଡ଼ିବ ଅଧ ଘଣ୍ଟାକ ପରେ । ପୁରୀରେ ପହୁଞ୍ଚିବ କାଲି ଭୋର୍‍ । ରାତିଟା ସାରା ରେଳଡବା ଉପରେ ଏକୁଟିଆ ସଙ୍ଗିନୀ ସହ ଏକା ଏକା ସେ—ପ୍ରତିଦ୍ଵନ୍ଦ୍ୱୀ କେହିନାହିଁ । ସଙ୍ଗିନୀର ଆପତ୍ତି କିଛି ନାହିଁ । କିନ୍ତୁ ବସିବା ଡବାଟି ନିରୋଳା ହେବ କି ନା କିଏ ଜାଣେ !

 

ଫାଷ୍ଟ୍‍କ୍ଲାସ୍‍ ଟିକଟ କାଟିବି । ଟଙ୍କା ଦିଅ ।

 

ଅଧିକା ଖରଚ ହେବ ଯଥେଷ୍ଟ ! ହଉ, ବିନା ଖରଚ ବା ଶସ୍ତାରେ ଏତେ ଆନନ୍ଦ ଦେବ କିଏ ?

 

ହଉ, ଟଙ୍କା ନିଅ ।

 

ସୁଟକେଶ ଫିଟାଇ କେତେ ଗୁଡ଼ାଏ ନୋଟ୍‍ ଉଷସୀ ହାତକୁ ବୈଦ୍ୟନାଥ ବଢ଼ାଇଦେଲା-। ତା’ପରେ ଏକ୍‍ସପ୍ରେସ୍‍ ଗାଡ଼ିର ପ୍ରଥମ ଶ୍ରେଣୀ ଡବା । ବହଳ ଗଦି । ଛୋଟ କୋଠରୀଟି; ଭାଗ୍ୟକୁ ଆଉ କେହି ଯାତ୍ରୀ ନାହାନ୍ତି । ସମ୍ପୂର୍ଣ୍ଣ ନିରୋଳା । ବୈଦ୍ୟନାଥର ମନଟା ଆନନ୍ଦରେ କୁରୁଳ ଖାଉଚି । ଉଷା ଆସି ପାଖକୁ ଲାଗି ବସିପଡ଼ିଲା । ବୈଦ୍ୟନାଥ ତାକୁ କୋଳ ଉପରକୁ ଟାଣି ଶୁଆଇଦେଲା । ଚଳନ୍ତା ଗାଡ଼ି । ସବୁ ଷ୍ଟେସନରେ ରହୁନାହିଁ । ଗାଡ଼ିଖଣ୍ଡକ ଉଡ଼ୁଚି, ମନଟା ବି ଉଡ଼ୁଛି । ଦୁର୍ବଳମନା ବୈଦ୍ୟନାଥର ଦୁର୍ବଳ ମନ ସୁନ୍ଦରୀ ଚିତ୍ର ତାରକାର ମାଙ୍କଡ଼ଶା ଜାଲରେ ଛନ୍ଦିହୋଇ ପଡ଼ିଚି । ଉଷା ହସୁଚି । ବୈଦ୍ୟନାଥ ଆନନ୍ଦରେ ବିଭୋର ହୋଇ ଆଖି ବୁଜି ଦେଉଚି-

 

ଆଖି ବୁଜି ଦେଇଛି, ରାତିଟି କଟିଗଲା । କଟକ ଛାଡ଼ିଲା; ପୁରୀରେ ଗାଡ଼ି ଅଟକିଲା । ରିକ୍ସାରେ ଯାଇହେବ ନାହିଁ । ଟ୍ୟାକ୍‍ସି ଲୋଡ଼ା । ଖଣ୍ଡେ ମଧ୍ୟ ମିଳିଗଲା । ଦୁହେଁଯାକ ବଡ଼ ଧର୍ମଶାଳାର ଗୋଟାଏ କୋଠରୀକି ଉଠିଗଲେ । ମେନେଜର ଭାବିଲେ—ସ୍ୱାମୀ ଆଉ ସ୍ତ୍ରୀ ।

‘‘ଚିତ୍ର ତାରକା ଉଷସୀ କଅଣ ବିବାହ କରି ସାରିଲେଣି ?’’ ଏଇ ପ୍ରଶ୍ନଟା ସହର ସାରା ଉଡ଼ିବୁଲୁଚି ।

ବିବାହ ବଜାରରେ ପ୍ରକୃତରେ କାଟତି ହୋଇ ପାରିନଥିଲେ ସୁଦ୍ଧା ଉଷସୀଙ୍କ ରୂପଗୁଣର ଗ୍ରାହକ ଅଭାବ ନାହାନ୍ତି । ବିବାହ କରନ୍ତୁ ବା ନକରନ୍ତୁ, ରୂପ ତାଙ୍କର ଅଛି, ପରିପାଟି ଅଛି । ଥରେ ଅନ୍ତତଃ ଦେଖିଯିବାକୁ ଲୋକେ ଧର୍ମଶାଳା ଯାକେ ଧାଇଁଚନ୍ତି, ବାଟ ଘାଟରେ ଅପେକ୍ଷା କରୁଚନ୍ତି, ସିନେମାହଲ୍‍, ଓ ଥିଏଟର୍‍ ପେଣ୍ଡାଲରୁ ନିମନ୍ତ୍ରଣ କାର୍ଡ଼ ଆସୁଚି । ସମୁଦ୍ର କୂଳରେ ଲୋକେ ବାଟଚାହିଁ ବସିଚନ୍ତି । ଥରେ ଜଣେ ନିମନ୍ତ୍ରଣ କାର୍ଡ଼ ଖଣ୍ଡେ ଲେଖି ପଠାଇଚି—ମିଷ୍ଟର ଓ ମିସେସ୍‍ ଉଷସୀ ଦାସ ।

ମିଷ୍ଟର କିଏ, ମିସେସ୍‍ କିଏ ସେ ଠିକ୍ କରିପାରି ନାହିଁ । ସମସ୍ତଙ୍କର ମନେହେଉଚି ଉଷସୀ ହିଁ ମିଷ୍ଟର ଏବଂ ତାଙ୍କ ସ୍ୱାମୀଟି ମିସେସ୍‍ । ରୁପେଲି ପରଦା ଉପରେ ଛବି ଦେଖି ଉଷସୀଙ୍କୁ ସିନା ଲୋକେ ଚିହ୍ନିଚନ୍ତି; ବୈଦ୍ୟନାଥଙ୍କୁ ଚିହ୍ନେ କିଏ ? ଅନେକ ଲୋକ ଦେଖିବାକୁ ଆସୁଚନ୍ତି । କେତେକେ ଆସି ନିଜର ନୋଟ୍‍ ଖାତା ଭିତରେ ଉଷସୀଙ୍କ ଦସ୍ତଖତ୍‍ ମାଗି ନେଉଚନ୍ତି । କେତେକେ ଆସୁଚନ୍ତି କେବଳ ନମସ୍କାରଟା ପକାଇବାକୁ । ଚଳଚ୍ଚିତ୍ର ପ୍ରସାର ପରେ ଲୋକଙ୍କ ମନ ଚିତ୍ର ତାରକାମାନଙ୍କ ଆଡ଼କୁ ଅଳ୍ପେ ବହୁତେ ଉନ୍ମତ୍ତ ହୋଇ ପଡ଼ିଚି । ଉଷସୀର ଭାଇଟିଏ ଥାଏ ପୁରୀରେ–ନାଁ—ବିନୋଦ ଚନ୍ଦ୍ର ଦାସ । ସେ ବି ଥରେ ଦିଥର ଆସିଲା ଦେଖିବାକୁ ।

ପୁରୀରେ ବଡ଼ ଆନନ୍ଦରେ ତିନୋଟିଦିନ କଟିଲା । ଶେଷକୁ ଉଷସୀ ନିଜେ ପ୍ରସ୍ତାବ କଲେ—ଚାଲ ଫେରିଯିବା । ଜିନିଷପତ୍ର ସଜଡ଼ା ସଜଡ଼ି ହେଲା । ସୁଟକେଶ ଫିଟାଇ ବୈଦ୍ୟନାଥ ଦେଖିଲା । ନୋଟ୍‍ ପୁଳିକ ଅନ୍ତର୍ଦ୍ଧାନ ହୋଇଚି । ମୁହଁଟି ଫିକା ପଡ଼ିଯାଇଚି । ହସ ମଉଳିପଡ଼ୁଚି । ଛଳ ଛଳ ଆଖିରେ ସେ ଉଷା ମୁହଁକୁ ଚାହୁଁଛି । ଉଷା ଆଜି ଗମ୍ଭୀରା । କାମ ତା’ର ବଢ଼ିଯାଇଛି । ଅଭିନୟ ତା’ର ସରିଯାଇଛି । ଆଉ କାହିଁକି ପୁରୀରେ ବସିରହିବ ? —ଯେତିକି ଅଭିନୟ କରିଗଲା ସେ, ସେତକର ପାରିଶ୍ରମିକ ଆଦାୟ କରିନେଇ ସାରିଛି ସେ । ଆଉ କାହିଁକି ? ଏଠା ଜାଲତକ ଗିଳିଦେଇ ଅନ୍ୟସ୍ଥାନକୁ ଯାଇ ନୂଆକରି ଜାଲ ବିଛାଇବାକୁ ପଡ଼ିବ । ପୁରୀର ଯାତ୍ରା ବଢ଼ିଛି ।

 

ଶୁଖିଲା ମୁହଁରେ ବୈଦ୍ୟନାଥ ପଚାରିଲା—ମୋ ଟଙ୍କାତକ କୁଆଡ଼େ ଗଲା ?

 

କି ଟଙ୍କା ? ତୁମ ପାଖରେ ଚାବି । ମୁଁ କି ଜାଣେ ?

 

ମୋ ପାଖରେ ସିନା ସୁଟକେଶର ଚାବିଟା; କିନ୍ତୁ ମୋର ଚାବିଟା ଯେ ତୁମ ହାତକୁ ମୁଁ ବଢ଼ାଇ ଦେଇଥିଲି ?

 

ହସୁଚି ଉଷା । ଏ ହସରେ କ୍ରୂରତା ଲୁଚିଛି, ବିଦ୍ରୂପତା ଉଙ୍କିମାରୁଛି । ମନେମନେ ସେ କହୁଛି—ଯେମିତିଆ ଧାନ ସେମିତିଆ ଯାଏ । ଗୋଟିଏ ତାରକାର ଧନ ଆଉ ଗୋଟିଏ ତାରକାର ହାତମୁଠାକୁ ଚାଲି ଯାଇଛି । ତୁମେ କିଏ ସେଥିରୁ ଭାଗ ନେବାକୁ ?

 

ଅଭାଗା ହାତକୁ ଧନ ଆସିଲେ ବି ଉଡ଼ିଯିବ ।

 

ଉଷାକୁ ଏକୁଟିଆ ଛାଡ଼ି ବୈଦ୍ୟନାଥ କଟକ ଫେରି ଆସିଲା ।

 

ଚୋର ମା ଲାଜେ ନ କାନ୍ଦେ;

 

ଯେବେ କାନ୍ଦେ, କବାଟ କିଳି ତୁନି ତୁନି କାନ୍ଦେ ।

 

-୧୦-

 

ଦିନକୁ ଦିନ ଦୁନିଆ ବଦଳି ଯାଉଚି । ବିଜୟକୃଷ୍ଣ ଅଧିକାରୀଙ୍କ ସ୍ତ୍ରୀ ମଣିମାଳା ଜୀବନରେ ଘନ ଘନ ପରିବର୍ତ୍ତନ ଘଟିଚାଲିଛି । ସମୟର ସ୍ରୋତ ଆଗକୁ ଭସାଇ ନେଉଚି । ପଛର ସ୍ମୃତି ଧୀରେ ଧୀରେ ଅସ୍ପଷ୍ଟ ହୋଇ ଯାଉଚି । ମନ ଭୁଲିଯାଉଚି । ପଛକଥାକୁ ମନଭିତରୁ ମନ ନିଜେ ପୋଛି ପକାଉଚି । ବିଜୟକୃଷ୍ଣ ଅଧିକାରୀ । ଦରିଦ୍ର ରୁଗ୍‍ଣ ସ୍ୱାମୀ । ସେଦିନ ପରି ଲାଗେ—କହିଥିଲେ—ଟିକିଏ ଶିଖିନେଲେ ତୁମେବି ଭଲ ଅଭିନୟ କରି ପାରିବ ମାଳା ! ପ୍ରଧାନ ଭୂମିକାରେ ଅଂଶଗ୍ରହଣ କରିପାରିବ । ବିଷ୍ଣୁପୁରର ନଈକୂଳିଆ ଲମ୍ବା ସ୍କୁଲ ଘରଟି ଭିତରେ ସ୍ୱାମୀ ସ୍ତ୍ରୀ ନିରୋଳାରେ ବସି କଥାବାର୍ତ୍ତା ହେଉଥିଲେ । ବିଜୟକୃଷ୍ଣ କହିଥିଲେ—ମୋ ସାଙ୍ଗରେ ନାୟିକା ରୂପେ ଅଭିନୟ କରୁଚନ୍ତି କୁମାରୀ ଉଷସୀ । ତୁମେବି ମୋ ସାଙ୍ଗରେ ଚାଲ ମାଳା !

 

ମାଳା କହିଥିଲା—କଅଣ ତୁମକୁ ଜଗିବା ପାଇଁ ?

 

ବିଜୟକୃଷ୍ଣ ଉତ୍ତର ଦେଇଥିଲେ—ସେଇଆ ବି ହେଲା— !

 

ସେଦିନ ମଣିମାଳା ମଦନବାବୁଙ୍କୁ କହିଥିଲା—ଆପଣଙ୍କ ଫିଲିମ୍‍ ରାଜ୍ୟକୁ ବିଶ୍ୱାସ କରିହୁଏ ନାହିଁ ।       

 

ଚିତ୍ର ନଦୀର ସ୍ରୋତ ମୁଖରେ ମାଣମାଳା ସେଇଦିନୁ ନିଜ ନୌକାଟିକୁ ଭସାଇ ଦେଇଚନ୍ତି । ଗୋଟିଏ ଚିତ୍ର, ଦୁଇଟି ଚିତ୍ର, ତିନିଟି ଚିତ୍ର । ସ୍ୱାମୀ ବିଦାୟ ନେଲେ, ପୁଅ ଶାନ୍ତିନିକେତନରେ ଦୂରେଇ ରହିଲା । ବିକ୍ରମବାବୁଙ୍କ ତ୍ରିତଳ ପ୍ରାସାଦ ଉପରେ ଧନ-ସମ୍ପଦର ବହଳା ଗଦିରେ ବସି ମଣିମାଳା ସବୁ ପଛକଥା ଭୁଲିଗଲା । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରକୁ ତା’ର ନୌକା ଭାସିଗଲା । ସେ ଆଜି ବିକ୍ରମବାବୁଙ୍କ ବାଣିଜ୍ୟ କ୍ଷେତ୍ରରେ ମେନେଜର । ମେନେଜର ମଣିମାଳା ରାୟ । ଅଧିକାର ପଦବୀ କେବଠୁଁ ସେ ଛାଡ଼ି ସାରିଲାଣି, ସେକଥା କହିପାରିବ ନାହିଁ । ଆଜି ତା’ ଟେବୁଲ ଉପରେ ଫୋନ୍ । ଫାଇଲ୍‍ପତ୍ର ଗଦା ହୋଇଚି । ବୁଢ଼ାଠାରୁ ଟୋକାଯାକେ କର୍ମଚାରୀମାନେ ହୁକୁମପାଇଁ ଚାରିକଡ଼ ଘେରି ଠିଆ ହୋଇଥାଆନ୍ତି । ମଣିମାଳା ଗମ୍ଭୀର ହୋଇ ପଡ଼ିଚି । କଡ଼ାକଡ଼ା ଆଦେଶ ଦେଉଚି । କାର୍‍ ଘେନି ଏଣେତେଣେ ବୁଲୁଚି । ଇଆ ତା’ ସାଙ୍ଗରେ ବ୍ୟବସାୟ ସମ୍ପର୍କୀୟ ଚୁକ୍ତିପତ୍ର କରୁଚି । ଓକିଲର ଝିଅ ସେ, ପଢ଼ିଥିଲା କିଛିଦୂର । ବିକ୍ରମବାବୁଙ୍କ ତାଲିମ୍‍ପାଇ ଅଭିଜ୍ଞତା ଅର୍ଜନ କରି କେତୋଟି ବର୍ଷ ଭିତରେ ସେ ଜଣେ ଦକ୍ଷ ପରିଚାଳକ ହୋଇଯାଇଚି । ସବୁ ହେଇଚି; କିନ୍ତୁ ହରାଇ ପକାଇଚି ଗୋଟିଏ ଜିନିଷ । ଅଧିକାରୀ ପଦବୀ । ସେ ଆଜି ମଣିମାଳା ଅଧିକାରୀ ନୁହେଁ, ମଣିମାଳା ରାୟ ।

 

ବିକ୍ରମବାବୁ ଆଜି ଦିଲ୍ଲୀ, କାଲି ବନାରସ, ପରିଦିନ ବମ୍ବେ ତ ଅପରଦିନ ମାନ୍ଦ୍ରାଜ ବୁଲି ବ୍ୟବସାୟ ସମ୍ବନ୍ଧୀୟ ଯୋଗାଡ଼ଯନ୍ତ୍ର କରନ୍ତି; ଆଉ, ମଣିମାଳା ଆଭ୍ୟନ୍ତରୀଣ ପରିଚାଳନା ତୁଳାଇନିଏ । ତି’ମହଲାର ବଡ଼ ହଲ୍‍ ଘରଟାରେ ଦୁଇ ପାଖକୁ ଦୁଇଟା ଶେଯ, ବହଳ ବିଛଣା, ବିଜୁଳି ଆଲୁଅ, ବିଜୁଳି ପଙ୍ଖା, ତଳେ ବହଳ ଗାଲିଚା, କାନ୍ଥଯାକ ବିଭିନ୍ନ ସାଜସଜ୍ଜା । ସୁସଜ୍ଜିତ ଘରଟି ଭିତରେ ଦୁଇଖଣ୍ଡି ସୁସଜ୍ଜିତ ଖଟ । ଦିନରେ ସମୟ ମିଳେନାହିଁ ବୋଲି ରାତିରେ ନିଭୃତ ପ୍ରକୋଷ୍ଠ ମଧ୍ୟରେ ମେନେଜରଙ୍କ ସହ ବିକ୍ରମବାବୁଙ୍କର ଗୁପ୍ତ ପରାମର୍ଶ ଚାଲେ ।

 

ସେ ଦିନର ଅଧିକାରୀ ମଣିମାଳା ମରିଚନ୍ତି । ପୁର୍ନଜନ୍ମ ଲଭିଚନ୍ତି ରାୟ ମଣିମାଳା ହୋଇ, ଧନପତି ବିକ୍ରମକେଶରୀ ରାୟଙ୍କ ସୁଦକ୍ଷ ମେନେଜର । ସେ ଚିତ୍ର ତାରକା ନୁହଁ କି ରୁଗ୍‍ଣସ୍ୱାମୀ ସେବାକାରିଣୀ ମଣିମାଳା ଅଧିକାରୀ ନୁହଁ । ପରିବର୍ତ୍ତନ ସଂସାରରେ ମଣିଷ ଜୀବନରେ କେତେ ଯେ ପରିବର୍ତ୍ତନ ଘଟି ଯାଉଚି, ତା’ର ଠିକଣା ନାହିଁ । ବେଳେବେଳେ ମନ ପରଦା ଉପରେ ବିଜୟକୃଷ୍ଣର ସ୍ମୃତି ଉଙ୍କିମାରେ ସତ, ମାତ୍ର ମାଳା ତା’ର ଆବିର୍ଭାବ ସହ୍ୟ କରିପାରେ ନାହିଁ । ଜୋର୍‍ କରି ଠେଲି ପେଲି ନିକାଲି ଦିଏ । ଭୂତ ବିଜୟକୃଷ୍ଣର ଚିନ୍ତାକୁ ଘେନି ସେ ଆଉ କଅଣ କରିବ ? କିନ୍ତୁ ତାରି ପ୍ରତୀକ, ତାରି ଅନୁରୂପ, ତାରି ଅବତାର ରବିନାରାୟଣ ଏବେବି ଶାନ୍ତିନିକେତନରେ ବଢ଼ୁଚି । ପଢ଼ୁଚି, ମଣିଷ ହେଉଚି । ମାଳା ବେଳେବେଳେ ପୁରୁଣା ଛୋଟ ଟ୍ରଙ୍କ୍‍ ଖଣ୍ଡିକ ଫିଟାଏ, ଘାଣ୍ଟେ । ସବାତଳେ ଖଣ୍ଡିଏ ପୁରୁଣା ଫଟୋ ପଡ଼ିରହିଚି । ଅଯତ୍ନରେ ଫାଟିଫାଟି ଗଲାଣି । ସ୍ୱାମୀ ବିଜୟକୃଷ୍ଣ ଏବଂ ଶିଶୁ ରବିନାରାୟଣ । ଗୁଲୁଗୁଲିଆ ଛୁଆଟିକି ଧରି ବିଜୟବାବୁ ହସୁଚନ୍ତି । ଛୁଆଟି ହସୁଚି । ଏକା ହସ, ଏକା ଚେହେରା । ଗୋଟିଏ ଛୋଟିଆ, ଗୋଟିଏ ବଡ଼ । କୁଲା ଆଉ କୁଲେଇ ସାନବଡ଼ ହେଲେବି ଏକାପ୍ରକାର, ଏକା ଆକାରର । ଗୋଟିକୁ ଦେଖିଲେ ଆରଟିର କଳ୍ପନା ଛାଁଏ ଛାଏଁ ମନ ଭିତରକୁ ପଶିଆସେ । ଛୋଟ ଫଟୋ ଖଣ୍ଡିକ ଫାଟିଫାଟି ଗଲାଣି, ମାଳା ତାକୁ ଫିଙ୍ଗିଦେଇ ପାରୁନାହିଁ କି ପ୍ରକାଶ୍ୟରେ ରଖିପାରୁ ନାହିଁ । ବର୍ଷ କେତୁଟା ଭିତରେ ଫଟୋ ଖଣ୍ଡିକ ଉପରେ କେତେକେ ଅବ୍ୟବହାର୍ଯ୍ୟ ମାଲପାତ୍ର ଟ୍ରଙ୍କ୍‍ଟି ଭିତରେ ଠୁଳ ହୋଇଗଲାଣି । ସବାତଳେ ପୋତିହୋଇ ପଡ଼ିଲାଣି ଫଟୋ ଖଣ୍ଡିକ । ମନଭିତରେ କେତେ ବର୍ଷର କେତେ କଥା ବିଜୟକୃଷ୍ଣ ଅଧିକାରୀଙ୍କ ସ୍ମୃତି ଉପରେ ଠୁଳ ହୋଇଗଲାଣି । ତଥାପି ସେ ଫଟୋଟି ଅଛି ଏବଂ ତଥାପି ଏ ସ୍ମୃତିଟି ବଞ୍ଚି ରହିଚି ।

 

ବଞ୍ଚି ରହିଚି; ରବିନାରାୟଣର ଚିତ୍ର ଆଲ୍‍ବାମ୍‍ଟି ଶାନ୍ତିନିକେତନ ଟେବୁଲ ଉପରେ ପଡ଼ିଚି—ତା’ର ପ୍ରଥମ ପୃଷ୍ଠାରେ ବିଜୟକୃଷ୍ଣଙ୍କ ଫଟୋ ଖଣ୍ଡିକ । କୋଳକୁ ଲାଗି ଠିଆ ହୋଇଚି ଗୁଲୁଗୁଲିଆ ପିଲାଟି । ଫୁଲୁକା ଗାଲ ଦୋ’ଟିକୁ ଫୁଲାଇ ଦେଇ ମୃଦୁ ମୃଦୁ ହସୁଚି । ନିରୋଳା କୋଠରୀ ଭିତରେ ଏକୁଟିଆ ବସି ବସି ସେ ଖଣ୍ଡିକ କାଢ଼ି ଦେଖିଲେ ଭାରି ଭଲଲାଗେ । ହାଲୁକା ମନ ଓଜନିଆ ହୋଇଯାଏ । ଭିତରେ ଭିତରେ କିଏ ଜଣେ ଗୁଞ୍ଜରି ଉଠେ । ମୋରି ବାପା, ମୁ ତାଙ୍କରି ପୁଅ । ପିତା ସ୍ୱର୍ଗ, ପିତା ଧର୍ମ, ପିତାହିଁ ପରମଂ ତପଃ । କିନ୍ତୁ ହାୟ, କାହାନ୍ତି ସେ ? ଅନ୍ୟମନା ହୋଇ ଆଲ୍‍ବାମ୍‍ ବନ୍ଦ୍‍ କରିଦିଏ । ଚିଠି ଫାଇଲ୍‍ ଫିଟାଏ । କଲିକତାରୁ ଅଧିକାଂଶ ଚିଠି ଆସିଚି । ମା ଲେଖିଚନ୍ତି, ଆଉ ଲେଖିଚନ୍ତି ବିକ୍ରମବାବୁ । ‘‘ସ୍ନେହର ରବି’’ ବୋଲି ଚିଠିଗୁଡ଼ିକ ଆରମ୍ଭ ହୋଇଚି । ତଳେ ଲେଖା ଅଛି—ତୋର ମା, ତୋର ବାପା ।

 

ଭାବେ, ରବି ଭାବି ହୁଏ—ମାଳା ମୋର ମାଆ, ବିକ୍ରମବାବୁ ବାପା ବୋଲି ଲେଖୁଚନ୍ତି । ମୋରି ବାପା ? ମୁଁ ତାଙ୍କରି ପୁଅ ? ନା, ନା, ନା । ସେ ଦାତା ଆଉ ମୁଁ ଗ୍ରହୀତା । ସେ ସାହାଯ୍ୟ କରୁଚନ୍ତି । ମୁଁ ପଢ଼ୁଚି, ମଣିଷ ହେଉଚି । ସାହାଯ୍ୟକାରୀ ହିସାବରେ ସେ ମୋର ନମସ୍ୟ । ତାଙ୍କ ଋଣ ଶୁଝିବା ମୋ ପକ୍ଷେ ଅସମ୍ଭବ, ତଥାପି ସେ ମୋର ବାପା ନୁହଁ କି ମୁଁ ତାଙ୍କର ପୁଅ ନୁହଁ ।

 

ମନ ଭିତରଟା ଘୃଣାରେ ବିଷେଇ ଉଠେ । ଆଲ୍‍ବାମ୍‍ର ପ୍ରଥମ ପୃଷ୍ଠାଟି ଖୋଲି ପକାଇ ରବି ଚାହିଁରହେ । ବିଜୟକୃଷ୍ଣଙ୍କ ଫଟୋଟି ହସୁଚି ଏବଂ ତା’ରି କୋଳରେ ଗୁଲୁଗୁଲିଆ ଶିଶୁଟି ହସି ପକାଉଚି । କାହିଁ ସେ ପବିତ୍ରତା, ଆଉ କାହିଁ ଏ ଚିଠିର କୃତ୍ରିମତା । ରବିର ମନ ଭିତରଟା ଛି କରିଦିଏ । ମନହୁଏ ମାଆକୁ ଡକାଇ ଆଣିବ । ଦି’ପଦ ଶୁଣାଇ ଦେବ । ବିକ୍ରମ ଧନ-କୁବେର ହୋଇ ପାରନ୍ତି । କିନ୍ତୁ ରବିର ପିତୃଆସନରେ ବସିବା ପାଇଁ ସେ ନିତାନ୍ତ ଅଯୋଗ୍ୟ । ଚିଠିଗୁଡ଼ିକ ଖଣ୍ଡି ଖଣ୍ଡି କରି ସେ ପଢ଼େ । ପଢ଼ିସାରି ଟିକିଟିକି କରି ଚିରେ । ଚିରିସାରି ନିଆଁ ଲଗାଇଦିଏ । କଳାକଳା ପାଉଁଶଗୁଡ଼ିକୁ ନେଇ ପାଣିକି ଫିଙ୍ଗିଦିଏ । ତଥାପି ସେ ନିଃଶେଷ ହୁଏ ନାହିଁ । ଅଣୁ ପରମାଣୁ ତା’ର ଏଣେତେଣେ ଉଡ଼ିବୁଲେ, ଭାସି ଚାଲେ । ଦୁନିଆରୁ ତା’ର ସତ୍ତା ଲୋପ ହୋଇପାରିବ ନାହିଁ । ଚିଠିଗୁଡ଼ିକ ଅଣୁ ପରମାଣୁରେ ପରିବର୍ତ୍ତନ ହେବ ସତ; ମାତ୍ର ସମ୍ପୂର୍ଣ୍ଣ ନିଃଶେଷ ହୋଇଯାଇ ପାରିବନାହିଁ ନିଶ୍ଚୟ । ଶେଷକୁ ଭାବିଭାବି ରବିର ମୁଣ୍ଡ ଧରିଯାଏ । ଟେବୁଲ ଉପରେ ଆଲ୍‍ବାମ୍‍ର ପ୍ରଥମ ପୃଷ୍ଠାଟି ଫିଟାଇ ସେ ମୁଣ୍ଡ ଥୋଇଦିଏ । ମନେମନେ କାନ୍ଦେ, ମନେମନେ କହେ—

 

‘ପିତା ସ୍ୱର୍ଗଃ ପିତା ଧର୍ମଃ ପିତାହି ପରମଂତପଃ

ପିତରି ପ୍ରିତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା ।’

 

ହେ ! ମୋର କୋଟି ଜନ୍ମର ଦେବତା ! ତୁମେ ମୋତେ ବାଟ ଦେଖାଅ । ମୁଁ ଏ ନରକପୁରୀରୁ ପଳାଏଁ । ମୁଁ ଏ କପଟାଚାରୀର ସ୍ନେହର ରବି ସମ୍ବୋଧନରେ ଆଉ ଯେମିତି ନ ଭୁଲେଁ । ଜୀବନରେ ଯେତିକି ହେଲା ସେତିକି । ଆଉ ସେ ବିକ୍ରମବାବୁଙ୍କ ପାପଧନ ଯେମିତି ମୁଁ ଗ୍ରହଣ ନକରେ । ମୋର ପଢ଼ାପଢ଼ି ଯେତିକି ହେଲା ସେତିକି, ମଣିଷ ହେବା ଯେତିକି ଦୂରଗଲା ସେତିକ । ମୁଁ ଆଜି ଜାଣି ସାରିଲିଣି କିଏ କଅଣ । ଅଧିକ ଦୂର ଆଗେଇବା ମୋର ଆଉ ଲୋଡ଼ା ନାହିଁ । ହେ ଭଗବାନ ! ହେ ପରମେଶ୍ୱର ! ମୋତେ ବାଟ ଦେଖାଅ । ଜୀବନଟା ଅପବିତ୍ର ହୋଇଗଲା । ବିଦ୍ୟା, ବୁଦ୍ଧି, ଜ୍ଞାନ, ବିଜ୍ଞାନ, ଯାହା କିଛି ଲାଭକଲି ସବୁତକ ବରଂ ମୁଁ ଭୁଲିଯାଏ; ମୋ ବାପାକୁ ମୁଁ ଯେମିତି ଭୁଲି ନଯାଏ, ଏତିକି ମାତ୍ର ଉପାୟ କର ପ୍ରଭୁ !

 

ଫଟୋଟି ଆଡ଼କୁ ଚାହିଁ ଚାହିଁ ରବିନାରାୟଣ କାନ୍ଦି ଉଠୁଚି । ନିରୋଳା କୋଠରୀଟି ଭିତରେ ବସିବସି ସେ କୁରୁଳି କୁରୁଳି କାନ୍ଦିବାକୁ ଆରମ୍ଭ କଲା । ଭିତରେ ଭିତରେ କୁହୁଳୁଚି ଅନ୍ତରର ନିଆଁ, ଆତ୍ମସମ୍ମାନର ନିଆଁ, ବଂଶ ମର୍ଯ୍ୟାଦାର ନିଆଁ । ଭାବିଲା ଆଜି ସେ ଚିଠି ଖଣ୍ଡିଏ ଲେଖିଦେବ—ମା ବିକ୍ରମବାବୁଙ୍କ ମେନେଜରି ଛାଡ଼ି ତୁମେ ପଳେଇ ଆସ । ପେଟ ଚାଖଣ୍ଡକ ପୋଷିବା ପାଇଁ ସାରା ଦୁନିଆଟା ପଡ଼ିଚି । ତୁମେ ଆଉ ମୁଁ କଟକ ଫେରିଯିବା । ବାପାଙ୍କର କୁଡ଼ିଆ ଖଣ୍ଡିକ ଆମର ସ୍ୱର୍ଗ । ଜୀବନରେ ଆଜିଯାକେ ଭୁଲବଶତଃ ଭୁଲର ଭଣ୍ଡାର ଯେତିକି ସଞ୍ଚିତ ହେଲା ତହିଁର ପ୍ରାୟଶ୍ଚିତ କରି ଏ ଜୀବନଟା କଟାଇ ଦେବା । ଆସ ତୁମେ ମା, ଚଞ୍ଚଳ ପଳାଇ ଆସ । ଆମର ଧନ, ମାନ, ଯଶଃ କିଛିମାତ୍ର ଲୋଡ଼ା ନାହିଁ । ଦାରିଦ୍ର୍ୟହିଁ ଆମର ପରମ ସମ୍ପଦ । ସେଇ ପବିତ୍ର ଜୀବନଯାତ୍ରା ହିଁ ଆମର ଧ୍ୟେୟ ଓ ଶ୍ରେୟ ହେଉ । ତୁମେ ମଣିମାଳା ଅଧିକାରୀ । ତୁମେ ରୟ ନୁହଁ, ତୁମେ ରାୟ ନୁହଁ ! ତୁମର ରାୟ ସାହେବ ପଦବୀ ଲୋଡ଼ା ନାହିଁ ମା !

 

ମନକୁ ଦୃଢ଼ କରିନେଇ ରବିନାରାୟଣ ଚିଠିଖଣ୍ଡିକ ଲେଖିଲା । ଲେଖିସାରି ତଳେ ଦସ୍ତଖତ କଲା—ରବିନାରାୟଣ ଅଧିକାରୀ । ତା’ ତଳକୁ ଲେଖିଲା—ପୁନଶ୍ଚ—ଏତିକି –ମା’ ମୋର ଶେଷ ପତ୍ର ବୋଲି ଜାଣିବ । ସାଟୋତିଦିନ ସମୟ ଦେଲି । ମୁଁ କଟକ ଫେରିଯାଉଚି । କଟକରେ ଅପେକ୍ଷା କରିବି । ସାତ ଦିନ ମଧ୍ୟରେ ତୁମେ ନଫେରିଲେ ମୁଁ ଘର ଛାଡ଼ି କୁଆଡ଼େ ଚାଲିଯିବି କହିପାରିବି ନାହିଁ । ତେଣିକି ତୁମେ ରାୟ ହୋଇ ନରକ ପଥରେ ଗତି କରୁଥାଅ—ମୁଁ ମୋର ଅଧିକାରୀ ବାଟକୁ ଫେରିଯିବାଲାଗି ଚେଷ୍ଟା କରିବି । ବିକ୍ରମବାବୁଙ୍କ ଦୟାରୁ ମୁଁ ଟିକେ ବଡ଼ ହୋଇଛି, ମୋର କିଛି ବୁଦ୍ଧି ହୋଇଚି । ବିବେକ ମୋର ପ୍ରସାରିତ ହୋଇଚି । ସେଥିଲାଗି ତାଙ୍କ ନିକଟରେ ମୁଁ ଋଣୀ । ଭୁଲରେ ତାଙ୍କୁ ମୁଁ କେତୋଟି ବର୍ଷ ହେଲା ‘‘ବାପା’’ ବୋଲି ଡାକୁଥିଲି, ସେତକ ଆଜି ପ୍ରତ୍ୟାହାର କରି ନେଉଚି । ଭଲ କଅଣ, ମନ୍ଦ କଅଣ, ଆଜି ମୁଁ ବୁଝି ପାରିଚି । ଆଉ ମୁଁ ଭ୍ରମ ପଛରେ ଘୂରି ପାରିବି ନାହିଁ । ମୁଁ ଅଧିକାରୀ ...ମୁଁ ଅଧିକାରୀ । ଅଧିକାର ମୋର ମୋରି ହାତରେ ।

 

ବିନ୍ଦୁ ବିନ୍ଦୁ ଲୁହ ଗଡ଼ି ପଡ଼ି ଚିଠିର ଅକ୍ଷରଗୁଡ଼ିକୁ ଠାଏ ଠାଏ ବିକୃତ କରିଦେଲା । ତଥାପି ଜୋର୍‍କରି ସେଖଣ୍ଡିକୁ ସେ ଚଉତାଇ ଖୋଲ ଭିତରେ ପୂରାଇ ମାଆର ଠିକଣା ଲେଖି ନିକଟରେ ଝୁଲୁଥିବା ଚିଠି ବାକ୍‍ସରେ ଗଳାଇ ଆସିଲା । ମନ ତା’ର ଉତ୍ତେଜିତ । ଘନ ଘନ ନିଃଶ୍ୱାସ ବହୁଚି । କଲେଜରେ କ୍ଲାସ୍‍କୁ ସେ ଗଲାନାହିଁ । ବିବୁଧେନ୍ଦ୍ର ବାବୁଙ୍କ ପାଖକୁ ଯାଇ ଲୋତକପୂର୍ଣ୍ଣ ନୟନରେ ସେ ବିଦାୟ ମାଗିଲା । ବିବୁଧେନ୍ଦ୍ର ବାବୁ କାବା ହୋଇଗଲେ । ରବିର ମୁହଁ ଆଡ଼କୁ ଅନାଇ ରହିଲେ-। ପଚାରିଲେ—ପାଗଳ ହେଲକି ରବି ? କଅଣ କହୁଚ ତୁମେ ବୁଝିପାରୁ ନାହିଁ । ପରୀକ୍ଷା ମୁଣ୍ଡ ଉପରେ । କୁଆଡ଼େ ବାହରିଚ ?

 

ପରୀକ୍ଷା ମୁଁ ଦେବିନାହିଁ ଆଜ୍ଞା ! ମୁଁ ଆଉ ପଢ଼ିବିନାହିଁ । କଟକ ଫେରିଯିବି । ମେଟ୍ରିକ ପାସ୍‍ କଲି । ଆଇ.ଏ. ପଢ଼ୁଚି । ସେତିକି ମୋର ଯଥେଷ୍ଟ । ହୁଏତ କଟକରେ ଟ୍ୟୁସନ କରି ପଢ଼ିବାକୁ ଆରମ୍ଭ କରିଦେବି । ସେଠି ପହଞ୍ଚି ଚିଠିଦେଲେ ଦୟାକରି ଆପଣ ମୋ ସାର୍ଟିଫିକେଟ୍‍ ଖଣ୍ଡିକ ପଠାଇବାର ବ୍ୟବସ୍ଥା କରିବେ ।

 

ବାୟା ହୋଇଛ ରବି ? କଅଣ ତୁମେ ଆଜି କହୁଚ ? କାହିଁକି ଏମିତି କଥା କହୁଚ ?

 

ଗୁମ୍‍ ମାରି ଠିଆହୋଇ ରହିଲା ରବି । ମନଭିତରେ ତା’ର ଝଞ୍ଜା ବହୁଚି । କେତୋଟି ବର୍ଷର ସ୍ଵପ୍ନ ପରେ ଆଜି ସେ ଚେଇଁ ଉଠି ଚେତନା ଲାଭ କରିଚି । ତନ୍ଦ୍ରା ଭାଜିଚି, ନିଦ୍ରା ନିଭିଚି । ଗତକଥା ଭାଳି ଭାଳି ସେ ଉନ୍ମତ୍ତ ହୋଇ ଉଠିଚି । ଆଜି ସେ ଉତ୍ୟକ୍ତ ପାଗଳ । କହିଉଠିଲା—ବିକ୍ରମବାବୁଙ୍କ ବନ୍ଧନ ଭିତରୁ ମୁଁ ମୁକ୍ତି ଚାହେଁ । ସ୍ୱର୍ଣ୍ଣ ପିଞ୍ଜରାର ମୁହଁଖୋଲି ପଳାଇ ଯିବାକୁ ଚାହେଁ । ଦୟାକରି ମୋତେ ଆପଣ ମୁକ୍ତି ଦିଅନ୍ତୁ । ଯେତେଦିନ ଆପଣଙ୍କ ପାଖରେ ଥିଲି, ତେତେଦିନ ଆପଣ ମୋର ବହୁତ ଯତ୍ନ ନେଇଚନ୍ତି । ଏ ଋଣ ଜୀବନରେ ସୁଝିପାରିବି ନାହିଁ । କିନ୍ତୁ ବିକ୍ରମବାବୁଙ୍କଠାରୁ ପାହୁଲାଟିଏ ଆଉ ଗ୍ରହଣ କରିପାରିବି ନାହିଁ । ବଡ଼ଲୋକ ସେ, ଧନୀ ସେ, ମାନୀ ସେ । ମାତ୍ର ଗରିବର ଆତ୍ମମର୍ଯ୍ୟାଦା ପ୍ରତି ଖାତିର ନାହିଁ ତାଙ୍କର । ପରାଧୀନା ମାଆକୁ ମୁଁ ଅବିଳମ୍ବେ ମୁକ୍ତ କରି ନେବାକୁ ଚାହେଁ । ଆଜି ଚିଠିଲେଖି ପଠାଇଦେଇ ସାରିଚି । ମାଆଙ୍କୁ ଫେରି ଆସିବାକୁ ସାତୋଟି ଦିନ ସମୟ ଦେଇଚି । ଅଧିକାରୀତ୍ୱ ଛାଡ଼ି ରାୟ ପଦବୀ ଗ୍ରହଣ କରିନେବ । କଥାଟା ମାଆଙ୍କର ମୁଁ ପସନ୍ଦ କରିପାରି ନାହିଁ । ମୋର ବାପା ବିଜୟକୃଷ୍ଣ ଅଧିକାରୀ । ମୁଁ ରବିନାରାୟଣ ଅଧିକାରୀ ।

 

ବିବୁଧେନ୍ଦ୍ର ବାବୁ ସବୁକଥା ବୁଝିପାରିଛନ୍ତି । ମନ ଭିତରଟା ତାଙ୍କର ବନ୍ଧୁ ବିକ୍ରମବାବୁଙ୍କ ବିରୁଦ୍ଧରେ ଉତ୍ତେଜିତ ହୋଇ ଉଠୁଚି । ମାଆର ଚରିତ୍ର ସନ୍ତାନ ଦୃଷ୍ଟିରେ ଅତି ମୂଲ୍ୟବାନ । ବିକ୍ରମବାବୁ ସେ ମୂଲ୍ୟବୋଧ ବୁଝନ୍ତି ନାହିଁ । ରବି ଆଜି ଛୁଆଟିଏ ନୁହଁ । ସେ ସବୁ ଜାଣିଲାଣି । ମାଆକୁ ସେ ବିକ୍ରମବାବୁଙ୍କ ସ୍ୱର୍ଣ୍ଣକାରାଗାରରୁ ମୁକ୍ତ କରି ଆଣିବାକୁ ଚାହେଁ । ମା ଚରିତ୍ର ହରାଇ ପରର ଆଶ୍ରତଳେ ମୁଣ୍ଡ ଗୁଞ୍ଜି ରହିବ, ଏକଥା ଜାଣି କେଉଁ ସନ୍ତାନ ବରଦାସ୍ତ କରିବ ? କେବଳ ଭାରତୀୟ ସଂସ୍କୃତି କାହିଁକି, ଗରିବ ହେଉ ପଛକେ ସାରା ପୃଥିବୀରେ ଏ କଥାକୁ କୌଣସି ସମ୍ଭ୍ରାନ୍ତ ଘରର ପିଲା ପସନ୍ଦ କରିପାରେ ନାହିଁ । ରବିର ଦୁଃଖ ନିଜ ଭିତରେ ପରିପୂର୍ଣ୍ଣଭାବେ ଅନୁଭବ କରି ବିବୁଧେନ୍ଦ୍ର ବାବୁ ପାଖକୁ ଲାଗି ଆସି ଆପଣା ଆଡ଼କୁ ଟାଣିନେଇ ମୁଣ୍ଡଟିକି ତା’ର ଆଉଁସି ଦେଇ କହିଲେ—ରବି, ଶୁଣ । ମୋ ଘରକୁ ଚାଲିଆସ । ମୁଁ ତୁମର ଭାର୍‍ ନେଲି । ପ୍ରତିଶ୍ରୁତି ଦେଉଚି, ବିକ୍ରମବାବୁଙ୍କ ପଇସା ତୁମ ପାଇଁ ଖରଚ କରିବି ନାହିଁ । ତୁମେ ପରୀକ୍ଷାଟା ଦିଅ । ପାସ୍‍ ତ କରିବ-। ଆଉ ଦୁଇଟି ମାତ୍ର ବର୍ଷ, ମୋରି ଘରେ ରହି ପଢ଼ିନିଅ । ବି.ଏ.ଟା ପାସ୍‍ କରିଯାଅ, ତା’ପରେ ଯାହା କରିବ ।

 

ଦୀର୍ଘନିଃସ୍ୱାଶ ଟାଣି ରବି କହିଲା—କ୍ଷମା କରିଦିଅନ୍ତୁ ସାର୍‍ ! ମୁଁ ଆଜି କଟକ ଯିବି । ମାଙ୍କୁ ଲେଖିଚି ଫେରି ଆସିବାକୁ । ସେ ଆସନ୍ତୁ ତେଣିକି ହୁଏତ ତାଙ୍କୁ କଟକରେ ରଖି ମୁଁ ଫେରି ଆସିବି । ପରୀକ୍ଷା ତ ମାସେ ଗୋଟାଏ ବାକି ଅଛି ।

 

ନିରୁପାୟ ବିବୁଧେନ୍ଦ୍ର ବାବୁ ଶେଷକୁ ସେଇ କଥାରେ ସମ୍ମତି ଦେଲେ । ନିଜ ଘରୁ ପଚିଶଟି ଟଙ୍କା ଆଣି ରବି ହାତରେ ଦେଇ କହିଲେ—ବାଟ ଖରଚ ପାଇଁ ମୁଁ ଦେଲି, ନିଅ । ତୁମେ ମୋର ଛାତ୍ର । ପୁତ୍ର ସମାନ । ତୁମର ମନର ବେଦନା ମୁଁ ମର୍ମେ ମର୍ମେ ଅନୁଭବ କରିପାରୁଛି । ମୋର ଆଶୀର୍ବାଦ, ତୁମେ ମଣିଷ ହୁଅ । ଭଲ ମଣିଷ ହୁଅ, ବଡ଼ ହୁଅ । ଉଚ୍ଚ ହୁଅ । ଦରିଦ୍ର ବିଜୟକୃଷ୍ଣ ବାବୁଙ୍କ ପୁଅ ନୁହଁ ତୁମେ । ଅଧିକାରୀର ପୁଅ ।

 

ବିବୁଧେନ୍ଦ୍ର ବାବୁଙ୍କ କୋଳକୁ ଆଉଜି ରବି କାନ୍ଦି ଉଠିଲା । ଦି’ଆଖିରୁ ତା’ର ଲୁହଧାର ଗଡ଼ି ଆସୁଚି । କଇଁ କଇଁ ଶବ୍ଦ କରି ଉଠୁଚି ସେ । ସେ କାନ୍ଦୁଚି । ଆଉ କୋଳ ଭିତରେ ତାକୁ ଧରିରଖି ବିବୁଧେନ୍ଦ୍ର ବାବୁ କାନ୍ଦୁଚନ୍ତି । ଅଦୂରରେ କେତେବେଳରୁ ଠିଆହୋଇ ସବୁକଥା ଶୁଣୁଥିଲେ ବିବୁଧେନ୍ଦ୍ର ବାବୁଙ୍କ ସ୍ତ୍ରୀ—ସ୍ନେହମୟୀ । ଶୁଣି ଶୁଣି ପଣନ୍ତରେ ଆଖିଲୁହ ପୋଛୁଚନ୍ତି । ଶୁଣି ଶୁଣି ପଥର ମୂର୍ତ୍ତିଟିପରି ଠିଆହୋଇ ଯାଇଚନ୍ତି । ଧୀରେ ଧୀରେ ପାଖକୁ ଲାଗିଆସି ରବିର ମୁଣ୍ଡ ଉପରେ ହାତଟି ଥୋଇ ଡାକିଲେ—ରବି, ରବି ନାରାୟଣ !

 

‘‘ମା, ମା ଆ ଆ !’’

 

ରବି ଅଧୀର ହୋଇ କାନ୍ଦି ଉଠୁଚି—‘‘ମାଆ’’ ।

 

ରବି

 

ନିଜ କୋଳ ଆଡ଼କୁ ଟାଣିନେଲେ ସ୍ନେହମୟୀ । ‘‘ରବି ! କାନ୍ଦ ନାହିଁ । ମୁଁ ତୁମର ମାଆ-। ତୁନିହୁଅ ।’’ ସ୍ନେହମୟୀଙ୍କ ଲୋତକ ବିନ୍ଦୁ ରବିର ମୁଣ୍ଡଉପରେ ବର୍ଷି ପଡ଼ୁଚି । ଅନ୍ତରେ ଅନ୍ତରେ ଉଭୟେ ଉଭୟର ମନର ବେଦନା ବୁଝୁଚନ୍ତି । କଇଁ କଇଁ ହୋଇ କାନ୍ଦୁ କାନ୍ଦୁ ରବି କହିଲା–ମାଆର ଚରିତ୍ରହୀନତା । କୌଣସି ପୁତ୍ର ସହିପାରେ ନାହିଁ ମା ! ମୁଁ କୁଆଡ଼େ ପଳାଇଯିବି-। ଆତ୍ମହତ୍ୟା କରିଦେବି । ଅଧିକାରୀ ମାଆ ମୋର ରାୟ ସାହେବଙ୍କ ସୁନାର ପିଞ୍ଜରା ଭିତରେ ବିଭୋଳ ହୋଇ ଭୁଲି ରହିବ, ଆଉ ମୁଁ ତାକୁ ସହ୍ୟ କରିବି ? ସିଂହର ପିଲାହୋଇ ଶୃଗାଳକୁ ଡାକିବି ମୁଁ ବାପା ବୋଲି ?

 

ନା ନା ନା, ତୁମେ ସିଂହର ପୁଅ । ତୁମର ବାପା ମରିଚନ୍ତି । ବାପାଙ୍କ ପଛେ ପଛେ ମାଆ ବି ମରିଚି । ସେମାନଙ୍କୁ ଭୁଲିଯାଅ । ସେମାନେ ଆଜି କେହି ନାହାନ୍ତି । ମାଳା ଅଧିକାରୀ କେଉଁକାଳରୁ ମରି ଭୂତ ହୋଇଯାଇଚି । ତାରି ଭୂତଟା ଆଜି ମାଳା ରାୟ ପାଲଟିଚି । ପୁନର୍ଜନ୍ମ ବିଶ୍ୱାସ କର ତ ଏଇହେଲା ପୁନର୍ଜନ୍ମ । ନିଜର କର୍ମଘେନି ମଣିଷ ପୁନର୍ଜନ୍ମ ଲାଭ କରିଥାଏ । ଭୂତ ବୋଲି ତାକୁ ଆମେ ପାସୋରି ପକାଇବା ସିନା ! ସେଇ ଚିନ୍ତାରେ ଘାରିହୋଇ କେବଳ ଭାଳିହେବା ଠିକ୍ ନୁହଁ ବାପା !

 

ମୋର ମାଆ ତେବେ ମରିଚି ?

 

ମରିଚି, ମରିଚି, ମରିଚି । ତୁମେ ମୋରି ପୁଅ । ମୁଁ ତୁମରି ମାଆ ।

 

ମାଆ, ମାଆ, !

 

ରବି ଅତି ବିକଳରେ କାନ୍ଦି ଉଠିଲା । କଥା ପଦେ କହିବାର ଶକ୍ତି ନାହିଁ ତା’ର ସେତେବେଳେ । ଅନ୍ତର ଭିତରେ କୁହୁଳାଟା ଅତିବେଗରେ କୁହୁଳି ଉଠିଚି । ଅସହ୍ୟ ବେଦନାରେ ସତେକି ଛାତି ଭିତରଟା ତା’ର ଫାଟିପଡ଼ୁଚି । ଅଧୀର ଆବେଗରେ ସେ ସ୍ନେହମୟୀଙ୍କ କୋଳ ଭିତରେ ଆପଣାକୁ ହଜାଇ ଦେଲା ।

 

ମାଆ, ମାଆ ! ମୁଁ ମରିଯିବାକୁ ଚାହେଁ । ବିଜୟକୃଷ୍ଣ ଅଧିକାରୀଙ୍କ ବଂଶ ଲୋପ ହୋଇଯାଉ । କୁଳ ବୁଡ଼ିଯାଉ । ଚରିତ୍ରହୀନ ମଣିମାଳା ରାୟସାହେବଙ୍କ ଧନ ସାଗର ମଧ୍ୟରେ ବୁଡ଼ିମରୁ, ସେଥିରେ ମୋର ଆପତ୍ତି ନାହିଁ ।

 

-୧୧-

 

ମୋର ବି ଆପତ୍ତି ନାହିଁ । ଜାଣୁଛି ଠିକ୍ ବାଟ ମୁଁ ଧରିପାରିନାହିଁ । ପାଣି ସୁଅ ଉପରେ ଭସା ପତର ଭାସି ଭାସି ଯାଉ ଯାଉ କେଉଁଠି କାହା ଦେହରେ ଅଟକିଗଲା; ସେଥିରେ ତା’ର ଚାରା କଅଣ ଅଛି । ଭସା ବାଦଲ ଶୂନ୍ୟରେ ଭାସୁଚି । ପବନର ବେଗ ତାକୁ ଭସାଇ ନେଇ ଯାଉଚି । ଭାସିଯିବା ଛଡ଼ା ଅନ୍ୟ ଉପାୟ ତା’ର କଅଣ ଅଛି । ମୁଁ ବି କିଛି ଆପତ୍ତି କରୁନାହିଁ ବାପା ! ଚିଠିଟି ପାଇ ମଣିମାଳାର ମୁଣ୍ଡ ଘାବୁରେଇ ଯାଇଛି । ଟେବୁଲ ଅଛି, ଫୋନ୍ ଅଛି । ହୁକୁମ ପାଇଁ ଅପେକ୍ଷା କରି ରହିଚନ୍ତି ଅମଲା ଗୁମାସ୍ତାଏ; ମାତ୍ର ମନ ନାହିଁ ପିଣ୍ଡଭିତରେ । ପ୍ରାଣପକ୍ଷୀ କାହିଁ ଯାଇ ଶାନ୍ତିନିକେତନରେ ଉଡ଼ି ବୁଲୁଛି । ପୁଅ ଏଭଳି ଚିଠି କେବେ ତ ଦିଏ ନାହିଁ ! ଛୋଟ ଥିଲା । ଧୀରେ ଧୀରେ ବଡ଼ ହେଉଥିଲା । ଟଙ୍କା କଉଡ଼ି ପାଇ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ସବୁକଥା ଭୁଲି ରହିଥିଲା । ମାତ୍ର ଆଜି ତ ସେ ପିଲା ନୁହଁ ! ଶିକ୍ଷା ସଙ୍ଗେ ସଙ୍ଗେ ଆତ୍ମମର୍ଯ୍ୟାଦା ବୋଧ ତା’ର ବଢ଼ି ଆସିଚି । ସବୁ ସେ ଜାଣି ଜାଣିପାରିଚି ।

 

ମଣିମାଳା ଚିଠି ଖଣ୍ଡିକ ଧରି ଭାବିଲା—ମୁଁ କଅଣ ଭଲମନ୍ଦ ଜାଣିପାରୁ ନାହିଁ ? କିନ୍ତୁ କାହାପାଇଁ ଏ ବାଟକୁ ଆସିଲି ? ବିକ୍ରମବାବୁଙ୍କ ନିକଟରେ ଆତ୍ମସମର୍ପଣ କରିଦେଲି ମୁଁ କାହାପାଇଁ-? କାହାର ମଙ୍ଗଳ ପାଇଁ ଚିତ୍ର ରାଜ୍ୟରେ ପାଦ ପକାଇଲି ? ଖସଡ଼ା ବାଟରେ ମୋର ଗୋଡ଼ ଖସିଗଲା । ମୁଁ କଅଣ ଜ୍ଞାତସାରରେ ଏ ସବୁ କରିଚି ? ଘଟନାଚକ୍ର ଆଉ ଅଭାବ ଏ ବାଟକୁ ମତେ ଆଣିଲା । କିନ୍ତୁ କାହାପାଇଁ ? ସେଇ ପୁଅଟି ପାଇଁ ନୁହଁକି ? ସେ ଯେବେ ଆଜି ଏଭଳି ଚିଠି ଲେଖିଲା—ତେବେ ଏଠୁ ଛାଡ଼ି ଚାଲିଯିବାକୁ ମୋର ଆପତ୍ତି କଅଣ ?

 

ହେଲେ ଏତେ ସୁଖ, ଏତେ ସମ୍ପଦ, ଏତେ ଅଧିକାର, ଏତେ ଆନନ୍ଦ ଓ ସ୍ୱାଛନ୍ଦ୍ୟ କଟକ ବସାରେ ମିଳିବ କି ? ଏ ସବୁର ମାୟାଜାଲ ଭିତରେ କେତେଗୁଡ଼ିଏ ବର୍ଷ ମୁଁ ଛନ୍ଦି ହୋଇଗଲିଣି । ବର୍ତ୍ତମାନ ମୁକ୍ତି ଚାହିଁଲେ, ମନଟାତ ମୁକ୍ତି ଚାହିଁପାରୁ ନାହିଁ । ବର୍ଷ ବର୍ଷର ଅଭ୍ୟାସ ଦେହସୁହା ହୋଇଗଲାଣି । ତାକୁ ଛାଡ଼ି ପଳାଇବା ସହଜ ନୁହେଁ ତ !

 

କିନ୍ତୁ ପୁଅ ପୁଣି ଏକମାତ୍ର ସନ୍ତାନ । ଛାଡ଼ି ପାରିବକି ମାଆ ! ପର କରିଦେଇ ପାରିବକି ମାଆର ଅନ୍ତର ? ସଂସାରରେ ଏଭଳି ବି କେତେକ ଅଛନ୍ତି, ନିଜର ସୁଖ ସ୍ୱାଛନ୍ଦ୍ୟ ପାଇଁ ବିଛଣା ଉପରେ ସୁପ୍ତ ପିଲାଙ୍କୁ ଛାଡ଼ି କାହା ସଙ୍ଗରେ ପଳାଇ ଯାଇଛନ୍ତି । କାମାଶକ୍ତ ନାରୀ ଜୀବନରେ ଘରସଂସାର ଓ ସନ୍ତାନ ସନ୍ତତି ଛାଡ଼ି ପଳାଇଯିବା ଘଟଣାଟା ଏକାବେଳେ ବିରଳ ନୁହେଁ ସତ; ମାତ୍ର ମଣିମାଳାର ପଳାୟନପନ୍ଥୀ ମନଟା ପୁଅର ଚିଠି ପାଇ ଆଜି ଫେରି ଚାହିଁଚି । ନିଜର ଭୁଲଟା ଆଜି ତାକୁ ମସ୍ତବଡ଼ ହୋଇ ଦେଖାଦେଇଚି । ଚିଠିଟି ଟେବୁଲ ଉପରେ ଥୋଉଚି ଏବଂ ପୁଣି ଉଠାଇ ନେଉଚି । ପଢ଼ୁଚି ଏବଂ କାନ୍ଦୁଚି । ସମସ୍ତଙ୍କୁ ପାଖରୁ ବିଦାୟ କରିଦେଇ ଶୋଇବା ଘରକୁ ଉଠିଯାଉଚି । ଶେଯଉପରେ ଲମ୍ବହୋଇ ପଡ଼ି ଦୀର୍ଘନିଃଶ୍ୱାସ ଟାଣୁଚି ଏବଂ କଇଁ କଇଁ ହୋଇ କାନ୍ଦୁଚି । ଖଟ ଉପରୁ ଉଠିଯାଇ ପୁରୁଣା ଟ୍ରଙ୍କ୍‍ଟି ଫିଟାଉଚି ଏବଂ ସ୍ୱାମୀର ଫଟୋ ଖଣ୍ଡିକ କାଢ଼ି ଚାହିଁ ରହୁଚି । ଫଟା ଫଟା ବ୍ରୋମାଇଡ଼୍‍ ପ୍ରିଣ୍ଟ୍‍ ଖଣ୍ଡେ ଏବଂ କୋଳକୁ ଗୁଲୁଗୁଲିଆ ପିଲାଟି । ମଣିମାଳାର ମନଟା ଛଟପଟ ହୋଇ ଉଠିଲା । ଦେଖିଲା, ସତେକି ଫଟୋ ଖଣ୍ଡିକ ଭିତରୁ ବିଜୟବାବୁ ଜୀବନ୍ତ ହୋଇ ଉଠି ଆସୁଚନ୍ତି ଏବଂ ନିଭୃତି ଶଯ୍ୟାଉପରେ ବିକ୍ରମବାବୁଙ୍କ ପାଖରେ ମଣିମାଳାକୁ ଦେଖି କୁତ୍ସିତ ଭାବରେ ଘୃଣାପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରି କହୁଚନ୍ତି—‘ଛି, ଛି, ମାଳା ! ଉଷସୀ ସଙ୍ଗରେ ଅଭିନୟ କଲାବେଲକୁ ମୋତେ ତୁ ଜଗି ଜଗି ବୁଲୁଥିଲୁ ନିଜର ଏଇ କୁତ୍ସିତ ନୈତିକତା ଘେନି । ମାଳା ! ଚରିତ୍ରହୀନା ! ନରକରେ ତୋ ପାଇଁ ସ୍ଥାନ ଅଛି ନା ? ବିକ୍ରମ ରାୟର ଧନ ସମ୍ପତ୍ତି ଦେଖି ଚରିତ୍ର ହରାଇଲୁ ? ମେନେଜରି ଚାକିରି ପାଇଁ ଏଇ ହୀନପନ୍ଥା ଅବଲମ୍ବନ କଲୁ-? ମଣିଷର ଜୀବନରେ ବଡ଼ଟି କଅଣ ମାଳା ! ଚରିତ୍ର ନୁହେଁ କି ? ମୋର ସ୍ତ୍ରୀ ହୋଇ ତୁ ଆଜି ବିକ୍ରମ ରାୟର ଅଙ୍କଶାୟିନୀ । ଛିଃ, ଥୁ... ।

 

ମାଳା ମନେମନେ ଚମକି ଉଠିଲା । ମନଭିତରେ ଆଜି ତା’ର ବିବେକ ଅଗ୍ନିଜାଳି ଉଠିଚି । ଧନ ସମ୍ପଦ ଓ ଅଧିକାରୀ ମାଦକତା ଭିତରେ କେତୋଟି ବର୍ଷ ହେଲା ସେ ସମ୍ପୂର୍ଣ୍ଣ ଅଜ୍ଞାନହୋଇ ପଡ଼ି ରହିଥିଲା । ଆଜି ତା’ର ନିଶା ଛାଡ଼ିଚି, ନିଦ ଭାଜିଚି । ସ୍ଵପ୍ନପରି ଲାଗୁଚି ସବୁ କଥା । ଭିତରେ ଭିତରେ ଏ ଲାଞ୍ଛନାର ଚାବୁକ୍‍, ବିବେକର ଦଂଶନ, ନୈତିକତାର ଚିଆଁମାଡ଼ ପ୍ରାଣର ଜଡ଼ତା ଛଡ଼ାଇ ଦେଉଚି । ନିଜକୁ ସେ ଛିଛି-କାର କରି ଅନୁତାପ ଆରମ୍ଭ କରିଦେଇଚି । ପୁଅ କଥା ଭାବିଲାବେଳେକୁ ବିକଳ ଲାଗୁଚି । କାନ୍ଦ ମାଡ଼ୁଛି । ଏକମାତ୍ର ସନ୍ତାନ ଯେବେ ତାକୁ ଛାଡ଼ି ଚାଲିଯିବାକୁ ଦୃଢ଼ ସଙ୍କଳ୍ପ, ତେବେ ତା’ର ଆଉ ଏଠି ରହିବାର ଆବଶ୍ୟକତା କଅଣ ?

 

ନିଜକୁ ନିଜେ ସେ ପଚାରିଲା—ନିକିତିର ଗୋଟିଏ ପାଖରେ ପୁଅ ରବିନାରାୟଣ, ଆଉ ଦରିଦ୍ର ହେଲେବି ଗୋଟିଏ ସମ୍ଭ୍ରାନ୍ତ ବଂଶର ମାନମର୍ଯ୍ୟାଦା, ଆର ପାଖରେ ବିକ୍ରମବାବୁଙ୍କ ସମ୍ପର୍କ ଓ ଧନ ସମ୍ପଦ । ପୁଣି ସେ ଭାବିଲା—ବିକ୍ରମବାବୁ କେତେଦିନ ତାକୁ ଆପଣାର କରିପାରିବେ ? ଘରେ ତାଙ୍କର ବିବାହିତା ସ୍ତ୍ରୀ ଅଛନ୍ତି । ପୁଅ ଝିଅ ଅଛନ୍ତି । ବଡଲୋକଙ୍କର ମନଟା ଖଣ୍ଡେ ସିଗାରେଟ ଚାହେଁ, ବୋତଲେ ମଦ ଚାହେଁ, କପେ ଚାହା ଚାହେଁ, ଖଣ୍ଡେ ରେଡ଼ିଓ ଚାହେଁ, ଗୋଟାଏ ଦିଇଟା ନାରୀ ଚାହେଁ । ସିଗାରେଟ ଖଣ୍ଡିକ ପୋଡ଼ି ଖାର ହୋଇଗଲେ ଫିଙ୍ଗି ଦିଅନ୍ତି । ପିଇସାରି ମଦ ବୋତଲଟାକୁ ଗଡ଼ାଇ ଦିଅନ୍ତି । ସୌନ୍ଦର୍ଯ୍ୟ ଝଡ଼ିଲେ ନାରୀକୁ ବିଦାୟ ଦିଅନ୍ତି । ଆଜିର ମେନେଜର କାଲିକି ଦାସୀ, ପୋଇଲି । ବିକ୍ରମବାବୁଙ୍କ ବିବାହିତା ଗୃହିଣୀ ପରିଦିନ ସକାଳୁ ଛାଞ୍ଚୁଣିରେ ପିଟି ନିକାଲି ଦେବେ । ତାଙ୍କ ପିଲାଏ ଦେଖିଲେ ଛେପ ପକାଇବେ । ଏଇ କଅଣ ମାଳାର ଭବିଷ୍ୟତ ?

 

ନିଜକୁ ନିଜେ ପ୍ରଶ୍ନ କରି ଚମକି ପଡ଼ିଲା ମାଳା । ଏକୁଟିଆ ଘରଟି ଭିତରେ ମନ ତା’ର ସାଂଘାତିକ ଭାବେ ଛଟପଟ ହୋଇ ଉଠିଲା । ମୁଁ ଦାସୀ ! ମୁଁ ପୋଇଲି ! ବିକ୍ରମ ରାୟଙ୍କ ରକ୍ଷିତା । ମୁଁ ଚରିତ୍ରହୀନା, କଲଙ୍କିନୀ, କୁଳନାଶିନୀ ! ହାୟରେ ! ମୁଁ ପରା ଜନନୀ ! ସନ୍ତାନର ମା ! କଅଣ କଲି ମୁଁ ? କାହିଁକି ଏ ନରକ କୁଣ୍ଡରେ ବୁଡ଼ିମଲି ! ଉଦ୍ଧାରର ଉପାୟ କାହିଁ ମୋର ? ମୁକ୍ତିର ବାଟ କାହିଁ ମୋର ? ମୁଁ କିଛି ବୁଝିପାରୁ ନାହିଁ । ବାଟ ପାଉନାହିଁ । ଅବାଟରେ ଆସି ନିଘଞ୍ଚ କଣ୍ଟା ବଣ ଭୀତରେ ହାମୁଡ଼ି ପଡ଼ି ଯାଇଛି । ବାଟ କିଏ ଦେଖାଇ ନେବ ମୋତେ । କିଏ ମୋତେ ବାଟକୁ ନେବ ? ହେ ଭଗବାନ ! ହେ ପରମେଶ୍ୱର ! ମୋତେ ଏ ବାଟକୁ ତମେଇ ଆଣିଲ । ତୁମେ ହିଁ ହାତ ଧରି ମୋତେ ବାଟରେ ମୋର ଛାଡ଼ିଦେଇ ଆସ । ମୁଁ ମୋ ପୁଅ ପାଖକୁ ଯିବି । ମୋ ଘରକୁ ଫେରିଯିବି । ସ୍ୱାମୀଙ୍କ କୁଡ଼ିଆକୁ ଲେଉଟିଯିବି । ଅପରାଧିନୀ, ଅପବିତ୍ରା, କଳଙ୍କିନୀ ମୁଁ । ମୋତେ ତୁମେ କ୍ଷମାଦିଅ । ଭଗବାନ ! ମୋତେ ଲେଉଟାଇ ନିଅ । ବାଟ କଅଣ ମୁଁ ଜାଣେ; ମାତ୍ର ଶକ୍ତି ନଥିଲା ବାଟେ ବାଟେ ଚାଲିବାକୁ । ଅବାଟ କଅଣ ଜାଣେ; ମାତ୍ର ଅବାଟକୁ ଛାଡ଼ି ଯିବାର ଶକ୍ତି ନଥିଲା ମୋର । ଧର୍ମ କଅଣ ମୁଁ ଜାଣେ, ତହିଁରେ ପ୍ରବୃତ୍ତି ହେଲାନାହିଁ । ଅଧର୍ମ କେଉଁଟା ତା’ ବି ଜାଣେ; ମାତ୍ର ତହିଁରେ ନିବୃତ୍ତି ଜନ୍ମିଲା ନାହିଁ । ହେ ! ତୁମେ ବାଟ ଅବାଟ, ଧର୍ମ ଅଧର୍ମ ସବୁର କର୍ତ୍ତା-! ଅତି କ୍ଷୁଦ୍ର ଶକ୍ତିହୀନ ଜୀବ ମୁଁ—ଯେଉଁଥିରେ ଯେତେବେଳେ ମୋତେ ତୁମେ ନିଯୁକ୍ତ କଲ ତାହାହିଁ କରି ଚାଲିଚି । ଦୁନିଆରେ ଦୋଷ ବୋଲି କିଛି ଯଦି ଥାଏ ତେବେ ସେତକ ତୁମର ନା ମୋର-?

 

ଭଲ ଆଉ ମନ୍ଦ, ଭୁଲ ଆଉ ଠିକ୍, ମଣିଷ ଜାଣିଶୁଣି ବାଟ ଭୁଲି ଚାଲେ କାହିଁକି ? କିଏ ଏଥିଲାଗି ଦାୟୀ ? କହିବ—ତୁମେ ହିଁ ସବୁକଲ । ତୁମେହିଁ ଭଲମନ୍ଦର କର୍ତ୍ତା । କିନ୍ତ ମୋର ଶକ୍ତି ସାମର୍ଥ୍ୟ କେତେ ହେ ? ଜୀବନଟା ହେଲା ଜଳ ବୁଦ୍‍ବୁଦ୍‍ ମାତ୍ର । ଭାସି ଚାଲିଚି । ଫାଟି ଯାଉଚି । ଫୁଟି ପଡ଼ୁଚି । ଦିଶୁଚି, ପୁଣି ଅଦୃଶ୍ୟ ହୋଇଯାଉଚି, ଏଇତ । ଇଆର ପୁଣି ବ୍ୟକ୍ତିତ୍ୱ ଓ ନିଜତ୍ୱ କଅଣ ଗୋଟାଏ ଅଛି ହେ ! ସ୍ରୋତ ତୁମେ କରିଚ, ପାଣି ଫୋଟକା ପରି ମୋତେ ତୁମେ ସୃଷ୍ଟି କରିଛ । ମୋ ପକ୍ଷେ ବାଟ ଅବାଟ ବାଛିବାର ଶକ୍ତି ପୁଣି ଅଛି ନା ? ପୁଣି ମାଳା ଭାବିଲା—ଏଗୁଡ଼ାକ ଦୁର୍ବଳର ପ୍ରଳାପ ମାତ୍ର । ଭୁଲ ଯିଏ କରିଯାଉଚି ନିଜକୁ ସଫେଇ ଦେଖେଇବା ପାଇଁ ସେ ଏସବୁ ଦୃଷ୍ଟାନ୍ତର ସାହାଯ୍ୟ ନେଉଚି ଏବଂ ଏଭଳି ଯୁକ୍ତି ବାଢ଼ୁଚି । କିନ୍ତୁ ପାପ କଲେହିଁ ପ୍ରାୟଶ୍ଚିତ୍ତ କରିବାକୁ ହେବ । ଦୋଷ କଲେ ଦଣ୍ଡ ପାଇବାକୁ ହେବ ।

ଦୀର୍ଘନିଃଶ୍ୱାସ ପରେ ଦୀର୍ଘନିଃଶ୍ୱାସ । ମାଳା ସ୍ୱାମୀର ଫଟୋ ଖଣ୍ଡିକୁ ଛାତି ଉପରେ ଭିଡ଼ିଧରି କାନ୍ଦୁଚି । କାନ୍ଦି କାନ୍ଦି ଅଜ୍ଞାନ ହୋଇଯାଉଚି । ଖଟଟି ଉପରେ ପଡ଼ି ପଡ଼ି ଭାବୁଚି । ବିକଳ ହୋଇ ତଳକୁ ଗଡ଼ି ପଡ଼ି ଚଟାଣଟା ଉପରେ ଗଡ଼ୁଚି । ସେ ଆଜି ପାଗଳ ହୋଇଯାଇଚି । ମନଗହନର ଚତୁର୍ଦ୍ଦିଗ ନିଆଁ ଘୋଟି ଯାଇଚି । ସନ୍ତାନହରା ହରିଣୀଟି ପରି ସେ ବିକଳ ହେଉଚି, ଛଟପଟ ହେଉଚି । ଚାକରାଣୀ ଆସି ଯେତେ ବୁଝାଇଲେ ବୁଝିଲା ନାହିଁ । ଚାକରାଣୀ ନିଜେ ମଧ୍ୟ ବୁଝିପାରିଲା ନାହିଁ । ବିକ୍ରମବାବୁ କଲିକତା ଛାଡ଼ି ବାହାରକୁ ଚାଲିଯାଇଚନ୍ତି । ଭୃତ୍ୟ ପଚାରିଲା—ଡାକ୍ତର ଡାକିବି ମା ।

ଦରକାର ନାହିଁ ବାବୁଙ୍କୁ ଫୋନ୍ କରି ଡକା । ଯେମିତି ହେଉ ଆଜି ସେ ଆସନ୍ତୁ । ମୁଁ କାଲି ନିଶ୍ଚୟ କଟକ ଯିବି । ରବିକି ଅନେକ ଦିନ ହେଲା ଦେଖିନାହିଁ । ତା’ ଦିହ ଖରାପ । ସେ କଟକ ଯାଇଚି । ଫୋନ୍ କର । ବାବୁଙ୍କୁ ଡକା ।

 

ହୁଲୁସ୍ତୁଲ ପଡ଼ିଗଲା । ଫୋନ୍ ଖବର ଗଲା । ବିକ୍ରମବାବୁ ରାତିରେ ଆସି ପହୁଞ୍ଚିଲେ । ଦେଖିଲେ ମଣିମାଳା ସମ୍ପୂର୍ଣ୍ଣ ନିରଳଙ୍କାରା । ବିଧବା ପରି ସେ ସବୁ ଅଳଙ୍କାର ପରିତ୍ୟାଗ କରିଚି । ଛେଦା ଧୋତିଟିଏ ପିନ୍ଧି ମୁଣ୍ଡର ବାଳତକ ମୁକୁଳା କରିଦେଇଚି । କାନ୍ଦି କାନ୍ଦି ମୁହଁ ତା’ର ଫୁଲି ଯାଇଚି । ଆଖି ଦିଇଟା କୁମ୍ଭାଟୁଆ ଆଖିପରି ଲାଲେ ଲାଲ । ସଙ୍ଗରେ ନେବାଲାଗି ଖଣ୍ଡେ ସୁଟକେଶ୍‍ ବି ସେ ସଜାଡ଼ି ସାରିଚି । ଅତି ବିଚଳିତ ଅବସ୍ଥାରେ ପହୁଞ୍ଚି ବିକ୍ରମବାବୁ ଡାକିଲେ—ଇଏ କଅଣ ମାଳା ! ଏ କି ପାଗଳାମି ?

 

କ୍ରୁୄଦ୍ଧ ହସ ହସି ମାଳା କଟମଟ କରି ଚାହିଁଲା । ଲୁହା ସିନ୍ଦୁକ ଓ କାଗଜପତ୍ର ଆଲମାରିର ଚାବି ପୁଳାକ ବିକ୍ରମବାବୁଙ୍କ ଆଡ଼କୁ ଫିଙ୍ଗିଦେଲା; କହିଲା—ନିଅ, ରଖ । ମୁଁ କଟକ ଯିବି ।

 

ଯିବ ତ ଏଭଳି ବେଶ କାହିଁକି ? ଏତେ ଉତାଲା ?

 

କଟମଟ କରି ଚାହିଁ ମାଳା କହିଉଠିଲା—ବିଧବା ଘରକୁ ଫେରୁଚି, କି ବେଶ ଘେନି ଫେରିବି ? ରବି ବେମାର ପଡ଼ି କଟକ ଆସିଚି ।

 

କିଏ ଖବର ଦେଲା ?

 

ସେ ନିଜେ । ଚିଠି ଦେଇଚି ।

 

କାହିଁ, ସେ ଚିଠି ଦେଖେଁ ?

 

ବାଉଳାରେ ମୁଁ ଚିରି ଫିଙ୍ଗି ଦେଇଚି ।

 

ଚାଲ ତେବେ, ମୁଁ ସଙ୍ଗରେ ଯିବି ।

 

ନା, ନା, ନା—ମୁଁ ଏକା ଯିବି ।

 

କାଲି ଆଡ଼କୁ ଗଲେ ହେବ ନାହିଁ ?

 

ନା, ଆଜି । ମୋତେ ଟିକେ ଷ୍ଟେସନରେ ପହୁଞ୍ଚାଇ ଦେବାର ବରାଦ କର ।

 

କିଛି ଟଙ୍କା କଉଡ଼ି ନେଇଚ ନା ?

 

ନେଇଚି । ଦରକାର ଯେତିକି ।

 

ଥକ୍‍କାହୋଇ ବସିପଡ଼ି ବିକ୍ରମବାବୁ ଏକଲୟର ମଣିମାଳା ଆଡ଼କୁ ଅନାଇ ରହିଲେ । ହଠାତ୍ ମାଳାର ଏତେଦୂର ପରିବର୍ତ୍ତନ ? ସତେ କଅଣ ସେ ଦୂରେଇଯିବାକୁ ବସିଚି ? ସ୍ଵପ୍ନମୟୀ, ପ୍ରହେଳିକାମୟୀ, ଚଞ୍ଚଳା, ଚପଳା, ମଣିମାଳା ସତେ କଅଣ ଚାଡ଼ିଛୁଡ଼ି ଦେଇ ପଳାଇ ଯାଉଚି ? ଭାବିଲାବେଳକୁ ବିକ୍ରମବାବୁଙ୍କ ମନ କାନ୍ଦିଉଠୁଛି । ପ୍ରାଣ କୁହୁଳି ଉଠୁଚି । ଜୀବନ ନିଦ୍ରା ଭିତରେ କେତୋଟି ବର୍ଷର ଅଭୁଲା ସ୍ୱପ୍ନକୁ ମନ ପରଦା ଉପରେ ଛାୟାଛବି ପରି ଛାଡ଼ିଦେଇ ସତେ କଅଣ ନିତାନ୍ତ ଅନ୍ତର ହୋଇ ଯାଉଚି ମାଳା ? କଥାଟା ମନେ ପକାଇଲା ବେଳକୁ ମନ ଭିତରଟା କାହିଁକି କେଜାଣି ଗୁରାଣ୍ଡି ପକାଉଛି । ଏତେ ଦିନର ମାୟା, ମମତା ଓ ଆନନ୍ଦ ସତେ କଅଣ ଶେଷ ହୋଇ ଯାଉଚି ଆଜି ? ବିକ୍ରମବାବୁ ଚାହିଁ ନଥିଲେ । ଘଟଣାଚକ୍ର ଆଣି ଯୁଟାଇଲା । ଦୁଇଟି ପକ୍ଷୀ ମଧ୍ୟରୁ ଗୋଟିଏ ମଲା । ଆରଟି ମାୟାଜାଲରେ ଅଟକି ଗଲା । ଘର ଭୁଲି, ସ୍ତ୍ରୀ ପୁତ୍ରଙ୍କୁ ପାସୋରି ବିକ୍ରମବାବୁ ମଣିମାଳା ହାତରେ ନିଜର ବ୍ୟବସାୟ ବାଣିଜ୍ୟ ଓ ଜୀବନଟିକୁ ସମର୍ପି ଦେଲାପରେ ସେ ଆଜି ବସିଚି ଛାଡ଼ିଛୁଡ଼ି ଚାଲି ଯିବାକୁ । ସାମାଜିକତା ଛଡ଼ା ମଣିଷ ମଣିଷ ଭିତରେ ଅନ୍ୟ କିଛି ସମ୍ପର୍କ ଥାଇ ନପାରେ ? ପରିଚୟରୁ ସମ୍ପର୍କ, ସମ୍ପର୍କରୁ ସମ୍ବନ୍ଧ, ସମ୍ବନ୍ଧରୁ ଆତ୍ମବିନିମୟ ଓ ଆତ୍ମସମର୍ପଣ ଜନ୍ମ ଲଭେ । ଆତ୍ମସମର୍ପଣପରେ ନୈତିକତା ଓ ଚରିତ୍ରବତ୍ତାର ବାଡ଼ବତା କିଛି ରହେ ନାହିଁ । ରହି ପାରେନାହିଁ । ମନ ମନ ଏକ ହେଲେ, ଜଣକ ପାଇଁ ଆର ଜଣକ ଝୁରି ହେଲା । ଶରୀରର ଭେଦାଭେଦ ମନର ଭେଦାଭେଦ ସଙ୍ଗେ ପାସୋର ହୋଇଗଲା । ତା’ପରେ ଆସିଲା ସ୍ୱପ୍ନ ଓ ବିଭୋଳତା । ଅଜ୍ଞାନତା ସମୁଦ୍ରରେ ବୁଡ଼ ଦେଇସାରି ଭଲମନ୍ଦ ଭୁଲିଗଲେ ଦୁହେଁଯାକ । ଆପଣା ପର ଭୁଲି, ନିୟମ କାନୁନ ଭୁଲି ଅଜ୍ଞାତରେ ଏକ ହୋଇଗଲେ । ଆଜି କିନ୍ତୁ ଛଡ଼ାଛଡ଼ି କଥା ଭାବିଲାବେଳକୁ ସତେକି ଗୋଟାଏ ଦେହ କରତି ହୋଇ ଦୁଇଟି ହେବାକୁ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଚି । ମନ କରତି ହୋଇ ଯାଉଚି । ପ୍ରାଣ ଭିତରଟା ଚିରି ଫାଳ ଫାଳ ହୋଇ ଗଲାଭଳି ଲାଗୁଚି-

 

ବିକ୍ରମବାବୁ କାଠର ପ୍ରତିମା ପରି ବସିପଡ଼ି ଭାବୁଚନ୍ତି—ସତେ କଅଣ ମାଳା ଆଜି ପର କରିଦେଇ ଯାଉଚି ! ତା’ର ବେଶଭୂଷା, ତା’ର କଥାବାର୍ତ୍ତା, ଆଜିତ କେମିତି କେମିତି ଅସ୍ୱାଭାବିକ ଲାଗୁଚି । ଧୀରେ ଧୀରେ ଉଠି ଠିଆହେଲେ । ପାଖକୁ ଯାଇ ହାତଟିକି ଧରିପକାଇ ପଚାରିଲେ—ସତ କହ ମାଳା ! ଅଜାଣତରେ ମୁଁ କଅଣ ଭୁଲ କିଛି କରିପକାଇଲି ? ତୁମେ ମତେ ଛାଡ଼ି ଯାଉନାହଁ ତ ?

 

ଦୁମ୍ ଦୁମ୍ ହୋଇ ମାଳାର ଛାତି ଭିତରଟା କମ୍ପି ଉଠିଲା । କି ଉତ୍ତର ଦେବ ସେ ? ପାଖକେ ପୁଅ, ପାଖକେ ବିକ୍ରମବାବୁ । ସେତ ଆଉ ପରବୋଲି ଭାବି ପାରୁନାହିଁ ତାଙ୍କୁ । କିନ୍ତୁ ପୁଅ ପାଇଁ ଆଜି ତାଙ୍କୁ ଛାଡ଼ି ଯିବାକୁ ପଡ଼ୁଚି । ମାଆ ସେ, ପୁଅର ଜନନୀ । କେବେ ସେ ଥିଲେ ସ୍ୱାମୀ ସୋହାଗିନୀ ପ୍ରଣୟିନୀ । ସନ୍ତାନର ମାଆ ହେଲାପରେ ନାରୀ ପ୍ରଣୟିନୀ ହୋଇ ରହେ ନାହିଁ । ତେଣିକି ସେ ସନ୍ତାନର ଜନନୀ—ଜନ୍ମଦାତ୍ରୀ ମାଆ ।

 

କେବେ ସେ ଥିଲେ ସ୍ୱାମୀ ସୋହାଗିନୀ । ସ୍ୱାମୀ ଚାଲି ଯାଇଚନ୍ତି । ଅଭାବର ଅନ୍ଧକାର ବାଟରେ ଚାଲୁ ଚାଲୁ ଦେଖିଲେ ଜଣେ କିଏ ବାଟ କଢ଼ାଇ ନେବାକୁ ହାତ ବଢ଼ାଇଚି । ଅଭାବର ଗଭୀର ସ୍ରୋତରେ ବୁଡ଼ିଗଲା ବେଳକୁ ଅଜ୍ଞାତ କୁଟାଖଣ୍ଡିକୁ ସେ ଧରିପକାଇଚି, ଜୀବନ ମରଣର ଭିଡ଼ା ଓଟରା ବେଳେ । ବୁଭୁକ୍ଷାର କରାଳ ରୂପ ନିକଟରେ ନୀତିବାଦିତା ଓ ଚରିତ୍ରବତ୍ତାର ଆକାର କେତେ ବଡ଼ ହେ ? ଭୋକରେ ଯେତେବେଳେ ପେଟ ପୋଡ଼ି ଯାଉଚି, ତେତେବେଳେ ଯଦି କହିବ ଏଇଟି ଭଲ, ଏଇଟି ମନ୍ଦ, ସେକଥା ଶୁଣିପାରିବ ନାହିଁ ।

 

ବୁଭୁକ୍ଷିତ କି ପାପଟି ନ କରେ ?

 

ବୁଭୁକ୍ଷିତ, ଅଭାବଗ୍ରସ୍ତ ମଣିମାଳାର ଆଜି ସେ ଦୁର୍ଦ୍ଦିନ ନାହିଁ । ଚିତ୍ର ତାରକା ହିସାବରେ ମୋଟା ଧରଣର ଟଙ୍କା କଉଡ଼ି କିଛି ତା’ ହାତରେ ଗଚ୍ଛିତ ହୋଇଯାଇଛି । ବିକ୍ରମବାବୁଙ୍କ ମେନେଜରି ଚାକିରିରେ ଯେତେ ତା’ର ନଥିଲା ମାୟା, ବିକ୍ରମବାବୁଙ୍କ ପ୍ରତି ତେବେ ତା’ର ମାୟାମୋହ ଜନ୍ମିଯାଇଥିଲା । ସେ ହେଲା ଶରୀରର ଡାକରା । ଜନନୀର ସନ୍ତାନ ଡାକରା ନିକଟରେ ଶରୀରର ଡାକରା ବଡ଼ନୁହେଁ । ଅନ୍ଧକାର ସୁଡ଼ଙ୍ଗଭିତରେ କାହାର ବା ହାତଧରି ସେ ଏତେ ଗୁଡ଼ିଏ ବାଟ ଚାଲି ଆସିଲା ! ଏବେତ ସେ ଆସି ସୁଡ଼ଙ୍ଗର ଦ୍ୱାର ଦେଶରେ ଅବତୀର୍ଣ୍ଣ । ଚାରିଆଡ଼ ତା’ର ଆଲୋକମୟ । ଆଉ କାହିଁକି ସେ ଅନ୍ଧାର ଭିତରେ ଚାଲିଲା ପରି ଅଣ୍ଡାଳି ହୋଇ ଜଣେ କାହାର ହାତ ଧରି ଚାଲିବ ? ଅନ୍ଧ ଆଖି ଫିଟି ଯାଇଛି; ଆଉ କିଆଁ ଅନ୍ଧପୁଟୁଳି ? ପୁଅ ଆଜି ଡାକ ଦେଇଚି; ଆଉ କାହିଁକି ବାଟୋଇ ବନ୍ଧୁର ମାୟା ?

 

ରୁଗ୍‍ଣ ପୁଅ ଘରକୁ ଫେରିଚି । ରୁଗ୍‍ଣ ସ୍ୱାମୀ ବିଦାୟ ନେଇ ଯାଇଚନ୍ତି । ମନଭିତରେ ଚାଉଁ ଚାଉଁ ଲାଗିଯାଇଚି ଛାନିଆର ନିଆଁ । ବିକ୍ରମବାବୁଙ୍କ ଘରସଂସାରକୁ ପଛକରିଦେଇ ସେ ବାହାରି ପଡ଼ିଚି ସାନ୍ନ୍ୟାସିନୀ ବେଶ ହୋଇ । ବିକ୍ରମବବୁଙ୍କ ବନ୍ଧନ ଡୋରି ସେ ଜୋର୍‍କରି ଛିଡ଼ାଇ ଦେବାକୁ ବସିଚି । ମାତ୍ର ବିକ୍ରମବାବୁ ହାତଟିକି ତା’ର ଧରିପକାଇ ପଚାରୁଚନ୍ତି—ସତେ କଅଣ ମାଳା, ତୁମେ ମୋତେ ଛାଡ଼ିଯିବାକୁ ବସିଚ ? କାହିଁକି କେଜାଣି ମୋ ମନଟା ପାପ ଛୁଉଁଚି । ତୁମେ ଚାଲିଗଲେ ମୁଁ ବଞ୍ଚିବି କେମିତି ମାଳା !

 

ଆଖିରୁ ତାଙ୍କର ଦରଦର ଲୁହ ଝରି ପଡ଼ୁଚି । ସାନ୍ନ୍ୟାସିନୀ ସନ୍ତାନବିଧୁରା ମାଳାର ପ୍ରାଣତନ୍ତ୍ରୀରେ କରୁଣ ରାଗିଣୀ ଝଙ୍କୃତ ହୋଇ ଉଠୁଚି । ମନେମନେ ସେ ବି କହୁଚି—ମୁଁ ବି ବଞ୍ଚିବି କେମିତି ବିକ୍ରମବାବୁ ! ତୁମକୁ ଛାଡ଼ି ପ୍ରାଣ ଧରିବି କେମିତି ବନ୍ଧୁ ।

 

କିନ୍ତୁ ଛାଡ଼ିବାକୁହିଁ ହେବ । ସନ୍ତାନର ବିକଳ ଡାକରା ନିକଟରେ ଏ ସବୁର ସ୍ଥାନ ନାହିଁ । ଆଖିଲୁହକୁ ଜୋର୍‍କରି କାନିରେ ପୋଛିପକାଇ ମଣିମାଳା ଘଣ୍ଟାଆଡ଼େ ଚାହିଁଲା । ମୁହଁ ଫେରାଇ କହିଲା—ଅଧୀର ହୁଅନାହିଁ ବିକ୍ରମବାବୁ ! ତୁମେ ମୋର ବନ୍ଧୁ । ବନ୍ଧୁର ଆସନରୁ ତୁମକୁ ମୁଁ କେବେହେଁ ଉଠାଇ ଦେଇ ପାରିବି ନାହିଁ ।

 

ବିକ୍ରମବାବୁ ବିକଳହୋଇ କହି ଉଠିଲେ—ତେବେ ଜାଣିଲି, ତୁମେ ନିଶ୍ଚେ ଛାଡ଼ି ଯାଉଚ-!!

 

ଆଉ କେହି କିଛି ମାତ୍ର କଥା କହିପାରିଲେ ନାହିଁ । ମାଳାର ହାତଧରି ବିକ୍ରମବାବୁ ନିଜ ବକ୍ଷ ଉପରକୁ ଭିଡ଼ିନେଲେ । କିନ୍ତୁ ହାତ ଛଡ଼ାଇ ଦୂରେଇ ଗଲା ମାଳା । କହିଲା—ନାରୀ ବକ୍ଷରେ ସନ୍ତାନର କ୍ଷୀରଭାଣ୍ଡ ସଞ୍ଚିତ ହେଲା ପରେ, ସେ ବକ୍ଷ ସନ୍ତାନର । ଛାଡ଼ିଦିଅ ବିକ୍ରମବାବୁ ! ପିଲାବେଳେ ଅଜାଣତରେ ନିଆଁ ଭିତରକୁ ହାତ ବଢ଼ାଇ ନିଆଁରେ ଖେଳି ହାତ ତ ପୋଡ଼ିଲି । ଜାଣିବା ଶୁଣିବା ପରେ ପୁଣି ଆଉ କି ହାତବଢ଼ା ? ତୁମେ ମୋର ବନ୍ଧୁ ହୋଇ ରହିଗଲ ଜୀବନ ଥିବାଯାକେ । ମାତ୍ର ମୁଁ ସାନ୍ନ୍ୟାସିନୀ । ଆଉ ମୁଁ ବିଳାସିନୀ ନାରୀ ନୁହେଁ; ସନ୍ତାନ ଜନନୀ, ଧାତ୍ରୀ ମାତ୍ର ।

 

ବିବେକର ଜୋରରେ ମାଳା ଏତେଗୁଡ଼ାଏ କଥା କହିଯାଉଚି ସିନା, କିନ୍ତୁ ମନ ଉପରୁ ଶତମୂଳିଲଟା ସମୂଳେ ଉପୁଡ଼ୁନାହିଁ । କଷ୍ଟ ହେଉଚି । ତଥାପି ସେ ନମସ୍କାର କରି ସୁଟକେଶ୍‍ ଖଣ୍ଡିକ ଧରି ତଳକୁ ଓଲ୍ଲାଇ ଗଲା । ତଳେ ଅପେକ୍ଷା କରିଥିଲା କାର୍‍ ଖଣ୍ଡିକ । ବସିପଡ଼ି ଡ୍ରାଇଭରକୁ ଆଦେଶ ଦେଲା—ହାଉଡ଼ା ଷ୍ଟେସନ ଚାଲ ।

 

ଉପର ବରଣ୍ଡା ଉପରେ କର୍ଣ୍ଣିସ୍‍ ଧରି ତଳକୁ ଏକଲୟରେ ଚାହିଁ ରହିଲେ ବିକ୍ରମବାବୁ । ଗାଡ଼ି ଛାଡ଼ିଦେଲା । ଘଟଣା ପରମ୍ପରାର ରୁପେଲି ପରଦା ଉପରେ ଚିତ୍ର ତାରକା ମଣିମାଳା ସାନ୍ନ୍ୟାସିନୀର ଅଭିନୟ କରି ଚାଲିଗଲା । ଅନେକ ବର୍ଷ ପରେ ବିଜୟକୃଷ୍ଣ ଅଧିକାରୀଙ୍କ ଛୋଟ ଏକମହଲା କୋଠାଘର ଖଣ୍ଡିକ ଉଦ୍ଦେଶ୍ୟରେ ସେ ହାଉଡ଼ା ଷ୍ଟେସନରୁ ଏକ୍‍ସପ୍ରେସ୍‍ ଗାଡ଼ି ଧରିଲା-

 

-୧୨-

 

ଗାଡ଼ିରୁ ଏକୁଟିଆ ଓହ୍ଲାଇ ମାଳା ସୁଟକେଶ୍‍ ଖଣ୍ଡିକ ହାତରେ ଧରିଚି; କୁଲି ମୁଣ୍ଡରେ ବିଛଣା ଖଣ୍ଡିକ । ବାହାରକୁ ଆସି ଅଭ୍ୟାସ ବଶତଃ ଏଣିକି ତେଣିକି ଅନାଇ ଦେଖିଲା—କାହିଁ, ମଟରଗାଡ଼ି ତ ଅପେକ୍ଷା କରିନାହିଁ । କଟକ ଷ୍ଟେସନରେ ଟ୍ୟାକ୍ସି ଖଣ୍ଡିଏ ମଧ୍ୟ ମିଳେ ନାହିଁ । ତ୍ରିତଳ ପ୍ରାସାଦ ଶିଖରରୁ ହଠାତ୍ ଆଜି ସେ ତଳକୁ ଖସିପଡ଼ିଚି । ଚାରିଆଡ଼ ଖାଁ ଖାଁ ଗୋଡ଼ାଉଚି । ନିତାନ୍ତ ନିଃସ୍ୱ ହୋଇ ସେ ଏଣେତେଣେ ଆଖିବୁଲାଉଚି—କାହିଁ କେହି ତ ଅପେକ୍ଷା କରିନାହିଁ । ମନେମନେ ଭାବିଲା—ତେବେ କଅଣ ସେ ଏତେଦିନ ଯାକେ ସୁଖ ସୌଭାଗ୍ୟର ଗୋଟାଏ ସ୍ଵପ୍ନମାତ୍ର ଦେଖୁଥିଲା ! ଅଭିନୟର ଅଭିନେତ୍ରୀ ସେ, ଏତେଦିନଯାକେ କେବଳ ଅଭିନୟ ହିଁ କରୁଥିଲା ? ଚିତ୍ର ତାରକା, ମେନେଜର, କୋଟିପତି ବିକ୍ରମ ରାୟଙ୍କ ଅଙ୍କଶାୟିନୀ । ତ୍ରିତଳ ପ୍ରାସାଦ, ରୋଲ୍‍ସରୟସ୍‍ ଗାଡ଼ି, ଚାକରବାକର, ହୁକୁମ୍‍ ଏବଂ ହାକିମି—ସବୁଗୁଡ଼ିକ ଅଭିନୟ ମାତ୍ର-। ବିଭିନ୍ନ ବେଶ ପିନ୍ଧି ଯାତ୍ରା ଦଳର ରାଣୀ ହୋଇ ସେ ଅଭିନୟ କରି ଚାଲିଥିଲା । ରାତି ପାହିଲା, ଯାତ୍ରା ସଇଲା । ନିଜର ସାଧାରଣ ଖଦି ଖଣ୍ଡିକ ପିନ୍ଧି ମଞ୍ଚଉପରୁ ଅବତରଣ କରି ଆସିଚି ଆଜି ଗାଁର ଗାଈଜଗା ଟୋକା ନଟିଆ; ଯାତ୍ରାରେ ରାଜା ନଟବର ସିଂହ ସାଜେ । ସୁଆଙ୍ଗରେ ଦୁଆରି ସାଜେ । ଆବଶ୍ୟକ ପଡ଼ିଲେ ରାଣୀ ବେଶ ବି ପିନ୍ଧେ, ଝାଡ଼ୁଦାର ହୋଇ ଝାଡ଼ୁଧରି ରାସ୍ତାବି ଓଲାଇ ଚାଲେ । ମଣିଷ ଜୀବନଟା ହେଲା ଗୋଟାଏ ସ୍ଵପ୍ନମାତ୍ର, ଗୋଟାଏ ସୁଆଙ୍ଗ ମାତ୍ର । ଆଖଡ଼ାପିଲା କେତେବେଳେ କେଉଁ ବେଶ ପିନ୍ଧି ବାହାରୁଚି । ଆଖଡ଼ା ସରିଲେ ନଟିଆ ପୁଣି ସେ ଗାଈଜାଗା ଟୋକା ନଟିଆ ।

 

ଫାଟକ ବାହାରକୁ ଆସି ମଣିମାଳା ଠିଆହୋଇ ଏଣେତେଣେ ଅନାଉଚି । ମନେମନେ ଭାବୁଚି—ସୁନାର ଲଙ୍କା ପରିତ୍ୟାଗ କରି ଆସି ସୀତାଙ୍କ ମନତ ଏଭଳି ଛଟପଟ ହେଉନଥିଲା ! ସେ ବି ଭିତରେ ନିଜକୁ ଉତ୍ତର ଦେଉଚି—ତା’ର କାରଣ ସ୍ୱର୍ଣ୍ଣମୟୀ ଲଙ୍କାରେ ଥାଇ ସୀତା ଅଶୋକ ତରୁତଳେ ଅକୁଣ୍ଠିତ ଚିତ୍ତରେ ଆଶ୍ରୟ ନେଇ ପାରିଥିଲେ ବୋଲି । ସ୍ୱର୍ଣ୍ଣମୟୀ ରାଜପୁରୀରେ ଥାଇ ସୁଦ୍ଧା କୁଟୀରବାସିନୀର ଦାରିଦ୍ର୍ୟ ଲକ୍ଷ୍ମୀ କୋଳରେ ଯଥାର୍ଥରେ ନିଜକୁ ସେ ସମର୍ପଣ କରିଦେଇ ପାରିଥିଲେ ବୋଲି ସିନା ! ତୁଚ୍ଛ ସାଂସାରିକ ସୁଖସ୍ୱାଛନ୍ଦ୍ୟ ଏବଂ ହୀନ ମାଂସପିଣ୍ଡର ବୁଭୁକ୍ଷା ଲାଗି ମଣିମାଳା କିନ୍ତୁ ବିକ୍ରମବାବୁଙ୍କ ତ୍ରିତଳ ପ୍ରାସାଦରେ ନିଜତ୍ୱ ହରାଇ ଦେଇଥିଲା ବୋଲି ଆଜି ତା’ର ଏତେ ଦୁଃଖ !

 

କୁଲି ପଚାରିଲା–ମା ! କୁଆଡ଼େ ଯିବେ ? ରିକ୍ସା ଡାକେ ? ତାଚ୍ଛଲ୍ୟ ଓ ଦରିଦ୍ରତାର ଜଡ଼ତା ଭିତରେ ଭିତରେ କଲିଜା କମ୍ପାଇ ଦେଉଚି । ହଠାତ୍ ଉତ୍ତର ଦେଇ ନପାରି ସେ ଏଣେତେଣେ ଚାହୁଁଚି । ଦି ଆଖିରେ ଆଖିଏ ଲେଖାଏଁ ଲୁହ । କାରୁଣ୍ୟରେ ଅଧର ଓଠ ଥରୁଛି । ଭିତରେ ଭିତରେ ମେନେଜରିଆ ମନଟା ମରିମରି ଯାଉଚି । ରିକ୍ସା ଖଣ୍ଡିକ ଡାକିବାକୁ ଅପମାନିତ ବୋଧ କରୁଚି ।

 

‘‘ଆସନ୍ତୁ ମା ! ମୁଁ ନେଇଯିବି ।’’

 

ଆଗରେ ଆସି ରିକ୍ସା ଖଣ୍ଡିଏ ଅଟକିଲା । ଖାଲି ରିକ୍ସା, କୁଲି ତାହାରି ଉପରକୁ ବେଡ଼ିଂଟା ଥୋଇ ଦେଲା । କାତର ଚକ୍ଷୁରେ ମୁହୂର୍ତ୍ତେ ଏଣେତେଣେ ଛାହିଁ କିଛି ପଇସା କୁଲି ହାତକୁ ବଢ଼ାଇଦେଇ ମାଳା ରିକ୍ସା ଉପରକୁ ଉଠି ବସି କହିଲା—ହୁଡ୍‍ଟା ଉଠାଇ ଦେଏରେ ରିକ୍ସାବାଲା !

 

ହୁଡ୍‍ ଉଠାଇବା ଆଗରୁ କିଏ ଜଣେ ସାମନା ଆଡ଼ୁ ଡାକିଲା—ନମସ୍କାର ମାଳାଦେବି !

 

ଚମକିପଡ଼ି ମାଳା କହିଉଠିଲା—ନମସ୍କାର । ଆଗରେ ରିକ୍ସା ଖଣ୍ଡିକ ଉପରେ ଉଷସୀ ଓ ମଦନବାବୁ । ମଦନବାବୁ କହି ଉଠୁଚନ୍ତି ନମସ୍କାର ମାଳାଦେବି ! ଶୁଷ୍କବଦନରେ ମାଳାଦେବୀ ହସିବାର ଅଭିନୟ ମାତ୍ର କରି ମଦନବାବୁଙ୍କ ଉଦ୍ଦେଶ୍ୟରେ ନମସ୍କାର କଲେ ।

 

ରିକ୍ସା ଦୁଇଖଣ୍ଡି ମୁହାଁମୁହିଁ ହୋଇ ଅଟକିଛି । ମଦନବାବୁ ଏବଂ ଉଷସୀଙ୍କ ମନରେ ସନ୍ଦେହର କୁହୁଡ଼ି ଘୋଟିଯାଇଚି । ଅନ୍ଧାରିଆ ଅନ୍ଧାରିଆ ଭାବନାରାଜି କଳ୍ପନା ଶିଖର ମୁଣ୍ଡ ଖୋଜି ପାଉନାହିଁ । ଉଷସୀ ଏବଂ ମଦନବାବୁ ପରସ୍ପର ଚାହାଁଚାହିଁ ହେଉଚନ୍ତି, କିଏ କାହାକୁ କି ଉତ୍ତର ଦେବ ! ଉଷସୀ ପଚାରିଦେଲେ—ମାଳାଦେବି ! ଆଜି ହଠାତ୍, କଅଣ ମନେକରି ଏ ବେଶରେ ? ସବୁ ଭଲତ ?

 

ପ୍ରଶ୍ନ ପଛେ ପଛେ ବିଦ୍ରୂପ ଉଙ୍କିମାରୁଚି । ମାଳାର କ୍ଷତ ବିକ୍ଷତ ମନଭିତରକୁ ପରୋକ୍ଷରେ ଅପମାନର ତୀକ୍ଷ୍‍ଣ ଶର ନିକ୍ଷେପ କରିଚି ଉଷାଦେବୀ । ପରଶ୍ରୀକାତର ହୃଦୟ ତା’ର ମାଳାର ମେନେଜରି ବିଭବ ଦେଖିଆସି ହିଂସା କରିଥିଲା । ସେ ଆଜି ତାକୁ ଷୋଳପଣ ଅପମାନ ଦେବାକୁ ଚାହେଁ । ମାଳାର ତରଙ୍ଗାୟିତ ମନଉପରେ ଆଜି ଝଡ ଝଞ୍ଜା ବହିଚାଲିଚି । କଅଣ କହିଲେ କଅଣ ଅର୍ଥ ହେବ ଭାବିପାରୁନାହିଁ ସେ । କହିଉଠିଲା—କଲିକତା ଛାଡ଼ି ଚାଲି ଆସିଲି ଉଷା ଦେବି !

 

ଏଇ ଉତ୍ତରଟି ଚାହୁଁଥିଲା ଉଷା । ମାଳାର ଧନମାନ, ଓ ଗୌରବର ପ୍ରତିଦ୍ୱନ୍ଦ୍ୱୀ ମନ ତା’ର ହିଂସାରେ ଜଳିଯାଉଥିଲା । ବୁଝିଲା—ବିକ୍ରମବାବୁ ନିଶ୍ଚୟ ତାକୁ ପରିତ୍ୟାଗ କରିଚନ୍ତି । ବାଚିକ ସହାନୁଭୂତିର ଛଳନା ଛଳରେ ବିଷାକ୍ତ ବାକ୍ୟବାଣ ନିକ୍ଷେପକରି ପଚାରିଦେଲା—ଇଏ କଅଣ କହୁଚ ମାଳା ! କୋଟିପତିର ତ୍ରିତଳ ପ୍ରାସାଦରୁ ହଠାତ୍ କାହିଁକି ଓହ୍ଲାଇ ପଡ଼ିଲ ? କାହିଁ ଦାର୍ଜିଲିଂ, ବନାରସ, କାଶ୍ମୀର ଆଦି ସ୍ଥାନ—କାହିଁ ରୋଲ୍‍ସ୍‍ରୟସ୍‍ ଗାଡ଼ି, ଆଉ କାହିଁ ଆଜି ଏ ଧୂଳିଧୂସରିତ କଟକର ଗଳିକନ୍ଦି ଏବଂ ଭଙ୍ଗାଦଦରା ରିକ୍ସାଗାଡ଼ି ? କାହିଁକି ହଠାତ୍ ଏମିତି ? ବିକ୍ରମବାବୁଙ୍କ ସହ କଳି ହେଲାକି ? ଏଗୁଡ଼ିକ କିଛି ନୁହଁ, ମାଳାଦେବି !

 

ଅଜା ଯୁଦ୍ଧେ ରୁଷି ଶ୍ରାଦ୍ଧେ

ପ୍ରଭାତେ ମେଘାଡ଼ମ୍ବରଂ

 

ହୁଏତ ସାମାନ୍ୟ ଦାମ୍ପତ୍ୟ କଳହକୁ ମନଭିତରେ ଏଡ଼ୁଟାଏ କରି ଆପଣ ଆଜି ସର୍ବତ୍ୟାଗୀ ସାନ୍ନ୍ୟାସିନୀର ବେଶଧରି ପଳାଇ ଆସିଚନ୍ତି ? ସତ୍ୟନାଶ କଥା । କେଇଦିନ ପାଇଁ ଏ ବେଶ ଧାରଣ କରି ରହିପାରିବେ ? କାଲି ସକାଳୁ ତ ବିକ୍ରମବାବୁ ଚିଠିଟିଏ ଲେଖିଦେବେ— ମାଳା-! ତୁମେ ଛାଡ଼ିଗଲା ପରେ ମୋର ବ୍ୟବସାୟ ଅଚଳ ହୋଇ ପଡ଼ିଚି । ଚାବିକାଠିଟି ତୁମରି ହାତରେ-। ଶୀଘ୍ର ଫେରିଆସ, ନୋହିଲେ ମୁଁ ଦାଢ଼ିନିଶ ଛାଡ଼ି କୌପୁନି ମାରି ହିମାଳୟକୁ ଚାଲିଲିବୋଲି ଜାଣ-

 

‘‘ବହ୍ୱାରମ୍ଭେ ଲଘୁକ୍ରିୟା’’, ଏସବୁ କଳହ ଦୀର୍ଘସ୍ଥାୟୀ ହୁଏ ନାହିଁ ବୋଲି ନିଶ୍ଚୟ ଜାଣିରଖନ୍ତୁ ମାଳାଦେବି !

 

ମଦନବାବୁ ହସୁଚନ୍ତି । ମାଳାଙ୍କ ଉପସ୍ଥିତି ତାଙ୍କୁ ମଧ୍ୟ ଧନକୁବେର ବିକ୍ରମବାବୁଙ୍କଠାରୁ ଦୂରେଇ ଦେଇଚି । ସେ ବି ମାଳାର ଫେରିଆସିବାରେ ମନେମନେ ଖୁସି । ସେଇ ଦିନେ ବିଜୟବାବୁ ଓ ମାଳାଙ୍କୁ ନେଇ ବିକ୍ରମବାବୁଙ୍କ ନିକଟରେ ଚିହ୍ନାଇ ଦେଇଥିଲେ । କିନ୍ତୁ ଆଜି ବିକ୍ରମବାବୁଙ୍କ ନିକଟରେ କିଛି ପ୍ରସ୍ତାବ ଉତ୍‍ଥାପନ କଲେ ସେ କହୁଚନ୍ତି ମାଳା ଦେବୀଙ୍କୁ ପଚାର । ଆତ୍ମୀୟ ବିଜୟକୃଷ୍ଣ ଅଧିକାରୀଙ୍କ ସ୍ତ୍ରୀ ହେଲେହେଁ ସାମାନ୍ୟ ଜଣେ ଅଭିନେତ୍ରୀ ହୋଇ ମାଳା ଆଜି ଡାଇରେକ୍ଟର ଉପରେ ଆଦେଶ ଚଳାଇବ ଏକଥା ପୁଣି ସହ୍ୟ କରିନେବେ ମଦନବାବୁ ? ଏକାବେଳକେ ଅସହ୍ୟ । ସେ ବି ଆଜି ମନେମନେ ହସୁଚନ୍ତି । ମନେମନେ ଶାନ୍ତି ସନ୍ତୋଷ ଅନୁଭବ କରୁଚନ୍ତି ।

 

ସବୁ ଅପମାନକୁ ଭିତରେ ଭିତରେ ହଜମ କରିନେଇ ଶୁଖିଲା ହସ ହସି ମାଳା ପଚାରିଲେ-କୁଆଡ଼େ ବାହାରିଚନ୍ତି ?

 

ମଦନବାବୁ ଉତ୍ତରଦେଲେ—ଭୁବନେଶ୍ୱର ।

 

ଆଜି ଫେରିବେ ନିଶ୍ଚୟ ।

 

ନିଶ୍ଚୟ ।

 

ମଦନବାବୁ ପଚାରିଲେ—କେଉଁଠାରେ ରହିବେ ?

 

କାହିଁକି ? ମୋ ଘରେ ।

 

ମଦନବାବୁ—ଏତେ ଦିନ କଲିକତାରେ ରହିଲେ । ତାଲା ପଡ଼ିଥିଲା—ସେ ତ ଭୂତକୋଠି ହୋଇସାରିବଣି । ତାଲାଭାଙ୍ଗି ଆପଣଙ୍କ ଭାଇ ସେ ଘରେ ପରା ଓକିଲଖାନା ଖୋଲିଚନ୍ତି । କେମିତି ସେଠି ରହିବେ ? ମହୋକିଲଯାକ କିଏ କେତେ ସେଠି ଆଡ୍‍ଡା ଦେଉଥିବେ-। ଅପରିଷ୍କାର ହୋଇ ପଡ଼ିଥିବ । କେମିତି ଚଳିବେ ?

 

ଚାଉଁକିନା ଛାତି ଭିତରଟା ଛାନିଆ ହୋଇଗଲା । ଭାଇ ? ବୈଦ୍ୟନାଥ, ତାଲା ଭାଙ୍ଗି ଘରଟା ଦଖଲ କରିନେଇ ସାରିଚନ୍ତି ? ବିଶ୍ଵାସଘାତକ, ସ୍ୱାର୍ଥପର ଭାଇ ! ଦୁନିଆରେ ଏ ଅପରାଧର ମାର୍ଜନା ଅଛିଟି କି ?

 

ଛାତି ପଡ଼ିଲା, ଉଠିଲା—ମୋ ପୁଅ ତେବେ କେଉଁଠି ଅଛି ? ରବି ମୋର କାହା ଦୁଆରେ ତେବେ ମୁଣ୍ଡ ଗୁଞ୍ଜିଥିବ ?

 

ନିତାନ୍ତ ଚଞ୍ଚଳ ମନ ଘେନି ଅତି ଉଦ୍‍ବିଗ୍ନ ଭାବରେ ମଣିମାଳା କହିଲେ—ଚଲାରେ ରିକ୍ସାବାଲା ! ଆସୁଚି ଆଜ୍ଞା, ଆସୁଛି ଉଷାଦେବି ! ପରେ ଦେଖାହେବ ଯେ ।

 

ଦାଣ୍ଡ ଘରଟିରେ ଲୋକ ଗହଳି ଭିତରେ ବୈଦ୍ୟନାଥବାବୁ ଓକିଲଖାନା ଖୋଲି ବସିଚନ୍ତି, ବରନ୍ଦା ଉପରକୁ ନିତାନ୍ତ ଅପ୍ରତ୍ୟାଶିତ ଭାବରେ ଉଠି ଆସୁଛି ମଣିମାଳା । ରବି ଆସିନାହିଁ । ବାହାରେ ଅପଦସ୍ତ ହୋଇ ଭିତରେ ଭିତରେ ଗରଗର ଖରଖର ହେଉହେଉ ବୈଦ୍ୟନାଥ ଅତି ଆଶ୍ଚର୍ଯ୍ୟ ଭାବରେ କହିଉଠିଲେ—ଆରେ ମାଳା ଯେ !

 

ମାଳା ଆସି ହସି ହସି ଘର ଭିତରକୁ ପଶିଲା । ସେ କେବେ ଆସିବ ବୋଲି ବୈଦ୍ୟନାଥ ଆଶା କରି ନଥିଲେ । ଉତ୍ୟକ୍ତ ସ୍ଵରରେ ବିବ୍ରତ ଗଳାରେ ମାଳା ପଚାରିଲା—ମୋ ଘର ଖୋଲିଲା କିଏ ?

 

ବୈଦ୍ୟନାଥ କହିଲେ—କିଏ ଖୋଲିଲା ମୁଁ କହିପାରିବି ନାହିଁ । ସାମାନ୍ୟ ତାଲାଟାଏ ଭାଙ୍ଗିଦେବାକୁ କଟକ ସହରରେ କଅଣ ମଣିଷ ଅଭାବ ପଡ଼ିଚନ୍ତି ? ଖାଲି ଘରଟା ଭୂତର ଆଡ୍‍ଡା, ଅଗତ୍ୟା ମୁଁ ଆସି ଜାଗିବସିଚି ।

 

ଆଚ୍ଛା—ରବି କାହିଁ ?

 

ବୈଦ୍ୟନାଥ—କୋଉ ରବି ? କାହିଁ କିଏ ?

 

ମାଳା—କାହିଁ କିଏ ! ରବି ଆସିନାହିଁ ?

 

ବୈଦ୍ୟନାଥ—କାହିଁ ? ମୁଁ କଅଣ ତାକୁ ଲୁଚାଇ ରଖିଛି ?

 

ନିରଳଙ୍କାରା ଭଉଣୀର କାଙ୍ଗାଳୁଣୀ ବେଶରେ ଏକୁଟିଆ ଆସିବାର ଦେଖି ବୈଦ୍ୟନାଥ ଭାବିନେଇଚନ୍ତି, ବିକ୍ରମବାବୁ ନିଶ୍ଚୟ ଶୂନ୍ୟହସ୍ତରେ ମାଳାକୁ ଘଉଡ଼େଇ ଦେଇଚନ୍ତି । ମହୁ ନଥିଲେ ସିଂ ଫେଣାକୁ କିଏ ପଚାରେ ? ସନ୍ତାନବିଧୁରା ସର୍ବହରା ମା ମଣିମାଳାର ଅନ୍ତର ହାହାକାର କରିଉଠିଲା । ସେ ଭାବିଲା ବିଶ୍ୱାସଘାତକ ସ୍ୱାର୍ଥପର ଭାଇ ନିଶ୍ଚୟ କିଛି ଚକ୍ରାନ୍ତ କରିଚନ୍ତି । ରବି ହୁଏତ ଆସିଥିଲା, ହୁଏତ ତାକୁ କେଉଁଠାକୁ ବିଦାୟ କରିଦେଇଚନ୍ତି । ବାଇବାତୁଳ ପରି ମୁଁ ଧାଇଁ ଆସିଚି । ମୋ ପୁଅ ନାହିଁ । ଭାଇଙ୍କ ଉଦ୍ଦେଶ୍ୟ ନିଶ୍ଚୟ ସିଦ୍ଧ ହେବ । ମୁଁ ବି କୁଆଡ଼ିକି ପଳାଇ ଯିବି । ଘର ଭିତରକୁ ପାଗଳ ପରି ପଶିଯାଇ ମାଳା ଦେଖିଲା ସ୍ୱାମୀ ଅମଳର ଆସବାବ ପତ୍ର କିଛିମାତ୍ର ନାହିଁ । ଘରଗୁଡ଼ିକ କଳା କୋତରା । ଭାଇଙ୍କ ମହୋକିଲମାନେ ଭରି ରହିଚନ୍ତି । ଠାଏ ଠିଆ ହୋଇପଡ଼ି ମାଳା କାନ୍ଦିପକାଇଲା—ସ୍ୱାମୀ ଗଲେ, ଘରଗଲା, ପୁଅ ଗଲା । ମୁଁ ବି ସଂସାରରୁ ଗଲି-। ଗ୍ରହ ବିପାକରେ ପଡ଼ି ମୋର ବି ସର୍ବନାଶ ହୋଇଗଲା !

 

ଏକାଗ୍ର ମନ ତା’ର ଶୁଣିପାରିଲା ସତେକି ଚତୁର୍ଦ୍ଦିଗରୁ କିଏ ସବୁ କହିଉଠୁଚନ୍ତି—ସର୍ବନାଶ ହୋଇଗଲା, ସର୍ବନାଶ ହୋଇଗଲା, ସର୍ବନାଶ ହୋଇଗଲା ! ଶତଶତ ସ୍ୱର ଏକ ସ୍ୱରରେ କହି ଉଠୁଚନ୍ତି ସର୍ବନାଶ ହୋଇଗଲା ।

 

ଆଖିରୁ ଧାର ଧାର ଲୁହ ନିଗିଡ଼ି ପଡ଼ୁଚି । ବୈଦ୍ୟନାଥ ପାଖକୁ ନ ଆସି ଦାଣ୍ଡଘରେ ବସି କାମ କରିଚାଲିଚନ୍ତି । ଘରର ମାଲିକ ଭଉଣୀ ଆସି ଏକୁଟିଆଟି କାହୁଁ ଅଇଲା ପରି ଠିଆହୋଇ ଆଖିଲୁହ ପଣନ୍ତରେ ପୋଛି ପକାଉଚି । ବେଡ଼ିଂ ଖଣ୍ଡିକ କେଉଁଠାରେ ଥୋଇଦେବ ଏଭଳି ସ୍ଥାନ ଟିକିଏ ସୁଦ୍ଧା ପାଉନାହିଁ । କେହି କହୁନାହିଁ—ସୁଟକେଶ୍‍ ଖଣ୍ଡିକ ଦିଅ, ରଖିଦିଏଁ । ଅତି କାତର ଭାବରେ ମାଳା କଇଁ କଇଁ ହୋଇ କାନ୍ଦିଉଠିଲା । ତଥାପି ବୈଦ୍ୟନାଥ ପାଖକୁ ଆସିଲେ ନାହିଁ, ମାଳାର ଉପସ୍ଥିତି ତାଙ୍କର ଅସହ୍ୟ ହୋଇ ଉଠିଚି । କାହାକୁ କିଛି ନକହି ମାଳା ଏକା ଏକା ବାହାର ବରଣ୍ଡାକୁ ଫେରି ଆସିଲା । ରିକ୍ସା ଖଣ୍ଡିଏ ଡାକି ବେଡ଼ିଂ ଓ ସୁଟକେଶ୍‍ ଉଠାଇ ଦେଇ ନିଜେ ଉଠିବସି କହିଲା—ଷ୍ଟେସନକୁ ଚଲା ।

 

ମୁହଁଟାକୁ ସେ ପଣନ୍ତରେ ଘୋଡ଼ାଇ ରଖିଚି । ଚୌକି ଉପରେ ବସିରହି ବୈଦ୍ୟନାଥ ପଚାରିଲେ—କୁଆଡ଼େ ପୁଣି ବାହାରିଲୁ ମାଳା ! କଲିକତାରୁ ଅଇଲୁ ପରା, ଯାଉଚୁ ପୁଣି କୁଆଡ଼େ-?

 

କିଛି ଉତ୍ତର ନଦେଇ ମାଳା ରିକ୍ସାବାଲାକୁ କହିଲା—ଚଲା; ଚଲାରେ ରିକ୍ସାବାଲା, ଚଲା-

 

ଚଳମାନ ଜୀବନରେ ବିଶ୍ରାମ କିଏ ଦେଲା ? ବହମାନ ନଦୀ ସ୍ରୋତକୁ ନ ଅଟକାଇଲେ ଅଟକି ପାରେନାହିଁ । ଯେ ଚାଲିଚି ତ ଚାଲିଚି; ଅଟକିଲା ତ ଅଟକିଲା । ଅଟକିଲା ଜଳ ବନ୍ଧ ଭାଙ୍ଗି ପୁଣି ଥରେ ଆରମ୍ଭ କଲେ ହିଁ ବିପଦ ।

 

ବିକ୍ରମବାବୁଙ୍କ କଟକ ଶାଖା ମେନେଜର ରଘୁନନ୍ଦନ ବାବୁ ବିକ୍ରମବାବୁଙ୍କ ଘରେ ହିଁ ଥାଆନ୍ତି । ଅତି ବିଶ୍ୱାସୀ କର୍ମଚାରୀ । ବିକ୍ରମବାବୁ ତ ପ୍ରାୟ ସବୁବେଳେ କଟକରୁ ଦୂରେଇ ରହିଥାଆନ୍ତି । ତେଣୁ କଟକ ଘରର ଚଳାଚଳ ଭାର ମଧ୍ୟ ତାଙ୍କରି ଉପରେ । ଘରେ, ବାହାରେ ଓ ଅନ୍ଦର ମହଲରେ ତାଙ୍କର ଅବାଧ ଗତି । ବାବୁଙ୍କର ଅତି ଗୂଢ଼ ଏବଂ ବିଶ୍ୱାସ କଥାବାର୍ତ୍ତା ତାଙ୍କରି ପାଖରେ । ଦିନ ବାରଟାବେଳକୁ କଲିକତାରୁ ଫୋନ୍ ଆସିଲା—ବୁଝିଲେ ରଘୁନନ୍ଦନ ବାବୁ ! ମୋର ଗୋଟାଏ ପଖା ଛିଡ଼ିପଡ଼ିଲା । କଲିକତା ମେନେଜରଙ୍କ ସହ ମୋର କି ସମ୍ପର୍କ, ସେକଥା ତୁମକୁ ଅଜଣା ନାହିଁ । ହଠାତ୍ ମନର କଅଣ ପରିବର୍ତ୍ତନ ଘଟିଲା କେଜାଣି ମଣିମାଳା କାଲିକତା ଛାଡ଼ି କଟକ ପଳାଇ ଯାଇଚନ୍ତି । କାହାରିକି ସଙ୍ଗରେ ନେବାକୁ ନାରାଜ । ବେଶଭୂଷା ବଦଳି ଯାଇଚି । ସଙ୍ଗେ ସଙ୍ଗେ ତାଙ୍କ ସନ୍ଧାନ ନେଇ ମୋ ପାଖକୁ ଫୋନ୍ କର । କଟକରେ ସେ ଯେବେ ପହୁଞ୍ଚିଥାନ୍ତି, ତେବେ କେଉଁଠାରେ ରହିଲେ ଏବଂ କିପରି ଚଳୁଚନ୍ତି, ସେ କଥା ଜଣାଇବ । ଯାହା ତାଙ୍କର ଦରକାର ଯୋଗାଇ ଦେବ ।

 

ଆଜ୍ଞା ହଁ ।

 

ଫୋନ୍ ଛାଡ଼ିଦେଇ ‘‘ଆଜ୍ଞା ହଁ’’ ଧାଇଁଗଲେ ଅନ୍ଦର ମହଲକୁ ! ବିକ୍ରମବାବୁଙ୍କ ସ୍ତ୍ରୀ—ଚାରିଟି ପିଲାର ମାଆ । ମୋଟାମୋଟି ହୋଇ ବିଶାଳ ମୂର୍ତ୍ତିଟିଏ । ମୋଟା ଗଦିବିଛା ଖଟଟି ଉପରେ ବସି ଉପନ୍ୟାସ ପଢ଼ୁଥାଆନ୍ତି । ରଘୁନନ୍ଦନ ବାବୁ ହସି ହସି ଭିତରକୁ ପଶିଯାଇ ଖଟର ଗୋଟିଏ କଡ଼କୁ ବସିପଡ଼ିଲେ । ଇଏ ଅତି ଗୁପ୍ତ କଥା । ମେନେଜର ବାବୁ ଅନ୍ଦର ମହଲରେ ଥିଲାବେଳେ ଅନ୍ୟ ସମସ୍ତଙ୍କୁ ପ୍ରବେଶ ମନା । ଗୋପନୀୟ କଥା ଓ ଖାମିନ୍ଦାଣୀଙ୍କ ସାଙ୍ଗରେ ଗୁପ୍ତ ପରାମର୍ଶ କଲାବେଳେ କେହି ସେଠାକୁ ଯାଇପାରିବ ନାହିଁ । ବହିଖଣ୍ଡିକୁ କଡ଼କୁ ଥୋଇଦେଇ ଗୋଲଗାଲ ମୁହଁରେ ବଡ଼କରି ହସଟାଏ ହସିପକାଇ ବିଶ୍ୱେଶ୍ୱରୀ କହିଲେ—ଅସମୟରେ କୁଆଡ଼େ ମେନେଜର ସାହେବ !

 

ହସିପକାଇ ରଘୁନନ୍ଦନ କହିଲେ—ମେନେଜରି ଚାକିରି କଲେ ସମୟ କଅଣ, ଅସମୟ କଅଣ ? ହାକିମଙ୍କ ହୁକୁମ ଆସିଲା, ଅମାନ୍ୟ କରିବାକୁ ଶକ୍ତି କାହିଁ ?

 

କଅଣ ହୁକୁମ ? କୋଉଠୁ ଆସିଲା ?

 

କଲିକତାରୁ ବାବୁ ବିକଳ ହୋଇ ଫୋନ୍ କରିଚନ୍ତି । ଅତି ଗୁପ୍ତ ଓ ବିଶ୍ୱାସୀ ଖବର । ମାଳା ଦେବୀ ଛାଡ଼ିଛୁଡ଼ି ଦେଇ କଟକ ଚାଲିଆସିଚନ୍ତି ।

 

ହୋ ହୋ ହୋ ହୋ—ସବୁ ସରିଗଲା । ସୁଖ, ଶରଧା ସବୁଯାକ ସରିଗଲା ।

 

କାହାର ସୁଖଶରଧା ସରିଗଲା ?

 

ଏଠି ଆପଣଙ୍କର ଆଉ ମୋର ଏବଂ ସେଠି ବାବୁଙ୍କର ଏବଂମାଳା ଦେବୀଙ୍କର ।

 

ମାଳା ତ ଗଲା ତା’ ବାଟେ ବାଟେ । ଆମର କଅଣ ଗଲା ? ଆଉ ବାବୁଙ୍କର ?

 

ଛାଟିପିଟି ହୋଇ ବାବୁ ଏଠିକି ପଳାଇ ଆସିବେ । ଆପଣ ହେବେ ଖୁସି । ମୁଁ କିନ୍ତୁ ।

 

ଗେଲରେ ରଘୁନନ୍ଦନ ବାବୁଙ୍କ ଗାଲରେ ବଡ଼କରି ଖୁନ୍ଦାଟାଏ ମାରି ବିଶ୍ୱେଶରୀ କହିଉଠିଲେ—କିନ୍ତୁ ତୁମେତ ସମୁଦ୍ରରେ ଭାସିଯିବ !

 

ତା’ ନୁହେଁ ଆଉ କଅଣ ଆଜ୍ଞା !

 

ଏଇଥି ପାଇଁ ହେଇଚ ମେନେଜର ? କିଛି ଗୋଟାଏ ଉପାୟ କରି ପାରିବ ନାହିଁ ? ମଦ ଆଉ ମାଇକିନିଆ ନେଇ ସେ କଲିକତା ବନାରସ ହେଇ ବୁଲିଲେ । ମୋର ଆଉ କିଛି ସୁଖ ଶରଧା ନାହିଁ ? ମାଳା ଯେବେ ପଳେଇ ଆସିଲା, ଆରଟାକୁ ନେଇ ଛାଡ଼ି ଆସୁନା—ତା’ ନାଁଟା କଅଣ ଟି ? ସେଇ ଯେ ଆର ନାଚୁଣୀଟା !

 

ଉଷସୀ, ଉଷସୀ, ଠିକ୍ ହେଲା—ଉଷସୀ ଦେବୀ । ଆଚ୍ଛା ବୁଦ୍ଧିଟି ବତେଇ ଦେଇଚନ୍ତି ଆପଣ । ଆପଣ ନୋହିଲେ ବା ଖାମିନ୍ଦାଣୀ !

 

ଦେଖ, ଗୋଟାଏ କିଛି ତୁରନ୍ତ ବରାଦ କର । ମୋର ତ ଭୁଲ କିଛି ନାହିଁ । ବର୍ଷ ବର୍ଷ ଧରି ତାଙ୍କରି ବାଟକୁ ଅନାଇ ଅନାଇ କାନ୍ଦି କାନ୍ଦି ଶେଷ ହେଲି । ସେ କଅଣ ମୋ କଥା ଭାବିଲେ-? ମଣିମାଳାକୁ ନେଇ ଆଜି କଲିକତା ତ କାଲି ସିମଳା, ନଇନିତାଲ । ମୋର ପୁଣି ଜୀବନଟା ତ ଅଛି । ଯେସାକୁ ତେସା । ତୁମେ ଗୋଟାଏ କାମ କର । ତାଙ୍କୁ ଯେକୌଣସି ମତେ ଦୂରେଇ ରଖ-। ସେଥିରେ ତୁମର ଲାଭ, ଆଉ ମୋର ଆନନ୍ଦ ।

 

Unknown

ଆନନ୍ଦର କଥା । ସେତିକି ମାତ୍ର ହୁକୁମକୁ ମୁଁ ଅପେକ୍ଷା କରିଥିଲି । ଆମେ ହେଲୁ ଆଦେଶର ଚାକର ଯାହା ହୁକୁମ ହେବ ତା’ କରିଯିବା ।

 

ତୁମକୁ ସେଇ ହୁକୁମ ହେଲା । ଯାଅ, ଭାଗୋ । କାଲିକି ମୁଁ ଚଣ୍ଡୀଖୋଲ ଯିବି । ତୁମେ ସୁବିଧା କରିବା ପାଇଁ ସଙ୍ଗରେ ଯିବ ।

 

ଯେ ଆଜ୍ଞା ।

 

ସଞ୍ଜକୁ ରଘୁନନ୍ଦନ ବାବୁ କଲିକତା ଫୋନ୍ କଲେ—ଆଜ୍ଞା ! ବହୁତ ଖୋଜି ହତାଶ ହେଲି । ବୈଦ୍ୟନାଥ ବାବୁ କହିଲେ କଟକ ପହୁଞ୍ଚିବା ସଙ୍ଗେ ସଙ୍ଗେ ମାଳାଦେବୀ ଫେରିଗଲେ । ହୁଏତ ସେ ଆପଣଙ୍କ ପାଖକୁ ଫେରିଯାଇଚନ୍ତି । ନୋହିଲେ ପୁଅ ପାଖକୁ ଶାନ୍ତିନିକେତନ ଯାଇଚନ୍ତି-। ପ୍ରଣୟୀ ପ୍ରଣୟିନୀ ଭିତରର ଏସବୁ ମାମଲାତରେ ଆମଭଳି ଚାକରବାକର ହସ୍ତକ୍ଷେପ କରିବା ଠିକ୍ ହେବନାହିଁ । କଟକରେ ମୁଁ ଅପେକ୍ଷା କରି ରହିଲି । ଆପଣ ଦୟାକରି ଶାନ୍ତିନିକେତନରେ ନିଜେ ଯାଇ ଖୋଜ୍‍ କରନ୍ତୁ । ମାନ ଅଭିମାନ ଅଳ୍ପକେ ତୁଟିଯିବ । ଏ ସବୁ କଥା ‘‘ବହ୍ୱାରମ୍ଭେ ଲଘୁ କ୍ରିୟା’’ ମାତ୍ର । ଆଉ ଗୋଟିଏ ଅଡ଼ୁଆ ହେଉଚି କଲିକତା ଶାଖାର ପରିଚାଳନା । କହିବେ ତ ଉଷସୀ ଦେବୀଙ୍କୁ ପଠାଇଦେବି । ମାଳାଦେବୀଙ୍କ ଠାରୁ ଉଚ୍ଚ ଶିକ୍ଷିତା ସେ । ଆପଣଙ୍କ ଠାରୁ ସାମାନ୍ୟ କେତେ ଦିନ ଟ୍ରେନିଂ ନେଇନେଲେ ସବୁ ଠିକ୍‍ଠାକ୍‍ ହୋଇଯିବ । ମେନେଜରି ଚାକିରି, ଜଣେ ଚାଲିଗଲା ବୋଲି କଅଣ କାମଟା ଖାଲି ପଡ଼ିଯିବ । ହୁକୁମ ଦେବେ ତ ଉଷସୀଙ୍କୁ ମୁଁ ଏଠି ସାତଦିନ ତାଲିମ ଦେଇ ଛାଡ଼ିଦେଇ ଆସିବି । ବ୍ୟବସାୟର ପ୍ରସାର ଦିଗରେ ପୁରୁଷ ଅପେକ୍ଷା ନାରୀ ମେନେଜର ଶତଗୁଣେ ଭଲ ।

 

ଫୋନ୍‍ର ସେମୁଣ୍ଡରୁ ହୁକୁମ ଆସିଲା —ମନର ଏ ଅବସ୍ଥା ନେଇ ବିଶ୍ଵେଶ୍ଵରୀଙ୍କ ନିକଟରେ ପହୁଞ୍ଚିଲେ ଅପମାନଗୁଡ଼ିଏ ଖାଲି ପାଇବାକୁ ହେବ । ତା’ ଅପେକ୍ଷା ମୁଁ କିଛିଦିନ କଲିକତାରେ ରହିଯାଉଚି । ଉଷସୀଙ୍କୁ ପଠାଇ ଦିଅ । ତାଙ୍କୁ ସଙ୍ଗରେ ଧରି ମୁଁ ଶାନ୍ତିନିକେତନ ଯିବି-। ତେଣିକି ମାଳାଙ୍କ ଇଚ୍ଛା ହେଲେ ସେ ଆସିବେ, ନୋହିଲେ ଦେଖାଯିବ ।

 

ଫୋନ୍‍ର ଏପାଖରେ ରଘୁନନ୍ଦନ ହସିଉଠିଚନ୍ତି । ମନେମନେ ଭାବିଲେ—ଔଷଧଟା ଠିକ୍ ଧରିଚି । ବଡ଼ଲୋକଙ୍କ ବଡ଼ଲୋକୀ ଚାଲ୍‍ । ସିଗାରେଟ ଟିଣକ ସରିଗଲା କି ହଜିଗଲା; ସଙ୍ଗେ ସଙ୍ଗେ ଆଉ ଗୋଟାଏ ଟିଣ ମଗାଅ । ମଦ ବୋତଲକ ଢାଳି ହୋଇଗଲା ତ ଆଉ ଗୋଟାଏ ବୋତଲ ମଗାଇଆଣ—ସଙ୍ଗେ ସଙ୍ଗେ । ମଣିମାଳା ଗୋଟାଏ ନାରୀ । ଉପଭୋଗର ସାମଗ୍ରୀ ମାତ୍ର । ଥିଲା ତ ଥିଲା, ଗଲା ତ ଗଲା । ତାକୁ ଭାଳି ବସିଲେ ଫାଇଦା କଅଣ ? ବିଶ୍ଵେଶ୍ଵରୀ ଦେବୀ ପାଖରେ ଠିଆ ହୋଇଥିଲେ । ହସଟାଏ ହସିଉଠି ହୁକୁମଦେଲେ—ଚଣ୍ଡୀଖୋଲ....ସାତୋଟି ଦିନ । କାଲି ସକାଳକୁ ଯୋଗାଡ଼ କର ।

 

ବିଶ୍ଵେଶ୍ଵରୀ ଚାଲିଗଲା ପରେ ରଘୁନନ୍ଦନ ସ୍ୱାଗତ ସ୍ୱରରେ କହିଉଠିଲେ—କଅଣ କରିବି ? ହୁକୁମର ଚାକର, ହୁକୁମ ଯୁଆଡ଼େ ଚାକର ସିଆଡ଼େ । ତୁମେ ଯେବେ ଭଲ ହେବ, ଭଲ ଘରଣୀଟିଏ ପାଇବ । ତୁମେ ଯେବେ ଖରାପ ହେବ, ଘରଣୀଟି ତୁମରି ଆଦର୍ଶଘେନି ଚାଲିବ । ବଡ଼ଲୋକମାନଙ୍କ ଘରେ ଅଧିକାଂଶ ସ୍ଥଳରେ ଏଗୁଡ଼ାକ ମାମୁଲି କଥା । ଚରିତ୍ରବତୀ ସ୍ତ୍ରୀ ଚାହଁ ତ ନିଜେ ଚରିତ୍ରବାନ୍‍ ହୁଅ । ଆଦର୍ଶ କେବଳ ପରଠାରେ ଆଶା କରିବା ଭୁଲ । ନିଜେ ଆଦର୍ଶ ଦେଖାଇଲେ ହିଁ ହୁଏ ବଡ଼ଲୋକଙ୍କର ବଡ଼ ଆଶା, ବଡ଼ ନିଶା, ବଡ଼ ଲାଳସା; ବେଶୀମଧ୍ୟ ଲୋକହସା ହୋଇଥାଆନ୍ତି ସେହିମାନେ । କୌଣସି କଥାରେ ଅଭାବ ତ ନାହିଁ । ସବୁ କଥାକୁ ବେଖାତିର । ଭଲମନ୍ଦ, ପାପ ପୁଣ୍ୟ, ହାନି ଲାଭକୁ ସେମାନଙ୍କର ଭୟ ଭ୍ରାନ୍ତି ନ ଥାଏ । ସେଥିଲାଗି ଜୀବନରେ ବଡ଼ ବଡ଼ ଧକ୍‍କା ମାନ ବି ଖାଇଥାଆନ୍ତି ସେଇମାନେ । ସେମାନଙ୍କର ସବୁ କଥାଗୁଡ଼ାକ ବଡ଼ ବଡ଼ ।

 

-୧୩-

 

କଚ୍ଚେ ବାଆର । ଉଷା ଦେବି ! ପଞ୍ଚମ ବୃହସ୍ପତି ପଡ଼ିଲା...ସମାଳ ଏଥର । ଭାଗ୍ୟ ଦେଉଚି ଡାକ—ଆସ ହେ ଉଷସୀ ଦେବି ! ମେନେଜରି କରିଚ । ଧନକୁବେର ବିକ୍ରମ ରାୟ । କଲିକତାର ତ୍ରିତଳ ପ୍ରାସାଦ । ରୋଲସ୍‍ରାୟସ୍‍ ଗାଡ଼ି । ‘‘ଯିବେ ଦ୍ଵିତୀୟେ ଧନଧାନ୍ୟ ଭୋଗୀ, ସୁତାର୍ଥ ଲାଭ ନବ ପଞ୍ଚକେଷୁ ।’’ ଏଥର ପଞ୍ଚମ ବୃହସ୍ପତି ପଡ଼ିଲା ଉଷସୀ ଦେବି ! ସୁତ ଆଉ ଅର୍ଥ ଉଭୟ ଲାଭ ହେବ; ଆଉ ଅଭାବ କଅଣ ?

 

ଶୂନ୍ୟ ଘରେ ମଦନବାବୁ ଉଷାଦେବୀଙ୍କୁ ଏକଥା କହୁଚନ୍ତି । ଉଷା ରୋଷଲୋହିତ ଗଣ୍ଡଟିକୁ ପାଖକୁ ଘୁଞ୍ଚାଇନେଇ ଦରବୁଢ଼ା ମଦନବାବୁଙ୍କ ଗାଲରେ ଖୁନ୍ଦାଏ ପକାଇଲେ । ନାରୀ ହାତର ଖୁନ୍ଦା କେମିତି ଲାଗେ କେଜାଣି, ମଦନବାବୁ ହସିଲେ । ମଧୁର ମଧୁର ହସି କହିଲେ—ଆଜି ରାତିକି ଯାତ୍ରାକର ନବବଧୂ ! କାଲିକିତ ମଧୁଯାମିନୀ, ଆଉ କଅଣ ଚିନ୍ତା ? ତେଣିକି କୋଟିପତିର ଚାବିକାଠିଟା ତୁମରି ହାତରେ । ହାୟ ହାୟ ! ଆମ ପୁରୁଷ ଜାତିଟାର କପାଳଟା ଅତି ହୀନ । ପୁରୁଷର ଭାଗ୍ୟ ପତର ତଳେ ବୋଲି ଯାହା କହନ୍ତି ସେ କଥାଟା ଭୁଲ । ଗରିବକୁ ମନେ ପକାଉ ଥିବ ଉଷାଦେବି !

 

ଦୀର୍ଘଶ୍ୱାସ ଟାଣିଲା ଉଷା । ଆନନ୍ଦ ଓ ସନ୍ଦେହର ଦୋଳାରେ ମନଟା ଏପଟ ସେପଟ ଝୁଲୁଚି । ରଘୁନନ୍ଦନ ବାବୁ ଆଜି ତାଙ୍କ ଘରକୁ ଆସି ଫୋନ୍ ଖବରଟା କହି ଯାଇଚନ୍ତି । କଳିକତାଯାକେ ପଠାଇଦେବାର ବନ୍ଦୋବସ୍ତ ସେ କରିବେ ବୋଲି ସେ କହି ଯାଇଚନ୍ତି । ଉଷା କହିଲେ—ମଦନବାବୁ ! ଆପଣ ଚାଲନ୍ତୁ ।

 

ଯିବି । ହୁକୁମ ହେଲେ ଛାଡ଼ିବା କଥା ନୁହଁ । ମଦନ ଡାଇରେକ୍ଟର । ବିକ୍ରମବାବୁଙ୍କର ଆଉ ଖଣ୍ଡେ ଛବିର ବରାଦ । ଉଷସୀ ଅଭିନେତ୍ରୀ । ଆମେ କିଆଁ ଡାଇରେକ୍ଟର ନହେବୁ । ଚାଲ ଉଷା ! ମୁଁ ଛାଡ଼ିଦେଇ ଆସିବାକୁ ରାଜି ।

 

ଉଷସୀର ମନଭିତରେ କବିସୂର୍ଯ୍ୟଙ୍କ ଚମ୍ପୂର ‘ଧ’ ଅକ୍ଷରର ଗୀତଟା ଝଙ୍କୃତ ହୋଇ ଉଠୁଛି—ଧୀରାରେ କି ଧନ ତୁ ନଦେଲୁ ଆଜ ।

 

ରାତିକି ଗାଡ଼ି । ଦିନରୁ ସଜବାଜ ହେବାକୁ ପଡ଼ୁଚି । ପ୍ରସ୍ତୁତ ହୁଅନ୍ତୁ ଆଜ୍ଞା ! ମୋ ସାଥିରେ ନିଶ୍ଚୟ ଯିବେ ।

 

ହସିଦେଇ ମଦନବାବୁ କହିଲେ—କଅଣ ଭାଇ ହେଇ ଭଉଣୀକି ଛାଡ଼ିବାକୁ ଯିବି ? ବାରିକ ଗୋଟାଏ ଯୋଗାଡ଼ କରେ ।

 

ହସିଦେଇ ଉଷା କହିଲେ—ଖୁନ୍ଦାଖିଆଙ୍କର ଖୁନ୍ଦା ଖାଇବାକୁ ମନ ।

 

ରୁପେଲି ପରଦା ଉପରେ ନୂଆଛବି ଆରମ୍ଭ ହେଲା ।

 

କିନ୍ତୁ ତହିଁଆରଦିନ ସକାଳେ କଲିକତାରେ ପହୁଞ୍ଚି ମଦନବାବୁ ଏବଂ ଉଷା ଦେଖିଲେ–ବିକ୍ରମବାବୁ ନାହାନ୍ତି । ଚାକରାଣୀକି କହିଯାଇଚନ୍ତି–କଟକରୁ ଉଷସୀ ଦେବୀ ଆସିବେ । ତାଙ୍କୁ ଦୁଇଶହ ଟଙ୍କା ଧରେଇ ଦେଇ କହିବୁ—‘ବାବୁ ହଠାତ୍ କୁଆଡ଼େ ଚାଲିଯାଇଚନ୍ତି, ତୁମେ କଟକ ଫେରିଯାଅ ।’

 

ବିପ୍ରଲବ୍ଧା ଉଷା ଦେବୀର ମୁଣ୍ଡ ଉପରେ ସତେକି ତ୍ରିତଳ ପ୍ରାସାଦର ଛାତ ଫଟାଇ ବଜ୍ରଟାଏ ପଡ଼ିଗଲା ! କଲିକତା ଡକାଇଆଣି ପଳାଇ ଯାଇଚନ୍ତି ! ଚାକରାଣୀ ଦୁଇଶହ ଟଙ୍କାର ନୋଟ୍‍ ଆଣି ଟେବୁଲ ଉପରେ ଥୋଇଦେଲା । ତାକୁ ସେଇଠି ସେମିତି ଛାଡ଼ିଦେଇ ଘନଘନ ଦୀର୍ଘଶ୍ୱାଶ ଛାଡ଼ି ଉଷା କହିଉଠିଲା—ବଡ଼ଲୋକଙ୍କୁ ବିସ୍ଵାଶ ନାହିଁ ।

 

ମଦନବାବୁ ପାଖରେ ଛିଡ଼ାହୋଇ ବାକିତକ ଉଚ୍ଚାରି ଉଠିଲେ—ସ୍ୱର୍ଗକୁ ନିଶୁଣି ନାହିଁ ।

 

ଚାଲନ୍ତୁ ମଦନବାବୁ ! ଫେରିଯିବା । ଗୋଡ଼ଟା ଖସିଗଲା, କଚଡ଼ା ଖାଇଲୁ, ସେ କଥା ଦୋସରା । ମାତ୍ର କେହି ଜଣେ ତୁମକୁ ଉପରକୁ ଟେକିଦେଇ ତଳକୁ କଚାଡ଼ି ଦେଲେ ଅତି ବିଶେଷ ବାଧେ । ଆପଣଙ୍କ ପଞ୍ଚମ ବୃହସ୍ପତିର କରାମତି ଏଇଆ ନା ମଦନବାବୁ ?

 

ଉଷା କାନ୍ଦିଉଠୁଚି । ଆଶାରେ ନିରାଶା, ସମ୍ମାନରେ ଅପମାନ—ହାସ୍ୟାସ୍ପଦ କଥା ଏବଂ ଅସହ୍ୟ ।

 

–ଚାଲନ୍ତୁ ଯିବା । ଏ ଘରେ ମୁହୂର୍ତ୍ତକ ପାଇଁ ଠିଆ ହେବାକୁ ମୋତେ କଷ୍ଟକର ଲାଗୁଚି । ବଡ଼ଲୋକ ହେଲେ କି ହେଲା, ବିକ୍ରମବାବୁଙ୍କ ପ୍ରତାରଣା ଓ ପ୍ରବଞ୍ଚନା ନିତାନ୍ତ ଅସହ୍ୟ । ଭଗବାନ କରନ୍ତୁ ଜୀବନରେ ଯେମିତି ଆଉଥରେ ମୋତେ ଏ ଦ୍ଵାରରେ ଛିଡ଼ା ହେବାକୁ ନପଡ଼େ । ଗରିବ ଦେଖି ବଡ଼ଲୋକେ ଏଭଳି ଭାବରେ ପ୍ରବଞ୍ଚନା ଓ ଅପମାନ ଦେଇଥାନ୍ତି ।

 

ମନର ଦୁଃଖ ଓ ବେଦନା ଭିତରେ ଭିତରେ ଘନୀଭୂତ ହୋଇଉଠୁଚି । ପଞ୍ଚପ୍ରାଣ କାନ୍ଦିବାକୁ ଲାଗିଲାଣି । ମଦନବାବୁଙ୍କ ହାତଧରି ଉଷା ଡାକିଲା—ଚାଲିଆସ । ହୁଏତ କୌଣସି ହୋଟେଲରେ ଦି’ଚାରି ଘଣ୍ଟା ନିରୋଳାରେ ବସି ମନବୋଧିଆ କରି କାନ୍ଦି ପକାଇ ଛାତି ଭିତରର କୋହଟାକୁ ଉପଶମ କରାଇ ନେଇ ପାରିବି । ସଂସାରର ଅନନ୍ତସାଗର ଉପରେ ଉଷାର ବୋଇତଟି ଶତଚେଷ୍ଟା କରିସୁଦ୍ଧା ଆଜିଯାକେ କୌଣସିଠାରେ ଲଙ୍ଗର ପକାଇ ପାରିନାହିଁ । ଶେଷକୁ ବିକ୍ରମବାବୁ ଏତେବଡ଼ ଆଶା ଦେଇ ନିରାଶ କରିଗଲେ, ଅପମାନ ଦେଇଗଲେ । ଏ ଦୁନିଆରେ କାହାରିକି ବିଶ୍ୱାସ ନାହିଁ, କି ଏ ହତଭାଗ୍ୟ ଜୀବନଟାକୁ ବି ବିଶ୍ୱାସ ନାହିଁ । ଅମୋକ୍ଷ ପ୍ରେତପରି କେବଳ ଶୂନ୍ୟେ ଶୂନ୍ୟେ ଘୂରିବୁଲିବା ସାରହେବ ସିନା ! ଯେଉଁ ଡାଳରେ ବସିବାକୁ ଯାଉଚି ଉଷା ! ସେ ଡାଳଟି ମଡ଼ ମଡ଼ ହୋଇ ଭାଙ୍ଗି ପଡ଼ୁଚି ।

 

ତଳକୁ ଓହ୍ଲାଇ ଆସୁ ଆସୁ ସେ କଇଁକଇଁ ହୋଇ କାନ୍ଦି ଉଠିଲା । ଚାଲିଲାବେଳକୁ ପାଦ ଦୁଇଟା ଟଳଟଳ ହୋଇ ଟଳି ପଡ଼ୁଚି । ମଦନବାବୁ ତା’ ହାତଟାକୁ ଧରି ଧରି ତଳକୁ ଆଣିଲେ । ଚାଲି ଯାଉଥିବା ଟ୍ୟାକ୍‍ସିଟିଏ ଅଟକାଇ ତାରି ଉପରକୁ ଦୁହେଁଯାକ ଉଠି ବସିଲେ । କହିଲେ—ଚଲାଅ ।

 

ଡ୍ରାଇଭର୍‍ ପଚାରିଲା—କୁଆଡ଼େ ନେବି ?

 

ଉତ୍ତର—ଚଲାଅ ।

 

ଚଲାଅ, ଚଲାଅ ଆଉରି ବୋତଲେ ।

 

ଆଉରି ବୋତଲେ ନାଲିପାଣି । ନିଭୃତ ପାନ୍ଥଶାଳାରେ ବିଶ୍ଵେଶ୍ଵରୀ ଏବଂ ରଘୁନନ୍ଦନ । ବିଶ୍ୱେଶ୍ଵରୀଙ୍କ ହାତରୁ ଆହୁରି ବୋତଲେ ଟେକିନେଇ ରଘୁନନ୍ଦନ ବାବୁ ଢକଢକ କରି ଗିଳିଦେଲେ-। ବିଶ୍ଵେଶ୍ଵରୀ ନିଜେ ବି ପକେଇ ଦେଇଚନ୍ତି । ରାତି ସେତେବେଳକୁ ଅନେକ ହେଲାଣି-। କେହି କୁଆଡ଼େ ନାହିଁ । ହୁଏତ ମଠର ମହନ୍ତ ମହାରାଜ ଗଞ୍ଜା ନିଶାରେ କେଉଁ କୋଣରେ ଅଜ୍ଞାନ ହୋଇ ଗଡ଼ୁଥିବେ । ବାହାର ବରଣ୍ଡାରେ ଅତି ବିଶ୍ୱାସୀ ଚାକରାଣୀଟିଏ ଜଗି ରହିଚି । ବଡ଼ କୋଠରୀଟି ଭିତରେ ବିଶ୍ଵେଶ୍ଵରୀ ଓ ରଘୁନନ୍ଦନ । ବଡ଼ଲୋକ ଘରର ବଡ଼ ବଡ଼ କଥା, ବାହାରକୁ ଭୁଟିଆରା ହୁଏନାହିଁ । ଭିତରେ ଭିତରେ ପୋତି ହୋଇଯାଏ । ମୋତି ମାଣିକ୍ୟରେ ଝଲମଲ ବିଶ୍ଵେଶ୍ଵରୀଙ୍କ ଭିତରି କଥା ଯିଏବା ଜାଣନ୍ତି, ନ ଜାଣିଲା ପରି ତୁନିହୋଇ ରହନ୍ତି । କହିଲେ ବା ପ୍ରମାଣ ଦେବ କିଏ ଏବଂ ବିଶ୍ୱାସ ବା କରିବ କିଏ ? ପାନ୍ଥଶାଳାର ନିଭୃତ କକ୍ଷଟି ଭିତରେ ଗୋଟିଏ ମାତ୍ର ଦିଆସିଲି କାଠି କେହି ଯେବେ ଜାଳିଦିଅନ୍ତା, ତେବେ ସେ ଦେଖନ୍ତା କେଡ଼େ କୁତ୍ସିତ, କେଡ଼େ ବୀଭତ୍ସ, କେଡ଼େ ଘୃଣ୍ୟ, କେଡ଼େ ତୁଚ୍ଛ, ହୀନ ଏମାନଙ୍କର ଭିତରଗୁଡ଼ାକ ।

 

ବୋଲପୁର ରେଲଷ୍ଟେସନରେ ଓହ୍ଲାଇପଡ଼ି ପାଗଳିନୀ ମାଳା ହତା ବାହାରକୁ ଆସିଲା । କଲିକତାରୁ କଟକ, ପୁଣି କଟକରୁ ସଙ୍ଗେ ସଙ୍ଗେ ଫେରି ରେଳଯୋଗେ ହାଉଡ଼ାବାଟେ ବୋଲପୁରଠାରେ ପହୁଞ୍ଚିଲାବେଳକୁ ତିନିଦିନ । ତିନୋଟି ଦିନ ଗାଧୁଆ ନାହିଁ କି ପାଧୁଆ ନାହିଁ । ଆହାର ନାହିଁ କି ନିଦ୍ରା ନାହିଁ । ରୁକ୍ଷ, ଶୁଷ୍କ, ଜୀର୍ଣ୍ଣଶୀର୍ଣ୍ଣ ରୂପକୁ ତା’ର ଚାହିଁଦେଲେ ଯେ କେହି କହିଦେବ, ପାଗଳିନୀଟାଏ କାହୁଁ ଧାଇଁ ଆସିଚି ଏବଂ ଅନିର୍ଦ୍ଦିଷ୍ଟ ପଥଧରି କୁଆଡ଼ିକି ଚାଲିଚି । ଚାଲିବାର ପଥ ସରୁନାହିଁ । ଭାବିବାର ଚିନ୍ତା ସରୁନାହିଁ । ଚିନ୍ତା କରିବାର ବ୍ୟଥା ସରୁନାହିଁ, ବ୍ୟଥାର ଖିଅ ଛିଡ଼ିବାର ନୁହଁ କି ସରିବାର ନୁହଁ । ଚାଲିଲାବେଳକୁ ସେ ଟଳି ପଡ଼ୁଚି । ଟଳି ଟଳି ପଡ଼ିଉଠି ଆଗକୁ ପାଦ ପକାଉଚି । ଆଖିରୁ ଲୁହ ଶୁଖିଯାଇଚି, ମନ ମରିଯାଇଚି । ପ୍ରାଣ ଝୁରିହେଉଚି ଅହରହ ଏକମାତ୍ର ସନ୍ତାନ ରବିନାରାୟଣ ପାଇଁ । ଗତ ଜୀବନର ଅପବିତ୍ର ଅନୁଭୂତି ମନେ ପକାଇଲାବେଳକୁ ଲୋମ ଟାଙ୍କୁରି ଉଠୁଛି, ଦେହ ଶୀତେଇ ଉଠୁଛି । ଆତ୍ମ ଘୃଣାରେ ପ୍ରାଣ ଛଟପଟ ହୋଇ ଉଠୁଚି । ଅନୁଚିନ୍ତା ଓ ଅନୁଶୋଚନାର ତୀବ୍ର ବିଷଜ୍ୱାଳାରେ ଶରୀର ମନ ଜଳୁଚି, ପୋଡ଼ୁଚି । ତତଲା ତେଲ କଡ଼େଇ ଭିତରେ କଡ଼ କଡ଼ ହୋଇ ତେଲ ଫୁଟୁଚି, ତାରି ଭିତରେ ବୁଡ଼ୁଚି, ଉଠୁଚି, ଛଟପଟ ହେଉଚି ମଣିମାଳା । ନରକର ତୀବ୍ରଜ୍ୱାଳା ଏହାରି ନାମ । ପାପର ପରିଣାମ ଏକୁଇ କହନ୍ତି । ନର୍କପୁରୀ ବୋଲି ଅନ୍ୟ କେଉଁ ରାଜ୍ୟରେ କିଛି ଅଛି କି ନାହିଁ, ଏ ରାଜ୍ୟରେ ସ୍ଵଦେହରେ ବିପଥଗାମୀ ମଣିଷ ଏହିଭଳି ଭାବରେ ଛଟପଟ ହୁଏ ଓ ଦୁଃଖ ଯନ୍ତ୍ରଣା ଭୋଗକରେ ।

 

ବିଦଗ୍ଧ ପ୍ରାଣଟାକୁ ଯଥାସମ୍ଭବ ସମ୍ଭାଳି ନେଇ ସନ୍ତାନବିଧୁରା ମଣିମାଳା ଟଳି ଟଳି ଆଗକୁ ପାଦ ପକାଇଲା । କୁଲି ପଚାରିଲା—ଗାଡ଼ି ଡାକେ ମା ! କୁଆଡ଼େ ଯିବ ?

 

ହଁ, ଯିବି । ଠିକ୍ ପଚାରିଚୁ, କୁଆଡ଼େ ଯିବି । ଶାନ୍ତିନିକେତନ । ଗାଡ଼ି ଡାକ । ବେଡ଼ିଂ ଉଠାଇଦେ ।

 

ଅନ୍ୟମନସ୍କା ମଣିମାଳା । ଭିତରେ ବାହାରେ କ୍ରନ୍ଦନର ଅପ୍ରକଟ ଉଚ୍ଛ୍ୱାସ, ଅସହ୍ୟ ଅଧିରତା । ବାହ୍ୟ ଜ୍ଞାନଶୂନ୍ୟା ମଣିମାଳା କୁଲି ଡାକିଥିବା ଗାଡ଼ିଟି ଉପରକୁ ଉଠି ବସିଲା । କୁଲି ହାତକୁ ଗଣାପୋଛା ନକରି ଟଙ୍କାଟିଏ ବଢ଼ାଇ ଦେଲା । ଗାଡ଼ିବାଲା ପଚାରିଲା—କେଉଁଆଡ଼େ ନେବି ମା !

 

ଶାନ୍ତିନିକେତନକୁ ଚଲା ।

 

ପଶ୍ଚିମ ଚକ୍ରବାଳ ଉପରେ ସୂର୍ଯ୍ୟ ବୁଡ଼ିଯାଉଥାଆନ୍ତି । ଧୀରେ ଧୀରେ ଆକାଶରୁ ବର୍ଣ୍ଣଛଟା ନିଭି ନିଭି ଯାଉଚି । ପୂର୍ବ ଗଗନତଳୁ ଧୀରେ ଧୀରେ ଅନ୍ଧକାର ମାଡ଼ି ଆସୁଚି । ମାଳାର ମନ ଭିତରଟା ଅନ୍ଧକାରମୟ । ନିଛାଟିଆ ରାସ୍ତା ଉପର ଦେଇ ଆଉ କେତେଖଣ୍ଡି ଗାଡ଼ି ଆଗିଲି ପିଛିଲି ହୋଇ ଚାଲିଚନ୍ତି । ପାଖରେ ଖଣ୍ଡେ ଖଣ୍ଡେ ଗାଁ । ପବିତ୍ର ସନ୍ଧ୍ୟାର ଆଗମନୀ ଉଦ୍ଦେଶ୍ୟରେ କୁଳବଧୂ ଶଙ୍ଖ ହୁଳହୁଳି ଧ୍ୱନିରେ ପଲ୍ଲୀ ଗଗନ ମୁଖରିତ କରୁଚନ୍ତି । ଗୋଠବାହୁଡ଼ା ଗୋରୁପଲର ଗୋଧୂଳି ନିଭି ନିଭି ଗଲାଣି । ନୀଡ଼ ବାହୁଡ଼ା ପକ୍ଷୀଗଣ ଡକାଡକି ହୋଇ ବସା ଅଭିମୁଖରେ ଲେଉଟି ଯାଉଚନ୍ତି । ସାନ ପିଲାଙ୍କ ହାତଧରି କେଉଁଠାରେ ମା, କେଉଁଠାରେ ବାପା ଚଲାଇ ଚଲାଇ ନେଉଚନ୍ତି । ହାଟ ଲେଉଟା ମାଆ କୋଳରେ ଛୋଟ ଶିଶୁ ଝୁଲି ଝୁଲି ଯାଉଚି; ଥନଭୁଣ୍ଡି ଚୁଚୁମି ଚୁଚୁମି ଆଖି ବୁଜି ଦେଇଚି । ଗାଡ଼ି ଭିତର ଏକୁଟିଆ ବସି ବସି ଏକ ମନରେ ସେ ଦୃଶ୍ୟ ଦେଖି ଦେଖି ଯାଉଚି ମଣିମାଳା । ବାଉଳା ମନଭିତରେ ରବିର ସାନବେଳର ଚିତ୍ର ଆଙ୍କି ହୋଇଯାଉଚି । କାନ ଭିତରେ ଶୁଭିଯାଉଚି ରବିର ସାନ ଦିନର ଡାକ—ମାଆ, ମାଆ, ମାଆ !

 

ମାଳାର ବକ୍ଷ ବିଦାରି ଆଖି ଦୁଇଟି ଦେଇ ଝରିପଡ଼ୁଚି ଅନର୍ଗଳ ଲୋତକଧାରା । ଅତି ବିକଳରେ ମଣିମାଳା ରହି ରହି ଦୀର୍ଘଶ୍ୱାସ ଟାଣୁଚି ଏବଂ ଭଗବାନଙ୍କୁ ଡାକୁଚି ହେ ପ୍ରଭୁ ! ପୁଅ ମୋର ଭଲରେ ଥାଉ । ତା’ପରେ ଡାକୁଚି ହେ ଗାଡ଼ିବାଲା ! ଚଞ୍ଚଳ ଚଲା । ବେଗି ବେଗି ଆଗେଇ ଚାଲ ।

 

ସଞ୍ଜ ସାତଟା ବେଳକୁ ଗାଡ଼ିବାଲାଟି ଖୋଜି ଖୋଜି ଅଧ୍ୟାପକ ବିବୁଧେନ୍ଦ୍ର ଚଉଧୁରୀଙ୍କ ବସା ସାମନାରେ ଗାଡ଼ି ଅଟକାଇଲା । ସ୍ନେହମୟୀ ବାହାରକୁ ଆସି ଦେଖିଲେ, ଅସ୍ପଷ୍ଟ ଆଲୁଅ ଭିତରେ ଟଳି ଟଳି ନାରୀମୂର୍ତ୍ତିଟିଏ ଓହ୍ଲାଇ ଆସୁଚି । ଚାଲି ପାରୁନାହିଁ, ଗାଡ଼ିବାଲାର ହାତଧରି ବରଣ୍ଡା ଉପରକୁ ଉଠୁଚି । କଥା କହିବାର ଶକ୍ତି ନାହିଁ । କ୍ଷୀଣ କଣ୍ଠରେ ପଚାରୁଚି—ଏଇ କଅଣ ବିବୁଧେନ୍ଦ୍ର ବାବୁଙ୍କର ବସା ?

 

ସ୍ନେହମୟୀ କାବାହୋଇ ଚାହିଁଲେ । ସତେକି ପ୍ରେତ ମୂର୍ତ୍ତିଟାଏ ଉଠି ଆସୁଚି ଏମିତି ବେଶରେ । ଏଭଳି ଅବସ୍ଥାରେ ମଣିମାଳା ଯେ ତାଙ୍କ ଦୁଆରେ ଆସି ପହୁଞ୍ଚିପାରେ ସେ କଥା ସେ କଳ୍ପନା କରିପାରି ନଥିଲେ । ତାଙ୍କ କଳ୍ପନାରେ ମଣିମାଳା ମଦାଳସୀ, ରୂପବତୀ, ସ୍ୱାସ୍ଥ୍ୟବତୀ, ଧନପତିର ଲଳନା, ସର୍ବାଳଙ୍କାର ଭୂଷିତା ହୋଇଥିବାର କଥା । ମାତ୍ର ଇଏ କିଏ ? ପଚାରିଦେଲେ–ଆପଣ କିଏ ? ପଚାରି ପାରେ କି ?

 

ମୁଁ, ମୁଁ...

 

କହୁ କହୁ ମଣିମାଳାର କଣ୍ଠ ଶୁଷ୍କ ହୋଇଯାଉଚି, ସ୍ୱର ରୁଦ୍ଧ ହୋଇ ଆସୁଚି । କିଛି ସମୟ ବିଶ୍ରାମନେଇ ଛେପ ଗିଳି, କଣ୍ଠ ନାଳୀ ସହଜ କରି ସେ କହିଲା—ମୁଁ ମଣିମାଳା । ରବି ମୋର ପୁଅ |

 

ଆଗକୁ ଲଇଁପଡ଼ି ଚାହିଁଦେଇ ସ୍ନେହମୟୀ ବିଶ୍ୱାସ କରିପାରିଲେ ନାହିଁ । ସତ କହୁଚିନା ମିଛ କହୁଚି । ମଣିମାଳା ଏଙ୍କରି ନାଁ ? ସାଧା ଧୋତି ଖଣ୍ଡେ ଦିହରେ । ନିରାଳଙ୍କାର ବିଧବା, କ୍ଷୀଣାଙ୍ଗୀ, ଦୁର୍ବଳା କଙ୍କାଳ ମୂର୍ତ୍ତି ପରି ଠିଆହେଲାବେଳକୁ ଟଳି ପଡ଼ୁଛି; ଏଇ ତେବେ ମଣିମାଳା ?

 

ଠିଆହୋଇ ପାରୁନାହିଁ ମାଳା । ଖୁଣ୍ଟଟାକୁ ଧରିପକାଉଚି । ହାତଟାକୁ ତା’ର ଧରିନେଇ ସ୍ନେହମୟୀ କହିଲେ —ଆସନ୍ତୁ ଭିତରକୁ । ବିବୁଧେନ୍ଦ୍ର ବାବୁଙ୍କ ଘର ଏଇ । ଆପଣ କଲିକତାରୁ ଆସିଲେ ? ବିକ୍ରମବାବୁଙ୍କ ଘରୁ ?

 

ଆପାତତଃ, କଟକରୁ । କଲିକତା ଛାଡ଼ିବାର ତିନି ଚାରିଦିନ ହେଲା । ମୋର ରବି କାହିଁ-? କେଉଁଠି ଅଛି ? କଅଣ ହୋଇଚି ତା’ର ?

 

ଦୀର୍ଘନିଃଶ୍ୱାସଟିଏ ଟାଣି ସ୍ନେହମୟୀ ମଣିମାଳାଙ୍କୁ ମେଲାଘର ଭିତରକୁ ନେଇଯାଇ କନାର ଇଜିଚଉକି ଖଣ୍ଡିକ ଉପରେ ବସାଇ ଦେଲେ ।

 

ରବି କାହିଁ ମା, ମୋ ରବି ?

 

ବସନ୍ତୁ । ବିଶ୍ରାମ ନିଅନ୍ତୁ । ରବି ଆସିବ—ଦେଖିବେ ।

 

ରବିକି ଦେଖିବି ? କେତେବେଳେ ? କୁଆଡ଼େ ଯାଇଚି ସେ ?

 

ମାଳାର ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଅସମର୍ଥା ସ୍ନେହମୟୀ ପ୍ରଥମେ ପାଣି ଗିଲାସେ ଆଣି ମାଳା ହାତକୁ ବଢ଼ାଇ ଦେଇ କହିଲେ ଆପଣ ତୃଷାର୍ତ୍ତ, କ୍ଷୁଧାର୍ତ୍ତ, ବୋଲି ମନେ ହେଉଚି । ବସନ୍ତୁ । ପାଣି ଟିକେ ପିଅନ୍ତୁ । ବିଶ୍ରାମ ନିଅନ୍ତୁ । ଏତେ ଅଧୀର ହେଉଚନ୍ତି କାହିଁକି ? ରବିକୁ ମୁଁ ଡକାଇ ପଠାଇବି । ସେ ଆସିବ ।

 

ପାଣି ଗ୍ଲାସ୍‍ଟା ଧରି ଦୀର୍ଘନିଃଶ୍ୱାସଟିଏ ଟାଣି ମଣିମାଳା ଓଠ ପାଖକୁ ନେଇ ପଚାରିଲେ–ଭଲ ଅଛି ତ ସେ ?

ଅଛି—ଭଲ ଅଛି ।

ପାଣି ଟିକେ ପିଇଲେ ମଣିମାଳା । ଓହୋ ! କେଡ଼େ ଶୋଷ ହେଉଥିଲା ! ତିନି ଚାରି ଦିନର ଉପବାସ, ଅନିଦ୍ରା, ପରିଶ୍ରମ ଓ ଉଦ୍‍ବିଗ୍ନତା ପରେ ଶାନ୍ତିନିକେତନରେ ସେ ପହୁଞ୍ଚିଛନ୍ତି । ପୁଅକୁ ଦେଖିବା ପାଇଁ ଆକଣ୍ଠ ବ୍ୟାକୁଳ ହୋଇ ପଡ଼ିଚନ୍ତି । କିନ୍ତୁ ରବି କାହିଁ ?

ସ୍ନେହମୟୀ ଘର ଭିତରକୁ ଯାଇ ଚାହା କପେ ଧରି ହସି ହସି ପାଖକୁ ଆସି କହିଲେ—ଟିକେ ଚା’ ଖାଇ ନିଅନ୍ତୁ ।

ଢୋକେ ଦିଢୋକ ପାଟିକି ନେଇ ମଣିମାଳା ସନ୍ଦେହ ଓ ଅବିଶ୍ୱାସପୂର୍ଣ୍ଣ ନୟନରେ ସ୍ନେହମୟୀଙ୍କ ଆଡ଼କୁ ଅନାଇ ରହିଲେ । ଉଭୟେ ପରସ୍ପର ପାଖରେ ଅପରିଚିତା । ଆଜି ଏଇ ପ୍ରଥମ ସାକ୍ଷାତ । ମଣିମାଳା ସ୍ନେହମୟୀଙ୍କ କଥା ବିଶ୍ୱାସ କରିପାରୁନାହିଁ । ପଚାରିଲା—ବିବୁଧେନ୍ଦ୍ର ବାବୁ କାହାନ୍ତି ?

ସଭାକୁ ଯାଇଚନ୍ତି । ଟିକିଏ ପରେ ଆସିବେ ।

ଶାନ୍ତିନିକେତନରେ ପ୍ରାୟ ନିତି ସନ୍ଧ୍ୟାବେଳେ ସଭା, ସମିତି ଲାଗିରହିଥାଏ । ଧୀରେ ଧୀରେ ମାଳା ଅସୁସ୍ଥ ହେଉଚି । ମାତ୍ର ସ୍ନେହମୟୀଙ୍କ କଥାରେ ବିଶ୍ୱାସ ଆସୁନାହିଁ । ରବିକୁ ଡକାଇବା ନିମନ୍ତେ କାହାରିକୁ କୌଣସି ଆଡ଼କୁ ପଠାଉ ନାହାନ୍ତି କାହିଁକି ? କଥା କଅଣ ?

 

ବିବୁଧେନ୍ଦ୍ର ବାବୁ ଆସିଲେ । ମଣିମାଳା କାବା ହୋଇ ଚାହିଁ ରହିଲେ ।

 

ନମସ୍କାର; ରବି ମୋର କାହିଁ ?

 

କି ଉତ୍ତର ଦେବେ ହଠାତ୍ କିଛି ଠିକ୍‍କରି ପାରୁନାହାନ୍ତି ଅଧ୍ୟାପକ ।

 

ମୁଁ ରବିକୁ ଦେଖିବା ପାଇଁ ଦୌଡ଼ି ଆସିଚି । ଆପଣ ମୋତେ ହତାଶ କରନ୍ତୁ ନାହିଁ । ମିଛ କହି ଭୁଲାଇ ଦିଅନ୍ତୁ ନାହିଁ ।

 

ମନେମନେ ଭାବିଲେ ବିବୁଧେନ୍ଦ୍ର ବାବୁ—ସତ କହିବା ଅବଶ୍ୟ ଠିକ୍, କିନ୍ତୁ ଏଭଳି ଅବସ୍ଥାରେ ମିଛ କହିଲେ କ୍ଷତି ନାହିଁ । ଜଣେ ମହାପ୍ରାଣୀର ମଙ୍ଗଳ ଉଦ୍ଦେଶ୍ୟରେ ମିଛଟାଏ କହିଦେବା ବରଂ ଠିକ୍ ହେବ । କହିଲେ—ରବି କାଲି ଆସିବ । ବୋଡ଼ିଂରେ ଅନ୍ୟାନ୍ୟ ପିଲାମାନଙ୍କ ସଙ୍ଗରେ ଅଛି ।

 

ମୁଁ ତା’ ପାଖକୁ ଯିବି । ତାକୁ ଦେଖି ଆସିବି ।

 

ବସନ୍ତୁ । ଅଧୀର ହୁଅନ୍ତୁ ନାହିଁ । ଆପଣ ଅତ୍ୟନ୍ତ ଅସୁସ୍ଥ । ଏ ଅବସ୍ଥାରେ କୁଆଡ଼େ ଯିବେ ରବିକି ଖୋଜିବାକୁ ?

 

ରବି ନାହିଁ ତେବେ ନିଶ୍ଚୟ । କଟକ ଯିବବୋଲି ଲେଖିଥିଲା । କଟକ ତ ଯାଇ ନାହିଁ ? ଭାଇ କହିଲେ—‘‘ରବି ଆସିନାହିଁ ।’’ ଭାଇଙ୍କ କଥା ଉପରେ ମୋର ଅବଶ୍ୟ ବିଶ୍ୱାସ ହେଉନାହିଁ ।

 

ସ୍ୱାମୀ ସ୍ତ୍ରୀ ଶତଚେଷ୍ଟା କଲେ ଭୁଲାଇବାକୁ, ମାତ୍ର କିଛି ଫଳ ହେଲାନାହିଁ । ଶେଷକୁ କହିଲେ ଆପଣ ବିଶ୍ରାମ କରନ୍ତୁ, କାଲି ସକାଳୁ କହିବୁଁ ।

 

ରବି ତେବେ ନାହିଁ ! ମୋ ପୁଅ ନାହିଁ ? ମୋ ଧନ ଛାଡ଼ି ଚାଲି ଯାଇଚି !!

 

ଇଜି ଚେୟାର୍ ଉପରେ ପଛକୁ ଢଳିପଡ଼ିଲେ ମାଳା । ଧୀରେ ଧୀରେ ଦୁର୍ବଳ ଶରୀରଟା ଥରିଉଠି ନିସ୍ପନ୍ଦ ହୋଇଗଲା । ମାଳା ବେହୋସ ହୋଇ ପଡ଼ିଲା । ସ୍ୱାମୀ ସ୍ତ୍ରୀ ଦୁହେଁଯାକ ପାଣି ଆଣି ଛିଞ୍ଚା ଛିଞ୍ଚି କରି ଚେତନା ଫେରାଇବାକୁ ଚେଷ୍ଟା କଲେ । ଅଦୂରରେ ଶାନ୍ତିନିକେତନର ଜଣେ ଡାକ୍ତର ଥାଆନ୍ତି । ସେ ଆସି ଚେଷ୍ଟାକଲେ । ଇଞ୍ଜେକ୍‍ସନ୍‍ ଦେଲେ । ଅଭୁକ୍ତ ଅବସ୍ଥାରେ ମାଳା ରାତିଟି ସାରା ଅଜ୍ଞାନ ହୋଇ ପଡ଼ି ରହିଲା । ସକାଳ ନଅଟା ବେଳକୁ ନିଦ୍ରାରୁ ଉଠି ଜାଣିବାକୁ ପାଇଲା ଯେ ରବି କଟକ ଯାଇନାହିଁ । ବିବୁଧେନ୍ଦ୍ର ବାବୁଙ୍କ ଘରେ ତିନିଦିନ ରହିଲା ପରେ ଅତି ବିଚଳିତ ଅବସ୍ଥାରେ ଖଣ୍ଡେ ଚିଠି ଲେଖି ଟେବୁଲ ଉପରେ ଥୋଇଦେଇ କୁଆଡ଼େ ଚାଲି ଯାଇଚି । ଖବର ଶୁଣି ଅତ୍ୟନ୍ତ ଅସୁସ୍ଥ କାତର ମଣିମାଳା ପୁଣିଥରେ ଜ୍ଞାନ ହରାଇଲା । ଷ୍ଟ୍ରେଚର୍ ଗାଡ଼ିରେ ତାଙ୍କୁ ଆଶ୍ରମର ବ୍ରତୀ ବାଳକ କେତେଜଣ ହାସପାତାଳକୁ ବହିନେଇଗଲେ ।

 

ଚାକରାଣୀ ହାତରେ ଉଷସୀ ଉଦ୍ଦେଶ୍ୟରେ ଦୁଇଶହ ଟଙ୍କାର ନୋଟ୍ ଧରାଇଦେଇ ବାଇବାତୁଳ ପରି ବିକ୍ରମବାବୁ ଶାନ୍ତିନିକେତନ ଆଡ଼େ ଧାଇଁଲେ । ବିବୁଧେନ୍ଦ୍ର ବାବୁଙ୍କ ଘରେ ପହୁଞ୍ଚି ଶୁଣିଲେ—ମଣିମାଳା ଅଜ୍ଞାନ ଅବସ୍ଥାରେ ହାସପାତାଳରେ ପଡ଼ିଚି ଏବଂ ସେ ଆସି ପହୁଞ୍ଚିବା ପୂର୍ବରୁ ରବି କୁଆଡ଼େ ଚାଲିଯାଇଚି । ରବିର ଚିଠି ଖଣ୍ଡିକ ଆଣି ବିବୁଧେନ୍ଦ୍ର ବାବୁ ଦେଖାଇଲେ । ସେ ଲେଖିଚି—ଗୁରୁଦେବ,

 

ଆପଣ ମୋର ପିତୃସମାନ । ମାଆ ମୋତେ ପୁଅଠାରୁ ବଳି ସ୍ନେହ କରିଚନ୍ତି । ତିନି ଚାରିଦିନ ଭାବିଲା ପରେ ମୁଁ କାହିଁକି ମନେମନେ ସ୍ଥିରକଲି ଏ ମୁହଁ ଆଉ କାହାରିକି ଦେଖାଇବି ନାହିଁ । ମାଆ ମୋର କଳଙ୍କିନୀ, ଅନ୍ନଦାତା ମୋର ଭ୍ରଷ୍ଟଚରିତ୍ର । ଦେବତା ହେଲେବି ସେ ଚରିତ୍ରହୀନ । ଆନାଥା ମାଆକୁ ମୋର ସୋହାଗର ସ୍ୱର୍ଣ୍ଣ ଶିକୁଳିରେ ବାନ୍ଧି ଚରିତ୍ରହୀନତାର ପଙ୍କିଳ ପଥକୁ ଓଟାରି ନେଇଚନ୍ତି ସେ । କୁଳ କଳଙ୍କିନୀ ମାଆ ମୋର ପରମ ଶତ୍ରୁ । ମୁଁ ବିଜୟକୃଷ୍ଣ ଅଧିକାରୀଙ୍କ ପୁତ୍ର । ମାତ୍ର ମାଆ ମୋର ମଣିମାଳା ରାୟ । ଅସହ୍ୟ ! ଘୃଣ୍ୟ, ଜଘନ୍ୟ କଳଙ୍କ । ମାଆ ମୋର ମରିଚି ବୋଲି ଜାଣିଲି । ମୁଁ ବି ଚିହ୍ନାଲୋକଙ୍କ ପାଖରୁ ମୁହଁ ଲୁଚାଇ କେଉଁଆଡ଼େ ପଳାଇଯାଇ ଲୁଚି ରହିବାକୁ ଚାହେଁ । ଏ ଜୀବନରେ ମାଆ ସଙ୍ଗରେ ମୋର ଆଉ ଦେଖା ହେବନାହିଁ । ବିକ୍ରମବାବୁଙ୍କ କଳଙ୍କିତ ମୁଖ ମୁଁ ଦେଖିବାକୁ ଚାହେଁନା । ଧନ ଗର୍ବରେ ଗର୍ବିତ ହୋଇ ଦରିଦ୍ର ଅନାଥାର ସର୍ବଶ୍ରେଷ୍ଠ ସମ୍ପଦ ଚରିତ୍ର ଓ ମାନସମ୍ମାନ ସେ ଲୁଣ୍ଠନ କରି ନେଇଚନ୍ତି । ପବିତ୍ର ଅଧିକାରୀ ବଂଶରେ ସେ କାଳିମା ବୋଳି ଦେଇଚନ୍ତି । ସେ ମୋର ପରମ ଶତ୍ରୁ । ସେ ତସ୍କର ନରାଧମଠାରୁ ମୁଁ ଦୂରକୁ ପଳାଇ ଯିବାକୁ ଚାହେଁ । ଆପଣ ଉଭୟଙ୍କର ସ୍ନେହଋଣ ମୁଁ ଜୀବନରେ ସୁଝିପାରିବି ନାହିଁ । ଇତି ।

 

ସ୍ନେହାଧୀନ

 

ରବିନାରାୟଣ ।

 

ପଢ଼ିସାରି ଦୀର୍ଘନିଃଶ୍ୱାସଟିଏ ଟାଣି ବିକ୍ରମବାବୁ ଲଜ୍ଜା ଓ ଘୃଣାରେ ତଳକୁ ମୁହଁ ପୋତିଲେ । ମନଭିତରେ ବାରମ୍ବାର ରବିର ଲେଖାଟା ପ୍ରତିଧ୍ୱନିତ ହେଲା—ତସ୍କର, ନରାଧମ । ନରାଧମ—ତସ୍କର । ଅନାଥାର ଚରିତ୍ର ଓ ମାନସମ୍ମାନ ଲୁଣ୍ଠନ କରିନେଇଚନ୍ତି ସେ । ଛୋଟ ଦରିଦ୍ର ପିଲାଟି ଆଜି ନୈତିକତାର ଚାବୁକ ମାରି ଚାଲି ଯାଇଚି । ବିବୁଧେନ୍ଦ୍ର ବାବୁଙ୍କ ମୁହଁ ଆଡ଼କୁ ବିକ୍ରମବାବୁ ଚାହିଁପାରୁ ନାହାନ୍ତି । ଧୀରେ ଧୀରେ ଉଠି ବରଣ୍ଡା ଉପରକୁ ଆସିଲେ । ନୀରବରେ ପାହାଚ ତଳକୁ ପାଦ ପକାଇ ଓହ୍ଲାଇ ଗଲେ । ବିବୁଧେନ୍ଦ୍ର ବାବୁ ପଛେ ପଛେ ଚାଲିଚାଲି ଆସି ପଚାରିଲେ—କୁଆଡ଼େ ଯାଉଚନ୍ତି ?

 

କିଛି ଉତ୍ତର ନାହିଁ । ହାତଯୋଡ଼ି ନମସ୍କାରଟିଏ କରି ସେ ସଡ଼କ ଉପରକୁ ଆସି ଚାଲିଚାଲି ଅଦୃଶ୍ୟ ହୋଇଗଲେ । ମନଭିତରେ ବାରମ୍ବାର ଧ୍ୱନିତ ହୋଇଉଠୁଚି—ଦସ୍ୟୁ, ତସ୍କର, ନରାଧମ, ବର୍ବର, ଭ୍ରଷ୍ଟ, ଚରିତ୍ରହୀନ, ପଶୁ, ରାକ୍ଷସ ।

 

ହାସପାତାଳର ପ୍ରକୋଷ୍ଠ ଭିତରକୁ ଧୀରେ ଧୀରେ ପ୍ରବେଶ କରି ମଣିମାଳାର ଶଯ୍ୟା ପାର୍ଶ୍ୱରେ ଛିଡ଼ାହେଲେ । ସ୍ପର୍ଶ କରିବାକୁ ଡରମାଡ଼ୁଚି । ମାଳାର ହାତଟାଏ ଧରି ପକାଇବାକୁ ହାତ ଯାଉନାହିଁ । ଅପରାଧୀ ବିଚାରବେଦୀ ତଳେ କାତର ନୟନରେ ରାୟ ଶୁଣିବା ଲାଗି ଅପେକ୍ଷା କରିଚି । କିନ୍ତୁ ରାୟ ଦେବ କିଏ ? ରାୟ ତ ଦେଇ ଯାଇଚି ଯୁବକ ରବିନାରାୟଣ ।

 

ଦୁର୍ବଳ ଶରୀରଟାକୁ ଧୀରେ ଧୀରେ ସେ ଆଡ଼କୁ ଘୂରାଇ ମାଳା ଆଖିମେଲି ଚାହିଁଲା । ଦେଖିଲା ବିକ୍ରମବାବୁ ଅପରାଧୀଟି ପରି ନିର୍ବାକ୍‍ ନିଶ୍ଚଳ ଭାବରେ ଠିଆହୋଇ ରହିଚନ୍ତି । କିଛି ଗୋଟାଏ ପଚାରି ଦେବାକୁ ମାଳାର ମୁହଁ ଖୋଲୁନାହିଁ । ବିକ୍ରମବାବୁ ଏକା ଦୋଷୀ ନୁହନ୍ତି । ସେ ମଧ୍ୟ ତାଙ୍କର ସାଥି । ବିକ୍ରମବାବୁ ଧୀରେ ଧୀରେ ହାତ ବଢ଼ାଇ ମାଳାର ହାତଟିକି ଧରିଲେ । ଦୀର୍ଘକାଳ ନୀରବରେ ବିତିଲା ପରେ ମଣିମାଳା କହିଲେ—ଆଉ ମୋତେ ଛୁଅଁ ନାହିଁ । ମୋର ସଂସାର ଛାରଖାର ହୋଇଗଲା । ସ୍ୱାମୀ ଗଲା, ପୁଅ ଗଲା, ଘରଦ୍ୱାର ଗଲା, ମାନସମ୍ମାନ ଗଲା, ଚରିତ୍ର ଗଲା, ସ୍ୱାସ୍ଥ୍ୟ ଗଲା, କୁଳଥଳ ଗଲା । ସବୁତ ସାରିଲ ତୁମେ—ଆଜି ମୁଁ କେଉଁଠି କାହା ପାଖରେ ମୁହଁ ଦେଖାଇବି ?

 

ମୋତେ କ୍ଷମାଦିଅ ମାଳା ! ସବୁ ଅପରାଧ ମୋର । ଅକ୍ଷମଣୀୟ ଅପରାଧ ଲାଗି ପ୍ରାୟଶ୍ଚିତ ମୁଁ ନିଶ୍ଚୟ କରିବି ମାଳା !

 

ହାତଟିକୁ ମୁକ୍ତ କରିନେଇ ମଣିମାଳା କଡ଼ ଲେଉଟାଇଲା । ଭୁଲ ତ ସବୁ ମଣିଷ ଜୀବନରେ ହୁଏ, ହୋଇଯାଏ । ମାତ୍ର ଏଭଳି ଭୁଲ ପାଇଁ କିଭଳି ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଅଛି ତା’ କିଏ କହିବ ? ଅବାଟରେ ଏତେଦୂର ଆଗେଇ ଆସିଲା ପରେ ବାଟଘାଟ ତ କିଛି କୁଆଡ଼େ ଦିଶୁନାହିଁ । ଫେରିବାର ବାଟ କାହିଁ କେଉଁ ଦିଗକୁ ? ମଣିଷର ଚଲାବାଟ ଉପରେ ଚହଲାମନ ଭ୍ରମଜାତ କରାଏ । ଭ୍ରମରୁ ଜନ୍ମଲଭେ ସ୍ଖଳନ । ସ୍ଖଳନରୁ ପତନ । ପତନ ପରେ ଉଠିବାର ଉପାୟ କିଏ ବତେଇଦେବ ହେ ?

 

ତୁମେ ମୋତେ ଛୁଅଁ ନାହିଁ ବିକ୍ରମବାବୁ ! ଧନ ଦୌଲତ ଘେନି ତୁମେ ତୁମର ବାଟ ଦେଖ । ସର୍ବହରାର ବାଟଧରି ମୁଁ ଚାଲିଚି ଧ୍ୱଂସ ଆଡ଼କୁ, ହୁଏତ ନିଆଁରେ ପୋଡ଼ି ଶୁଦ୍ଧହେବି, ନୋହିଲେ ଆତ୍ମହତ୍ୟା କରି ଏ ଅପବିତ୍ର ଦେହଟାକୁ ବିଲୁଆ କୁକୁରଙ୍କ ମୁହଁଆଡ଼କୁ ନିକ୍ଷେପ କରିଦେଇ ଚାଲିଯିବି । ମନ ମୋର ଅପବିତ୍ର ହୋଇଯାଇଚି, ଶରୀର ମୋର କଳୁଷିତ ହୋଇଯାଇଚି । ପ୍ରକୃତି ଓ ପ୍ରବୃତ୍ତି ନିଚୟ ସଞ୍ଜମ ହରାଇ କଳାମୁହାଁ ବାନର ପାଲଟିଯାଇଚନ୍ତି । ପବିତ୍ର ଆତ୍ମା ମୋର କଳଙ୍କିତ କାୟାଟାକୁ ଛାଡ଼ି ଅମରଧାମକୁ ଚାଲିଯାଉ, ଏତିକି ମୋର କାମନା । ଭୁଲିଯାଅ ମୋତେ ବିକ୍ରମବାବୁ ! ଅବାଟ ଛାଡ଼ି ବାଟ ଧର । ଧାଇଁ ଆସିଚ ବୋଧହୁଏ ମୋତେ ଲେଉଟାଇ ନେବାକୁ । ମାତ୍ର ମୁଁ ଆଉ ଫେରିବି ନାହିଁ । ରୁକୁଣା ରଥ ଅଣଲେଉଟା ବୋଲି ଜାଣିବ ।

 

-୧୪-

 

ରାତ୍ର ସେତେବେଳକୁ ନଅଟା ହେବ । ଚାରିଆଡ଼ ଶୂନଶାନ୍ ହୋଇ ଆସିଲାଣି । ଧୀରେ ଧୀରେ ବିଶ୍ଵେଶ୍ଵରୀଙ୍କ କୋଠରୀ ଭିତରକୁ ପଶିଆସି ଠିଆହେଲା ଶଙ୍କର । ବିକ୍ରମବାବୁଙ୍କ ବଡ଼ପୁଅ-। ହାତରେ ତା’ର ପିସ୍ତଲଟାଏ । ମାଆଙ୍କ ଖଟ ଉପରେ ବସିଥିବା ରଘୁନନ୍ଦନର ଛାତି ଆଗକୁ ପିସ୍ତଲ ମୁହଁ ଦେଖାଇ ଧୀର ଏବଂ ଉତ୍ୟକ୍ତ ସ୍ୱରରେ କହିଉଠିଲା—ଇଷ୍ଟଦେବ ସ୍ମରଣ କର ପାପିଷ୍ଠ, ନରାଧମ, କୁକୁର !

 

ଖଟର ଆରକଡ଼ ଦେଇ ଓହ୍ଲାଇପଡ଼ି ପଳାଇ ଯିବାକୁ ଚେଷ୍ଟା କରୁଚି ମା ବିଶ୍ୱେଶ୍ୱରୀ । ଲଜ୍ଜାରେ ଏତେଟିକେ ହୋଇଯାଇଚି । ଆପଣାକୁ କେଉଁଠାରେ ଲୁଚାଇ ଦେବ ସେଇକଥା ଭାବି ପାଗଳ ପରି ସେ ଧାଇଁ ଯାଉଚି ଦୁଆର ଆଡ଼କୁ । ବାହାରେ କିନ୍ତୁ ଆଉ ଗୋଟିଏ ପିସ୍ତଲ ଆଗେଇ ଧରି ନୀରବରେ ଠିଆହୋଇ ରହିଚି କିଙ୍କର, ଶଙ୍କରର ସାନଭାଇ । ପଳାଇ ଯିବାପାଇଁ ବାଟ ନାହିଁ-। ଉଚ୍ଚ ଖଟ ତଳକୁ ଗଳିଯାଇ ଆତ୍ମଗୋପନ କରିବାକୁ ବୃଥା ଚେଷ୍ଟା କରୁଚନ୍ତି ବିଶ୍ୱେଶ୍ୱରୀ-

 

କୁକୁର, ପିଶାଚ, ବିଶ୍ୱାସଘାତକ, ପଶୁ ! ଏ ଫଟୋଆଡ଼କୁ ଥରେ ଅନାରେ ରଘୁନନ୍ଦନ !

 

ବାଁ ହାତରେ ପକେଟରୁ ଫଟୋ ଖଣ୍ଡେ କାଢ଼ି ରଘୁନନ୍ଦନ ସାମନାକୁ ଦେଖାଇଲା ଶଙ୍କର-। ଧର୍ମଶାଳା ଭିତରେ ଦୁଇଜଣ ଲଙ୍ଗଳା ମୁକୁଳା ହୋଇ ଅଜ୍ଞାନ ଅବସ୍ଥାରେ ଗଡ଼ୁଚନ୍ତି । ଜଣେ ନାରୀ ଓ ଆର ଜଣକ ପୁରୁଷ । ପୁରୁଷଟି ରଘୁନନ୍ଦନ । ବଡ଼ ବଡ଼ ଦୁଇ ପୁଅ, ଶଙ୍କର ଓ କିଙ୍କର ମେନେଜରର ଗତିବିଧି ଅନେକଦିନୁ ଲକ୍ଷ୍ୟ କରୁଥିଲେ । ବିଭତ୍ସ ଅବସ୍ଥାରେ ତାଙ୍କରି ଭିତରୁ କେହି ଲୁକ୍‍କାୟିତ ଭାବରେ ଫଟୋଖଣ୍ଡିଏ ଉଠାଇ ଆଣିଚନ୍ତି । କୁଳକଳଙ୍କିନୀ ଚରିତ୍ରହୀନା ମାଆ ଉପରେ ସେମାନେ ନିଆଁବାଣ ହୋଇଯାଇଚନ୍ତି । ପିସ୍ତଲଧରି ଦିହେଁଯାକ ଆଜି ଧାଇଁ ଆସିଚନ୍ତି ବିଶ୍ୱେଶ୍ୱରୀ ଓ ମେନେଜରକୁ ମାରିଦେବାପାଇଁ । ରାଜ ନଅର ପରି ନଅର ଭିତରେ କେଉଁ କୋଣରେ କଅଣ ହେଉଚି ସେ ଖବର ବାହାରକୁ ଜଣାପଡ଼ୁନାହିଁ । ବୟସ୍କ ଓ ଯୋଗ୍ୟ ସନ୍ତାନ ଦୃଷ୍ଟିରେ ଭ୍ରଷ୍ଟା ଜନନୀଠାରୁ ଶତ୍ରୁ ଆଉ କେହି ନାହିଁ ।

 

ଫଟୋ ଆଡ଼କୁ ଥରେ ଆଖିବୁଲାଇ ରଘୁନନ୍ଦନ ଥର ଥର ହୋଇ ଥରିଉଠି ତଳକୁ ଆସିଲା । ଲମ୍ବ ହୋଇ ଶଙ୍କରର ପାଦତଳେ ଲମ୍ବିଗଲା । ପାଟିରୁ ତା’ର ବଚନ ବାହାରୁନାହିଁ । ସିଂହ ଗୁହାରେ ଶୃଗାଳ । ସିଂହଶିଶୁ ସିଂହ ବିକ୍ରମରେ ଆଜି ଆକ୍ରମଣ କରିବାକୁ ଆସିଚି । ଶଙ୍କରର ଦି ଆଖିରୁ ନିଆଁଝୁଲ ଝରିପଡ଼ୁଚି । କ୍ରୋଧରେ ଅଙ୍ଗ ତା’ର ଥର ଥର ହୋଇ ଥରୁଚି । ଉପଯୁକ୍ତ ଭାଷା ପଇଟୁନାହିଁ ମନର ରାଗକୁ ଯଥାର୍ଥରେ ପ୍ରକାଶକରିବା ପାଇଁ ।

 

ରକ୍ଷାକର ଶଙ୍କର ବାବୁ ! ହୁକୁମର ଚାକର ମୁଁ । ଅପରାଧ ମୋର ନୁହେଁ ।

 

ଅପରାଧ ମୋର ନୁହେଁ ? ହୁକୁମର ଚାକର ? ନିକଲୋ ବଦମାସ୍ ହାରାମଜାଦା । ନିକଲୋ ଅଭି । ଆଉଦିନେ ଏ ଦୁଆର ମାଡ଼ିବୁ ନାହିଁ । କୁକୁର ଆସି ମୁଣ୍ଡ ଉପରେ ବସୁଚି । ଉଠ କହୁଚି । ଅଫିସ୍ ଚାବି ଦେଇଦେ । ଲୁହା ସିନ୍ଦୁକର କାଠି ଦେ ମତେ । ମୁଁ ମୋର ସମ୍ପତ୍ତିବାଡ଼ି ବୁଝିବି-। ତୋପରି ବିଶ୍ୱାସଘାତକ ବର୍ବର ମୋର ଲୋଡ଼ାନାହିଁ ।

 

ଠିଆ ଠିଆ ଜୋତା ମିଶା ଦିଗୋଇଠା କସିଦେଲା ଶଙ୍କର, ରଘୁନନ୍ଦନ ପିଠି ଉପରେ । ଆହୁରି ଗୋଇଠାଏ । କୁକୁର ପରି କେଁ କେଁ ହୋଇ ମେନେଜର ସାହେବ ପକେଟରୁ ସବୁ ଚାବିକାଠିତକ କାଢ଼ିଦେଇ ଚୋରଙ୍କପରି ବାଡ଼ିବାଟେ ପଳାଇ ଯିବାକୁ ବାହାରିଲା । ବାଟ ଓଗାଳିଲା କିଙ୍କର । ଶଙ୍କର କହିଲା—ଛାଡ଼ିଦେ ।

 

କିଙ୍କର ବି ଗୋଇଠାଏ ମାଇଲା । ଘୁଷୁରିପରି ପଡ଼ିଉଠି ସଅଁ ସଅଁ ହୋଇ ରଘୁନନ୍ଦନ ବାଡ଼ିପଟ ଗଳିବାଟ ଦେଇ ବାହାରକୁ ପଳାଇ ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଗଲା ।

 

ଖଟତଳେ ମାଆ । ଯାକିଯୁକି ହୋଇ ମେଦ ପିଣ୍ଡୁଳାପରି ପଡ଼ିରହିଚି ବିଶ୍ୱେଶ୍ୱରୀ । ବଡ଼ ବଡ଼ ପୁଅଙ୍କ ଆଖି ଆଗରେ ନିଜର ଭ୍ରଷ୍ଟତା ଧରାପଡ଼ିଯାଇଚି । ମନେମନେ ସେ କହୁଚି—ଫାଟିଯା ବସୁମାତା ! ପଶିଯାଏଁ ତୋରି କୋଳରେ । ଏ ମୁହଁ ମୁଁ ଦୁନିଆକୁ ନ ଦେଖାଏଁ ।

 

କିନ୍ତୁ ଏଭଳି ପାପୀ ପାଇଁତ ବସୁମତୀ ଦ୍ଵିଧା ହୋଇନଥିଲା ? ଠିଆହୋଇ ରାଗରେ ଜଳିଉଠୁଚି ଶଙ୍କର । କିଙ୍କର ବି ଘର ଭିତରକୁ ପଶିଆସିଲାଣି । କହିଲା—ଏ ଦୃଶ୍ୟ ଦେଖାଇବା ଆଗରୁ ମାଆ, ତୋର ମୃତ୍ୟୁ ହେଲା ନାହିଁ ? ମୃତ୍ୟୁ ବି କଅଣ ତୋତେ ଘୃଣା କରୁଚି ? ଛୁଉଁନାହିଁ ? ବଡ଼ଲୋକର ସ୍ତ୍ରୀ, ସମ୍ଭ୍ରାନ୍ତ କୁଳର ବୋହୂ, ବୟସ୍କ ସନ୍ତାନର ମାଆ । ପାପ ପୁଣ୍ୟ ଭଲମନ୍ଦକୁ ତୋର ଟିକିଏ ମାତ୍ର ବିଚାର ହେଲା ନାହିଁ ମା ! ଏଇ ମୁହୂର୍ତ୍ତରେ ମରିପାରୁନାହୁଁ ? ଖଟତଳେ ଲୁଚିରହିଚୁ ମେଧି କୁକୁର ! ବାହାରି ଆ, ମୁଁ ତତେ ଗୁଳିକରି ମାରି ଦିଏଁ । କୁଳର କଳଙ୍କ ଦୂରହେଉ ।

 

ସାନଭାଇର ହାତ ଧରିଲା ଶଙ୍କର । କହିଲା—ନାରୀ ଅବଧ୍ୟା । ତା’ର ଉପଯୁକ୍ତ ଶାସ୍ତି ମୁଁ ତାକୁ ଦେବି ନିଶ୍ଚୟ । ତୁ ଥୟ ଧ କହୁଚି ।

 

ସାନଭାଇ ବଡ଼ଭାଇର ହାତଭିତରୁ ନିଜ ହାତଟାକୁ ଛଡ଼ାଇନେଇ କହିଉଠିଲା—ଲକ୍ଷ୍ମଣ କହିଥିଲେ, ମନେଅଛି ଭାଇ ! ‘‘ହନିସ୍ୟେ ପିତରଂ ବୃଦ୍ଧଂ କୈକେୟଂ ଶକ୍ତମାନସଂ ।’’

 

ସ୍ତ୍ରୈଣତା ଦୋଷରେ ଦୋଷୀ ବାପାଙ୍କୁ ଲକ୍ଷ୍ମଣ ମାରିଦେବାକୁ ବସିଥିଲେ । ଇଏତ ଅତିଶୟ କଥା !

 

ସାନଭାଇର ହାତଟାକୁ ଜୋରରେ ଭିଡ଼ିଧରି ବାହାରକୁ ଆଣି ଶଙ୍କର କହିଲା—ଥାଉ; ସେଇ ଘରେ କାରାରୁଦ୍ଧ ହୋଇ ପଡ଼ିଥାଉ ପାପିୟସୀ ।

 

ବାହାରୁ ଶିକୁଳି ଲଗାଇ ତାଲା ଠୁଙ୍କିଦେଲା ଶଙ୍କର ।

 

ନଖାଇ ନପିଇ ଛଟପଟ ହୋଇ ଶୁଖି ଶୁଖି ମରୁଥାଉ ସେ ଘରେ ନାରକୀ, ପିଶାଚୀ । ଆମପରା ସନ୍ତାନର ମାଆହୋଇ, ଏତେବଡ଼ ସମ୍ପତ୍ତିର ଅଧିଶ୍ୱରୀ ହୋଇ ସାମାନ୍ୟ ଚାକର କୁକୁର ସାଙ୍ଗରେ ପ୍ରଣୟଲିପ୍ତ ରହୁଚି । କୁଳ କଳଙ୍କିନୀ, ବାରନାରୀ, କୁଳଟା ରାକ୍ଷସୀ ! ସେଇଘରେ ପଡ଼ି ପଡ଼ି ଶଢ଼ି ଶଢ଼ି ମରୁଥାଆ । ପୂତିଗନ୍ଧରେ ପଚି ସଢ଼ି ଯାଉ ତୋ କଳଙ୍କିତ ଶରୀରର ମାଂସମେଦ ।

 

ଜୋର୍‍କରି ତାଲାଟାଏ ଠୁଙ୍କିଦେଲା ଶଙ୍କର । କ୍ରୋଧରେ ତା’ର ସାରା ଦେହ କମ୍ପୁଚି । ମା ଅବଧ୍ୟା । ଚୁଚୁନ୍ଦ୍ରାକୁ ଗିଳିବାକୁ ବସିଚି ନାଗ ସାପ । ଗିଳିପାରୁ ନାହିଁ, ଛାଡ଼ିପାରୁ ନାହିଁ । ଭିତରେ ଭିତରେ ଅସହ୍ୟ ବେଦନା ଅନୁଭବକରୁଚି ନିଜେ ନିଜେ । ଭୟରେ ସେ ଅଞ୍ଚଳରୁ ଦାସୀ, ଚାକର ସମସ୍ତେ ପଳାଇଯାଇଚନ୍ତି । ପ୍ରଳୟ ଭୟରେ ଥରିଉଠିଚି ଆଜି ପ୍ରାସାଦର ଅନ୍ତଃପୁରଗୁଡ଼ିକ । ସତେକି ସମସ୍ତେ ମରିହଜି ଯାଇଚନ୍ତି । ଜୀବନ୍ତ ମରଣ ଅବସ୍ଥାରେ କିଏ କୁଆଡ଼େ ଲୁଚିଛପି ଛଟପଟ ହେଉଚନ୍ତି । ଅଳ୍ପ ଅନ୍ଧକାର ଭିତରେ କିଏ ଜଣେ ତେଣୁ ପଶିଆସୁଚି । ଡାକିଲା—କିଏରେ ! ଶଙ୍କର, କିଙ୍କର ?

 

ବାପା । ବିକ୍ରମବାବୁ । ତାଙ୍କ ଡାକ ଶୁଣିଲା ବେଳକୁ ମଧ୍ୟ ଶରୀର ବିଷେଇ ଉଠୁଚି । ସେ ବି ଭୁଲ ନୁହେଁ । ଚରିତ୍ରହୀନା, ଧନୀ, ମାନୀ ହେଲେବି ବ୍ୟକ୍ତିଗତ ଦୁର୍ବଳତା ଦୋଷରେ ଦୋଷୀ । ଶଙ୍କରର ମନ ବିଦ୍ରୋହ କରିଉଠୁଚି । ଜବାବ ଦେଲା, ସିଂହଶିଶୁ ପରି ଗୁରୁଗମ୍ଭୀର ଗର୍ଜନ କରି—ହୁଁ । ମୁଁ ଶଙ୍କର । ଆଉ ତୁମେ କିଏ ? ଭ୍ରଷ୍ଟ, ପାପିଷ୍ଠ, ବର୍ବର ! ଏତେ ବଡ଼ ବଡ଼ ସନ୍ତାନର ବାପ ହୋଇ ଏକୁତାକୁ ନେଇ ଏଣେତେଣେ ବୁଲୁଚ । ଏଣେ ସ୍ତ୍ରୀ ରତ୍ନ ଖଣ୍ଡିକ ଚାକରବାକର ଧରି ମଦପିଇ ମାତାଲ । କୁଳ ଗୌରବ ପ୍ରତି ନଜର ନାହିଁ । ବଂଶମର୍ଯ୍ୟାଦା ପ୍ରତି ଲଜ୍ଜା ନାହିଁ । ଭବିଷ୍ୟତ ବଂଶଧରମାନଙ୍କ ମୁଣ୍ଡଉପରେ କଳଙ୍କର ବୋଝ ଲଦିଦେଇ ଏମାନେ କହିବେ ଆମେ ବାପ ମା । ନିଜେ ହେବେ କଳଙ୍କ ପସରା, ଆଉ ପିଲାଙ୍କୁ କହିବେ, ବୋଲ ବୋଲ ଶୁଆପରି—

 

ପିତା ସ୍ୱର୍ଗଃ ପିତା ଧର୍ମଃ ପିତାହିଁ ପରମଂ ତପଃ । ପୁଅ ଚରିତ୍ର ହରାଇଲେ କହୁଚ—କୁଳାଙ୍ଗାର, କୁପୁତ୍ର । ଆଉ ବାପ ଭ୍ରଷ୍ଟ ହେଲେ ପୁଅ କଅଣ କହିବ ବତାଇ ଦିଅ । କହିଦିଅ କହୁଚି ।

 

କ୍ରୋଧରେ ଅଧୀର ହୋଇ ପିସ୍ତଲଟାକୁ ଆଗେଇ ଧରି ବାପାର ଆଗକୁ ଧାଇଁଗଲା ଶଙ୍କର । ଆଜି ସେ ଦିଗ୍‍ବିଦିଗ୍‍ ଜ୍ଞାନଶୂନ୍ୟ । କହିଉଠିଲା—ମୃତ୍ୟୁ ହେଉ ନାହିଁ ତୁମକୁ ବର୍ବର, ନରାଧମ, ପାପିଷ୍ଠ ! ପିତା ହୁଅ ପଛକେ ତୁମକୁ ସାମାନ୍ୟ କୁକୁରଟା ପରି ଗୁଳିକରି ମାରି ଦେବାକୁ ମନ ହେଉଚି ମୋର । ଆଗେଇ ଆସ । ଛାତି ଦେଖାଇ ଠିଆ ହୋଇଯାଅ । ନୋହିଲେ ଆଜି ଏଇ ରାତିରେ ଏ ଘରଦ୍ୱାର ଛାଡ଼ି କୁଆଡ଼ିକି ଚାଲିଯାଅ । ସାଙ୍ଗରେ ଘେନିଯାଅ ତୁମର ଏ ସୁଯୋଗ୍ୟା ସହଧର୍ମିଣୀକି । ବାପ ମାଆ ବୋଲି ତୁମମାନଙ୍କୁ ଚିହ୍ନା ଦେବାକୁ ଘୃଣା ଲାଗୁଚି । ସ୍ୱେଚ୍ଛାଚାରୀ, ବ୍ୟଭିଚାରୀ, ବଂଶକଳଙ୍କ, ନରାଧମ ! ଏଇ ଅନ୍ଧକାର ରାତ୍ରି ମଧ୍ୟରେ ବିଦାୟ ଘେନ । ନୋହିଲେ ତୁମେ ଥାଅ, ଆମେ ଚାଲିଲୁଁ । କିଛି ନେବୁନାହିଁ । ଖାଲି ହାତରେ ଚାଲିଯିବୁ ଦାଣ୍ଡେ ଦାଣ୍ଡେ । କୁଷ୍ଠରୋଗଗ୍ରସ୍ତ ପିତା ମାତାଠାରୁ ଦୂରକୁ ପଳାଇଯିବା ସନ୍ତାନ ପାଖେ ଶ୍ରେୟ ।

 

ଫଁ ଫଁ ନିଶ୍ୱାସ ଟାଣି ପାଖକୁ ଆଗେଇ ଆସି କିଙ୍କର କହିଲା—ବାପା ତୁମେ ? ନା ଶତ୍ରୁ-! ତୁମକୁ ହତ୍ୟାକଲେ ଲେଶମାତ୍ର ଅପରାଧ ହେବନାହିଁ ତ । ତୁମ ସମ୍ପର୍କରେ ରହିଲେ ଆମେ ମନୁଷ୍ୟତ୍ୱ ହରାଇବୁଁ । ମନେ କରିଚ ଜନ୍ମ ଦେଇଚ ବୋଲି ଧନ ବଳରେ ତୁମେ ଆମ ମର୍ଯ୍ୟାଦା ଓ ବିବେକବାଣୀ ଉପରେ ଜବରଦସ୍ତି କରିବ ? ଜନ୍ମ ହୋଇ ପଡ଼ିବା ସଙ୍ଗେ ସଙ୍ଗେ ଆମେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସତ୍ତା । ଆମର ବି ବୁଦ୍ଧି ବିବେକ ଏବଂ ଭଲମନ୍ଦ ବିଚାର କରିବାର ଶକ୍ତି ଓ ଅଧିକାର ଅଛି । କହିବ କୁପୁତ୍ର; କୁହ, ବାଧାନାହିଁ । କୁପିତାର ପୁତ୍ର ହେବା ଅପେକ୍ଷା କୁପୁତ୍ର ଆଖ୍ୟା ପାଇବାଟା ବରଂ ଶ୍ରେୟ ।

 

ଠିଆ ହୋଇଥିବା ସ୍ଥାନରେ ଥରହର ହୋଇ ଥରୁଚନ୍ତି ବିକ୍ରମବାବୁ । ଜନ୍ମକଲା ପିଲା ଆଜି ବିଦ୍ରୋହ କରିଉଠିଲେଣି । ବାପ ପରି ବାପକୁ ସେମାନେ ସମ୍ମାନ ଦେବାକୁ ଚାହାନ୍ତି । ବାପାର କଳଙ୍କକୁ ସେମାନେ ଘୃଣାକରି ବସିଲେ ସେମାନଙ୍କର ଭୁଲ କେଉଁଠି ? ଏଇ କଥା ଭାବି ଭାବି ବିକ୍ରମବାବୁ ଧୀର ସ୍ୱରରେ ଡାକିଲେ—ଶଙ୍କର, କିଙ୍କର ! ସବୁ ମୁଁ ଅଦୃଶ୍ୟରେ ଥାଇ ଶୁଣିଚି, ଆଉ ଦେଖିଚି । ସବୁ କଥାର ମୂଳ ହେଲି ମୁଇଁ । ମୁଁ ଆଜି ବିଦାୟ ନେଇ ଚାଲିଯିବାକୁ ଚାହେଁ । ମାଆକୁ ଛାଡ଼ିଦିଅ । ଆମେ ଦିଜଣ ଆଜିର ଏଇ ଅନ୍ଧକାର ରଜନୀ ଭିତରେ ଦୂରେଇ ଯିବୁଁ । ଜୀବନର ସବୁ ଭୁଲ ଭ୍ରାନ୍ତି ଲାଗି ପ୍ରାୟଶ୍ଚିତ୍ତ ଆବଶ୍ୟକ । ଘରଦ୍ୱାର, ବ୍ୟବସାୟ ବାଣିଜ୍ୟ ଓ ସଞ୍ଚିତ ଧନସମ୍ପଦର ମାଲିକ ଆଜିଠାରୁ ତୁମେମାନେ । ତୁମେ ବଡ଼ ହୋଇଚ, ଭଲମନ୍ଦ ବିଚାର କରିବାର ଶକ୍ତି ଲଭିଲଣି-। ତୁମର ସଂସାର ତୁମେ ତୁଲାଅ । ମଣିଷ ଜୀବନରେ ଭଲମନ୍ଦ, ଭୁଲଭଟକ ଥାଏ-। ତା’ର ପ୍ରାୟଶ୍ଚିତ୍ତ ପାଇଁ ମାଟିର ମଣିଷ ସଂସାର ତ୍ୟାଗକରେ, ବାନପ୍ରସ୍ଥ ବ୍ରତ ଅବଲମ୍ବନ କରେ । ମାଆର ବାଟ ଛାଡ଼ିଦିଅ । ତାଲା ଖୋଲିଦିଅ । ସେ ବି ଚାଲୁ ମୋରି ସାଙ୍ଗେ ସାଙ୍ଗେ ।

 

ଅସ୍ପଷ୍ଟ ଅନ୍ଧକାର ଭିତରେ ଦୁଇ ପୁତ୍ର ବାପ ମୁହଁକୁ ଚାହିଁ ରହିଲେ । ବିଶ୍ୱାସ ହେଉନାହିଁ । ମନର ରାଗ ମନେମନେ ଗୁରାଣ୍ଡି ହେଉଚି । ଭିତର ଜଳୁଚି, ବାହାର ଥରୁଚି । ବର୍ତ୍ତମାନର ପ୍ରଜ୍ୱଳିତ ବହ୍ନିଶିଖା ଭିତରେ ସେମାନେ ଠିଆହୋଇ ରହି ଭବିଷ୍ୟତର ଅନ୍ଧକାର ଭିତରକୁ ଆଖି ବଢ଼ାଉଚନ୍ତି । ହାତର ପିସ୍ତଲ ଶିଥିଳ ହୋଇଯାଉଚି । ପ୍ରାଣ ଭିତରେ ମମତାର ଅସ୍ପଷ୍ଟ କ୍ରନ୍ଦନ ଧ୍ୱନି ରହି ରହି କୁହୁରି ଉଠୁଚି । ବାପା ଆଉ ମାଆ । ଅପରାଧୀ ଅପରାଧିନୀ....ସହି ହୁଏ ନାହିଁ । କିନ୍ତୁ ପାଖରୁ ଅନ୍ତର କରି ଦେବାକୁ ମନ ରାଜି ହେଉନାହିଁ । ଅନ୍ତର ଭିତରୁ ମାୟାର ବାଷ୍ପ ଲୋତକ ରୂପ ଧାରଣ କରି ବିନ୍ଦୁ ବିନ୍ଦୁ ହୋଇ ଆଖିପତା ତଳକୁ ଗଡ଼ି ପଡ଼ୁଚି । ଶଙ୍କର ଡାକିଲା—ବାପା !

 

ହୁଁ ।

 

ଗମ୍ଭୀର ଭାବେ ଠିଆହୋଇ ରହିଚନ୍ତି ବିକ୍ରମବାବୁ ।

 

ଭିତରକୁ ଯାଅ । ମୁଁ ତାଲା ଫିଟାଇ ଦେଉଚି ।

 

ପୁଅର ମନ କ୍ଷମାଦେଇ ସାରିଲାଣି । ମାତ୍ର ବାପାରମନ ନିଜକୁ କ୍ଷମା ଦେଇ ପାରୁନାହିଁ-। ଅନୁତାପନଳରେ ଅନ୍ତର ଜଳୁଚି, ପ୍ରାଣ ସନ୍ତୁଳି ହେଉଚି । ମାଳା ବିଦାୟ ଦେଇଚି । ବିଶ୍ୱେଶ୍ୱରୀ ଚରିତ୍ରହୀନା ଭ୍ରଷ୍ଟାର କଳଙ୍କ ତଳେ ମୁହଁ ଲୁଚାଇ କାରବାର ମଧ୍ୟରେ ପଡ଼ି ରହିଚି । ଚାରିଆଡ଼ ଅନ୍ଧକାର । ଭିତର ବାହାର ପ୍ରାୟଶ୍ଚିତ୍ତ ପାଇଁ ପ୍ରସ୍ତୁତ ହୋଇଯାଇଚି ।

 

ଶଙ୍କର ତାଲା ଫିଟାଇ ଦେଲା । କଥା ପଦେ କହିବାକୁ ତା’ର ଆଉ ଶକ୍ତି ନାହିଁ । ଉତ୍ତେଜନା ଉତୁରି ଯାଉଚି । ପ୍ରାଣ ଭିତରେ ବିଦାୟବ୍ୟଥା ବ୍ୟଥିତ ତା’ର ଅନ୍ତରକୁ ଅଧୀର କରିପକାଉଚି । ବରଣ୍ଡା ଉପରର ପକ୍କା ଖୁଣ୍ଟ କଡ଼କୁ ଲାଗି ସେ ଠିଆ ହୋଇଗଲା । ରାଗ, କ୍ରୋଧ, ଅହଂକାର, ସମ୍ମାନବୋଧ, ବଂଶମର୍ଯ୍ୟାଦାଜ୍ଞାନ ଧୀରେ ଧୀରେ ପାଣିଫାଟି ଆସୁଚି । ଧୀରେ ଧୀରେ ସାନ ଭାଇ କିଙ୍କର ଆସି ପାଖରେ ଠିଆହେଲା । ଗୁଳିଭରା ପିସ୍ତଲ ଖାଲିକରି ପକେଟରେ ପୂରାଇଲା । ବଡ଼ଭାଇର ଉପଦେଶ ଅପେକ୍ଷାରେ ଚାହିଁରହିଚି । ଦୁଇଭାଇ ଦେଖିଲେ, ବିକ୍ରମବାବୁ ଘର ଭିତରକୁ ପଶିଲେ । ଅଳ୍ପ ଆଲୁଅ ଭିତରେ ସ୍ତ୍ରୀର ହାତ ଧରି କହିଲେ—ଆସ ଯିବା । ଆଉ ଏ ଘରେ ଆମର ସ୍ଥାନ ନାହିଁ । ପବିତ୍ର ବଂଶରେ ଆମେ କାଳି ବୋଳି ଦେଇଚୁଁ । ମୋରି ଭୁଲ ଲାଗି ତୁମେ ଭୁଲ କରି ବସିଚ । ସବୁ ଭୁଲର ବୋଝ ମୋରି ମୁଣ୍ଡ ଉପରେ । ଆସ ଚାଲି । ପିଲାମାନେ ବଡ଼ ହେଲେଣି । ତାଙ୍କ ଘରଦ୍ୱାର, ବାଣିଜ୍ୟ ବ୍ୟବସାୟ ସେମାନେ ବୁଝନ୍ତୁ ।

 

ବିଶ୍ଵେଶ୍ଵରୀର ହାତଧରି ଟାଣିଟାଣି ବାହାରକୁ ଆଣିଲେ ବିକ୍ରମବାବୁ । ଏକ ବସ୍ତ୍ର ହୋଇ ବାହାର ଫାଟକ ଆଡ଼କୁ ଦୁହେଁଯାକ ଚାଲିଲେ । ପଛକୁ ଫେରି ଚାହିଁଲେ ନାହିଁ । ରାଗ ନାହିଁ । କ୍ଷୋଭ ନାହିଁ । କ୍ରୋଧ ନାହିଁ । ଅଛି କେବଳ ଅନୁଚିନ୍ତା ଓ ଲଜ୍ଜା । ପଛ କଥା ମନେ ପଡ଼ିଗଲା ବେଳକୁ ନିଜପ୍ରତି ଘୃଣା ହେଉଚି । ନିଜକୁ ତିରସ୍କାର କରିବାକୁ ମନଟା ଆଗେଇ ଆସୁଚି । ପଛେ ପଛେ ଚାଲି ଚାଲି ଆସି ଶଙ୍କର ଓ କିଙ୍କର ଧୀର ନମ୍ରସ୍ୱରରେ ଡାକୁଚନ୍ତି—ବାପା, ବାପା ! କୁଆଡ଼େ ଯାଉଚ ? ଫେର । ବିଚାର କରି ନିଜର ଭୁଲଟାକୁ ବୁଝ । ରାଗ କ୍ରୋଧରେ ଅନ୍ଧ ହୋଇ ଆଉ ଅଧିକ ଭୁଲ କରିବସନାହିଁ ।

 

କିଛି ଶୁଣିଲେ ନାହିଁ ବିକ୍ରମବାବୁ । ବିଶ୍ୱେଶ୍ୱରୀ ମୁହଁ ଲୁଚାଇ ପଳାଇ ଯାଉଚି । ସୁଦୂର କେଉଁ କୋଟର ଭିତରେ ଆପଣାକୁ ସମ୍ପୂର୍ଣ୍ଣରୂପେ ଲୁଚାଇ ରଖିବାକୁ ପ୍ରାଣପକ୍ଷୀ ତା’ର ବ୍ୟାକୁଳ ହୋଇଉଠୁଚି । ଜନ୍ମକଲା ପୁଅମାନେ ଆଜି ତା’ର କଳଙ୍କ କାଳିମାର ପ୍ରମାଣ ପାଇଯାଇଚନ୍ତି । ଆଉ ଏ ମୁଖ ଦେଖାଇ ସେମାନଙ୍କ ଆଗରେ ଚଳିହେବ ନାହିଁ ! ସ୍ୱାମୀଙ୍କୁ ମଧ୍ୟ ପଦୁଟିଏ କଥା କହିବାର ଶକ୍ତି ସାମର୍ଥ୍ୟ ତା’ର ନାହିଁ । ସ୍ୱାମୀ ନିକଟରେ ବିଶ୍ୱାସଘାତକତା କରି ସାରିଚି ଯେ । ଇତର ନାରୀ ପରି ସ୍ୱାମୀର ପଦସ୍ଖଳନ ନିକଟରେ ପ୍ରତିଯୋଗିତା କରି ନିଜର ସର୍ବନାଶ କରି ସାରିଚି । ଭିତରେ ଭିତରେ ସେ ମରିଯାଉଚି । ସ୍ୱାମୀର ହାତ ଭିତରେ ଟାଣି ହୋଇ ଚାଲିଚି—ସେ ସେତିକି ମୃତ ପିଣ୍ଡଟା ଘୋସାରି ହୋଇ ଯାଉଚି !

 

କିଙ୍କର ଡାକିଲା—ବାପା, ଫେରି ଆସ । କୁଆଡ଼େ ଯାଉଚ ?

 

ତେତେବେଳକୁ ରାତି ପ୍ରାୟ ଏଗାରଟା । ନିର୍ବାକ୍‍ ଭାବରେ ଫାଟକ ଯାକେ ଆଗେଇ ଆସି ବିକ୍ରମବାବୁ କହିଲେ—ଡ୍ରାଇଭର୍‍କୁ ଡାକ, ଗାଡ଼ି ଆଣୁ ।

 

ଫାଟକ ପାଖରେ ଛିଡ଼ା ହୋଇଥିବା ଲୋକଟି ଦୌଡ଼ିଯାଇ ଡ୍ରାଇଭର୍‍କୁ ଡାକି ଗାଡ଼ି ଅଣାଇଲା । ବିକ୍ରମବାବୁ ଏବଂ ବିଶ୍ୱେଶ୍ୱରୀ ଗାଡ଼ି ଭିତରକୁ ଉଠି ପଛ ସିଟରେ ବସିପଡ଼ିଲେ । କାହାରି ତୁଣ୍ଡରେ କଥା ନାହିଁ । ଆଦେଶ ହେଲା ଚଲାଅ । କୁଆଡ଼େ ଯିବାକୁ ହେବ ସେ କଥା ପଚାରିବାକୁ ଡ୍ରାଇଭର୍‍ର ପାଟି ଫିଟିଲା ନାହିଁ । ଯେତିକି ଟିକକ ଦେଖିଲା ସେଥିରୁ ସେ ଅନୁମାନ କରିନେଲା—ଭିତରେ ଭିତରେ ପ୍ରବଳ ତୋଫାନଟାଏ ବହିଚାଲିଛି । ଫାଟକ ପାଖରେ ଛିଡ଼ାହୋଇ ଦି’ଭାଇ ଶଙ୍କର ଆଉ କିଙ୍କର ଆଖି ଲୁହ ପୋଛି ନିର୍ବାକ୍‍ ଭାବେ ଚାହିଁ ରହିଲେ ମାତ୍ର । ଧୀରେ ଧୀରେ ରାତି ବେଶୀ ହେଲା । ଅନେକ ବେଳୁ ଗାଡ଼ିଟା ଅଦୃଶ୍ୟ ହୋଇଗଲାଣି । ଅସ୍ପଷ୍ଟ ଅନ୍ଧକାର ଭିତରେ ଦୁଇଭାଇ ଅନେକ ରାତି ଯାକେ ଅନାଇ ରହିଲେ । କାହାରି ତୁଣ୍ଡରେ କଥାନାହିଁ । ଜଗୁଆଳଟା ଦୀର୍ଘଶ୍ୱାସ ଟାଣି ଟହଲୁଚି ଏବଂ ମନେମନେ ଭାବୁଛି—ବଡ଼ଲୋକଙ୍କ ବଡ଼ ବଡ଼ କଥା ବୁଝିବାର ଯୁ’ ନାହିଁ କାହାରି । ଭିତରେ ଭିତରେ କୁମ୍ଭାର ଉହା ଜଳୁଥିବ, ପୋଡ଼ି ଖାର ହୋଇ ଯାଉଥିବ, ମାତ୍ର ବାହାରକୁ କିଛି ଜଣାପଡ଼ିବ ନାହିଁ ।

 

-୧୫-

 

ହାସପାତାଳରୁ ଫେରିଆସି ମଣିମାଳା ବିବୁଧେନ୍ଦ୍ର ବାବୁଙ୍କ ଘରେ ବିଶ୍ରାମ କରୁଛନ୍ତି । ସକାଳ ଆଠଟା ହେବ । ବାହାର ବାରଣ୍ଡାରେ ଇଜିଚେୟାର୍ ଖଣ୍ଡିକ ଉପରେ ବସି ବସି ଶୂନ୍ୟ ଦୃଷ୍ଟିରେ ଆଗର ବଗିଚାଟି ଆଡ଼କୁ ଅନାଇ ରହିଛନ୍ତି ମାଳା । ପାଖରେ ସ୍ନେହମୟୀ । ତାଙ୍କ ମନରୁ ଘୃଣାଭାବ ଦୂରେଇ ଗଲାଣି । ମାଳାର ଦୁଃଖରେ ସେ କାତର ହୋଇପଡ଼ିଚନ୍ତି । ସ୍ୱଳ୍ପଭାଷିଣୀ ମାଳା; ହସନାହିଁ ମୁହଁରେ, ଗମ୍ଭୀର ଭାବରେ ସଦାବେଳେ ଚିନ୍ତିତ-ବ୍ୟଥିତ । ଅନ୍ତର ଭିତରେ ତୀବ୍ର ଅନୁଶୋଚନା । ପୁତ୍ରବିଧୁରା ଜନନୀର ପ୍ରାଣ ଅହରହ ଛଟପଟ ହେଉଚି । ପରିବର୍ତ୍ତନ ଲାଗି ବିବୁଧେନ୍ଦ୍ର ବାବୁ ତାଙ୍କୁ ସଙ୍ଗୀତ ବିଭାଗରେ ଜଣେ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତ କରାଇ ଦେଇଚନ୍ତି । ଦିନେ ସେ ବିବୁଧେନ୍ଦ୍ର ବାବୁଙ୍କୁ କହିଲେ—ମୁଁ ତ କେତେବେଳେ କୁଆଡ଼େ ଚାଲିଯିବି ତା’ର ଠିକଣା ନାହିଁ । କାହିଁକି ଆପଣ ମୋତେ ବନ୍ଧନରେ ପକାଇଲେ ?

 

ହସି ହସି ବିବୁଧେନ୍ଦ୍ର ବାବୁ କହିଲେ—ଅବଲମ୍ବନ ବି ହୀନ ଜୀବନ ଦୁର୍ବିସହ ହୋଇପଡ଼େ ମାଳାଦେବି ! ରବି ନିଶ୍ଚୟ ଫେରିଆସିବ । ଆପଣ କ’ଣ ମନେ କରନ୍ତି, ଆମର ଏତେ ସ୍ନେହ ଶ୍ରଦ୍ଧା ସେ ତୁଚ୍ଛ କରିଦେବ ?

 

ମାଳା ଚାହୁଁଚି ବିବୁଧେନ୍ଦ୍ର ବାବୁଙ୍କ ଆଡ଼କୁ—ଚାହିଁ ରହୁଚି । ଭାବୁଚି ବିବୁଧେନ୍ଦ୍ର ବାବୁ କେତୋଟି ଦିନ ମାତ୍ର ରବିକି ସ୍ନେହ କରିଚନ୍ତି । ସେତିକିରେ ଯଦି ତାଙ୍କ ମନରେ ଅଧିକାରର ଏତେ ବଳିଷ୍ଠ ବିଶ୍ୱାସ ଜନ୍ମିଯାଇଛି, ତେବେ ପେଟରୁ କାଢ଼ି ମଣିଷ କରି ମୋର କଅଣ କିଛି ଆଶା, ଆଶ୍ୱାସନା ଓ ବିଶ୍ୱାସ ନାହିଁ ?

 

ପ୍ରାଣରେ ଆଶା ଜାଗେ, ଭରସା ଆସେ—ରବି ନିଶ୍ଚୟ ଆସିବ, କ୍ଷମା ସେ ନିଶ୍ଚୟ ଦେବ । ଅପେକ୍ଷା କରିବାକୁ ହେବ । ବାଟ ଚାହିଁ ବସି ରହିବାକୁ ହିଁ ପଡ଼ିବ । ପୁଅ ନିଶ୍ଚୟ ଫେରିବ । କିନ୍ତୁ ମନ ପାପ ଛୁଏଁ । କାଳେ କିଛି କେଉଁଠି ଦୁର୍ଘଟଣା ଘଟେ ! ବାୟାଟା କଅଣ ଭାବି କେତେବେଳେ ଯଦି କିଛି ଗୋଟାଏ କଅଣ କରିବ ସେ !

 

ଛାତି ଦାଉଁ ଦାଉଁ ପଡ଼େ ଉଠେ । ଆଖିରୁ ଲୁହ ନିଗିଡ଼ି ପଡ଼େ । ପ୍ରାଣ କାନ୍ଦିଉଠେ । ଶୂନ୍ୟ ଦୃଷ୍ଟିରେ ଆକାଶ ଆଡ଼କୁ ଚାହିଁରହି ମଣିମାଳା ନିରବ ହୋଇ ପଡ଼ିରହେ ।

 

ଛଅଟି ମାସ ପରେ ଚିଠିଖଣ୍ଡିଏ ଆସିଲା, ବିବୁଧେନ୍ଦ୍ର ବାବୁଙ୍କ ନାଆଁରେ—

 

ଆଜ୍ଞା ମୁଁ ଭଲଅଛି । ରୁର୍‍କିରେ ମୁଁ ଡ୍ରାଫସ୍‍ମ୍ୟାନ ପଢ଼ୁଚି । ଟଙ୍କା କଉଡ଼ି ପଠାଇବେ ନାହିଁ । ଏଠି ମୁଁ ସାହାଯ୍ୟ ଯୋଗାଡ଼ କରିନେଇଚି । ମା ସେଠାକୁ ଆସିଥିଲେ ଅଟକାଇ ଥିବେ । କହିବେ ଅନୁତାପ କରୁ । ମୋ ପାଖକୁ ପଠାଇବେ ନାହିଁ । ଆସିଲେ ମୁଁ ଏଠୁଁ ବିଦାୟ ନେବି ବୋଲି ଜାଣିବେ । ମାଆଙ୍କୁ ପ୍ରଣାମ ଦେବେ । ଇତି ।

 

ସ୍ନେହାଧୀନ

ରବି

 

ବିବୁଧେନ୍ଦ୍ର ବାବୁ ନିଜେ ପଢ଼ିସାରି ସ୍ନେହମୟୀଙ୍କୁ ଦେଲେ । ତା’ପରେ ଚିଠିଟା ଆସିଲା ମାଳା ହାତକୁ । ପଢ଼ୁ ପଢ଼ୁ ଛାତି ଭିତରଟା ଫାଟି ପଡ଼ୁଚି । ମନ ହେଉଚି ସଙ୍ଗେ ସଙ୍ଗେ ରୁର୍‍କି ଦୌଡ଼ିଯିବାକୁ । ମାତ୍ର ଭିତରେ ଥାଇ କିଏ ସାବଧାନ କରାଇ ଦେଉଚି । ଅପେକ୍ଷା କର ସେ ନିଜେ ଆସିବ । ଯେତେ କଳଙ୍କିନୀ ହ’, ଯେତେ ଯାହା ହଅ, ତୁ ତା’ର ମାଆ । ରକ୍ତର ମାୟା ତାକୁ ନିଶ୍ଚୟ ତୋ ପାଖକୁ ଦିନେ ଓଟାରି ଆଣିବ ।

 

କଲିକତାରେ ବିକ୍ରମବାବୁ ଏବଂ ବିଶ୍ଵେଶ୍ଵରୀଙ୍କୁ ଛାଡ଼ିଦେଇ ଗାଡ଼ି ଘେନି ଡ୍ରାଇଭର୍ କଟକରେ ପହୁଞ୍ଚିଛି କି ନାହିଁ, ଫୋନ୍ ଆସିଲା—ହ୍ୟାଲୋ, ବାବୁ ଆଉ ମାଆ କଲିକତାରୁ ଗାଡ଼ିଧରି କୁଆଡ଼େ ଚାଲିଗଲେ । କହିଗଲେ ଶଙ୍କର ବାବୁଙ୍କୁ ଫୋନ୍ କରିବ । ସେ ଆସି ଏଠା ଚାବି ହାତକୁ ନିଅନ୍ତୁ । ମୋ ଜିମା ଚାବି ଛାଡ଼ି ଯାଉଚନ୍ତି । କହିଯାଇଚନ୍ତି କିଙ୍କର ବାବୁ କଟକ କଥା ବୁଝନ୍ତୁ । କୁଆଡ଼େ ଗଲେ କହି ନାହାନ୍ତି । ସଙ୍ଗରେ ଦୁଇଖଣ୍ଡି ବିଛଣା ଓ କିଛି ଟଙ୍କାକଉଡ଼ି । ଏଠା ଡ୍ରାଇଭର ଏଠା ଗାଡ଼ିରେ ତାଙ୍କୁ ନେଇଯାଇଚି । ମୁଁ ହେଡ଼୍‍ ଗୁମାସ୍ତା କହୁଚି । ଶଙ୍କର ବାବୁ ତୁରନ୍ତ ଆସନ୍ତୁ । ମୁଁ ଗରିବ ଚାକର; ଏ ବୋଝ ମୁଣ୍ଡାଇ ପାରିବି ନାହିଁ ।

 

ଛୋଟ କର୍ମଚାରୀଟି ହାତରେ ଲୁହା ସିନ୍ଦୁକର ଚାବି ଧରାଇ ଦେଇ ଯାଇଚନ୍ତି ବିକ୍ରମବାବୁ । କଟକ ମେନେଜରଠାରୁ କଲିକତାର ହେଡ଼୍‍ ଗୁମାସ୍ତାକୁ ବେଶି ବିଶ୍ୱାସ ତାଙ୍କର ।

 

କୁଆଡ଼େ ଗଲେ କିଛି କହିଯାଇ ନାହାନ୍ତି । କେବେ ଫେରିବେ ତା’ କହି ନାହାନ୍ତି । ଡ୍ରାଇଭର୍ କେବେ ଫେରିବ ତା’ ବି ଜଣାନାହିଁ । ବଡ଼ ଲୋକଙ୍କର ବଡ଼ କଥା । ଗୋପନରେ ଧୂମାଳ ଉଠେ, ଝଡ଼ ଝଞ୍ଜା ବହିଚାଲେ । କୁଆଡ଼େ ଗଲେ ଜଣା ପଡ଼ୁନାହିଁ । ମାତ୍ର ଦୁଇ ଠାଆର ବ୍ୟବସାୟ ଦୁଇ ପୁଅଙ୍କୁ ସମର୍ପଣ କରି ଚାଲି ଯାଇଛନ୍ତି ।

 

‘‘ଯାଏଁ, ଦେଖିଆସେଁ ।’’

 

ବିବୁଧେନ୍ଦ୍ର ବାବୁ ରୁର୍‍କି ବାହାରିଲେ । ସ୍ନେହମୟୀ କହିଲେ—ମୁଁ ଯିବି ।

 

‘‘ନା । ମୁଁ ଏକା ଯିବି ।’’

 

ରୁର୍‍କି ଇଞ୍ଜିନିୟରିଂ କଲେଜର ଗୋଟାଏ ଶାଖା । ଯୋଜନାର ସଫଳତା ଲାଗି କାରିଗର ଓ ବିଶେଷଜ୍ଞ ବଡ଼ ଅଭାବ ପଡ଼ିଚନ୍ତି । ଇଞ୍ଜିନିୟର୍, ଓଭରସିଅର୍, ଡ୍ରାଫସ୍‍ମ୍ୟାନ୍‍ ଟ୍ରେନିଂ ଦିଆଯାଉଚି ବହୁତ ଶିକ୍ଷାର୍ଥୀ ଛାତ୍ରଙ୍କୁ । ଯୋଜନାର ଅଗ୍ରଗତି ଲାଗି ଅଳ୍ପ ସମୟ ଭିତରେ ବହୁଦିନର ଟ୍ରେନିଂ ଶେଷ କରିଦେବାର ବ୍ୟବସ୍ଥା ମଧ୍ୟ କରାଯାଇଚି । ଶୀଘ୍ର ଚାକିରି କରି ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ରବି ସେଥିରେ ଯୋଗ ଦେଇଚି । ଟ୍ରେନିଂ କାଳ ମଧ୍ୟରେ ଷ୍ଟାଇପେଣ୍ଡ୍‍ ମିଳୁଚି । ବିବୁଧେନ୍ଦ୍ର ବାବୁ ଦେଖିଲେ ଦୃଢ଼ମନ ଘେନି ରବି ଲାଗିପଡ଼ିଚି । ମା ଅର୍ଥାତ୍ ମଣିମାଳା କେଉଁଠାରେ ଏତକି ମାତ୍ର ପଚାରି ନୀରବ ହେଲା । ଆଉ କିଛି ପଚାରିଲା ନାହିଁ । ବିବୁଧେନ୍ଦ୍ର ବାବୁ ସେ କଥା ଆଉ ଉଠାଇଲେ ନାହିଁ । କହିଲେ—ଅଭାବ ପଡ଼ୁଥିବ, ମୁଁ କିଛି କିଛି ଟଙ୍କା ପଠାଇବି ।

 

ହସିଲା ରବି । ଦୁଇଟି ବର୍ଷ ଟ୍ରେନିଂ । ବୋଡିଂରେ ରହେ । ମନଦେଇ ଶିକ୍ଷା ଲାଭ କରେ-। ମନର କେଉଁ କୋଣରେ ଘାଇଲା ଘାଆଟି ବେଳେ ବେଳେ ଯନ୍ତ୍ରଣା ଦିଏ । ଭିତରେ ଭିତରେ ସେ ଛଟପଟ ହୁଏ । ମାତ୍ର ବାହାରକୁ କିଛିମାତ୍ର ପ୍ରକାଶ କରେ ନାହିଁ ।

 

ବିବୁଧେନ୍ଦ୍ର ବାବୁ ଫେରି ଆସିବାରୁ ମାଳା କେତେ କଥା, ପଚାରିଲେ । କହିଲେ—ମୁଁ ଟିକେ ଯାଆନ୍ତି କି, ଦେଖି ଆସନ୍ତି । ବିବୁଧେନ୍ଦ୍ର ବାବୁ ଉତ୍ତର ଦେଲେ—ନା, ଆପଣ ଏଇଠି ଅପେକ୍ଷା କରନ୍ତୁ । ତା’ର ମନ ବଦଳୁ, ସେ ନିଶ୍ଚୟ ଆସିବ ।

 

ସଙ୍ଗୀତ ବିଦ୍ୟାଳୟରେ ଝିଅଗୁଡ଼ିକୁ ତାନପୁରା ଶିଖାଉ ଶିଖାଉ ମାଳା ଆଖିରୁ ଲୁହ ଗଡ଼ାଏ । ତାର ଉପରେ ଅଙ୍ଗୁଳି ଚଳାଉ ଚଳାଉ କରୁଣ ରାଗିଣୀ ଝଙ୍କାରି ଉଠେ । ଭିତରେ ଭିତରେ ମାଆର ପ୍ରାଣ ତା’ର ଏକମାତ୍ର ସନ୍ତାନ ପାଇଁ ଅହରହ ଛଟପଟ ହେଉଥାଏ; କୁରରୀ ପରି କାନ୍ଦୁଥାଏ, ଝୁରୁଥାଏ । ଦିନ ଯାଏ, ରାତି ଆସେ; ମାସ ପୂରେ, ବର୍ଷ ପୂରେ । ଦୁଇଟି ବର୍ଷ ଧୀରେ ଧୀରେ ଗଡ଼ିଚାଲିଲା । ଅପେକ୍ଷା କରି ରହିବା ଅସହ୍ୟ ହେଲା । ତଥାପି ଅପେକ୍ଷା କରିବାକୁ ହିଁ ହେବ । ବିବୁଧେନ୍ଦ୍ର ବାବୁଙ୍କୁ ପଚାରିଲେ କହୁଚନ୍ତି—ନା ବର୍ତ୍ତମାନ ନୁହେଁ । ଅପେକ୍ଷା କରନ୍ତୁ ।

 

ରବି ବିବୁଧେନ୍ଦ୍ର ବାବୁଙ୍କୁ ଚିଠିଦିଏ । ଉତ୍ତର ପାଏ । ମାଆ ପଦୁଟିଏ ସୁଦ୍ଧା ଲେଖେ ନାହିଁ-। ମନେମନେ ଭାବେ ମାଳା—ସତେକି ଅନୁତାପାନଳରେ ଭିତରେ ଦଗ୍‍ଧୀଭୂତ ହେଉଚି-। ମନ ବ୍ୟାକୁଳ ହେଉଚି ଚିଠି ଖଣ୍ଡେ ଲେଖିଦେବାକୁ, ମାତ୍ର ହାତ ଯାଉନାହିଁ । ବେଳେବେଳେ ଜୀବନର ଦୁଃଖସୁଖ ଭାବି ଭାବି ମାଳା ଦୁଃଖ ସାଗରରେ ଅଭିଭୂତ ହୋଇ ଭାସିଉଠୁଚି, ବୁଡ଼ି ଯାଉଚି-। ସ୍ୱାମୀ ଥିଲେ ଛାଡ଼ିଗଲେ । ପାପର କି ସୁନ୍ଦର ରୂପ ଘେନି ଦେଖା ଦେଲେ ବିକ୍ରମବାବୁ, ଭୁଲାଇ ରଖିଲେ କେତେବର୍ଷ । ଚିତ୍ରପରେ ଚିତ୍ର, ତା’ପରେ ଚିତ୍ର । ଅଭିନୟ, ରଙ୍ଗମଞ୍ଚ, ଛାୟାଛବି । ଜୀବନ ନାଟକର ପୃଷ୍ଠା ପୃଷ୍ଠା କେତେ ପୃଷ୍ଠାରେ କେତେ ଦୃଶ୍ୟ । ଆଲବମ୍ ଫିଟାଉ ଫିଟାଉ କେତେ କଅଣ ଦେଖାଯାଉଚି । ନିଜର ଭଲ, ମନ୍ଦ, ପାପ, ପୁଣ୍ୟ, ନାଚ,.ତାମସା, ଗାଡ଼ି, ମଟର, ସିମ୍‍ଲା, ଦାର୍ଜିଲିଂ, କଲିକତା, କଟକ, ବିକ୍ରମବାବୁ, ବୈଦ୍ୟନାଥ ଭାଇ, ଉଷସୀ ଦେବି, ମଦନବାବୁ, ଗୋଟିଏ ଗୋଟିଏ ଚିତ୍ରରେ ଜଣେ ଜଣେ ନାୟକ, ବ୍ୟବସାୟ କ୍ଷେତ୍ରରେ ମେନେଜରୀ ଚାକିରି । ଦରିଦ୍ର ରୁଗ୍‍ଣ ସ୍ୱାମୀର ଛୋଟ କୁଡ଼ିଆ ଭଳି କୋଠା ଖଣ୍ଡିକ ଆଉ କୋଟିପତିର ତ୍ରିତଳ ପ୍ରାସାଦର ସୁଖ ସମ୍ଭୋଗ-। ବହୁରୂପୀ ଜୀବନଟାର ଭଲମନ୍ଦ, ପାପ ପୁଣ୍ୟ, ହାନିଲାଭ ପରେ ଶାନ୍ତିନିକେତନର ସଙ୍ଗୀତ ବିଦ୍ୟାଳୟରେ ପୁତ୍ର ବିଧୁରା ଜନନୀର ପ୍ରାଣ ଝୁରୁଚି, କାନ୍ଦୁଚି, ବିକଳ ହେଉଚି, ଅନୁତାପର ତେଲ କଡ଼େଇ ଭିତରେ ପଡ଼ି ଅହରହ ଛଟପଟ ହେଉଚି । ଭଗବାନ୍ ହେ ! ତ୍ରାହିକର, ଭଲବାଟ ଦେଖାଅ-!! ଗୀତାବାଣୀ ମନଭିତରେ ଝଙ୍କୃତ ହୋଇଉଠେ—

 

ସର୍ବ ଧର୍ମାନ୍ ପରିତ୍ୟଜ୍ୟ

ମାମେକଂ ଶରଣଂ ବ୍ରଜ

ଅହଂ ତ୍ୱାଂ ସର୍ବ ପାପେଭ୍ୟୋ

ମୋକ୍ଷୟିସ୍ୟାମି ମା ଶୁଚ ।

 

ମା ଶୁଚ, ମା ଶୁଚ, ମା ଶୁଚ !

 

ପ୍ରାଣ କାନ୍ଦିଉଠେ । ତାନପୁରା ଉପରେ ରାଗ ରାଗିଣୀ ଘେନି କରୁଣ ସ୍ୱର ଝଙ୍କୃତ ହୋଇଉଠେ—

 

ମା ଶୁଚରେ ମୂଢ଼ ! ମା ଶୁଚ, ମା ଶୁଚ....

 

ଅହଂ ତ୍ୱାଂ ସର୍ବ ପାପେଭ୍ୟୋ

 

ମୋକ୍ଷୟିସ୍ୟାମି ମା ଶୁଚ...

 

ତାନପୁରା ବଜାଇ ଦିନରାତି କାନ୍ଦିଉଠେ ମାଳା । କାନ୍ଦୁଥାଏ, ଅନ୍ୟକୁ କନ୍ଦାଇବାକୁ ତାର ଯନ୍ତ୍ରରେ ସ୍ୱର ଉଠାଉଥାଏ । ଶୁଣି ଶୁଣି ସ୍ନେହମୟୀ କାନ୍ଦିପକାନ୍ତି । ଶୁଣିବା ମାତ୍ରେ ବିବୁଧେନ୍ଦ୍ର ବାବୁ ଦୀର୍ଘଶ୍ୱାସ ଟାଣନ୍ତି ।

 

ଦାର୍ଜିଲିଂର ପୂର୍ବ ପରିଚିତ ରେଷ୍ଟ୍ ହାଉସ୍ ଖଣ୍ଡିକରେ ଅନେକ ଦିନ ବିଶ୍ରାମ ନେଲାପରେ ଏ ନୀଡ଼ ଛାଡ଼ି ଉଡ଼ିଯିବାକୁ ମନ ଛଟପଟ ହେଲାଣି । ସକାଳୁଆ ଈଷତ୍ ନାଲିଆ ସୂର୍ଯ୍ୟ କିରଣ ତଳେ ଦାର୍ଜିଲିଂର ବଣ ଜଙ୍ଗଲ ହସିଉଠୁଚି । ଉପରତଳ ଘରଗୁଡ଼ିକ । ମଝିରେ ମଝିରେ ବୃକ୍ଷଲତାର ଶୋଭା । ଉତ୍ତରକୁ ପର୍ବତମାଳା ତରଙ୍ଗାୟିତ । ସୁରମ୍ୟ କାଞ୍ଚନଜଙ୍ଘାର ଅନୁପମ ଶୋଭାସମ୍ପଦ ଏକ ଚିତ୍ରିତ ପ୍ରଣବ ସଦୃଶ ମନଭିତରେ ଅଦୃଶ୍ୟ ଓଁକାର ଧ୍ୱନି ଉଠାଉଚି । କୋଠରୀ ଭିତରେ ବିଶ୍ୱେଶ୍ୱରୀ ବେକରେ କାନି ଗୁଡ଼ାଇ ଆସନ ଖଣ୍ଡିକ ଉପରେ ବସି ପ୍ରାର୍ଥନା ରତ ଅଛନ୍ତି । ବାହାରକୁ ମୁକ୍ତ ବାରଣ୍ଡାଟିରେ ଖାଲି ଚଟାଣଟା ଉପରେ ବସିପଡ଼ି ବିକ୍ରମବାବୁ ଗୀତାର ପୃଷ୍ଠା ଓଲଟାଉ ଓଲଟାଉ ଦିଗନ୍ତ ବିସ୍ତାରି ବନାନୀର ଶୋଭା ମନେମନେ ଉପଲବ୍‍ଧି କରି ଧୀରେ ଧୀରେ ଉଚ୍ଚାରଣ କରି ଉଠୁଚନ୍ତି—

 

ସର୍ବ ଧର୍ମାନ୍ ପରୀତ୍ୟଜ୍ୟ ମମେକଂ ଶରଣଂ ବ୍ରଜ

ଅହଂ ତ୍ୱାଂ ସର୍ବ ପାପେଭ୍ୟୋମୋକ୍ଷୟିଷ୍ୟାମି ମା ଶୁଚ ।

 

ଧୀରେ ଧୀରେ ସୂର୍ଯ୍ୟ ଉଠିଆସୁଚନ୍ତି । ମନଟା ରେଷ୍ଟ୍‍ ହାଉସ୍‍ରୁ ଉଠୁ ଉଠୁ ହେଲାଣି । ଧୀରେ ପାହାଚ ତଳକୁ କିଏ ଜଣେ ସନ୍ନ୍ୟାସୀ ଆସି ଛିଡ଼ାହେଲେ । କଉପୀନ ଉପରକୁ ବାଘ ଛାଲର ବହିର୍ବାସ, ଦେହସାରା ଭସ୍ମାବୃତ । କାନ୍ଧରେ ଆଉ ଖଣ୍ଡେ ଛାଲ । ହାତରେ ତ୍ରିଶୂଳ ଏବଂ କମଣ୍ଡଳୁ । ମୁଣ୍ଡରେ ଦୀର୍ଘ ଜଟା; ଦାଢ଼ି ନିଶ ପିଙ୍ଗଳ ବର୍ଣ୍ଣ । ଶୁଭ୍ର ବର୍ଣ୍ଣର କପାଳ ଉପରେ ଉଜ୍ଜ୍ୱଳ ଜ୍ୟୋତି ଫୁଟି ଦିଶୁଚି ।

 

ଭିକ୍ଷା । ଭିକ୍ଷା ଦିଅ ମା !

 

ପାହାଚ ତଳକୁ ଓହ୍ଲାଇ ଆସି କିଛି ସମୟ ତାଙ୍କରି ଆଡ଼କୁ ବିକ୍ରମବାବୁ ଏକ ଲୟରେ ଚାହିଁ ରହିଲେ । ତାଙ୍କରି ଆଡ଼କୁ ଚାହିଁରହି ହସୁଚନ୍ତି ସନ୍ନ୍ୟାସୀ । ସତେକି ତାଙ୍କର ଉଜ୍ଜ୍ୱଳ ଚକ୍ଷୁ ଦୁଇଟି ଭିତରୁ ତୀକ୍ଷ୍ଣ ଆଲୋକ ଶିଖା ଦୁଇଟି ବିକ୍ରମବାବୁଙ୍କ ମନ ଭିତରକୁ ବୈଦ୍ୟୁତିକ ଶକ୍ତି ପରି ପ୍ରବେଶ କରି ଯାଉଚି । ବାହାରେ ଅବଲୋକନ; ଭିତରେ ଆଲୋଡ଼ନ । ମନ୍ତ୍ରମୁଗ୍ଧ ପରି ଚାହିଁ ରହିଚନ୍ତି ବିକ୍ରମବାବୁ । ସନ୍ନ୍ୟାସୀ ପଚାରିଲେ—‘‘କଅଣ କହିବ ?’’

 

ହାତଯୋଡ଼ି ମୁଣ୍ଡ ନୁଆଁଇ ପ୍ରଣତି ଜଣାଇଲେ ବିକ୍ରମବାବୁ ।

 

କଅଣ ଚାହାନ୍ତି ଆପଣ ?

 

ବିକ୍ରମବାବୁ ଧୀର ମନ୍ଦ୍ର ସ୍ୱରରେ ପଚାରିଲେ—ସଙ୍ଗରେ ନେଇ ପାରିବେ ମୋତେ ?

 

କୁଆଡ଼େ ଯିବ ବାବା ! ମାୟା ଯେ ସଙ୍ଗେ ସଙ୍ଗେ ବିଦ୍ୟମାନ ।

 

ବ୍ରତଚାରିଣୀକୁ ସଙ୍ଗରେ ଘେନିଲେ କିଛି ବାଧା ଅଛି ?

 

ବାଧା ତ ଅଛି । କିନ୍ତୁ ନେବାକୁ ମନ ଅଛି ତ ନିଅ ।

 

ପ୍ରବୃତ୍ତି ହ୍ୟେସା ଭୂତାନାଂ

ନିବୃତ୍ତିଶ୍ଚ ମହାଫଳା ।

 

ନେଇପାର ସଙ୍ଗରେ । ଭୋଗର ବାଟଦେଇ ଆସିଚ—ତ୍ୟାଗର ବାଟରେ କିଛିଦୂର ଆଗେଇ ଯିବାକୁ ପଡ଼ିବ । ତା’ପରେ ମୁକ୍ତିର ଦ୍ୱାରା ଦେଶରେ ପହୁଞ୍ଚିବା ପାଇଁ ଦୀର୍ଘପଥ ଅତିକ୍ରମ କରି ଚାଲିବାକୁ ପଡ଼ିବ । ଅଭାବ, ଅନାଟନ, ଦୁଃଖ, କଷ୍ଟ ସହି ପାରିବତ ? ଦାର୍ଜିଲିଂର ପ୍ରାସାଦ ଉପରୁ ତଳକୁ ପାଦପକାଇ ବଣ ଜଙ୍ଗଲ ଭିତରେ ପଶି ପାରିବ ତ ?

 

ପାରିବି ସନ୍ନ୍ୟାସୀ ! ସାଧନାର ପଥ କଣ୍ଟକିତ ।

 

ଠିକ୍ କହିଚ ଗୃହୀ, ସଂସାରୀ ! ମାୟାର ବନ୍ଧନରଜ୍ଜୁ ଖୁବ୍ ଶକ୍ତ; ଛିଡ଼ାଇବା ସହଜ ନୁହେଁ-

 

ତଥାପି ଆପଣଙ୍କ ସଙ୍ଗରେ ବାହାରିପଡ଼ିବାକୁ ମନ ହେଉଚି । କାହିଁକି କେଜାଣି ଜଣାନାହିଁ ।

 

ଆସ ତେବେ, ଓହ୍ଲାଇପଡ଼ ।

 

ଆସ ବିଶ୍ୱେଶ୍ୱରୀ ! ଆଗେଇ ଆସ । ପଛରେ ପଡ଼ି ରହିଥାଉ ଜୀବନର ଛାୟାଛବି, ମାୟାରବି ।

 

ଏକ ବସ୍ତ୍ର ହୋଇ ରେଷ୍ଟ୍ ସେଡ୍‍ର ପକ୍କା ଚଟାଣ ଛାଡ଼ି ତଳକୁ ଓହ୍ଲାଇପଡ଼ିଲେ ବିଶ୍ୱେଶ୍ୱରୀ-। ଆଗେ ଆଗେ ସ୍ୱାମୀ; ପଛେ ପଛେ ସ୍ତ୍ରୀ । ଦାର୍ଜିଲିଂ ଛାଡ଼ି ବଣୁଆ ବାଟରେ ସନ୍ନ୍ୟାସୀର ପଛେ ପଛେ ବନାନୀର ଅନ୍ତର ଭିତରକୁ ପାଦ ବଢ଼ାଇ ଧୀରେ ଧୀରେ ଚାଲିବାକୁ ଲାଗିଲେ କୋଟିପତି ବିକ୍ରମରାୟ ଏବଂ ତାଙ୍କ ସ୍ତ୍ରୀ, ହର୍ମ୍ୟତଳ-ବାସିନୀ ଦୁଗ୍ଧଫେନନିଭ ଶଯ୍ୟାଶାୟିନୀ ବିଶ୍ୱେଶ୍ୱରୀ-। ସମୁଦ୍ର ପତ୍ତନରୁ ପାଞ୍ଚ ଛଅ ହଜାର ଫୁଟ ଉଚ୍ଚ ବନ ବିଥିକା, ହିମାଦ୍ରିର ପାଦ ଦେଶରେ ବନମାଳା ପରି ଶୋଭାପାଉଚି । ଭିତରେ ଭିତରେ ପାର୍ବତ୍ୟ ପଲ୍ଲୀ ଏବଂ ଗିରି ନିର୍ଝରଗୁଡ଼ିକ ଶୋଭାପାଉଚି-। ବରଫାବୃତ ହିମାଦ୍ରିର ଶୃଙ୍ଗରାଜି କେବେ ଦିଶିଯାଉଚି, କେବେ ଲୁଚି ରହୁଚି-। କାଞ୍ଚନଜଙ୍ଘାର ସ୍ୱର୍ଣ୍ଣଚୂଡ଼ା ଠାଏ ଦିଶେ, ଠାଏ ଲୁଚେ । ମନ ଭିତରେ ନୈସର୍ଗିକ ଭାବରାଜି ଫୁଟି ଦିଶୁଚି, ଲୁଚିଯାଉଚି-। ଆଗରେ ବ୍ୟାଘ୍ର ଚର୍ମାବୃତ ଦୀର୍ଘବପୁ ଭଷ୍ମବିଭୂଷିତ ସନ୍ନ୍ୟାସୀ, ପଛେ ପଛେ ଚାଲିଚନ୍ତି ପ୍ରକୃତି ଓ ପୁରୁଷ, ବ୍ରତଚାରୀ ବ୍ରତଚାରିଣୀ ଦୁହେଁ । ପ୍ରସ୍ଫୁଟିତ ବନରାଜି ମଧ୍ୟରେ ତରୁଣ ତରୁଣୀ, ଶିଶୁ ବୃଦ୍ଧ ଆଦିବାସୀଗଣ ନଗ୍ନ ସନ୍ନ୍ୟାସୀ ସାନ୍ୟାସିନୀ ପରି, ସଦା ହସହସ ମୁଖ ସନ୍ତୋଷ ଦୋଳାରେ ଦୋଳାୟିତ କୁଟୀରବାସୀଗଣ ଚାହିଁ ରହୁଚନ୍ତି । ପାଖକୁ ଆସୁଚନ୍ତି । ଦୂରେଇ ଯାଉଚନ୍ତି । ନୂତନ ଜୀବନ ଘେନି ନବୀନ ପଥର ପଥୁକି ଦୁଇଟି ଆଗେଇ ଚାଲିଲେ ଆଗକୁ ଆଗକୁ–ବନପୂର୍ଣ୍ଣ ଉଠାଣି ଗଡ଼ାଣି ବନ୍ଧୁର ପଥରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବା ଯାକେ । କାହିଁକି ଗଲେ, କୁଆଡ଼େ ଗଲେ କେହି ଜାଣି ପାରିଲେ ନାହିଁ ।

 

ଦୁଇଟି ବର୍ଷ ପୂରିଲା । ରବିର ପଢ଼ା ସରିଲା । ମାତ୍ର ସେ ଆଉ ପତ୍ର ଦେଲାନାହିଁ । ବିବୁଧେନ୍ଦ୍ରବାବୁ ଚିଠି ଦେଲେ ଫେରିଆସିଲା । ପ୍ରଥମେ ପ୍ରଥମେ ମଣିମାଳାକୁ ସେ ମିଛ ସତ କରି ଏଣୁ ତେଣୁ କହି ବୁଝାଉଥିଲେ । ମାତ୍ର ପରେ ନିଜ ମନଭିତରେ ନିଜେ ଗୋଳେଇ ହେଲେ । କାହାରିକି କିଛି ନକହି ଦିନେ ରୁର୍‍କି ଯାକେ ଦୌଡ଼ିଗଲେ । ମାତ୍ର ନିରାଶ ଅନ୍ତର ଘେନି ଲେଉଟି ଆସିଲେ । ରବି ନାହଁ । କୁଆଡ଼େ ଚାଲିଯାଇଚି ।

 

କୁଆଡ଼େ ଚାଲିଯାଇଚି । ରବି ରୁର୍‍କିରେ ନାହିଁ । ଆସିବ ନାହିଁ ସେ ? ଆସିବାର ଆଶା ନାହିଁ । ତେବେ ମୁଁ କିଆଁ ତା’ ବାଟ ଧରି ପଡ଼ିରହିଚି ?

 

ବ୍ୟାକୁଳ ମଣିମାଳା ବ୍ୟଗ୍ର-ଚଞ୍ଚଳ ହୋଇ ଉଠିଲା । କହିଲା—ମୁଁ ବି ତେବେ ବାହାରିଲି ବିବୁଧେନ୍ଦ୍ରବାବୁ ! ମୁଁ ବି ମୋ ବାଟ ଧରି ଚାଲିଲି । ସଂସାରରେ କେହି କାହାରି ନୁହେଁ ।

 

କାତବ କାନ୍ତା କସ୍ତେ ପୁତ୍ରଃ

ସଂସାରୋୟଂ ଅତୀବ ବିଚିତ୍ର

କସ୍ୟ ତ୍ୱଂ ବା କୁତଃ ଆୟାତଃ

.......ଚିନ୍ତାୟା ଭ୍ରାତ

 

ମୁଁ ବି କାଲି ଚାଲିଲି ବିବୁଧେନ୍ଦ୍ର ବାବୁ ! ମୋତେ ବି ଗୋଟାଏ କିଛି ବାଟ ଧରି ଚାଲିବାକୁ ପଡ଼ିବ । ଠାଆକରେ ପଡ଼ି ରହିଲେ ଜଡ଼ତା ଆସେ । ଗତି ହିଁ ଜୀବନ । ଜଗତଟା ଚାଲିଚି-। ମୁଁ ବି ଚାଲିବି । ଶାନ୍ତିନିକେତନର କ୍ଷୁଦ୍ର ପରିସର ଭିତରେ ପଡ଼ିରହି ପିଞ୍ଜରବଦ୍ଧ ପକ୍ଷୀପରି ନିଜକୁ ମୁଁ ମନେକରୁଚି ।

 

ବିବୁଧେନ୍ଦ୍ର ବାବୁ ଦୀର୍ଘଶ୍ୱାସ ଟାଣି ପଚାରିଲେ—କୁଆଡ଼େ ଯିବେ ଆପଣ ? ରବି ଆସିପାରେ !

 

ଆସିଲେ ଆସିବ ପଛକେ । ମୁଁ ଆଉ ଅପେକ୍ଷା କରିପାରିବି ନାହିଁ । ଦୁନିଆରେ କୋଟି କୋଟି ରବିନାରାୟଣ ଥାଉଁ ଥାଉଁ ଗୋଟାଏ ରବିକି ଅନାଇ ବସି ରହିଥିବି କାହିଁକି ?

 

ପାଗଳିନୀ ନୀଳାର ମନଭିତରେ ହଠାତ୍ ଗୋଟାଏ ଘୂର୍ଣ୍ଣନ ଦେଖାଦେଲା—କୋଟି କୋଟି ରବି ଥାଉଁ ଥାଉଁ ଗୋଟିଏ ରବିକି ଅନାଇ ବସିବି କାହିଁକି ? ମନରେ ସେବା ଭାବ ଜାଗିଚି । ମାଳା କାହାରି କଥା ନଶୁଣି ତହିଁ ଆରଦିନ ସକାଳୁ ବିଦାୟ ନେଇ ନିରୁଦ୍ଦେଶ୍ୟ ପଥ ଉପରକୁ ପାଦ ବଢ଼ାଇଲା । ମୁଣ୍ଡ ଉପରେ ଆକାଶ, ତଳେ ଧରଣୀ । ଆଗିଲି ପିଛିଲି ଚତୁର୍ଦ୍ଦିଗ । ଗାଁ ଗଣ୍ଡା, ବଣ ପାହାଡ଼ ପୂର୍ଣ୍ଣ ରାସ୍ତାଘାଟ । ଯେତେ ବୁଝାଇଲେ ସୁଦ୍ଧା ସେ କାହାରି କଥା ଶୁଣିଲା ନାହିଁ ।

 

-୧୬-

 

ବିଶ୍ୱାସଘାତକ ଦୁନିଆରେ ଅନ୍ଧଭାବରେ କାହାରିକୁ ବିଶ୍ୱାସ କରାଯିବା ଉଚିତ୍ ନୁହେଁ । ଅନେକ ବିଶ୍ୱାସରେ ବିଷ ଦେଇ ଥାଆନ୍ତି । ଚୀନ୍‍ର ପ୍ରଧାନ ମନ୍ତ୍ରୀ ହସି ହସି ଭାରତଭୂମିରେ ପାଦ ଦେଲା ବେଳକୁ ‘ହିନ୍ଦିଚିନା ଭାଇ ଭାଇ’ ବୋଲି ଭାରତର ତୁଙ୍ଗ ନେତାମାନେ କୋଳାକୋଳି କରିଥିଲେ । କେତେ ଛଳରେ ଶରଣାର୍ଥୀ ଓ ଶିକ୍ଷାର୍ଥୀ ବୋଲି ପରିଚୟ ଦେଇ କେତେ ଚିନା ଗୁପ୍ତଚର ଉତ୍ତର ସୀମାରେ ଆଶ୍ରୟ ନେଲେ । ଦୁର୍ଲଂଘ୍ୟ ବୋଲି ଯେଉଁ ହିମାଦ୍ରିକୁ ଭାରତର ଉତ୍ତର ପ୍ରାଚୀର ଭାବି ଭାରତବାସୀ ନିଶ୍ଚିନ୍ତ ହୋଇ ରହିଥିଲେ ସେଇ ବାଟରେ ଧୀରେ ଧୀରେ ଚିନାମାନେ ରାସ୍ତାଘାଟ ନିର୍ମାଣ କରିବାରେ ଲାଗିଲେ । ତଥାପି ବନ୍ଧୁ ବୋଲି ଭାବି ଭାରତ ସାବଧାନ ହେଲାନାହିଁ, କି ଅବିଶ୍ୱାସ କଲା ନାହିଁ । ଫଳରେ ହଠାତ୍ ଦିନେ ଦେଖାଗଲା—ଲଦାଖ ଓ ନେଫା ଅଞ୍ଚଳରେ ମାକମୋହନ ସୀମାରେଖା ଡେଇଁ ବିଶ୍ୱାସଘାତକ ବର୍ବର ଚୈନିକ ସୈନ୍ୟ ଭାରତ ଭିତରକୁ ପଶି ଆସୁଚନ୍ତି । ଅତର୍କିତ ଆକ୍ରମଣ ଏବଂ ଲୁଣ୍ଠନ ଉଦ୍ଦେଶ୍ୟରେ ଉଚ୍ଚ ପାହାଡ଼ ଉପରୁ ବଣଭାଲୁ ପରି ସହସ୍ର ସହସ୍ର ସଂଖ୍ୟାରେ ତଳଭୂମିକୁ ଗଡ଼ି ଆସୁଚନ୍ତି । ଭାରତୀୟ ସୈନିକ ପ୍ରସ୍ତୁତ ନୁହେଁ । ରାସ୍ତାଘାଟ ତିଆରି ହୋଇନାହିଁ । ପ୍ରବଳ ଶୀତରେ ବରଫାବୃତ ଅଞ୍ଚଳରେ ଚଳିବା ପାଇଁ ଭଲ ପୋଷାକପତ୍ର ପାଇନାହିଁ । ତାଙ୍କ ନିକଟରେ ଖାଦ୍ୟ ପାନୀୟ ପହୁଞ୍ଚାଇ ଦେବାପାଇଁ ବାଟ ନାହିଁ, ଘାଟ ନାହିଁ । ନଈନାଳରେ ପୋଲ ନାହିଁ । ହାତରେ ହାତ ହତିଆର ନାହିଁ । ଅଛି କେବଳ ଛୋଟ ଛୋଟ ଘାଟି କେତୋଟି ଏବଂ ଦଳେ ଦଳେ ଅସହାୟ ସୈନ୍ୟ । ଯେଉଁ ଅଞ୍ଚଳରେ କୁଶ କଅଁଳୁ ନାହିଁ ବୋଲି ନେତାମାନେ ମନେ କରିଥିଲେ, ସେହି ଅଞ୍ଚଳରେ ଚିନାମାନେ ଦିନକୁ ଗୋଟିଏ ଦୁଇଟି କରି ଘାଟି ଦାଖଲ କରିବାକୁ ଲାଗିଲେ । ଅସହାୟ ଭାରତୀୟ ସୈନ୍ୟଗୁଡ଼ିକ ହୁଏତ ନୃଶଂସ ଭାବରେ ବର୍ବର ଚିନାଙ୍କ ହାତରେ ମଲେ, ନୋହିଲେ ବନ୍ଦୀହୋଇ ପାଶବିକ ଅତ୍ୟାଚାର ସହ୍ୟ କରିବାକୁ ଲାଗିଲେ । ସାରାଦେଶରେ ଆଶଙ୍କା ଓ ଉତ୍ତେଜନା ବଢ଼ିବାକୁ ଲାଗିଲା । ପୃଥିବୀର ମିତ୍ରଶକ୍ତିମାନେ ଯୁଦ୍ଧ ସରଞ୍ଜାମ ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ ।

 

ପୁରପଲ୍ଲୀ ଓ ସହର ନଗରରେ ନବ ଜାଗରଣ ଦେଖାଦେଲା । ଅକୁଣ୍ଠିତ ଚିତ୍ରରେ ଦେଶରକ୍ଷା ପାଣ୍ଠିକୁ ଲୋକେ ସ୍ୱର୍ଣ୍ଣ ଦାନକଲେ । ଭାରତୀୟ ଯବାନ୍ ସୈନିକମାନଙ୍କ ପାଇଁ ନିଜ ଦେହରୁ ରକ୍ତ ଦେବାପାଇଁ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଆଗେଇ ଆସିଲେ । ଦେଶପାଇଁ ପ୍ରାଣବଳି ଦେବା ନିମନ୍ତେ ବାପ ପୁଅକୁ ପଠାଇଲା । ନେଫା ଓ ଲାଡ଼ାକ୍ ଅଞ୍ଚଳରେ ଜୋର୍‍-ସୋର୍‍-ରେ ଚାଲିଲା ଗଢ଼ାଗଢ଼ି ଓ ପ୍ରତିରୋଧ ।

 

ଠିକ୍ ଏଇ ସମୟରେ ନେଫାର ଡଣ୍ଟକ୍ ପ୍ରୋଜେକ୍ଟରେ କାମ କରିବା ପାଇଁ ନିର୍ମାଣ ବିଭାଗ ତରଫରୁ ଗୋଟିଏ ଦଳ ଓ୍ୱାଲଂଠାକୁ ପଠାଗଲେ । ତ୍ରିଭୁଜପରି ଖଣ୍ଡିଏ ସମତଳ ସ୍ଥାନ । ଉତ୍ତର ପଟର ଦୁଇ ବାହୁ ଉପରେ ଦୁଇଟି ପାହାଡ଼ ଲମ୍ବି ଯାଇଚି । ଗୋଟିଏ ଝରଣା ମଧ୍ୟ ପ୍ରବାହିତ ହେଉଚି । ତ୍ରିଭୁଜର ଭୂମି ତଳକୁ ଧୀରେ ଧୀରେ ଗଡ଼ି ଯାଇଚି ନିମ୍ନ ଭୂମି । ମଝିରେ ଖଣ୍ଡିଏ ଛୋଟ ଉଡ଼ାଜାହାଜ ପଡ଼ିଆ । ତାକୁ ବଢ଼ାଇ ନ ଦେଲେ ଯୁଦ୍ଧ ଜାହାଜ ଓହ୍ଲାଇବାଲାଗି ଯଥେଷ୍ଟ ସ୍ଥାନ ମିଳୁନାହିଁ । ନିର୍ମାଣ ବିଭାଗର କର୍ମଚାରୀମାନେ ସ୍ଥାନୀୟ କୁଲି ସଂଗ୍ରହ କରି ଦଲଦଲିଆ କାଦୁଆ ସ୍ଥାନରେ ପଥର ବିଛାଇ ସମତଳ କରାଉଚନ୍ତି । ଅଳ୍ପକିଛି ଦୂରକୁ ଘାଟି ଜଗୁଆଳ ଭାରତୀୟ ସେନାଛାଉଣି । ସନ୍ଧ୍ୟା ପୂର୍ବରୁ ବେତାର ସମ୍ବାଦ ପହଞ୍ଚିଲା—ନିର୍ମାଣ ବିଭାଗ ସଙ୍ଗେ ସଙ୍ଗେ ପଳାଇ ଆସୁ । ହେଲିକୋପ୍ଟର ଯାଉଚି । ବିଭିନ୍ନ ବେଶରେ ବୁଲୁଥିବା ସି.ଆଇ.ଡି.ମାନେ ଖବର ଦେଲେ—ଧଉଳି ନାଳା ଭିତରଦେଇ ବହୁ ସଂଖ୍ୟକ ଚିନାସୈନ୍ୟ ଆଗେଇ ଆସୁଚନ୍ତି । ଭାରତୀୟ ଛାଉଣିଗୁଡ଼ିକରେ ଆତଙ୍କ ପଡ଼ିଗଲା । କେମିତି ପଳାଇବାକୁ ହେବ । ଭାରତୀୟ ସୈନ୍ୟ ସିନା ଲଢ଼ିବେ, ନିର୍ମାଣ ବିଭାଗ କର୍ମଚାରୀମାନେ ପଳାଇଯିବା ଛଡ଼ା କଅଣ ଆଉ କରିବେ ? ଦୁଇଖଣ୍ଡି ହେଲିକୋପ୍ଟର ପହଞ୍ଚିଲା । ସେଥିରେ ସମସ୍ତେ ଯାଇପାରିଲେ ନାହିଁ । ପଚିଶ ଜଣ ରହିଗଲେ । ଜିନିଷପତ୍ରଗୁଡ଼ିକୁ ପୋଡ଼ିଦିଆଗଲା । ନିଆଁ ଲଗାଇ ନ ଦେଇଥିଲେ ବରଂ ଭଲ ହୋଇଥାନ୍ତା । ନିଆଁ ଦେଖି ଏମାନେ କେଉଁଠାରେ ଅଛନ୍ତି ତାହା ଶତ୍ରୁପକ୍ଷ ସହଜେ ଠଉରାଇ ନେଲେ । ଚାରିଆଡ଼େ ଅନ୍ଧକାର ଘୋଟି ଆସିଲାଣି । ବଣ ଜଙ୍ଗଲ ଭିତରେ ଅସହାୟ ଅବସ୍ଥାରେ ପଚିଶଜଣ କର୍ମଚାରୀ ପ୍ରାଣବିକଳରେ କେଉଁଆଡ଼େ ପଳାଇବେ ତାହା ଠିକ୍ କରିପାରିଲେ ନାହିଁ । ଏତିକି ବେଳକୁ ଜଣେ ଗୁପ୍ତଚର ତୁନିତୁନି ପାଖକୁ ଆସି କହିଲା—ଶତ୍ରୁପକ୍ଷ ପ୍ରାୟ ଚାରିଆଡ଼ୁ ଘେରି ଆସୁଚନ୍ତି । ମେଜର୍ କହିଲେ ‘‘ଗୋଡ଼ରୁ ଜୋତା କାଢ଼ି ପକାଇ ଧଉଳି ନାଳ କରେ କରେ ପଳାଇଯିବା ଆସ । ପାଦରେ ଜୋତା ଥିଲେ ପାହାଡ଼ିଆ ଅଞ୍ଚଳରେ ଚାଲିବା କଷ୍ଟକର ଏବଂ ଶବ୍ଦ ମଧ୍ୟ ହେବ । ଅନ୍ଧକାର ମଧ୍ୟରେ ପାଦରୁ ଜୋତଯାକ କାଢ଼ିପକାଇ ନିମ୍ନ ଦେଶକୁ ଗଛ ଗହଳି ଭିତର ଦେଇ ଲୁଚିଛପି ପଚିଶ ଜଣ ଯାକ ପ୍ରାଣ ଘେନି ପଳାଇବାକୁ ଲାଗିଲେ । ଶୁଖିଲା ନାଳିଟା ଗଭୀର ଏବଂ ତା’ର ଉଭୟ ପାର୍ଶ୍ୱରେ ବଣ ଜଙ୍ଗଲ । ଉଭୟ ପାଖ ବଣଭିତରୁ ଖସ ଖସ ଶବ୍ଦ ଶୁଭୁଥାଏ । ଏମାନଙ୍କୁ ଖୋଜିବା ପାଇଁ ଚିନା ସୈନ୍ୟମାନେ ବଣ ଜଙ୍ଗଲ ଖେଦିଯାଇ ଘୂରି ବୁଲୁଚନ୍ତି । ଗୋଟାଏ ଗୋଟାଏ ସର୍ଚ୍ଚଲାଇଟ ପକାଇ ଚାଲିଥାଆନ୍ତି । ବଣ ଭିତରେ ପ୍ରାୟ ଚାରିମାଇଲ ବାଟ ଅଣ୍ଡାଳି ଅଣ୍ଡାଳି ଚାଲିଲା ପରେ ଏମାନଙ୍କ ମଧ୍ୟରୁ ଅନେକେ କିଏ କୁଆଡ଼େ ରହିଗଲା ତା’ର ଠିକଣା ରହିଲା ନାହିଁ । ଶେଷକୁ ଆଠ ଦଶଜଣ ଏକତ୍ର ହୋଇ ଚାଲୁ ଥାଆନ୍ତି । ତାଙ୍କ ଭିତରେ ମେଜର୍ ଥାଆନ୍ତି । ବାଁ ପାଖ ଗଛ କଡ଼ରୁ ହଠାତ୍ କିଏ ଜଣେ ଏମାନଙ୍କ ଭିତରୁ ଜଣକୁ ଆକ୍ରମଣ କଲା । ଅତି ପାଖରେ ଥିବାରୁ ଗୁଳି ମାରିବାର ସୁବିଧା ହେଲାନାହିଁ । ତେଣୁ ସେ ଜଣକୁ ଲକ୍ଷ୍ୟକରି ବେଅନେଟ୍‍ର ଭୁଷା ମାରିଲା । ଏମାନଙ୍କ ସାଥି ଭିତରୁ ଦୁଇଜଣ ତାକୁ ଅତର୍କିତଭାବରେ ଆକ୍ରମଣ କଲେ । ବେଅନେଟ୍‍ ମୁନଟା ଲକ୍ଷ୍ୟଭ୍ରଷ୍ଟ ହୋଇ ବାଁ ହାତ ବାହୁରେ ସାମାନ୍ୟ ଆଘାତ କଲା । ତା’ପରେ ଉକ୍ତ ଦୁଇଜଣ ଚିନା ସୈନ୍ୟଟିକୁ ମାଡ଼ି ବସିଲେ ଏବଂ ବନ୍ଧୁକ ଛଡ଼ାଇ ନେଇ ତା’ ମୁଣ୍ଡରେ ପ୍ରହାର କଲେ । ଲୋକଟା ପାଟିକରିବାକୁ ଅବସର ପାଇ ପାରିଲା ନାହିଁ । ସାଙ୍ଗେ ସାଙ୍ଗେ ଅଜ୍ଞାନ ହୋଇଗଲା ।

 

ବହାଦୁରମାନେ ସୈନ୍ୟଟିର ମୃତଦେହକୁ କାନ୍ଧରେ ଉଠାଇ ନେଇ ତଳକୁ ଚାଲିବାକୁ ଆରମ୍ଭ କଲେ । ଅନ୍ଧକାର ମଧ୍ୟରେ ଥାଇ କିଛି ଦୂର ଅଗ୍ରସର ହେଲାପରେ ଦେଖିଲେ ଧଉଳି ନାଳାଟି ଗୋଟିଏ ପାର୍ବତ୍ୟ ନଦୀରେ ପଡ଼ିଚି । ଆଗରେ ଗଭୀର ନଦୀ, ପଛରେ ବଣଜଙ୍ଗଲ ଭିତରେ ଚିନା ସୈନ୍ୟଙ୍କ ସର୍ଚଲାଇଟ ପାଖେଇ ଆସୁଚି । ଅନ୍ୟ ଉପାୟ ନଦେଖି ମୃତଦେହଟିରୁ ପୋଷାକ ଘେନି ପଳାଇ ଯିବାକୁ ମେଜର ଆଦେଶ ଦେଲେ । ପୋଷାକ ଫିଟାଇ ଦେଖିଲା ବେଳକୁ ଜଣାପଡ଼ିଲା ସୈନିକଟି ପୁରୁଷ ନୁହେଁ, ସ୍ତ୍ରୀ ଲୋକ । ସେମାନଙ୍କ ମଧ୍ୟରେ ଅନେକ ନାରୀ ସୈନିକଶ୍ରେଣୀଭୁକ୍ତ ହୋଇ ବନ୍ଧୁକ ଧରି ଜୀବନମୂର୍ଚ୍ଛା ଭାରତ ଭିତରକୁ ପ୍ରବେଶ କରୁଚନ୍ତି । ପୁରୁଷ ସୈନିକମାନେ ଭାରତୀୟ ଘାଟି ଦଖଲ କଲାବେଳକୁ ନାରୀ ସୈନ୍ୟମାନେ ବନ୍ଧୁକଧରି ଗାଁ ଗାଁ ପଶି ଲୁଣ୍ଠନ କରୁଛନ୍ତି ଏବଂ ଆବଶ୍ୟକ ସ୍ଥାନରେ ଯୁଦ୍ଧ ମଧ୍ୟ କରୁଚନ୍ତି ।

 

ଭାବିଲାବେଳକୁ ବେଳ ନାହିଁ । ଚିନା ସୈନ୍ୟମାନେ ଅତି ନିକଟକୁ ଆସିଗଲେଣି । ଅନ୍ୟ ଗତି ନଦେଖି କର୍ମଚାରୀ କେତେଜଣ ନଦୀରେ ଗଭୀର ପାଣି ଭିତରକୁ ଡେଇଁପଡ଼ିଲେ । ପାହାଡ଼ିଆ ନଈରେ ପ୍ରବଳ ସ୍ରୋତ । ହିମାଳୟର ତଳ ଦେଶ । ପାଣିଯାକ ବରଫ ପରି ଥଣ୍ଡା ହୋଇଚି । ଦିହହାତ କୋଲ ମାରିଯାଉଛି । ଦେହରେ ପୁଣି ମୋଟା ମୋଟା ପୋଷାକ; ପାଣି ଖାଇ ଧୀରେ ଧୀରେ ଓଜନିଆ ହୋଇଯାଉଛି । ପଛରୁ ଜାଣିପାରି ଚିନାମାନେ ଯଥାସମ୍ଭବ ଲକ୍ଷ୍ୟ କରି ଗୁଳି ମାରୁଚନ୍ତି । ପାଣିଭିତରେ ପ୍ରବଳବେଗରେ ଭାସି ଯାଉଯାଉ କାହାରି କାହାରି ଦିହ ହାତରେ ଗୁଳି କେତେଟା ବାଜିଲା । ବର୍ବର ଚିନା, ପାଣି ଭିତରେ ଭାସି ବୁଡ଼ି ପଳାଇ ଗଲା ବେଳକୁ ମଧ୍ୟ ଗୁଳି କରୁଚନ୍ତି । ଜଣେ ଦିଜଣ ଖଣ୍ଡିଆ ମଣ୍ଡିଆ ହୋଇଗଲେଣି । ସୁଅ ଜୋର୍‍ ଅଛି ବୋଲି ଭସାଇ ନେଉଚି । ଏତିକି ମାତ୍ର । ମିଲିଟେରୀ କ୍ୟାମ୍ପରେ ଟ୍ରେନିଂବେଳେ ପହଁରିବା ଶିକ୍ଷା ଦିଆଯାଏ । ସେଇଥିପାଇଁ ଆଜି ଏ ଦଳଟି କୌଣସି ପ୍ରକାରେ କୋଡ଼ିଏ ପଚିଶ ମିନିଟ ପହୁଁରି ପହୁଁରି ପ୍ରାୟ ପାଞ୍ଚ ଛଅ ମାଇଲ ବାଟ ଭାସି ଯାଇ ପାରିଲେ । ଚିନାସୈନ୍ୟ ପଛରେ ରହିଗଲେ ସତ; ମାତ୍ର ଥଣ୍ଡା ପାଣି ଏବଂ ଓଦା ପୋଷାକର ଓଜନ ଘେନି ଆଉ ପହଁରିବା ପାଇଁ କାହାରି ପ୍ରାୟ ଶକ୍ତି ନାହିଁ । ହୁଏତ ଜଣେ ଦିଜଣ ବାଟରେ ବୁଡ଼ି ମଲେଣି । ବାକି ଅଛନ୍ତି ସାତ ଆଠଜଣ ଅବଶିଷ୍ଟ । ପାଦ ବଢ଼ାଇଲା ବେଳକୁ ତଳକୁ ପାଉନାହିଁ, ହାତ ହଲାଇଲା ବେଳକୁ ହାତ ଅଟକି ଯାଉଚି । ଭାସି ରହିବାକୁ ମନ କଲା ବେଳକୁ ମାଧ୍ୟାକର୍ଷଣ ଶକ୍ତି ପାଣିତଳକୁ ଭିଡ଼ୁଚି । ବଞ୍ଚି ରହିବାକୁ ପ୍ରାଣର ବ୍ୟାକୁଳତା । ଚାରିଆଡ଼ ଘନ ଅନ୍ଧକାରାଚ୍ଛନ୍ନ । ଆଉ ହେବ ନାହିଁ; ଏକମାତ୍ର ଭରସା ଭଗବାନଙ୍କଠାରେ ! ମେଜର୍‍ କହିଉଠିଲେ—ଦମ୍ଭ ଧରି ଭାସିବାକୁ ଚେଷ୍ଟାକର ଯବାନମାନେ । ସାହସ ହରାଅ ନାହିଁ । ହୃତ୍‍ପିଣ୍ଡରେ ବିନ୍ଦୁଏ ମାତ୍ର ରକ୍ତ ଉଷୁମ ଥିବା ପର୍ଯ୍ୟନ୍ତ ଆମେ ବଞ୍ଚିବାକୁ ଚେଷ୍ଟା କରିବୁ ।

 

ହେମାଳରେ ଦିହହାତ କୋଲ ମାରି ଯାଉଚି । ଚିତ୍ ହୋଇ ସମସ୍ତେ ପଡ଼ିରହିଚନ୍ତି ଏବଂ ଭାସିଚାଲିଚନ୍ତି । ହଠାତ୍ ଗୋଟିଏ ମୋଡ଼ ପଡ଼ିଲା । ନଈଟା ସେଠି ଅଣଓସାରୀ । ଗୋଟି ଗୋଟି ହୋଇ ସମସ୍ତେ କୂଳକୁ ଲାଗିଗଲେ । ଗଛ ଲଟା ଧରି ଭଗବାନଙ୍କୁ ଡାକି ଘନ ଅନ୍ଧକାର ଭିତରେ ବାକିଥିବା ସାତଜଣ ଓଦା ସଡ଼ ସଡ଼ ହୋଇ ଅତୁଡ଼ି ଉପରକୁ ବହୁ କଷ୍ଟରେ ଉଠିଗଲେ । ତଣ୍ଟି ଅଠା ଅଠା ହୋଇ ଗଲାଣି । ଦେହ ଶୀତଳ ହୋଇ ଆସୁଚି । ଅଦୂରରେ ଦୁକୁ ଦୁକୁ ହୋଇ ନିଆଁ ଟିକେ ଦେଖାଯାଉଚି । ସନ୍ଧ୍ୟା ପରେ ନଈ-କୂଳର ଚଲାବାଟ ଉପରେ କେଉଁ ଅସାମୀ ପଥିକ ନିଆଁ ଜାଳି ରନ୍ଧା ବଢ଼ା କରି ଖାଇ ଯାଇଚି । ନିଆଁ ସରିଯିବା ଉପରେ । ଦୁକୁ ଦୁକୁ ଜଳୁଚି । ଧୀର ପବନରେ ଜୀବନର କ୍ଷୀଣରେଖା ପରି ଧୁକ୍ ଧୁକ୍ ହେଉଚି । ପାଖକୁ ଯାଇ ପାଖରେ ପଡ଼ିଥିବା ଶୁଖିଲା କାଠ ପୁଳିଏ ତା’ ଉପରକୁ କୁଢ଼ାଇ ଦେବାକୁ କାହାରି ଶକ୍ତି ପାଉନାହିଁ । ଶେଷକୁ ଦଳର ନେତା ମେଜର୍ ନିଜେ ନିଜର ଶରୀରଟାକୁ ଏକ ପ୍ରକାର ଓଟାରି ଓଟାରି ଘୋଷାରି ଘୋଷାରି ତା’ ପାଖକୁ ନେଲେ । ଶୁଖିଲା ଡାଙ୍ଗଡୁଙ୍ଗା ଗୋଟେଇ ତା’ ଉପରେ ପକାଇଲେ । ଚାହୁଁ ଚାହୁଁ ହୁତ୍ ହୁତ୍ ହୋଇ ନିଆଁ ଜଳିଉଠିଲା । ଓଦା ପୋଷାକ ଦେହରୁ କାଢ଼ି କିଛି ସମୟ ସେକି ହେଲାପରେ ମେଜର୍ ଏକପ୍ରକାର ସୁସ୍ଥ ହେଲେ । ତା’ପରେ ଜଣ ଜଣ କରି ସମସ୍ତଙ୍କୁ ସାହାଯ୍ୟ କରି ନିଆଁ ପାଖକୁ ଟାଣିନେଲେ । ତେତେବେଳକୁ ଜଣେ ମରିଗଲାଣି । ବାକି ଛଅଜଣ ନିଆଁରେ ସେକି ହୋଇ ରାତି ଗୋଟାଏ ଦୁଇଟା ବେଳକୁ ଅନୁଭବ କରିପାରିଲେ ଯେ ସେମାନେ ବାସ୍ତବିକ୍ ବଞ୍ଚି ରହିଚନ୍ତି ।

 

ସେଇ ବଣ ଭିତରେ ଚାରିଆଡ଼ୁ ବହି ଆସୁଥିବା ଶୀତୁଆ ପବନ ଭିତରେ ଛଅଜଣ ମାତ୍ର ଯୁଦ୍ଧବିଭାଗୀୟ କର୍ମଚାରୀ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ରାତିଟି ପୁହାଇଲେ । ସାମାନ୍ୟ ଖଣ୍ଡିଏ ଖଣ୍ଡିଏ ଅଣ୍ଡର ଓୟାର୍ ଦିହରେ ଶୁଖିଲା । ପାଖରେ ଖାଦ୍ୟ କିଛି ନାହିଁ । ପାନୀୟ ନଦୀଜଳ, ପାଖରେ ଥିଲେ ସୁଦ୍ଧା ଅତୁଡ଼ି ତଳକୁ ଗଡ଼ିବାକୁ ସାହସ ହେଉନାହିଁ । ଏଇ ନଈ ଚିନାଙ୍କ କବଳରୁ ବଞ୍ଚାଇ ଆଣିଚି, ପୁଣି ଏଇ ନଈର ଗଭୀର ପାଣିକି ପ୍ରାଣପଣେ ଭୟ । ମନୁଷ୍ୟର ଭୟର କାରଣ ସମସ୍ତେ–ପ୍ରକୃତି ଓ ଜୀବଜନ୍ତୁ । ରାତିଟି ଭିତରେ ହୁଏତ ନିଆଁ ଭୟରେ କୌଣସି ହିଂସ୍ରଜନ୍ତୁ ଆକ୍ରମଣ କରିପାରି ନାହାନ୍ତି ।

 

ସକାଳୁ ଦେଖାଗଲା ପ୍ରାୟ ଦୁଇ ମାଇଲ ଦୂରରେ ଗୋଟିଏ ଅନୁଚ୍ଚ ପାହାଡ଼ର ଚଢ଼ାଣି ଉପରେ ଖଣ୍ଡିଏ ଛୋଟ ଗାଁ ଦେଖାଯାଉଚି । ରାତି ଭିତରେ ଚାରିଆଡ଼ର ବଣ ଜଙ୍ଗଲ ଯେତେ ଭୟଙ୍କର ବୋଧ ହେଉଥିଲା ବାସ୍ତବରେ ତାହା ତେତେ ନୁହେଁ । ଗାଉଁଲି ଚଲାବାଟଦେଇ ଖଚର ଉପରେ ଜିନିଷପତ୍ର ବୋଝାଇ କରି ପାହାଡ଼ି ଲୋକେ ନିଜ ନିଜର ବେପାର ବାଣିଜ୍ୟ ଧରି ଧାଡ଼ି ଧାଡ଼ି ହୋଇ ଚାଲିଚନ୍ତି । ତାଙ୍କ ଭାଷା ବୁଝିହୁଏ ନାହିଁ । ଓଦା ପେଣ୍ଟଲୁନ୍‍ ଖଣ୍ଡିକମାନ ପିନ୍ଧିପକାଇ ଏମାନେ ଉଠି ଧୀରେ ଧୀରେ ଗାଁ ଆଡ଼କୁ ଚାଲିଲେ ।

 

ଛୋଟ ହେଲେ ସୁଦ୍ଧା ଗାଁ’ଟିଭିତରେ ଟେଲିଗ୍ରାଫ୍ ଅଫିସ୍ ଓ ଡାକ୍ତରଖାନା ଥାଏ । ଲୋକେ ହିନ୍ଦୀ ବୁଝନ୍ତି । ଗାଁ ଲୋକଙ୍କ ପାଖରୁ କିଛି ପଇସା ସଂଗ୍ରହ କରି ମେଜର୍‍ ବମ୍‍ଡ଼ିଲା ଠାକୁ ଜରୁରି ଟେଲିଗ୍ରାମ୍‍ଟିଏ ପଠାଇ ଖାଦ୍ୟ ଅନ୍ୱେଷଣରେ ଲାଗିଲେ । ପୋଷାକପତ୍ରଗୁଡ଼ିକ ଶୁଖାଇ ଦିଆଗଲା । ଗାଁଲୋକେ ଏମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା ଜାଣିପାରି ଯଥା ସମ୍ଭବ ଅତିଥି ସତ୍କାର କରିବାରେ ତ୍ରୁଟି କଲେ ନାହିଁ । ମେଜରଙ୍କ ପକେଟରେ ଖଣ୍ଡେ ଫିଲଡ୍‍ ପତାକା ଥାଏ । ଲମ୍ବ ବାଉଁଶ ଗୋଟିଏ ସଂଗ୍ରହକରି ତା’ ଅଗରେ ବାନ୍ଧି ଗାଁ ମୁଣ୍ଡ ସର୍ବୋଚ୍ଚ ଗଛଟି ଉପରେ ବାନ୍ଧି ଦିଆଗଲା । ତା’ପରେ ହେଲିକୋପ୍ଟର ଆସିବା ଆଶାରେ ସମସ୍ତେ ଅପେକ୍ଷା କରି ରହିଲେ ।

 

ଦିନେ ଗଲା । ଦୁଇ ଦିନ ଗଲା । ବମ୍‍ଡ଼ିଲାରେ ନିଶ୍ଚୟ ଟେଲିଗ୍ରାମ୍‍ଟି ଯଥାସମୟରେ ପହୁଞ୍ଚିଥିବ । ତେତେବେଳକୁ ଓ୍ୱାଲଂର ପତନ ଘଟିଗଲାଣି । ଚିନାଙ୍କ ହାତକୁ ଆଉ ଗୋଟିଏ ଦୁଇଟି ଘାଟି ଚାଲି ଗଲାଣି । ବମ୍‍ଡ଼ିଲା ଆଡ଼କୁ ଗଡ଼ିଲେଣି ଆଉ ଦଫେ ଚିନା ଅନ୍ୟବାଟ ଦେଇ । ବହୁତ ଖୋଜି ଖୋଜି ତୃତୀୟ ଦିନ ବାରଟାବେଳକୁ ହେଲିକୋପ୍ଟରଟି ଆସି ପହଞ୍ଚିଲା । ଓ୍ୱାଲଙ୍ଗ୍ ଛାଡ଼ି ପଳାଇ ଆସିବା ବାଟରେ ଯାହା ଦିହରେ ବେଅନେଟ୍ ମୁନ ବାଜିଥିଲା, ଶୀତରାତିରେ ପାଣିରେ ଭାସି ଭାସି ଆସି ତା’ର ଅବସ୍ଥା ତେତେବେଳକୁ ସାଂଘାତିକ ହେଲାଣି । ଏକଶହ ତିନି ଡିଗ୍ରୀ ଜରରେ ସେ ଅଜ୍ଞାନ । ସ୍ଥାନୀୟ ଡାକ୍ତର ଦୁଇଦିନ ହେଲା ଯେତେ ଯାହା ଔଷଧ ଦେଉଛନ୍ତି କିଛି ଫଳ ହେଉନାହିଁ । ବେଅନେଟ୍ ମୁନା ବାଜି ଘା ହେଲେ ଚିକିତ୍ସା ଦୋସରା । କୌଣସିପ୍ରକାରେ ସମସ୍ତଙ୍କୁ ହେଲିକୋପ୍ଟର ଉପରକୁ ଉଠାଇ ଗାଁବାଲାଙ୍କଠାରୁ ମେଜର୍‍ ବିଦାୟ ନେଲେ । ଦେଶପାଇଁ ଏମାନେ ପ୍ରାଣ ଦେଉଚନ୍ତି । ଗାଁଲୋକେ ଫୁଲମାଳା ଦେଇ ବିଦାୟ ନେଲେ । ହେଲିକୋପ୍ଟର ଧୀରେ ଧୀରେ ଉପରକୁ ଉଠିଲା । ପାଇଲଟ୍ କହିଲେ—ବମ୍‍ଡ଼ିଲା ଯିବାକୁ ପଡ଼ିବ ନାହିଁ । ସେଠାଛାଡ଼ି ପଳାଇ ଆସିବାକୁ ଆଦେଶ ଗଲାଣି । ଆମକୁ ସାମାନ୍ୟ ପୂର୍ବକୁ ଆଉ ଗୋଟିଏ ଘାଟିରେ ଓହ୍ଲାଇବାକୁ ପଡ଼ିବ ।

 

କିଛିସମୟ ଉଡ଼ିବା ପରେ ଗୋଟିଏ ପାର୍ବତ୍ୟ ସମତଳ ଗାଆଁରେ ହେଲିକୋପ୍ଟରଟି ଓହ୍ଲାଇଲା । ଗାଁ ବାହାରେ ଛାଉଣି ପଡ଼ିଚି । ଗାଁ ଭିତରର ଆସ୍‍-ବେଷ୍ଟସ୍‍ ଛାଉଣି ଇସ୍କୁଲ ଘରଟିରେ ବିଭିନ୍ନ ଘାଟିରୁ ଅଣାଯାଇଥିବା ଆହତ ରୋଗୀମାନଙ୍କୁ ରଖାଯାଇ ଚିକିତ୍ସା କରାଯାଉଚି । ସୁଦକ୍ଷ ଚିକିତ୍ସକ କେତେଜଣ ଏବଂ ଅନ୍ୟାନ୍ୟ ସାହାଯ୍ୟକାରୀ ଅଛନ୍ତି । କ୍ୟାମ୍ପ୍ ଡାକ୍ତରଖାନା । ଗାଁ ଲୋକଙ୍କ ଭିତରୁ କେହି କେହି ବେଳେ ବେଳେ ବୁଲିଆସି ଦେଖିଯାଉଚନ୍ତି ।

 

ରାତି ଆଠଟାବେଳକୁ କେତୋଟି ରୋଗୀର ଅବସ୍ଥା ଖରାପ ହେଲା । ଗୁଳି ଚୋଟରେ ଆହତ କିମ୍ବା ବେଅନେଟ୍ ମୁନରେ ଆହତ ରୋଗୀମାନଙ୍କୁ ସାଧାରଣତଃ ପ୍ରବଳ ଜ୍ୱର ହୁଏ । ବିଭିନ୍ନ ସ୍ଥାନରୁ କେତେଗୁଡ଼ିଏ ସ୍ଵେଚ୍ଛାସେବିକା ଆସି ଯୋଗ ଦେଇଛନ୍ତି । ଦରମା ପାଉଥିବା ନର୍ସମାନଙ୍କଠାରୁ ସେମାନଙ୍କ ସେବା ସୁଶ୍ରୁଷା ଅଧିକ ବେଶୀ । ସେମାନେ ପ୍ରାଣଦେଇ ଦେଶପାଇଁ ପ୍ରାଣଦେଉଥିବା ଯବାନମାନଙ୍କୁ ସେବା କରୁଚନ୍ତି । ଗୋଟିଏ ଏକଶ ପାଞ୍ଚଡିଗ୍ରୀ ଜ୍ୱର ଭୋଗୁଥିବା ରୋଗୀର ମୁଣ୍ଡ ପାଖରେ ବସି ଜଣେ ସ୍ଵେଚ୍ଛାସେବିକା କପାଳ ଉପରେ ବରଫ ମୁଣା ଧରିଚନ୍ତି । ରୋଗୀ ଅଜ୍ଞାନ ହୋଇପଡ଼ି ବାଉଳା ଚାଉଳା ବକି ଚାଲିଚି—ମାଆ, ମାଆ ! ବିଶ୍ୱାସଘାତକ ଦୁନିଆରେ କାହାରିକି ବିଶ୍ୱାସ ନାହିଁ....ବିଶ୍ୱାସ ନାହିଁ ।

 

ରୋଗୀ ଆଖିମେଲି ଅନାଉନାହିଁ । ଆଖିବୁଜି କହିଚାଲିଚି—ବିବୁଧେନ୍ଦ୍ର ବାବୁ, ଗୁରୁଜୀ ! ଆପଣଙ୍କୁ ନଜଣାଇ ଛାଡ଼ି ଚାଲିଆସି ଭୁଲ କଲି । କ୍ଷମା ଦେବେ । ମୁଁ ଆଉ ବଞ୍ଚିବି ନାହିଁ । ବଞ୍ଚିବା ଦରକାର ନାହିଁ ମୋର । ବର୍ବର ଚିନାର ବେଅନେଟ୍ ମୁନର ବିଷରେ ଘାରିହୋଇ ମୁଁ ମରେ । ମରିଯାଏଁ । ଅଧିକାରୀ ବିଜୟ କୃଷ୍ଣଙ୍କ ବଂଶ ଲୋପ ହୋଇଯାଉ ।

 

କପାଳରେ ବରଫ୍‍ ଖଣ୍ଡେ ବୁଲାଉ ବୁଲାଉ କଇଁ କଇଁ ହୋଇ କାନ୍ଦି ପକାଉଚନ୍ତି ସ୍ଵେଚ୍ଛାସେବିକା । ଅସ୍ପଷ୍ଟ ସ୍ୱରରେ କହୁଚନ୍ତି—ଧନରେ ମୋର ! ମଣିରେ ମୋର ! ମୁଁ ପାପୀୟସୀ ମରିଯାଏଁ । ତୁ ଉଠି ବସ ବାପ ! ତୋ ଦେହ ଭଲ ହୋଇଯାଉ ।

 

ଡାକ୍ତର ଆସି ପରୀକ୍ଷା କରି ଯାଉଚନ୍ତି । ନର୍ସ ଆସି ଇଞ୍ଜେକ୍‍ସନ ଦେଇ ଯାଉଚନ୍ତି । ଯିଏ ସେଠାକୁ ଆସୁଚି ରୋଗୀ ଆଡ଼କୁ ନ ଅନାଇ ସେ ଚାହୁଁଚି ସ୍ଵେଚ୍ଛାସେବିକାଙ୍କ ମୁହଁ ଆଡ଼କୁ । ଇଏ କଅଣ ହେଲା ? ସେବିକାର ଆଖିରେ ଲୁହ କାହିଁକି ? ଡାକ୍ତର କହୁଚନ୍ତି—ଆପଣ କାନ୍ଦୁଚନ୍ତି କାହିଁକି ? କେତେ ରୋଗୀ ଆସୁଛନ୍ତି; ବଞ୍ଚୁଚନ୍ତି ମରୁଚନ୍ତି । ଆମର କର୍ତ୍ତବ୍ୟ ନିଷ୍ଠାର ସହିତ ଆମେ କରିଯିବା ସିନା, କାନ୍ଦିବା କିଆଁ ? ସେବାହିଁ ଆମର ବ୍ରତ । ଅମ୍ଳାନ ବଦନରେ ସେବା କରିଯିବାହିଁ ଆମର ଏକମାତ୍ର ଧର୍ମ ।

 

ଉତ୍ତର କିଛି ଦେଇପାରୁନାହାନ୍ତି ସେବିକା । ବରଫ ମୁଣା ରୋଗୀର ମୁଣ୍ଡ ଉପରେ ଗଡ଼ାଉ ଗଡ଼ାଉ ଝର ଝର କାନ୍ଦି ପକାଉଚନ୍ତି । ପ୍ରାଣପକ୍ଷୀ ଭିତରେ ଭିତରେ ଅଧୀର ହୋଇ ଛଟପଟ ହେଉଛି । ସତେକି ସେ ଚଟାଣ ଉପରକୁ ଗଡ଼ିପଡ଼ିବେ ।

 

ରୋଗୀର ଉତ୍ତାପ ପରୀକ୍ଷା କରୁ କରୁ ଡାକ୍ତର କହୁଚନ୍ତି—ଅଧୀର ହୁଅନ୍ତୁ ନାହିଁ ଆପଣ-? ହୁଏତ ଉଠିଯାଆନ୍ତୁ । ଅନ୍ୟ କେହି ଆସିବେ । ଏତେ ବିକଳ ହେଲେ କି ସେବା ଆପଣ କରିବେ-?

 

ମୁଁ ମରିବି ଡାକ୍ତର ବାବୁ ! ମୋର ପୁଅ ରବି ଇଏ । ଏକମାତ୍ର ସନ୍ତାନ । ଆପଣ ଏକୁ ବଞ୍ଚାନ୍ତୁ । ପ୍ରାଣଟିକି ମାଗିଲେ ଦେବାକୁ ମୁଁ ପ୍ରସ୍ତୁତ ଅଛି ।

 

ରୋଗୀର ଶେଯ ଚାରିପଟେ ଗହଳି ଜମିଗଲା । ସେବାକାରିଣୀର ସନ୍ତାନ ରବିନାରାୟଣ ଅଧିକାରୀ ! କିଏ ଇଏ ? ଆଉ କିଏ ତା’ର ମାଆ ? ଚହଳ ପଡ଼ିଗଲା । ଆହତ ପୁଅକୁ କୋଳରେ ଧରି ସ୍ଵେଚ୍ଛାସେବିକା ମାଆ ବସିରହି କାନ୍ଦି କାନ୍ଦି ଅଜ୍ଞାନ ହୋଇ ଯାଉଚି । ଛଡ଼ାଇଲେ ଛାଡ଼ୁନାହିଁ । ଉଠାଇ ଦେଲେ ଉଠୁନାହିଁ ।

 

‘‘ମୋ ଧନରେ, ମୋ ମଣିରେ, ମୋ ରବିରେ !’’

 

ସ୍ଥାନୀୟ ଗୋଟିଏ ମଠର ଅଧୀନରେ ସ୍କୁଲଟି ପରିଚାଳିତ । ମଠର ସନ୍ନ୍ୟାସୀ କେତେଜଣ ମଝିରେ ମଝିରେ ବୁଲି ଆସି ବିଭିନ୍ନ ପ୍ରକାରର ସାହାଯ୍ୟ କରି ଯାଆନ୍ତି । ମଠ ତରଫରୁ ଦୁଗ୍ଧ, ଫଳ, ଓ ବିଭିନ୍ନ ପଥ୍ୟ ଯୋଗାଇ ଦିଆଯାଏ । ରୋଗୀଟିକୁ ଘେନି ସ୍ଵେଚ୍ଛାସେବିକା ମାଆ ତା’ର କାନ୍ଦୁଚି, ଗଡ଼ୁଚି । ଏ ଖବର ପାଇ ମଠର ସନ୍ନ୍ୟାସୀ ଦୁଇଜଣ ଦେଖିବା ପାଇଁ ଧାଇଁ ଆସିଚନ୍ତି । ଖଟିଆ ପାଖକୁ ଯାଇ ଦେଖିଲେ ଇଏ ଆଉ କେହି ନୁହେଁ; ରବିନାରାୟଣ ଏବଂ ତା’ର ମା ମଣିମାଳା । ପାଖକୁ ଘୁଞ୍ଚିଯାଇ ରୋଗୀର ଦେହରେ ହାତ ବୁଲାଇଲା ବେଳକୁ ମାଳା ଚାହିଁଦେଇ ଚମକିଉଠିଲା—ବିକ୍ରମବାବୁ !

 

ମଣିମାଳା କାନ୍ଦୁଚନ୍ତି, ସନ୍ନ୍ୟାସୀ ବେଶରେ ବିକ୍ରମବାବୁ କାନ୍ଦୁଚନ୍ତି । ରବି ଅଜ୍ଞାନ ହେଇ ପଡ଼ିରହିଚି । ଡାକ୍ତର ଆସି ଇଞ୍ଜେକ୍‍ସନ ଫୋଡ଼ିଲେ । ନର୍ସ ଓ କମ୍ପାଉଣ୍ଡର୍‍ମାନେ ଏ ଦୃଶ୍ୟ ଦେଖି ଇଏ ତା’ ମୁହଁକୁ ଏବଂ ସେ ଇଆ ମୁହଁକୁ ଚାହୁଁଚନ୍ତି । କେହି ବିଛି ବୁଝିପାରୁ ନାହିଁ କି କେହି କାହାରିକି କିଛି ବୁଝାଇ ପାରୁନାହିଁ । ଧୀରେ ଧୀରେ ରାତି ଗଡ଼ି ଚାଲିଚି । ସାଥୀ ସନ୍ନ୍ୟାସୀ ଗୀତାର ଗୋଟିଏ ଶ୍ଳୋକ ଉଚ୍ଚାରଣ କରି ଉଠୁଚନ୍ତି—

 

ଜାତସ୍ୟହି ଧୃବୋମୃର୍ତ୍ୟୁ ଧୃବଂ ଜନ୍ମ ମୃତସ୍ୟ ଚ

ତସ୍ମାଦ ପରିହାର୍ଯୋର୍ଥେ ନ ତ୍ୱଂ ଶୋଚିତୁମହର୍ଷି ।

 

-୧୭-

 

ତିନି ଦିନ ଚାରି ଦିନ ପରେ ରବି ଭଲ ହୋଇଯାଇଚି । ଖଟିଆ ଛାଡ଼ି ବୁଲି ବୁଲି ସେ ମଠଉଦ୍ୟାନର ଗୋଟିଏ ଫୁଲଗଛ ମୂଳେ ବିଶ୍ରାମ କରୁଚି । ପାଖରେ ବସି ମଣିମାଳା କହୁଚନ୍ତି—ରୁର୍‍କିରୁ ପଳାଇ ଆସି କୁଆଡ଼େ ଗଲୁ ପୁଅ !

 

ଅଳ୍ପ ଅଳ୍ପ ହସି ହସି ରବି କହିଲା—ଡ୍ରାଫ୍‍ସ୍‍ମ୍ୟାନ ଟ୍ରେନିଂ-ସାରି ମୁଁ ଯୁଦ୍ଧ ବିଭାଗରେ ଯୋଗ ଦେଲି । ନିର୍ମାଣ ବିଭାଗର ଗୋଟିଏ କମ୍ପାନୀରେ ମୋତେ ଓ୍ୱାଲଙ୍ଗ୍ ଯିବାକୁ ପଡ଼ିଲା । ସେହିଠାରେ ମାପଚୁପ କାମ କରୁ କରୁ ଚିନାମାନଙ୍କ ହାବୁଡ଼େ ପଡ଼ିଲୁଁ । ରାତି ଅନ୍ଧାରରେ ପଳାଇ ଆସି ନଈ ପାଣିରେ ପଡ଼ି ଭାଗ୍ୟକ୍ରମେ ଏଠିକି ଆସି ପ୍ରାଣ ପାଇଲୁଁ ମାତ୍ର । ଆଉ ତୁମେ ମା ଏଠିକି କେମିତି ଆସିଲ ?

 

ବିବୁଧେନ୍ଦ୍ର ବାବୁଙ୍କ ପାଖକୁ ଚିଠିପତ୍ର ଦେବା ତୁ ତ ବନ୍ଦ୍ କରିଦେଲୁ । ଆଉ ମୁଁ ଅପେକ୍ଷା କରିପାରିଲି ନାହିଁ । ଶାନ୍ତିନିକେତନ ଛାଡ଼ି ପଳାଇ ଆସିଲି । ଚିନା ଆକ୍ରମଣର ସୁଯୋଗ ନେଇ ମୁଁ ସ୍ଵେଚ୍ଛାସେବିକା ହୋଇ ବିଭିନ୍ନ ଆଶ୍ରୟକେନ୍ଦ୍ରକୁ ଯାଇ ରୋଗୀମାନଙ୍କର ସେବା କରୁ କରୁ ଏଠାକୁ ଆସିଲି । ଭାଗ୍ୟ ମୋର ହଜାଧନକୁ ଫେରାଇ ଦେଲା ।

 

କହୁ କହୁ ମାଆର ଆଖିରୁ ଆନନ୍ଦାଶ୍ରୁ ଗଡ଼ି ପଡ଼ୁଥାଏ । ଅଦୂରରେ ମାଆ ପୁଅଙ୍କ ମିଳନ ଦୃଶ୍ୟ ଦେଖି ମନେମନେ ଆକଣ୍ଠ ଆନନ୍ଦ ଅନୁଭବ କରୁଥିଲେ ବିକ୍ରମବାବୁ । ପାଖକୁ ଆସି କହିଲେ ମୋ ଖବର ତେବେ ଶୁଣ ମାଳା ଦେବି ! ତୁମେ ପଳାଇ ଗଲାପରେ ମୁଁ କଟକ ଗଲି । କଲିକତା ଫେରିଲି । ସଂସାର ଛାଡ଼ିବା ପାଇଁ କଲିକତା ଛାଡ଼ି ଦାର୍ଜିଲିଂ ଗଲି । ସେଠାରୁ ବାହାରି ବଣ ଜଙ୍ଗଲରେ ବୁଲି ବୁଲି ବ୍ରହ୍ମଚାରୀଙ୍କ ସହ ଏଇ ଗାଁରେ ଆଶ୍ରୟ ନେଇଚି । ବାଟରେ ବିଶ୍ୱେଶ୍ୱରୀ ଗୋଟିଏ ଗଭୀର ନଦୀକୁ ଡେଇଁପଡ଼ି ଆତ୍ମହତ୍ୟା କରିଚନ୍ତି ।

 

ଚିତ୍ର ତାରକା ମଣିମାଳା ଶୂନ୍ୟ ଗଗନ ଆଡ଼କୁ ଚାହିଁ ଚାହିଁ ଭାବୁଚି—

 

କରିକରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ ।

 

ରବି ଦୀର୍ଘନିଃଶ୍ୱାସ ଟାଣି ଭାବୁଚି—ଦୁନିଆଟା ଗୋଟାଏ ଖେଳଘର । ଏ ଖେଳଘରେ କିଏ କେତେବେଳେ କାହାର ବରକନ୍ୟା ସାଜୁଛି ତା’ର ଠିକଣା ନାହିଁ । ପାପ ଆଉ ପୁଣ୍ୟ, ଭଲ ଆଉ ମନ୍ଦ । ସମସ୍ତଙ୍କଠାରେ ଅଳ୍ପେ ବହୁତେ ଅଛି ଏବଂ ଥିବ । ଘଟଣା ଚକ୍ର ଓ ସମୟ ହାତରେ ମଣିଷମାତ୍ରେ ଗୋଟିଏ ଗୋଟିଏ ପୁତ୍ତଳିକା ମାତ୍ର । ସମୟର ସ୍ରୋତରେ ଭାସୁଚନ୍ତି, ଘଟଣା ପରମ୍ପରାରେ ନାଚୁଚନ୍ତି । ଗୋଟିଏ ଗୋଟିଏ ମଣିଷ ଗୋଟିଏ ଗୋଟିଏ ବହୁରୂପୀ ଜୀବ । ଆଜିର କୋଟିପତି କାଲିକି ସନ୍ନ୍ୟାସୀ, ପରଦିନକୁ ଭିକାରି ଏବଂ ତହିଁ-ଆରଦିନକୁ ପୋଡ଼ା ପାଉଁଶ ଓ ଧୂଳିମଟିରେ ମିଶୁଚି । ଛାୟାଛବିର ସେଦିନର ଗୃହିଣୀ ମଣିମାଳା କେଇଟିଦିନର ଚିତ୍ରତାରକା, କେତୋଟି ସ୍ଵେଚ୍ଛା-ସେବିକା । ମୁଁ ? ମୁଁ ହେଲି ଅଧିକାରୀ ବିଜୟକୃଷ୍ଣଙ୍କ ପୁଅ, ବିକ୍ରମବାବୁଙ୍କ ପୋଷ୍ୟ ପୁତ୍ର, ବିବୁଧେନ୍ଦ୍ର ବାବୁଙ୍କ ସ୍ନେହର ପାତ୍ର । ଯୁଦ୍ଧ ବିଭାଗ ଡ୍ରାଫ୍ଟ୍‍ସ୍‍ମ୍ୟାନ୍, ଡାକ୍ତରଖାନାର ରୋଗୀ ଏବଂ ଆଜି ଏ ଫୁଲ ବଗିଚାର ବିଶ୍ରାମକାରୀ ଭାବୁକ । ଏମିତି ଚାଲିଚି ଦୁନିଆ । ଗୋଟିଏ ଗୋଟିଏ ଜୀବର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଜୀବନୀ ଚକ୍ର । ଚକ ଘୂରୁଚି, ଗ୍ରହ ନକ୍ଷତ୍ର ଓଲଟ ପାଲଟ ଖେଳୁଚନ୍ତି । କିଏ କାହା ପାଖରୁ କେଉଁଦିନ ଛଡ଼ାଛଡ଼ି ହୋଇଯାଉଚି, ପୁଣି କିଏ କେଉଁଠାରେ କାହାସାଙ୍ଗରେ ସାକ୍ଷାତ କରୁଚି—କିଏ କହିପାରିବ ତା’ର ହିସାବ ? ବିଶ୍ୱେଶ୍ୱରୀ ଆତ୍ମହତ୍ୟା କରିଚନ୍ତି । ସତେ କଅଣ ସେ ମରିଚନ୍ତି ? ସତେ କଅଣ ଯୁଦ୍ଧ ଭୂଇଁରେ ସୈନିକମାନେ ମରୁଚନ୍ତି ? ଜନ୍ମ ମରଣର ଛାୟାଛବିରେ କେବଳ ଓଲଟ ପାଲଟ ଲାଗିଚି । ମରୁନାହିଁ କେହି । କେବଳ ପୁରୁଣା ବସନ ପାଲଟି ପକାଇ ନୂଆ ବସନ ପିନ୍ଧୁଚି । ଜୀବ ଗୋଟିଏ ଶରୀର ଛାଡ଼ି ନୂଆ ଶରୀରଟିଏ ଗ୍ରହଣ କରୁଚି ।

 

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହ୍ନାତି ନରୋଽପରାଣୀ

ତଥା ଶରୀରାଣି ବିହାୟ ଜୀର୍ଣ୍ଣ ।

ନ୍ୟନ୍ୟାନି ସଂଜାତି ନବାନି ଦେହୀ ।

 

ଉପରେ ଆକାଶତଳେ ଡାଳେ ଡାଳେ ହସୁଚି ପେନ୍ଥା ପେନ୍ଥା ଫୁଲର ଦୋଳା । ଦେଉଳରେ ଆରତି ଘଣ୍ଟା ବାଜି ଉଠିଲାଣି । ଫୁଲଗଛ ମୂଳକୁ ଆଉଜି ଛିଡ଼ାହୋଇ ବିକ୍ରମବାବୁ ମନେମନେ କହିଉଠୁଚନ୍ତି—ସଂସାରର ବନ୍ଧନ ରଜ୍ଜୁ ଛିଡ଼ାଇ ଆସିଚି । ପୁଣି କାହିଁକି ଆଜି ମୋତେ ଏ ମାୟାର ଡୋରି ଗଛମୂଳଟାରେ ଅଟକାଇ ରଖୁଚି ? ଚିତ୍ରତାରକା ମଣିମାଳା ଏବଂ ତା’ର ପୁତ୍ର ରବିନାରାୟଣ......କେହିତ କାହାରି ନୁହଁ ? ବିଶ୍ୱେଶ୍ୱରୀ ମରିଚି । ଶଙ୍କର କିଙ୍କରଙ୍କୁ ଛାଡ଼ି ଆସିଚି । କୋଟିପତିର ଧନ ସମ୍ପଦ ସବୁ ଏ ସଂସାରରେ ଛାୟାବାଜି ମାତ୍ର । ଗୋଟି ଗୋଟି ହୋଇ କେତୋଟି କାତି ଏ ସାପ ଛାଡ଼ି ଆସିଚି । ଶରୀରରୁ କାତି ଛାଡ଼େ । ଶରୀର କାତିଟା ଦିନେ ଛାଡ଼ିଗଲେ ମୁଁ ମୁକ୍ତ ହେବି ସିନା ! ମଣିମାଳା ସଙ୍ଗରେ ପୁଣି ଥରେ ମିଳନ ମୁଁ ତ ଆଶା କରି ନଥିଲି । ବନ୍ଧନରେ ପୁଣି ଥରେ ପଡ଼ିଯିବା ଆଗରୁ ମୋତେ ଦୂରକୁ ପଳାଇଯିବାକୁ ହେବ ।

 

ବିକ୍ରମବାବୁ ଧୀରେ ଧୀରେ ଦୂରେଇ ଗଲେ । ମଠର ହତା ଛାଡ଼ି ଶୂନ୍ୟହାତରେ ଦିଗନ୍ତବିସ୍ତାରୀ ବନଭୂମି ଭିତରେ ସେ ଚାହୁଁ ଚାହୁଁ ପୁଣିଥରେ ମିଳାଇଗଲେ । ମଣିମାଳା ଚାହିଁ ଚାହିଁ ଆଖିଲୁହ ପୋଛିଲା । ମାତ୍ର ପଛରୁ ଡାକିଲାନାହିଁ । କହିଲା ନାହିଁ—ଫେରିଆସ ବୋଲି । ବସିବା ସ୍ଥାନରୁ ଉଠିପଡ଼ି ରବି କହିଲା—ଖଟିଆ ଉପରକୁ ଫେରିଯାଉଚି ମାଆ ! ମୋତେ କାଲି ଅନ୍ୟ କୌଣସି ଘାଟିକୁ ଲେଉଟି ଯିବାକୁ ପଡ଼ିବ ।

 

ମାଳା କାନ୍ଦକାନ୍ଦ ସ୍ୱରରେ ପଚାରିଲେ—ଘରକୁ କେବେ ଫେରିବୁ ରବି !

 

ରବି କହିଉଠିଲା—ଘର ମୋର ଭାରତ ଭୂମି । ଦେହଟି ମୋର ଭାରତମାତାର ଉଦ୍ଧାରପାଇଁ ଉତ୍ସର୍ଗ କରିଦେଇଛି । ମୋର ଫେରିବା ନ ଫେରିବା କଥାଟା ସମ୍ପୂର୍ଣ୍ଣ ଅନିଶ୍ଚିତ ମା !

 

କହିଉଠିଲେ ମଣିମାଳା—ମୁଁ ତେବେ ବ୍ୟାକୁଳ କାହିଁକି ? ମୁଁ ବି ଯେଉଁ ବାଟଟି ଧରିଚି ସେଇବାଟ ଧରି ଶେଷ ନିଃଶ୍ୱାସଟି ଦିନ ପାଇଁ ମେନେଜର । ତା’ପରେ ସଙ୍ଗୀତ ଶିକ୍ଷୟିତ୍ରୀ, ତା’ପରେ ବହୁଥିବା ଯାକେ ଚାଲିଲି ପୁଅ ।

 

ଧୀରେ ଧୀରେ ଅନ୍ଧକାର ଚାରିଆଡ଼ୁ ଘୋଟି ଆସିଲା । ଆକାଶରେ ଗୋଟି ଗୋଟି ହୋଇ ତାରାଫୁଲ ଫୁଟିଉଠିଲା । ହିମାଦ୍ରିର ପାଦଦେଶରେ ଅଭିନେତ୍ରୀ ଚିତ୍ରତାରକାର ଅଭିନୟ ଶେଷ ହୋଇଗଲା । ହତାଶରେ ଅନ୍ତର ତା’ର ହା ହୁତାଶ ହେଉଥାଏ । ଚାରିଆଡ଼ୁ କୋଲମରା ଶୀତ ପବନ ଭାସି ଆସୁଥାଏ । ସ୍ଵେଚ୍ଛାସେବିକା ମଣିମାଳା ଧୀରେ ଧୀରେ ଆଖିଲୁହ ପୋଛି ପକାଇ ଛାଉଣିକୁ ଫେରିଗଲା । ନିଜକୁ କହିକହି ଗଲା—ଅନ୍ଧକାରମୟ ଭବିଷ୍ୟତ ପାଇଁ ଭାବିବି ନାହିଁ । ବିଗତ ସ୍ମୃତିର ସ୍ୱପ୍ନରେ ବିଭୋଳ ହୋଇ ରହିବି ନାହିଁ । ବର୍ତ୍ତମାନର କର୍ତ୍ତବ୍ୟ ହିଁ ମୋର ଜୀବନ ଏବଂ ମୋର ଭଗବାନ ।

Image